୨୦୦୬ ଆରମ୍ଭ ହେଲା ଗଣହତ୍ୟାରୁ । ୨ଜାନୁଆରୀ ଦିନ ଭିଟାମାଟିର ସୁରକ୍ଷା କରୁ କରୁ ଯାଜପୁର ଜିଲ୍ଲାର କଳିଙ୍ଗନଗରର ତେରଜଣ ନିରୀହ ଆଦିବାସୀ ପୁଲିସ ଗୁଳିରେ ଟଳିପଡ଼ିଲେ । ସମସ୍ତେ ଭାବିଲେ ନବୀନ ସରକାରର ପରମାୟୁ ପୁରିଲା । କିନ୍ତୁ ନବୀନ ସରକାର ତ ରହିଛି – ଯଦିଓ କଳିଙ୍ଗନଗରରେ ଟାଟା କମ୍ପାନୀ କାରଖାନା ଆରମ୍ଭ କରିପାରି ନାହିଁ ବା ଆଦିବାସୀଙ୍କ ଦ୍ୱାରା ରାଜରାସ୍ତା ଅବରୋଧ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହୋଇନାହିଁ – କାରଣ ଆଦିବାସୀମାନଙ୍କର ଦାବିଗୁଡ଼ିକୁ ରାଜ୍ୟ ସରକାର ଏଯାବତ୍ ମାନିନାହାନ୍ତି । ବିଡ଼ମ୍ବନା ଯେ ଏଡ଼େ ବିରାଟ ଆନେ୍ଦାଳନ ଅଥଚ କ୍ଷମତାକୁ ଏହା ଦୋହଲାଇ ପାରିଲା ନାହିଁ । ୧୯୬୪ରେ ଛାତ୍ର ଆନେ୍ଦାଳନ ବିଜୁ ପଟ୍ଟନାୟକଙ୍କ ଭଳି ଶକ୍ତିଶାଳୀ ବ୍ୟକ୍ତିତ୍ୱକୁ କ୍ଷମତାରୁ ବିଦା କରିଦେଲା ଯେ ତିନିଦଶନ୍ଧି ପ୍ରାୟ ଲାଗିଗଲା ପୁଣି କ୍ଷମତାକୁ ଫେରିବା ପାଇଁ । ଯାହା ଜଣାଯାଉଛି ଜନ ଅସନ୍ତୋଷକୁ ସତ୍ତା ପରିବର୍ତ୍ତନ ପାଇଁ ବ୍ୟବହାର କରିପାରୁଥିବା ଶକ୍ତିମାନଙ୍କର ଓଡ଼ିଶାର ରାଜନୀତିରେ ଘୋର ଅଭାବ ରହିଛି ଯଦିଓ ଜନଅସନ୍ତୋଷ ପୂର୍ବାପେକ୍ଷା ଅଧିକ ଗଭୀର ଓ ବ୍ୟାପକ ହେଉଛି ।
ଭିଟାମାଟି ନ ଛାଡ଼ିବା ପାଇଁ ସାଧାରଣ ମଣିଷର ଜିଦ୍ ବଢ଼ିଛି । କିନ୍ତୁ ଜମି, ଜଙ୍ଗଲ, ଖଣି ଶିଳ୍ପପତିଙ୍କୁ ଯୋଗାଇବା ପାଇଁ ବୁଝାମଣା ପତ୍ର ଦସ୍ତଖତରେ ବିରାମ ଆସୁନାହିଁ । ଏକଦା ହଜାର ଦିନରେ ହଜାର ଶିଳ୍ପ ଶୁଣିବାରେ ଅଭ୍ୟସ୍ତ ହୋଇଯାଇଥିବା କାନକୁ ପଛାଇ ଦେଇଛି ଆଖି ଯାହା ଏବେ ଏମ୍.ଓ.ୟୁ. ଦସ୍ତଖତର ଆଡ଼ମ୍ବରରେ ଝଲସି ଯାଉଛି । ସାରା ବିଶ୍ୱରୁ ଶିଳ୍ପପତି, ବାବାଜୀ, ବେପାରୀଙ୍କର ଛୁଟିଛି ପଟୁଆର – କଳିଙ୍ଗରୁ ସାଧକଙ୍କର ପଟୁଆର ଇତିହାସ ହୋଇଛି ।
ହଠାତ୍ ଦରିଦ୍ର ଓଡ଼ିଶା ଆକର୍ଷଣୀୟ ହୋଇପଡ଼ିଛି, ପ୍ରକୃତିଦତ୍ତ ସୌନ୍ଦର୍ଯ୍ୟର ଅଧିକାରୀ ନାରୀଟିଏ ପରି । କେତେଦିନ ପାଇଁ? ତାର ଉତ୍ତର ଖୋଜୁଛନ୍ତି – ମାଟି ତଳେ ଥିବା ଖଣିଜ ସମ୍ପଦ ମାପୁଥିବା ବିଜ୍ଞାନୀମାନେ ।
ଅବଶ୍ୟ ଦକ୍ଷିଣପନ୍ଥୀ ପ୍ରତିକ୍ରିୟାଶୀଳ ବୋଲି ସମ୍ବୋଧିତ ବିଜେଡି-ବିଜେପି ସରକାରଙ୍କର ପୁଞ୍ଜିପତିଙ୍କର ସ୍ୱାର୍ଥରକ୍ଷା ପାଇଁ ନିଷ୍ଠା – ବାମପନ୍ଥୀ ମାର୍କ୍ସବାଦୀ ବଙ୍ଗ ସରକାରଙ୍କର ନିଷ୍ଠା ସମ୍ମୁଖରେ ଫିକା ଫିକା ଲାଗୁଛି । ସିଙ୍ଗୁରରେ ମମତା ବାନାର୍ଜୀ ମହାତ୍ମା ଗାନ୍ଧୀଙ୍କର ଅନଶନ ରେକର୍ଡ ଭାଙ୍ଗିଦେବା – ସମ୍ବାଦପତ୍ରର ଏକ ବିଶେଷ ଖବର ହୋଇଯାଇଛି ।
