ଦ୍ଭ ୧-୧୫ ଅଗଷ୍ଟ ୨୦୦୬
ମାତ୍ର ଗୋଟିଏ ଦିନ ବ୍ୟବଧାନରେ ଓଡ଼ିଶା ଭୂଇଁରେ ଦୁଇଟି ବିଶ୍ୱବିଦ୍ୟାଳୟ ସ୍ଥାପନା ହେବାର ପ୍ରସ୍ଥାବ ଗଣମାଧ୍ୟମରେ ବେଶ୍ ପ୍ରଚାରିତ ହୋଇଛି । (ଧରିତ୍ରୀ ୨୦/୭/୦୬ ଦିନ ଏବଂ The Statesman ୨୦/୭/୦୬ ଦିନ) ଓଡ଼ିଶା ସରକାର ଓ ବେଦାନ୍ତ ଫାଉଣ୍ଡେସନ୍ ମଧ୍ୟରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନା କରିବା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା ବେଳେ, ୨୧/୭/୦୬ ଦିନ ଓଡ଼ିଶା ସରକାର ଓ ରିଲାଏନ୍ସ ଏନର୍ଜି ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ରରୁ ଧୀରୁଭାଇ ଅମ୍ବାନୀ ବିଶ୍ୱବିଦ୍ୟାଳୟ ଓଡ଼ିଶା ଭୂଇଁରେ ପ୍ରତିଷ୍ଠା କରାଯିବାର ସୂଚନା ମିଳୁଛି । ଧୀରୁଭାଇ ଅମ୍ବାନୀ ବିଶ୍ୱବିଦ୍ୟାଳୟର ରୂପରେଖ ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ବେଦାନ୍ତ ବିଶ୍ୱବିଦ୍ୟାଳୟର ରୂପରେଖ କ’ଣ ହେବ ତାହାର ଏକ ମୋଟାମୋଟି ଚିତ୍ର ସମ୍ବାଦପତ୍ର ମାନଙ୍କରେ ଓ ବେଦାନ୍ତ ଫାଉଣ୍ଡେସନ ଦ୍ୱାରା ପ୍ରକାଶିତ ବିଜ୍ଞାପନରୁ ଜଣାପଡ଼ୁଛି ।
କବାଡ଼ିବାଲା ଅନୀଲ ଅଗ୍ରୱାଲ : ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପଛରେ ଥିବା ବେଦାନ୍ତ ଫାଉଣ୍ଡେସନର ମାଲିକ ପୂର୍ବତନ କବାଡ଼ିବାଲା ଅନୀଲ ଅଗ୍ରୱାଲ ଓଡ଼ିଶା ପାଇଁ ଅପରିଚିତ ବ୍ୟକ୍ତି ନୁହନ୍ତି । ଲାଞ୍ଜିଗଡ଼ଠାରେ ସ୍ଥାପିତ ବିତର୍କିତ ଆଲୁମିନିୟମ କମ୍ପାନୀର ମାଲିକ ହେଉଛନ୍ତି ଅନୀଲ ଅଗ୍ରୱାଲ । ଏହି କମ୍ପାନୀ କିପରି ସେହି ଅଞ୍ଚଳର ପରିବେଶ ପାଇଁ ଏକ ବିରାଟ ବିପଦ ସୃଷ୍ଟି କରିଛି ସାରା ବିଶ୍ୱବାସୀ ସେ ବିଷୟରେ ଆଜି ଅବଗତ । ମୂଳତଃ ବିହାରୀ, ୫୩ବର୍ଷ ବୟସ୍କ ଅନୀଲ ଅଗ୍ରୱାଲ କବାଡ଼ିବାଲା ଭାବେ ତାଙ୍କର ପେଶାଗତ ଜୀବନ ଆରମ୍ଭ କରି ଆଜି ଜଣେ ପ୍ରବାସୀ ଭାରତୀୟ ହୋଇଯାଇଛନ୍ତି । ଲଣ୍ଡନରେ ରହନ୍ତି । ତାଙ୍କର ସମ୍ପତ୍ତର ମୂଲ୍ୟ ୧୬୮ କୋଟି ପାଉଣ୍ଡ ଯାହା ଟଙ୍କାରେ ପ୍ରାୟତଃ ୧୪୫୪୨କୋଟି ଟଙ୍କା । ସେ ଯେଉଁ ମହଲରେ ରୁହନ୍ତି ତାହାର ମୂଲ୍ୟ ପ୍ରାୟତଃ ୧୭୩ କୋଟି ଟଙ୍କା । ସଣ୍ଡେ ଟାଇମସ୍ର ଧନୀ ତାଲିକାରେ ତାଙ୍କର ସ୍ଥାନ ୨୮ । ସାଧାରଣ କବାଡ଼ିବାଲାରୁ ଜଣେ ତାଲିକାଭୁକ୍ତ ଧନୀ ହୋଇଯିବା ନିଶ୍ଚିତ ଭାବରେ ଏକ ବିସ୍ମୟ । କିପରି ଏହା ସମ୍ଭବ ହେଲା, କେଉଁମାନଙ୍କର ପୃଷ୍ଠପୋଷକତାରେ ଏହା ସମ୍ଭବ ହେଲା, ତାହା ନିଶ୍ଚିତ ଭାବେ ଅନୁସନ୍ଧାନ ସାପେକ୍ଷ । ଅନୀଲ ଅଗ୍ରୱାଲଙ୍କର ଏତାଦୃଶ ଉତ୍ଥାନର ମାର୍ଗ ଜଣାପଡ଼ିଲେ ବହୁ ଉଚ୍ଚାକାଂକ୍ଷୀ ତରୁଣ ନିଶ୍ଚିତ ଉପକୃତ ହେବେ ।
ଏହି ଅନୀଲ ତାଙ୍କ ଧନରୁ ୫୩କୋଟି ପାଉଣ୍ଡ ବା ପ୍ରାୟତଃ ୪୫୦୦ କୋଟି ଟଙ୍କା ଖଟାଇ (ଯାହାକୁ ସେ ଅବଶ୍ୟ ଦାନ ବୋଲି କହୁଛନ୍ତି ଓ ଏପରି ଦାନ ପୃଥିବୀରେ ସବୁଠାରୁ ଧନୀ ବିଲଗେଟସ୍ ମଧ୍ୟ କରିନାହାନ୍ତି ବୋଲି – ଓଡ଼ିଶାର ବିଜ୍ଞ ପ୍ରଶାସକମାନେ ଜନତାଙ୍କୁ ଜଣାଇଛନ୍ତି) ବେଦାନ୍ତ ବିଶ୍ୱବିଦ୍ୟାଳୟର ଭିତ୍ତ ପକାଇବେ । ଏହା ଆମ ରାଜ୍ୟର ମନ୍ତ୍ରୀ, ପ୍ରଶାସକ, ବୁଦ୍ଧିଜୀବୀଙ୍କୁ ବେଶ୍ କୁରୁଳାଇ ଦେଇଛି । ଏ.ଆଇ.ସି.ଟି.ଇ.ର ଓଡ଼ିଆ ଅଧ୍ୟକ୍ଷ ଏହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଏକ ଟି.ଭି. ସାକ୍ଷାତକାର (ବିଶେଷ ଦୃଷ୍ଟି କାର୍ଯ୍ୟକ୍ରମ ଓ ଟିି.ଭି. ତା ୨୩/୭/୦୬) ରେ କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଏକ ପୁଞ୍ଜିନିବେଶ ବୋଲି ଆଖ୍ୟାୟିତ କରିଛନ୍ତି ଓ ଏହା ଦ୍ୱାରା ମାନବ ସମ୍ବଳର ବିକାଶ ହେବ ବୋଲି ଘୋଷଣା କରିଛନ୍ତି । ଏହା ତ ଭିନ୍ନ କଥା ଯେ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କ ବିଶ୍ୱବିଦ୍ୟାଳୟରେ କେତୋଟି ବିଭାଗ ବନ୍ଦ ହୋଇଯିବା ପ୍ରତିବାଦରେ ଧାରଣାରେ ବସିଛନ୍ତି ଓ ଓଡ଼ିଶାର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ଉପରେ କଟକଣା ଯୋଗୁଁ ସୃଷ୍ଟି ହୋଇଥିବା ଶିକ୍ଷକ ଅଭାବ ଫଳରେ ବିଶ୍ୱବିଦ୍ୟାଳୟ ଗୁଡ଼ିକର ମାନ୍ୟତା ପ୍ରତି ବିପଦ ଦେଖାଦେଲାଣି ।
