ସ୍ୱାମୀ ରାମଦେବ ଡକ୍ଟର ରାମଦେବ ହୋଇଗଲେ । ଅନେକ ରାମଦେବ ଭକ୍ତଙ୍କୁ ଏହା ପସନ୍ଦ ହୋଇନାହିଁ । ସ୍ୱାମୀ ଉପାଧି ତା’ହେଲେ କ’ଣ ଯଥେଷ୍ଟ ନଥିଲା ରାମଦେବଙ୍କ ପାଇଁ? କାହିଁକି ସେ ଏ ଉପାଧି ଗ୍ରହଣ କଲେ – ପୁଣି ଶିକ୍ଷାକୁ ବ୍ୟବସାୟରେ ପରିଣତ କରିଦେଇଥିବା ଏକ ଘରୋଇ ପ୍ରତିଷ୍ଠାନଠାରୁ – କିଟ୍ ଡିମଡ୍ ବିଶ୍ୱବିଦ୍ୟାଳୟରୁ । କେଉଁଠୁ ପଇସା ଆସୁଛି, କିଏ କରାଉଛି – ସେଭଳି ନୈତିକ ପ୍ରଶ୍ନଗୁଡ଼ିକ ରାମଦେବଙ୍କ ପାଇଁ ଗୁରୁତ୍ୱ ରଖନ୍ତି ନାହିଁ – ଏହା ବୁଝିନେବା ଉଚିତ । ଶିକ୍ଷାର ବ୍ୟବସାୟୀକରଣ ଅନେକଙ୍କ ପାଇଁ ଚିନ୍ତାର କାରଣ ହେଲେ ହେଁ, ଏହା ତାଙ୍କ ପାଇଁ ଅର୍ଥହୀନ ବୋଲି ମନେହୁଏ । ତା ନହେଲେ ଏହା ପୂର୍ବରୁ ଆସି ସେ ଯେଉଁ ଯୋଗଶିବିର ଭୁବନେଶ୍ୱରରେ କରିଥିଲେ ତାହା ଘରୋଇ ଇଞ୍ଜିନିୟରିଂ କଲେଜର ମାଲିକମାନଙ୍କର ଏକ ସଙ୍ଗଠନ ଦ୍ୱାରା ହିଁ ଆୟୋଜିତ ହୋଇଥିଲା । ତେଣୁ ଏହି କଲେଜମାନଙ୍କର ସଙ୍ଗଠନରେ ସ୍ୱାଭାବିକ ଆଉ ସଦସ୍ୟ ନଥିବା କିଟ୍ ଡିମଡ୍ÿ ବିଶ୍ୱବିଦ୍ୟାଳୟର ନିମନ୍ତ୍ରଣରେ ସେ ଯଦି ଆସି ଡକ୍ଟରେଟ ଗ୍ରହଣ କଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ରାମଦେବ ଗଣମାଧ୍ୟମର ସୃଷ୍ଟି । ବିଜ୍ଞାପନର ଢ଼େଉ ଉପରେ ତାଙ୍କର ଆବିର୍ଭାବ । ଶିକ୍ଷାର ବ୍ୟବସାୟୀକରଣ ମଧ୍ୟ ବିଜ୍ଞାପନକୁ ଆୟୁଧ କରିଛି । ଗଣମାଧ୍ୟମ – ଟି.ଭି. ହେଉ ବା ସମ୍ବାଦପତ୍ର ହେଉ, ପିଲାଙ୍କ ଠାରୁ ଆଦାୟ ପ୍ରଚୁର ଅର୍ଥର କିଛି ଅଂଶ ଗଣମାଧ୍ୟମରେ ବିଜ୍ଞାପନ ବାବଦ ଦିଆଯାଉଛି ଓ ବିଜ୍ଞାପନ ବୁଭୁକ୍ଷୁ ଗଣମାଧ୍ୟମ ଏହି ଅନୁଷ୍ଠାନ ଗୁଡ଼ିକର ସମସ୍ତ ପ୍ରକାର ତ୍ରୁଟି ବିଚୁ୍ୟତି ଉପରେ ପକାଇ ଦେଉଛନ୍ତି ପରଦା । ତେଣୁ ଉଭୟ ରାମଦେବ ଓ ଘରୋଇ ଶିକ୍ଷା ବ୍ୟବସାୟୀ ସଂସ୍ଥା ସମାନ ବିଜ୍ଞାପନର ଭୂମି ଉପରେ ହିଁ ଠିଆ ହୋଇଛନ୍ତି – ତେଣୁ ସେମାନେ ପରସ୍ପରର ସ୍ୱାଭାବିକ ସହଯୋଗୀ । ଜଣେ ଯୋଗ ଓ ଔଷଧକୁ ନେଇ ବେପାର କରୁଛି – ଜଣେ ଶିକ୍ଷାକୁ ନେଇ ବେପାର କରୁଛି – ବିଜ୍ଞାପନକୁ ଆୟୁଧ କରି, ଅତିଶୟୋକ୍ତି କରି ଟି.ଭି. ପାଗଳ ଜନତା ଭିତରେ, ମୁଦ୍ରିତ ଅକ୍ଷର ପ୍ରତି ବିଶ୍ୱସ୍ତ ଜନତା ଭିତରେ ନିଜ ନିଜ ବେପାରର ପ୍ରସାର ଆରମ୍ଭ କରିଛନ୍ତି – ପରସ୍ପରକୁ କୋଳାଗ୍ରତ କରୁଛନ୍ତି । ତେଣୁ ରାମଦେବ କିଟ୍ ଡିମଡ଼ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଗ୍ରହଣ କରିବାରେ କୌଣସି ଅସ୍ୱାଭାବିକତା ନାହିଁ । ତେବେ ଗତ କିଛି ଦିନ ପୂର୍ବେ ସମସ୍ତ ବିଦେଶୀ ବସ୍ତ୍ର ହେଉ ବା ଧାରଣା ହେଉ ତାକୁ ତୀବ୍ର ଭର୍ତ୍ସନା କରୁଥିବା ରାମଦେବ ଦେଶୀ ‘ସ୍ୱାମୀ’ ଶବ୍ଦ ଅପେକ୍ଷା ବିଦେଶୀ ‘ଡକ୍ଟରେଟ’ ଶବ୍ଦକୁ ଯେ ଅଗ୍ରାଧିକାର ଦେଇଦେଲେ ତାହା ଅନେକଙ୍କୁ ବିସ୍ମିତ କରୁଛି । କିନ୍ତୁ ସେମାନେ ଭୁଲିଯିବା ଉଚିତ ନୁହେଁ-ଯେ ଇତ୍ୟବସରରେ ରାମଦେବ ବିଦେଶ ଭ୍ରମଣରୁ ଫେରି ଆସିଛନ୍ତି – ଜାତିସଂଘ ପ୍ରାୟୋଜିତ ସମ୍ମିିଳନୀକୁ ଉଦ୍ବୋଧନ ଦେଇଛନ୍ତି, ବ୍ରିଟିଶ ମହାରାଣୀଙ୍କ ସାନ୍ନିଧ୍ୟ ପାଇଛନ୍ତି । ତେଣୁ ସମ୍ପୂର୍ଣ୍ଣ ଦେଶୀରୁ ସ୍ୱାଭାବିକ କିଛି ବିଚୁ୍ୟତ ହୋଇଛନ୍ତି । ‘ସ୍ୱାମୀ’ରୁ ‘ଡକ୍ଟରେଟ’ ହୋଇଛନ୍ତି ।