ବାମପନ୍ଥୀ ହୁଅନ୍ତୁ ବା ଦକ୍ଷିଣପନ୍ଥୀ ହୁଅନ୍ତୁ – ଯଦି କ୍ଷମତାସୀନ, ତା’ହେଲେ ପୁଞ୍ଜିପତିମାନଙ୍କର ସ୍ୱାର୍ଥକୁ ସୁରକ୍ଷା ଦେବାପାଇଁ, ପୁଞ୍ଜିବାଦର ଜୟଯାତ୍ରାକୁ ଅବ୍ୟାହତ ରଖିବା ପାଇଁ ସେମାନେ ତପôର ହୋଇପଡ଼ିଛନ୍ତି । ପୁଞ୍ଜିବାଦ ଆସିଲା ପରେ ତ’ ଯାଇ ସାମ୍ୟବାଦ ଆସିବ – ତେଣୁ ପୁଞ୍ଜିବାଦର ପଥକୁ ସୁଗମ କରିବାକୁ ହେବ – ସାମନ୍ତବାଦକୁ ଭାଙ୍ଗି -ଏହା ହିଁ ସାମ୍ୟବାଦୀର ଦାୟିତ୍ୱ । ଏଭଳି ନିର୍ଲଜ ଯୁକ୍ତି ମଧ୍ୟ କରୁଛନ୍ତି । କିନ୍ତୁ କ୍ଷମତାରେ ରହିବା ପାଇଁ ପୁଞ୍ଜିପତିର ସମର୍ଥନ ଯେ ଏକାନ୍ତ ଆବଶ୍ୟକ – ଏହା ହିଁ କ୍ଷମତାସୀନ ଓ କ୍ଷମତା ଆଶାୟୀ ସବୁ ରଙ୍ଗର ରାଜନୈତିକ ଦଳଗୁଡ଼ିକର ଉପଲବ୍ଧି ବୋଲି ଜଣାପଡ଼ୁଛି; ସାଧାରଣ ମଣିଷର ସମର୍ଥନକୁ କିଣି ନିଆଯାଇପାରେ, ଏଭଳି ବିଶ୍ୱାସ ସେମାନଙ୍କର ଅଛି । ଲାଗୁଛି ଯେପରି ଭାରତବର୍ଷରେ ପୁଞ୍ଜିପତି ଶ୍ରେଣୀର ବିଜୟ ହୋଇଛି । ଦକ୍ଷିଣପନ୍ଥୀ ଦଳଗୁଡ଼ିକରୁ ସେମାନଙ୍କ ଘରର ପିଲାମାନେ ବିଧାୟକ, ସାଂସଦ ହୋଇଗଲେଣି, ରଜାଘରର ପିଲାଙ୍କ ପରି । କ୍ଷମତାସୀନ ବାମପନ୍ଥୀଙ୍କୁ ସେମାନେ କରାୟତ୍ତ କରିସାରିଲେଣି । କ୍ଷମତାସୀନ ବାମପନ୍ଥୀମାନେ ଦକ୍ଷିଣକୁ ମାଡ଼ିଲେଣି । ସ୍ଥାନ ତ ଶୂନ୍ୟ ହୋଇ ରହିବ ନାହିଁ କେବେ । ଭୂମିଗତ ବାମପନ୍ଥୀଙ୍କର ସଂଖ୍ୟାବୃଦ୍ଧି ଅବଶ୍ୟମ୍ଭାବୀ ଓ ତାର ବ୍ୟାପ୍ତି ମଧ୍ୟ ଅବଶ୍ୟମ୍ଭାବୀ । ନେପାଳରେ ପ୍ରଚଣ୍ଡଙ୍କର ବିଜୟ – ଏହି ବାମପନ୍ଥୀମାନଙ୍କୁ ନିଶ୍ଚିତ ଉତ୍ସାହିତ କରୁଛି । କିନ୍ତୁ କ୍ଷମତାରେ ଅଂଶଗ୍ରହଣ କରି ପ୍ରଚଣ୍ଡ ବାମପନ୍ଥୀ ଆଦର୍ଶର ଶୁଦ୍ଧତାକୁ କେତେଦୂର ରକ୍ଷା କରିବାରେ ସମର୍ଥ ହେଉଛନ୍ତି – ତାହା ଦେଖିବା ପାଇଁ ସ୍ୱାଭାବିକ ଅନେକ ଉତ୍ସୁକ ଅଛନ୍ତି ।
ବଂଚିତଙ୍କର ସଂଖ୍ୟା ବଢ଼ୁଛି – ଆହୁରି ବଢ଼ିବ । ବୈଷମ୍ୟ ବଢ଼ୁଛି – ଆହୁରି ବଢ଼ିବ । ସାଧାରଣ ମଣିଷର ସମ୍ପଦକୁ ଅପହରଣ କରିବାର ପ୍ରବଣତା ଅଧିକ ଦୃଶ୍ୟମାନ ହେବ – ସାମାଜିକ ସନ୍ତୁଳନ ବିଗିଡ଼ିଯିବ । ଗୋଟିଏ ପଟେ ସୀମିତ ସମ୍ପଦ ପାଇଁ ଭିଡ଼ କରୁଥିବା କର୍ପୋରେଟମାନଙ୍କ ମଧ୍ୟରେ କନ୍ଦଳ ଓ ଆରପଟେ ସମୁଦାୟ କର୍ପୋରେଟ୍ର ଉପସ୍ଥିତିକୁ ସାଧାରଣ ଲୋକର ନଛୋଡାÿ ବନ୍ଧା ବିରୋଧ, କ୍ଷମତାସୀନ ଓ କ୍ଷମତା ଆଶାୟୀ ରାଜନୈତିକ ଦଳଗୁଡ଼ିକ ପାଇଁ ଏକ ଅସମାହିତ ପରିସ୍ଥିତି ସୃଷ୍ଟି କରିବ । ଫାସିବାଦରେ ଯଦି ଏମାନେ ଶେଷକୁ ସମାଧାନ ଖୋଜନ୍ତି, ତା’ହେଲେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ ।
କେନ୍ଦ୍ରରେ ମନମୋହନ, ବଙ୍ଗଳାରେ ବୁଦ୍ଧଦେବ ଓ ଓଡ଼ିଶାରେ ନବୀନ – ‘ନିର୍ମଳ ଭାବମୂର୍ତ୍ତି’ ଧାରଣ କରିଛନ୍ତି – ଏହା ଯେ କେହି ଆଜି କହୁଛି । ନିରାଡ଼ମ୍ବର ଜୀବନଶୈଳୀ ଏମାନଙ୍କର – ‘ସାଧାରଣ ପରିଚ୍ଛଦରେ ସବୁବେଳେ ଦୃଶ୍ୟମାନ – ବ୍ୟକ୍ତିଗତ ଆବଶ୍ୟକତା ପ୍ରାୟ ନଗଣ୍ୟ । ଆନୁଗତ୍ୟ ଦେଖାଇବାକୁ ଯାଇ ତାଙ୍କ ପାଇଁ କିଏ କେତେ ଖର୍ଚ୍ଚ କରୁଛି – ତାହାର ଦୋଷ ତାଙ୍କ ଉପରେ ଲଦିଦେବା ନ୍ୟାୟସଙ୍ଗତ ହେବ ନାହିଁ । ଏମାନେ ନିଜ ପାଇଁ କିଛି କରୁନାହାନ୍ତି – ଏହା ତାଙ୍କ ସମ୍ପର୍କରେ ପ୍ରଚାର । କାହାପାଇଁ କରୁଛନ୍ତି? ଏଥିରେ ମଧ୍ୟ କାହାରି ସନେ୍ଦହ ନାହିଁ ଯେ, ସେମାନେ ପୁଞ୍ଜିପତିଙ୍କର ସ୍ୱାର୍ଥରେ ହିଁ କାର୍ଯ୍ୟ କରୁଛନ୍ତି । ସାଧାରଣ ଲୋକ ସହିତ ବୁଝାମଣା ବହନ କରୁଥିବା ଭାରତୀୟ ସମ୍ବିଧାନ ଅପେକ୍ଷା ସେମାନଙ୍କ ପାଇଁ ଶିଳ୍ପପତିମାନଙ୍କ ସହ ବୁଝାମଣା ଅଧିକ ଗୁରୁ୍ତ୍ୱ ପାଉଛି । କିନ୍ତୁ ପୁଞ୍ଜିପତିମାନେ ଏଭଳି ‘ନିର୍ମଳ ଭାବମୂର୍ତ୍ତି’ର ମଣିଷମାନଙ୍କୁ ନିଜ ସ୍ୱାର୍ଥର ପ୍ରହରୀଭାବେ ପାଇ ନିଃସନେ୍ଦହରେ ଆହ୍ଲାଦିତ ହେଉଥିବେ । କାରଣ ଲୋଭୀ, ଦୁର୍ନୀତିଗ୍ରସ୍ତ ନେତାମାନଙ୍କୁ ସନ୍ତୁଷ୍ଟ କରିବା ଦାୟରୁ ତ ତାଙ୍କୁ ମିଳୁଛି ମୁକ୍ତି । ଅବଶ୍ୟ ପାର୍ଟି ହୁଣ୍ଡିରେ ପଇସା ପକାଇବା ପାଇଁ କେଉଁ ପୁଞ୍ଜିପତି ବା ମନା କରିବ ।
ଆମ ରାଜ୍ୟରେ ନବୀନବାବୁଙ୍କର ‘ନିର୍ମଳ ଭାବମୂର୍ତ୍ତି’ ଅବିବାଦ୍ୟ । ଏପରିକି ତାଙ୍କ ଦ୍ୱାରା ବିତାଡ଼ିତ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମଧ୍ୟ କୁହନ୍ତି, The leader has a clean image and has waged a war against corruption each of us should see whether we follow the same standard or not’ (The statesman, Orissa Plus, 27th Dec’06ନବୀନବାବୁଙ୍କର ‘ନିର୍ମଳ ଭାବମୂର୍ତ୍ତି’କୁ ‘ଶତ୍ରୁ ମଧ୍ୟ ସ୍ୱୀକାର କରିିବ’ – ଏହିଭଳି ସମ୍ବାଦ ମିଳେ ଦାମବାବୁଙ୍କର ଏତାଦୃଶ ଉକ୍ତିରୁ । ‘ନିର୍ମଳ ଭାବମୂର୍ତ୍ତି’ ବଳିଷ୍ଠ ହୋଇଛି ଆଇ.ଏ.ଏସ୍. ଅଫିସର, ଜଣାଶୁଣା କଣ୍ଟ୍ରାକ୍ଟରମାନଙ୍କର ଜେଲ୍ୟାତ୍ରା ଫଳରେ । ଅବଶ୍ୟ ବିତର୍କିତ ରାଜନୈତିକ ବ୍ୟକ୍ତିମାନେ ଜେଲ୍ ଯାତ୍ରାରୁ ବର୍ତ୍ତି ଯାଇଛନ୍ତି – ଯଦିଓ ହରାଇଛନ୍ତି ପଦପଦବୀ । ନବୀନ ବାବୁଙ୍କର ରାଜନୈତିକ ଶକ୍ତି ବୃଦ୍ଧିପାଇଛି । ବିଜେଡ଼ି କୁ ମିଳିତ ନେତୃତ୍ୱର ଦଳ, କ୍ୟାଡ଼ରଭିତ୍ତକ ଦଳ ଭାବେ ଗଢ଼ିବାର ଯେଉଁ ଆସ୍ଫାଳନ ହେଉଥିଲା – ତାହା ସୌଭାଗ୍ୟକ୍ରମେ ନିସ୍ତେଜ ହୋଇଯାଇଛି – ନବୀନ ବାବୁଙ୍କର ଏକକ ନେତୃତ୍ୱକୁ ହିଁ ଦିଆଯାଇଛି ଗୁରୁତ୍ୱ । ଦଳର ଦଶମ ପ୍ରତିଷ୍ଠା ଦିବସ ବିବରଣୀ ଉପରେ ମନ୍ତବ୍ୟ କରିବାକୁ ଯାଇ ଖବରକାଗଜ ଲେଖନ୍ତି,Talk of collective leadership, cadre-based party and so on were given a go by as Biju Janata Dal celebrated its 10th Foundation Day here today asserting that the regional party was to revolve around the undisputed leader Mr. Naveen Patnaik.’ (The statesman, Orissa Plus 27th Dec 06) । ଆଇ.ଏ.ଏସ୍. ଅଫିସର ଓ କଣ୍ଟ୍ରାକ୍ଟର ମାନଙ୍କୁ ଜେଲ୍କୁ ପଠାଇ ଦେଇ – ସାଧାରଣର ଦୃଷ୍ଟି ଅନ୍ତରାଳରେ ରହୁଥିବା ବିଶ୍ୱବ୍ୟାଙ୍କ, ଡି.ଏଫ୍.ଆଇ.ଡି ବା ଅନ୍ୟାନ୍ୟ ଅର୍ଥଯୋଗାଣ ସଂସ୍ଥାମାନଙ୍କର ଅଧିକାରୀମାନଙ୍କ ସହ ବା ବାହାରୁ ଆସୁଥିବା ଗଣ୍ଡା ଗଣ୍ଡା ଠିକାଦାର, ଶିଳ୍ପପତିଙ୍କ ସହ ମଧୂଚନ୍ଦ୍ରିକା – ଏକ ଚମକ୍ରାର କୌଶଳ । ଜଗତୀକରଣ ଫଳରେ ସ୍ଥାନୀୟ ଠିକାଦାରମାନେ ରାଜନୈତିକ ଦଳଗୁଡ଼ିକ ପାଇଁ ଆଉ ପ୍ରାସଙ୍ଗିକ ନୁହନ୍ତି- ବାହାର ଶିଳ୍ପପତିମାନେ ରାଜନୈତିକ ଦଳଗୁଡ଼ିକର ଚାହିଦାକୁ ବହୁଗୁଣରେ ପୂରଣ କରି ପାରିବେ । ତେଣୁ ସ୍ଥାନୀୟ ଠିକାଦାର – ଆଇ.ଏ.ଏସ୍.ଙ୍କୁ ଦଣ୍ଡିତ କରି ସ୍ଥାନୀୟ ଲୋକଙ୍କର ପ୍ରଶଂସା ପାଇବା ଓ ବାହାର ଠିକାଦାର – ଶିଳ୍ପପତିଙ୍କ ହାତରେ ଜଳ, ଜମି, ଜଙ୍ଗଲ, ଖଣି ଟେକିଦେଇ ଅର୍ଥ ସଂଗ୍ରହ କରିବାରେ ଦୈ୍ୱତ ମୁନାଫା ସମ୍ଭବ ବୋଲି ଚତୁର ରାଜନୀତିଜ୍ଞମାନେ ବୁଝିଲେଣି । ସାଧାରଣ ଲୋକେ ବୁଝିବା ଉଚିତ ଯେ ଆଇ.ଏ.ଏସ୍. ଅଫିସର ଓ ସ୍ଥାନୀୟ ଠିକାଦାରମାନଙ୍କ ଦୁର୍ନୀତି ଫଳରେ ଯେଉଁ କ୍ଷତି ରାଜସ୍ୱର ହେଉଥିଲା ତାହାଠାରୁ ବହୁଗୁଣ କ୍ଷତି ଏହି ମଧୂଚନ୍ଦ୍ରିକା ଯୋଗୁଁ ହେବ । ୩୫ବର୍ଷରେ ସମୁଦାୟ ଶହେକୋଟି ଟଙ୍କାର କ୍ଷତି ସହିନପାରି ବିଦୁ୍ୟତବୋର୍ଡ଼କୁ ଘରୋଇ ସଂସ୍ଥା ମାନଙ୍କ ହାତକୁ ଟେକିଦେଇ ଆଜି ଦଶବର୍ଷରେ କ୍ଷତିର ପରିମାଣ ପାଖାପାଖି ପଇଁତିରିଶ ଶହ କୋଟିରେ ପହଂଚିଲାଣି । ସାଧାରଣ ଲୋକେ ହୁକ ପକାଇ ଯେତିକି ବିଦୁ୍ୟତ ଚୋରି କରୁଥିଲା ଓ ସମସ୍ତଙ୍କ ଆଖିକୁ ଦିଶୁଥିଲା – ତାହାଠାରୁ କାହିଁ କେତେଗୁଣ ଘରୋଇ କମ୍ପାନୀମାନେ ନେଇ ପଳାଇଲେଣି । ଏହା ହିଁ ସବୁକ୍ଷେତ୍ରରେ ହେବ – ଯଦି ‘ନିର୍ମଳ ଭାବମୂର୍ତ୍ତ’ର ଢ଼ାଙ୍କୁଣି ତଳେ ହଳାହଳର ଉପସ୍ଥିତିକୁ ଅଣଦେଖା କରିଦିଆଯାଏ । ସାଧାରଣ ଜୀବନରୁ ଦୁର୍ନୀତି ନିବାରଣ ହେବା ଉଚିତ – କିନ୍ତୁ ଏହାର ଆଢ଼ୁଆଳରେ ଦୀର୍ଘମିଆଦୀ କ୍ଷତି ପାଇଁ ପ୍ରସ୍ତୁତି ବୃଦ୍ଧବ୍ୟାଘ୍ର ହାତରେ ସୁବର୍ଣ୍ଣ କଙ୍କଣ ସଦୃଶ, ଏହା ମନେ ରଖିବା ଉଚିତ ।