ବିଶ୍ୱବିଦ୍ୟାଳୟର ରୂପରେଖ ୍ୟ ତେବେ ଏହି ବେଦାନ୍ତ ବିଶ୍ୱବିଦ୍ୟାଳୟର ରୂପରେଖ କ’ଣ? ଯେତିକି ତଥ୍ୟ ସମ୍ବାଦପତ୍ର ମାନଙ୍କରୁ ଆସିଛି ତାକୁ ସଜାଡ଼ି ଦେଲେ ତାହା ଏହିପରି
– ପୁରୀ ଓ କୋଣାର୍କ ଅଞ୍ଚଳର ନୂଆନଈ ୮୦୦୦ ଏକର (ଯାହା ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛି) ପରିମିତ ଜମି ଉପରେ ଏହାର ପ୍ରତିଷ୍ଠା ହେବ । ଆଉ ୨୦୦୦ ଏକରର ଆବଶ୍ୟକତା ଅଛି ।
– ଏଥିପାଇଁ ବ୍ୟୟ ଅଟକଳ ହେଉଛି ପ୍ରାୟତଃ ୧୫,୦୦୦କୋଟି ଟଙ୍କା ।
– ୨୦୨୫ ମସିହାରେ ଏହା ପୂର୍ଣ୍ଣାଙ୍ଗ ହେବ । କିନ୍ତୁ ଚଳିତ ମାସ (ଅର୍ଥାତ୍ ୨୦୦୬ ଜୁଲାଇ) ଠାରୁ କାର୍ଯ୍ୟ ଆରମ୍ଭ ହୋଇ ପ୍ରଥମ ପର୍ଯ୍ୟାୟ ୨୦୦୮ ମସିହା ଜୁଲାଇ ସୁଦ୍ଧା ସରିବ । ୨୦୦୮ରୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ, ଯେତେବେଳେ ଛାତ୍ରଛାତ୍ରୀ ଗ୍ରହଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ୪୫୦୦ କୋଟି ଟଙ୍କା ବେଦାନ୍ତ ଫାଉଣ୍ଡେସନ୍ ଦେବେ ।
– ୧,୦୦,୦୦୦(ଏକ ଲକ୍ଷ)ଛାତ୍ରଛାତ୍ରୀ ଏଠାରେ ପଢ଼ିବେ ।
– ଏଠାରେ କଳା, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଭେଷଜ, ଆଇନ, ବ୍ୟବସାୟ, ସଙ୍ଗୀତ, ନାଟକ ଇତ୍ୟାଦିର ଅଧ୍ୟୟନ ସହ କୃଷି, ଜୀବ ପ୍ରଯୁକ୍ତି ବିଦ୍ୟା (ଭସକ୍ଟ-ଗ୍ଧରମଷଦ୍ଭକ୍ଟକ୍ଷକ୍ଟଶଚ୍ଚ) ଇତ୍ୟାଦିରେ ଉଚ୍ଚତର ଗବେଷଣା ହେବ ।
– ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ନାହିଁ ।
– ବିଶ୍ୱବିଦ୍ୟାଳୟ ପରିଚାଳନା ପାଇଁ ଏକ ସ୍ୱୟଂଶାସିତ ପରିଚାଳନା ପରିଷଦ ରହିବ ଓ ସେମାନେ ବିଶ୍ୱବିଦ୍ୟାଳୟ ପରିଚାଳନା ପାଇଁ ଆବଶ୍ୟକୀୟ ଅର୍ଥ ଛାତ୍ରଛାତ୍ରୀଙ୍କ ଠାରୁ ହିଁ ଆଦାୟ କରିବେ ।