ରାଜନୈତିକ ସଂସ୍କୃତି ବଦଳୁଛି । କ୍ଷମତାସୀନ ଦଳ ଭିତରେ ସ୍ୱାଧୀନ ମତଦେବା ପାଇଁ ସଭ୍ୟମାନଙ୍କର ସାହସ ପାଉନାହିଁ । କ୍ଷମତାରୁ ବିଚୁ୍ୟତ ହୋଇଯିବାର ଆଶଙ୍କା ସେମାନଙ୍କୁ ଆକ୍ରାନ୍ତ କରୁଛି, ଠିକ୍ ଚାକିରିଆର ଚାକିରି ଚାଲିଯିବାର ଭୟ ପରି । କାହିଁକି ବା ଏପରି ଆଶଙ୍କାଗ୍ରସ୍ତ ସେମାନେ ହେବେ ନାହିଁ? ଘରୋଇକରଣ ତ ରାଜନୈତିକ ଦଳମାନଙ୍କର ହେଲାଣି । ବ୍ୟକ୍ତିଗତ ମାଲିକାନା ଭିତରକୁ ରାଜନୈତିକ ଦଳଗୁଡ଼ିକ ଆସିଗଲାଣି । ଯାହାକୁ ଆମେ ଦଳର ନେତା ବୋଲି କହୁଛୁ – ସେ ପ୍ରକୃତରେ ଦଳର ମାଲିକ – ସାମନ୍ତବାଦୀ ରଜା ସଦୃଶ । କଂଗ୍ରେସ ଦଳର ସାମ୍ରାଜ୍ଞୀ ସୋନିଆ ଗାନ୍ଧୀ, ବିଜେଡ଼ିର ସମ୍ରାଟ ନବୀନ ପଟ୍ଟନାୟକ, ତେଲୁଗୁ ଦେଶମର ସମ୍ରାଟ ଚନ୍ଦ୍ରବାବୁ ନାଇଡ଼ୁ – ସମାଜବାଦୀ ପାର୍ଟିର ସମ୍ରାଟ ମୁଲାୟମ ସିଂ ଯାଦବ, ଲାଲୁପ୍ରସାଦ ଯାଦବ ରାଷ୍ଟ୍ରୀୟ ଜନତାଦଳର ସମ୍ରାଟ, କରୁଣାନିଧି ଡି.ଏମ୍.କେ.ର ସମ୍ରାଟ, ଏ.ଆଇ.ଡି.ଏମ୍.କେ ର ସାମ୍ରାଜ୍ଞୀ ଜୟଲଳିତା – ଏହିପରି । ଏମାନଙ୍କ ବିରୁଦ୍ଧରେ ଯଦି କେହି ସ୍ୱର ଉତ୍ତୋଳନ କଲା ବା ଏମାନଙ୍କୁ ଯଦି କେହି ପସନ୍ଦ ନହେଲା, ତା’ହେଲେ ତାର ଶିରଛେଦ ଅବଶ୍ୟମ୍ଭାବୀ – ଆଖିଠାର ପାଇଁ ବାହାନାଟିଏ ଦରକାର – କାରଣ ଗଣତନ୍ତ୍ର ଭିତରେ ରାଜତନ୍ତ୍ରକୁ କାଏମ ରଖିବା ପାଇଁ ଏହା ଦରକାର । ତେଣୁ ନଟବର ସିଂ କ୍ଷମତାଶୂନ୍ୟ ହେବା ବା ନଳିନୀ, ରାମକୃଷ୍ଣ, ଦାମ କ୍ଷମତାଶୂନ୍ୟ ହେବା – ଅପ୍ରତ୍ୟାଶିତ ନୁହେଁ । ସମ୍ରାଟ/ସାମ୍ରାଜ୍ଞୀଙ୍କର ଅନୁକମ୍ପାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଯିଏ ସାହସ କଲା – ସେ ତ ସମ୍ରାଟ/ସାମ୍ରାଜ୍ଞୀଙ୍କର ରୋଷର ଶିକାର ହେବ ହିଁ ହେବ । ଏପରି ରୋଷର ଶିକାର ବ୍ୟକ୍ତି ସହିତ ଅନ୍ୟମାନେ ସମ୍ପର୍କ ରଖିବେ କିପରି? ତେଣୁ ପଞ୍ଚଚାନନ କାନୁନ୍ଗୋଙ୍କ ଘରକୁ ଏଯାବତ୍ ପ୍ରତିଦିନ ଯାଉଥିବା ଦଳୀୟ ଲୋକେ ଯଦି ହଠାତ୍ ଯିବା ବନ୍ଦ କରିଦେଲେ, ତା’ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାରେ କ’ଣ ଅଛି ? ଚାଣକ୍ୟ-ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ପ୍ରସଙ୍ଗ ଉଠାଇ ଦଳର ସାଂସଦ ଭର୍ତ୍ତୃହରି ମହତାବ ତ ନବୀନ ପଟ୍ଟନାୟକଙ୍କୁ ଚନ୍ଦ୍ରଗୁପ୍ତ ମର୍ଯ୍ୟାଦା ଦେଇଦେଲେ – ଚାଣକ୍ୟମାନଙ୍କୁ ନେଇ ଯାହା ବିତର୍କ ହେଉ ନା କାହିଁକି? ପଞ୍ଚଚାନନ ନବୀନ ବାବୁଙ୍କ ଦ୍ୱାରା ନିଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ଦଳୀୟ ଦୃଷ୍ଟିରେ ଔଦ୍ଧତ୍ୟ ପ୍ରଦର୍ଶନ କରିଛନ୍ତି – ଏହା କ’ଣ କଦାପି ସହ୍ୟ କରାଯାଇପାରେ ।