– ଓଡ଼ିଶା ସରକାର ଏହି ବିଶ୍ୱବିଦ୍ୟାଳୟ ପାଇଁ ଜମି ଯୋଗାଇବେ, ଦୈନିକ ୧ଲକ୍ଷ ୧୦ହଜାର କ୍ୟୁବିକ ମିଟର (ଅର୍ଥାତ୍ ୧୧କୋଟି ଲିଟର) ଜଳ ଯୋଗାଇବେ, ୧୫୦ରୁ ୬୦୦ ମେଗାୱାଟ ଯାଏଁ ବିଦ୍ୟୁତ ଯୋଗାଇବେ ଓ ଏକ ଏପରି ବିଧେୟକ ବିଧାନସଭାରେ ଗୃହୀତ କରାଇବେ ଯାହା ବିଶ୍ୱବିଦ୍ୟାଳୟକୁ ପ୍ରଶାସନିକ ସ୍ୱୟଂଶାସନର ନିଦ୍ୱନ୍ଦ୍ୱର୍ ଅଧିକାର ହେବ ।
– ରାଜ୍ୟ ସରକାର ଏକ ତ୍ୱରିତ ଅର୍ଥାତ୍ ଏକ୍ସପ୍ରେସ୍ ରାଜପଥ ନିର୍ମାଣ କରିବେ ଯାହା ବିଶ୍ୱବିଦ୍ୟାଳୟକୁ ଭୁବନେଶ୍ୱର ବିମାନବନ୍ଦର ସହିତ ସଂଲଗ୍ନ କରିବ ।
ବିଶ୍ୱବିଦ୍ୟାଳୟରୁ ଉପôାଦନ: ଏହି ବିଶ୍ୱବିଦ୍ୟାଳୟ, ଯାହା ପଛରେ ଲକ୍ଷ୍ୟ ମେଧା ସୃଷ୍ଟି, ଲାଭ ନୁହେଁ ବୋଲି ଘୋଷଣା କରନ୍ତି ଅନୀଲ ଅଗ୍ରୱାଲ, ଯଦି କାର୍ଯ୍ୟକ୍ଷମ ହୁଏ ତାହେଲେ ଏହା ‘ନାଳନ୍ଦା’ର ସ୍ମୃତିକୁ ଉଜାଗର କରିବ;ହାୱାର୍ଡ଼ , ଷ୍ଟାନଫୋର୍ଡ଼, ଅକ୍ସଫୋର୍ଡ଼ ଭଳି ବିଶ୍ୱବିଦ୍ୟାଳୟ ଟିଏ ହେବ ଓ ଏହି ବିଶ୍ୱବିଦ୍ୟାଳୟରୁ ନୋବେଲ ପୁରସ୍କାର ବିଜେତା, ଅଲିମ୍ପିକ ସ୍ୱର୍ଣ୍ଣପଦକ ବିଜେତା ଓ ରାଷ୍ଟ୍ରର ଶାସନକୁ ନେତୃତ୍ୱ ଦେବା ଭଳି ବ୍ୟକ୍ତିମାନଙ୍କର ଉପôାଦନ ହେବ । ଏତାଦୃଶ ଘୋଷଣା ଓ ବେଦାନ୍ତ ବିଶ୍ୱବିଦ୍ୟାଳୟର ବିଜ୍ଞାପନ ବହୁ ଓଡ଼ିଆଙ୍କ ସ୍ୱପ୍ନରେ ପର ଖଞ୍ଜି ଦେଇପାରେ ବୋଲି ଅନୀଲ ଅଗ୍ରୱାଲଙ୍କର ହୃଦବୋଧ ହେଉଛି । ତା’ନହେଲେ ସେ କାହିଁକି ବା କହନ୍ତେ ‘ଓଡ଼ିଶା ନିଜକୁ ଗୁଜରାଟ କିମ୍ବା ମଧ୍ୟପ୍ରଦେଶ ସହ ସମକକ୍ଷ ହେଲାଭଳି ତୁଳନା ନକରି ଫ୍ରାନ୍ସ, ଜାପାନ ସହ କିଭଳି ସମକକ୍ଷ ହୋଇପାରିବ, ସେହି ଚିନ୍ତାଧାରା ନେଇ କାର୍ଯ୍ୟ କରିବା ଉଚିତ’ । ବିଜୁ ବାବୁଙ୍କର ଚାଳିଶ/ପଇଁଚାଳିଶ ବର୍ଷ ତଳର ଉଚ୍ଚାରଣକୁ ଯେଉଁମାନେ ସ୍ମରଣ କରିପାରିବେ – ସେମାନେ ଏହିଭଳି ଆହ୍ୱାନ ଗୁଡ଼ିକ ଦ୍ୱାରା ଅଦୌ ପ୍ରଭାବିତ ହେବେ ନାହିଁ । ତେବେ ତାଙ୍କର ୪୫୦୦ କୋଟି ଟଙ୍କା ‘ଦାନ’କୁ ବାଦ ଦେଲେ ଅବଶିଷ୍ଟ ପ୍ରାୟତଃ ୧୦,୦୦୦କୋଟି ଟଙ୍କା କେଉଁଠାରୁ ଆସିବ ବୋଲି ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତରରେ ଏହା ଯୋଗାଡ଼ ହୋଇଯିବ ବୋଲି ଅନୀଲ ଅଗ୍ରୱାଲ କୁହନ୍ତି । କିପରି ଯୋଗାଡ଼ ହେବ ତାହାର କୌଣସି ଯୋଜନା ବୁଝାମଣା ପତ୍ରରେ ନାହିଁ ବୋଲି କୁହାଯାଉଛି । କିନ୍ତୁ ବିଶ୍ୱବିଦ୍ୟାଳୟ ପରିଚାଳନା ପାଇଁ ଆବଶ୍ୟକୀୟ ଅର୍ଥ ଯଦି ଛାତ୍ରଛାତ୍ରୀ ଦିଅନ୍ତି ତା’ହେଲେ ଏକଲକ୍ଷ ଛାତ୍ରଛାତ୍ରୀଙ୍କ ଠାରୁ ଏହି ପରିମାଣର ଅର୍ଥ ଆଦାୟ ସମ୍ଭବ ହୋଇପାରେ । କାରଣ ୮/୧୦ଲକ୍ଷ ଟଙ୍କା ଦେଇ ଏତେ ପ୍ରଚାରିତ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ସାରା ବିଶ୍ୱରୁ କ’ଣ ଲକ୍ଷେ ପିଲା ବାହାରିବେ ନାହିଁ? ଏ ବିଶ୍ୱାସ ଅନୀଲ ଅଗ୍ରୱାଲଙ୍କର ରହିଛି ନିଶ୍ଚୟ ।
ଓଡ଼ିଆ ଛାତ୍ରଛାତ୍ରୀଙ୍କ ସ୍ଥିତି : ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ନାହିଁ । ତେବେ ଓଡ଼ିଶା ସରକାର ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ଯେପରି ସ୍ୱତନ୍ତ୍ର ଭାବେ ବିଚାର କରି ତାର ପ୍ରତିଷ୍ଠା ପାଇଁ ଜମି, ଜଳ, ବିଦ୍ୟୁତ୍, ରାଜପଥ ଯୋଗାଇବାର ବ୍ୟାକୁଳତା ଦେଖାଉଛନ୍ତି – ତାହାର ପରିମାଣ କେତେ ତାହା ଅନ୍ତତଃ ରାଜ୍ୟବାସୀ ଜାଣି ରଖିବା ଉଚିତ ।
ଜମି : ବିଶ୍ୱବିଦ୍ୟାଳୟ ପାଇଁ ୮୦୦୦ଏକର କେତେ ବିରାଟ ଅଞ୍ଚଳ ତାହା ପାଠକେ ଅନୁମାନ କରିପାରିବେ ନିମ୍ନୋକ୍ତ ଭାରତବର୍ଷର କେତୋଟି ଅଗ୍ରଣୀ ଶିକ୍ଷା ପ୍ରତିଷ୍ଠାନର କ୍ଷେତ୍ରଫଳ ସହ ତୁଳନା କଲେ ।
ଆଇ.ଆଇ.ଟି, ଖଡ଼ଗପୁର – ୨୧୦୦ ଏକର
ଆଇ.ଆଇ.ଟି. ମାଡ଼୍ରାସ – ୬୨୫ ଏକର
ଆଇ.ଆଇ.ଟି. ଦିଲ୍ଲୀ – ୩୨୦ ଏକର
ଆଇ.ଆଇ.ଟି. କାନପୁର – ୧୦୫୫ ଏକର
ଆଇ.ଆଇ.ଟି. ଗୌହାଟି – ୭୧୨ ଏକର
ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ – ୧୦୦୦ ଏକର
ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ – ୨୩୦୦ ଏକର
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ – ୧୩୦୦ଏକର