‘ଅତର୍କିତ ପ୍ରହାର’ କରିବା ଏକ ପରମ୍ପରାର ମାନ୍ୟତା ପାଇବାକୁ ବସିଲାଣି । ବିଜୁ ପଟ୍ଟନାୟକ ସାମ୍ନାସାମ୍ନି ଭିଡ଼ିବାରେ ଥିଲେ ବିଶ୍ୱାସୀ – କିନ୍ତୁ ତାଙ୍କର ଉତ୍ତରାଧିକାରୀ ଅତର୍କିତ ପ୍ରହାର କରିବାରେ ହୋଇଛନ୍ତି ଅପ୍ରତିଦ୍ୱନ୍ଦ୍ୱୀ । ବିରୋଧୀଦଳ ବିରୁଦ୍ଧରେ ବିଜେଡ଼ି-ବିଜେପିର ଆକ୍ରମଣ ଯେତେ ପ୍ରଖର ଓ କଠୋର ନୁହେଁ ତାହା ଠାରୁ ଯଥେଷ୍ଟ ଅଧିକ କଠୋର ନିଜ ଦଳ ଭିତରେ ସ୍ୱାଧୀନମତ ପୋଷଣ କରୁଥିବା ବ୍ୟକ୍ତି ଉପରେ ହେଉଛି । ଦଳଭିତରେ ନିଜ ନିଜର ଅସ୍ତିତ୍ୱ ସମ୍ପର୍କରେ ପ୍ରତ୍ୟେକେ ଅନିଶ୍ଚିତ ଥିବାବେଳେ, ଦଳ ବିକ୍ଷିପ୍ତ ନହୋଇ ଚାଲିଛି – ବହୁ ବଡ଼ବୋଲା, ଛାତିଫୁଲା ନେତାମାନେ ନୀରବରେ ହିଡ଼େ ହିଡ଼େ ଚାଲିଛନ୍ତି – ବାଧ୍ୟ ମେଣ୍ଢାର ଧାଡ଼ି ପରି । ପ୍ରତ୍ୟେକ ବ୍ୟକ୍ତିର ସ୍ୱାଭିମାନ ଜଳାଞ୍ଜଳି ନେଇଛି – ରାଜ୍ୟର ସ୍ୱାଭିମାନ ବିଜେଡ଼ି ବଜାୟ ରଖିଛି ବୋଲି ଚାଣକ୍ୟମାନେ କହୁଛନ୍ତି ।
କ୍ଷମତାର ସ୍ୱାଦ ଚାଖିଥିବା ଦଳଗୁଡ଼ିକର ବିରୋଧୀଦଳ ଭୂମିକାରେ ଦୁର୍ବଳ ଓ କରୁଣ ଦୃଶ୍ୟ ଦେଖିଲେ ଏଯାବତ୍ କ୍ଷମତାରେ ହିଁ ରହି ଆସିଥିବା ବି.ଜେ.ଡ଼ି – ବି.ଜେ.ପି.ର ମେଣ୍ଟ ଯେଦି କ୍ଷମତାଚୁ୍ୟତ ହୁଏ ତା’ହେଲେ ଏହି ମେଣ୍ଟର ଭବିଷ୍ୟତ କ’ଣ ହେବ? ମେଣ୍ଟ ଭୁଷୁଡ଼ିଯିବ ଓ ବିଜେଡ଼ି ବିକ୍ଷିପ୍ତ ହୋଇଯିବ, କ୍ଷମତାର ଅଠା ଛାଡ଼ିଗଲେ – ଯୋଡ଼ିହୋଇ ରହିଥିବା ସମସ୍ତେ ଖସିପଡ଼ିବେ? ସର୍ବଭାରତୀୟ ଦଳ ବିଜେପି କାଏମ ରହିବ- ଠିକ୍ କଂଗ୍ରେସ କାଏମ ରହିଲା ଭଳି, ଅବଶ୍ୟ ବହୁ ଅନ୍ତର୍ବିବାଦକୁ ନେଇ ।
ଓଭରଡ୍ରାଫ୍ଟ ହେଉନାହିଁ ବୋଲି ରାଜ୍ୟର ଅର୍ଥବିଭାଗ ନିଜ ପିଠି ଥାପୁଡ଼ାଇବାରେ ଲାଗିଛି – ଭୋକ ଉପାସରେ ପଡ଼ିଥିବା ପରିବାରର ଧାର କରୁଥିବା ଗୃହକର୍ତ୍ତାର ଗର୍ବ ପରି । ବେକାରୀ ବଢ଼ି ବଢ଼ି ଚାଲିଛି, ଅର୍ଥନାହିଁ ଆଳ ଦେଖାଇ ଚାକିରୀର ଉଚ୍ଛେଦ ଚାଲିଛି, ଦରମା ନିୟମିତ ଦିଆଯାଇ ପାରୁନାହିଁ, ଅଥଚ ଅର୍ଥବିଭାଗ ଓଭରଡ୍ରାଫ୍ଟ ନ କରିବାକୁ ଏକ ବିରାଟ ସଫଳତା ବୋଲି ପ୍ରଚାର କରିଚାଲିଛି – ବଥକୁ ଛାଇ କହିବାରେ କୌଣସି ଲଜ୍ଜାର ଅନୁଭବ ହେଉନାହିଁ । ଯେଉଁ ଅର୍ଥନୈତିକ ବ୍ୟବସ୍ଥାରେ ରୋଜଗାରର ପ୍ରତିଶ୍ରୁତି ନାହିଁ – ପ୍ରତ୍ୟେକ ମନୁଷ୍ୟ ପାଇଁ ଅର୍ଥନୈତିକ ସୁରକ୍ଷାକୁ ନିଶ୍ଚିତ କରାଯାଇ ପାରୁନାହିଁ – ସେଭଳି ଅର୍ଥନୈତିକ ବ୍ୟବସ୍ଥା – ସମାଜର ସାମଗ୍ରିକ ହିତରେ ନୁହେଁ । ବର୍ତ୍ତମାନର ଅର୍ଥନୈତିକ ବ୍ୟବସ୍ଥାକୁ ଆଗାମୀ ଦିନରେ ବଦଳାଇ ଦିଆଯାଇ ପାରେକି? ଏହି ପ୍ରଶ୍ନ ବାରମ୍ବାର ମନରେ ଉଙ୍କି ମାରୁଛି ।