ଏହି ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରତିଷ୍ଠାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ୮୦୦୦ ଏକର ବେଦାନ୍ତ ବିଶ୍ୱବିଦ୍ୟାଳୟର ଆକାର ତୁଳନାରେ କିନ୍ତୁ ଏମାନେ ବାମନ ଭଳି ଦେଖାଯିବେ, ଆଉ ଆମ ଉକ୍ରଳ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ, ଆଧୁନିକ ଓଡ଼ିଶାର ପ୍ରତୀକ ଉକ୍ରଳ ବିଶ୍ୱବିଦ୍ୟାଳୟ ତାର ୪୦୦ ଏକର କ୍ଷେତ୍ରଫଳକୁ ନେଇ ବେଦାନ୍ତ ବିଶ୍ୱବିଦ୍ୟାଳୟ ସମ୍ମୁଖରେ କିପରି ଦେଖାଯିବ ତାହା ସହଜେ ଅନୁମେୟ । ୨୦ଟି ଉକ୍ରଳ ବିଶ୍ୱବିଦ୍ୟାଳୟ, ବେଦାନ୍ତ ବିଶ୍ୱବିଦ୍ୟାଳୟ ଭିତରେ ରହିଯିବ । ତେଣୁ ପ୍ରଶ୍ନ ଆସେ ମନକୁ ଯେ ଏତେ ଜମି କ’ଣ ବିଶ୍ୱବିଦ୍ୟାଳୟ ପାଇଁ ଦରକାର? ନା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଳରେ ସମୁଦ୍ର କୂଳିଆ ଜମି ଓ ଭବିଷ୍ୟତରେ ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ହେବାକୁ ଥିବା ପୁରୀ-କୋଣାର୍କ ଅଞ୍ଚଳର ଜମିକୁ ଦଖଲ କରିବାର ମସୁଧା ହେଉଛି! ପୁଣି ପ୍ରତିରକ୍ଷା ଦୃଷ୍ଟିରୁ ବେଳାଭୂମି ଅଞ୍ଚଳରେ ଏକ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ କି ନା ତାହାର ବିଚାର ତ’ ଭିନ୍ନ ବିଷୟ । କିନ୍ତୁ ବେଦାନ୍ତ ଫାଉଣ୍ଡେସନର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଏକ ବ୍ୟବସାୟୀ ହୋଇଥିବା ହେତୁ ଓ ଓଡ଼ିଶାରେ ତାଙ୍କର ବର୍ତ୍ତମାନ ଆଲୁମିନିୟମ ଶିଳ୍ପ ଓ ଭବିଷ୍ୟତରେ ୫ନିୟୁତ ଟନ୍ କ୍ଷମତା ବିଶିଷ୍ଟ ୧୨,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରି ଲୌହ ଶିଳ୍ପର ପ୍ରସ୍ତାବ ଦୃଷ୍ଟିରୁ ଏହି ବିଶାଳ ସମୁଦ୍ରକୂଳିଆ ଜମି ଯେ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (Special Economic Zone (SEZ)) ) ଭାବେ ବ୍ୟବହୃତ ନହେବ କିଏ କହିବ? ସରକାର ତ ଘୋଷଣା କରିଛନ୍ତି ଯେ ବିଧେୟକ ଆଣି ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ ପ୍ରଶାସନିକ ସ୍ୱାୟତ୍ତତା ଦେଇଦେବେ ବୋଲିି ।