ରାଜ୍ୟରେ ନଲେଜ ପାର୍କ (Knowledge Park) ଆଇ.ଆଇ.ଟି, ଜାତୀୟ ବିଜ୍ଞାନ ପ୍ରତିଷ୍ଠାନ ପାଇଁ ଦାବି ହେଉଛି-ଏହାକୁ କେନ୍ଦ୍ର କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିତରେ ଛକାପଞ୍ଝା ଚାଲିଛି – କିନ୍ତୁ ଯାହା ବାସ୍ତବିକତା ତାହା ହେଉଛି ଶିକ୍ଷକମାନେ ନିଜର ଦାବି ଉପସ୍ଥାପନ କରିବାକୁ ଯାଇ ରାଜରାସ୍ତାରେ ଜୋତାସଫା କରନ୍ତି । ଏଠି ଶିକ୍ଷକର ମର୍ଯ୍ୟାଦା ଉପରେ କୌଣସି ଗୁରୁତ୍ୱ ନାହିଁ । ଉଚ୍ଚଶିକ୍ଷା ତ’ ଲାଭଜନକ ବେପାର ହୋଇଯାଇଛି । ନବ ଓଡ଼ିଶା ନିର୍ମାଣର ପୁରୋଧାମାନଙ୍କ ଦ୍ୱାରା ନିର୍ମିତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ବିଦ୍ୟାଳୟ – ଆମ ରାଜ୍ୟର, ରାଷ୍ଟ୍ରର ନେତୃବର୍ଗଙ୍କ ପାଇଁ ଆକର୍ଷଣ ହରାଇ ବସିଛି । ବରଂ ସେମାନେ ଶିକ୍ଷା ବ୍ୟବସାୟରେ ମାତିଥିବା ହୋଟେଲ ସଦୃଶ ପ୍ରତିଷ୍ଠାନମାନଙ୍କୁ ଯାଇ ପ୍ରକାରାନ୍ତରେ ଏହି ଅନୁଷ୍ଠାନ ଗୁଡ଼ିକର ବିଜ୍ଞାପନରେ ସହାୟକ ହୋଇପାରୁଛନ୍ତି । ଅମିତାଭ ବଚ୍ଚନ ଡାବର ଚ୍ୟବନପ୍ରାସର ବିଜ୍ଞାପନ କରି ତାର ପାଉଣା ପାଆନ୍ତି; କିନ୍ତୁ ଏହି ରାଜ୍ୟ, ରାଷ୍ଟ୍ରର ନେତୃବୃନ୍ଦମାନେ ସରକାରୀ ଖର୍ଚ୍ଚରେ ଆସି ମାଗଣା ଏହି ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ବିଜ୍ଞାପନ କରିଯାଉଛନ୍ତି ।
ଗଣମାଧ୍ୟମ ଓ ସମ୍ବାଦପତ୍ର – ସେଗୁଡିକ ତ ଜଣେ ଜଣେ ମାଲିକଙ୍କର ସମ୍ପତ୍ତି । ଏହି ମାଲିକମାନଙ୍କର ମର୍ଜି ଅନୁସାରେ ଖବର ବାହାରେ । ଯିଏ ବିଜ୍ଞାପନ ଦିଏ ତାକୁ ସୁହାଇଲା ଭଳି ଖବର ବାହାରେ ବା ଯାହା ତାକୁ ସୁହାଇବ ନାହିଁ ତାହା ବାହାରେ ନାହିଁ । ସଂସ୍ଥାରେ ନିରୋଳା ସାମ୍ବାଦିକ ତ ‘ବିଚରା’ ଟିଏ । ସ୍କେଲ ପକାଇ ମପାଯାଏ ତାର ଲେଖା – ସେହି ହିସାବରେ ପଇସା ଦିଆଯାଏ । ତେଣୁ ସେ କ’ଣ ବା କରିବ? ଯେଉଁଠି ଖାଇବା ପିଇବାର ପ୍ରଚୁର ବ୍ୟବସ୍ଥା ରହିଛି – ସେଭଳି ସାମ୍ବାଦିକ ସମ୍ମିଳନୀକୁ ଯିବାର ଲୋଭକୁ ସେ ସମ୍ବରଣ କରିବ କିପରି? ଯଦି ଯିବ – ଲୁଣ ଖାଇବ – ତା’ହେଲେ ତାଙ୍କ ଗୁଣ ନ ଗାଇବ କିପରି? ବଡ଼ ବଡ଼ କମ୍ପାନୀମାନେ ଯେତେବେଳେ ଆସି କରୁଛନ୍ତି ସାମ୍ବାଦିକ ସମ୍ମିଳନୀ, ବହୁ ଦାମୀ ଦାମୀ ଉପହାରର ଦେଉଛନ୍ତି ପ୍ରଲୋଭନ, ତାକୁ ସେ ଛାଡ଼ିବ କିପରି? ଦକ୍ଷିଣ କୋରିଆ ଯାଇ ବୁଲି ଆସିଲେ ରାଜ୍ୟର କେତେକ ସାମ୍ବାଦିକ ପୋସ୍କୋ ଖର୍ଚ୍ଚରେ । ଯେଉଁମାନେ ଏଭଳି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିପାରିଲେ ସେମାନଙ୍କର ସ୍ୱାଭିମାନକୁ ସଲାମ କରିବାକୁ ଇଛାହୁଏ । ବିକ୍ରି ସମସ୍ତେ ହେବେନାହିଁ ବୋଲି ସମ୍ବାଦ ମିଳେ । ତଥାପି ଖବରକାଗଜମାନେ ‘ବିପ୍ଳବ’ କରୁଛନ୍ତି ବୋଲି ଧାରଣା ଦେବା ପାଇଁ ଚେଷ୍ଟା କରନ୍ତି । ସେମାନଙ୍କର ସମ୍ବାଦର ପ୍ରଭାବ କେମିତି ଓ କେଉଁଠି ସବୁ ପଡ଼ୁଛି ତାହା ଗର୍ବର ସହ ଘୋଷଣା କରନ୍ତି ।
୨୦୦୭ ମସିହା – ୨୦୦୬ ମସିହାଠାରୁ ବିଶେଷ ଭିନ୍ନ ହେବନାହିଁ । କଳିଙ୍ଗନଗର ଭଳି ଗଣହତ୍ୟା ଅବଶ୍ୟ ଆଉ ସମ୍ଭବ ନୁହେଁ, କିନ୍ତୁ ଏମ୍.ଓ.ୟୁ ଦସ୍ତଖତ ବନ୍ଦ ହେବନାହିଁ । କର୍ପୋରେଟ୍ମାନେ ହୁଏତ ସେମାନଙ୍କର ଘରୋଇବାହିନୀ ତିଆରି କରିବେ – ପ୍ରତିରୋଧ କରୁଥିବା ଜନସାଧାରଣଙ୍କୁ ଦମନ କରିବା ପାଇଁ । ଦକ୍ଷିଣ କୋରିଆ କମ୍ପାନୀମାନେ Save the company squad
(କମ୍ପାନୀ ସୁରକ୍ଷା ଦଳ) ରଖନ୍ତି ବୋଲି ଦୃଷ୍ଟାନ୍ତ ରହିଛି । ତେଣୁ ପୋସ୍କୋ ଯଦି ପାରାଦ୍ୱୀପ ଅଞ୍ଚଚଳରେ ସେଭଳି ଏକ ବାହିନୀ ଗଢ଼େ, ତା’ହେଲେ ତାଙ୍କ ଦେଶର ପରମ୍ପରା ଅନୁରୂପ ହେବ । ଏହା ହୁଏତ ଅନ୍ୟ କର୍ପୋରେଟ୍ମାନଙ୍କ ପାଇଁ ଘରୋଇ ବାହିନୀ ଗଢ଼ିବାକୁ ଉତ୍ସାହିତ କରିବ । ଏହି ଘରୋଇବାହିନୀ ଓ ପ୍ରତିରୋଧ କରୁଥିବା ଜନସାଧାରଣଙ୍କ ଭିତରେ ସଂଘର୍ଷର୍ ଏକ ସାଧାରଣ ଦୃଶ୍ୟ ଆଗାମୀ ଦିନମାନଙ୍କରେ ହୋଇପାରେ । ଏହା ଫଳରେ ସରକାର କଳିଙ୍ଗନଗରରେ ଯେଉଁ ଭୁଲଟି କରିଦେଲେ – ତାହା ଆଉ କେଉଁଠାରେ କରିବେ ନାହିଁ ।
ବେକାରୀ – ବୈଷମ୍ୟ ଆହୁରି ବଢ଼ିବ । କୃଷକର ସ୍ଥିତି ଅଧିକ ଖରାପ ହେବ । ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ଅଧିକ ରିକ୍ତ ହେବେ । ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନର ପ୍ରହସନ ହିଁ ଚାଲିବ । ଶିକ୍ଷାର ବ୍ୟବସାୟୀକରଣ ତୀବ୍ର ହେବ । ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରୁ ଆହୁରି ଦୂରେଇ ଆସିବେ । ସାମାଜିକ ସନ୍ତୁଳନ ବିଗିଡ଼ିଯିବ । ସହରାଞ୍ଚଚଳରେ ଅପରାଧ ବୃଦ୍ଧିପାଇବ, ଶିକ୍ଷିତ ଅପରାଧୀଙ୍କର ସଂଖ୍ୟା ବଢ଼ିବ । ମୁଖ୍ୟ ରାଜନୈତିକ ଦଳମାନେ ଶିଳ୍ପପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଭୂମିଗତ କାର୍ଯ୍ୟକଳାପ ଅଧିକ ବ୍ୟାପିବ । ସାଧାରଣ ମଣିଷର ଜୀବନ ଅଧିକ ଦୁର୍ବିସହ ହେବ ।
୧-୧୬ ଜାନୁଆରୀ ୨୦୦୭