ଜଳ : ଏହା ପରେ ଦେଖାଯାଉ କେଉଁ ପରିମାଣର ଜଳ ଓ ବିଦ୍ୟୁତ୍ ଯୋଗାଇ ଦିଆଯିବ ବେଦାନ୍ତ ‘ବିଶ୍ୱବିଦ୍ୟାଳୟ’କୁ । ଆଲୁମିନିୟମ ଶିଳ୍ପ ପାଇଁ ଜଳ ଓ ବିଦ୍ୟୁ୍ତ୍ର ଆବଶ୍ୟକତା ବହୁତ ବେଶୀ । ଯେଉଁଠାରେ ଏହି ଦୁଇଟି ସହଜରେ ଓ ଶସ୍ତାରେ ଉପଲବ୍ଧ ହୋଇପାରିବ, ସେହି ଅଞ୍ଚଳ ସନ୍ଧାନ କରିଥାନ୍ତି ଆଲୁମିନିୟମ ଶିଳ୍ପର ମାଲିକମାନେ । ସ୍ୱାଭାବିକ ବେଦାନ୍ତ ଫାଉଣ୍ଡେସନର ଅଧ୍ୟକ୍ଷ ଓ ଆଲୁମିନିୟମ ଶିଳ୍ପର ମାଲିକ ଅନୀଲ ଅଗ୍ରୱାଲ ଜଳ ଓ ବିଦ୍ୟୁତ୍କୁ ପ୍ରାଥମିକତା ଦେଉଛନ୍ତି । ତେଣୁ ବେଦାନ୍ତ ‘ବିଶ୍ୱବିଦ୍ୟାଳୟ’ ପାଇଁ ରାଜ୍ୟ ସରକାର ୧ଲକ୍ଷ ୧୦ହଜାର କ୍ୟୁବିକ ମିଟର ଅର୍ଥାତ୍ ୧୧କୋଟି ଲିଟର ଦୈନିକ ଜଳ ଯୋଗାଇ ଦେବେ । ପୁରୀ ସହରକୁ ମହାନଗର ନିଗମ ଯୋଗାଉ ଥିବା ଜଳର ପରିମାଣ ଦୈନିକ ପ୍ରାୟ ୨କୋଟି ୩୦ଲକ୍ଷ ୫୦ହଜାର ଲିଟର । ଅର୍ଥାତ୍ ପୁରା ସହର ପାଇଁ ଆବଶ୍ୟକ ଜଳର ପ୍ରାୟ ପାଞ୍ଚଗୁଣ ଜଳ ବେଦାନ୍ତ ‘ବିଶ୍ୱବିଦ୍ୟାଳୟ’କୁ ଦିଆଯିବ । ଯଦି ଧରାଯାଏ ଯେ ଗୋଟିଏ ବ୍ୟକ୍ତିର ଜଳର ଆବଶ୍ୟକତା ଦୈନିକ ୮୦ଲିଟର, ତା’ହେଲେ ୧୧କୋଟି ଲିଟର ଜଳ ପ୍ରାୟ ୧୩ଲକ୍ଷ ୫୦ହଜାର ଲୋକଙ୍କର ଦୈନିକ ଆବଶ୍ୟକତା ବୋଲି ସହଜ ହିସାବରୁ ଜଣାଯାଏ । ପୁରୀ ଜିଲ୍ଲାର ଜନସଂଖ୍ୟା ୧୫ ଲକ୍ଷ ୨ହଜାର ୬୮୨ (୨୦୦୧ ଜନଗଣନା ଅନୁସାରେ ଦ୍ରଷ୍ଟବ୍ୟ (Economic Survey 2004- 05, Government of Orissa,_é. ANX – 12) ହେଲେ, ବେଦାନ୍ତ ‘ବିଶ୍ୱବିଦ୍ୟାଳୟ’ର ଦୈନିକ ଜଳ ଆବଶ୍ୟକତା ପୁରୀ ଜିଲ୍ଲାର ଜନସଂଖ୍ୟାର ଶତକଡ଼ା ୯୦ଭାଗ ଲୋକଙ୍କର ଆବଶ୍ୟକତା ସହ ସମାନ, ଯଦି ପ୍ରତ୍ୟେକ ବ୍ୟକ୍ତି ୮୦ଲିଟର ଜଳ ଦୈନିକ ବ୍ୟବହାର କରୁଥାନ୍ତି । କହିିବା ବାହୁଲ୍ୟ ଯେ, ବେଦାନ୍ତ ‘ବିଶ୍ୱବିଦ୍ୟାଳୟ’ ହେଲେ ରାଜ୍ୟ ସରକାର ପୁରୀ ଜିଲ୍ଲାରେ ଜଳର ଯୋଗାଣକୁ ଦ୍ୱିଗୁଣିତ ଯଦି ନକରି ପାରନ୍ତି ତା’ହେଲେ ସାଧାରଣ ଲୋକଙ୍କୁ ଜଳକଷ୍ଟ ଭୋଗ କରିବାକୁ ପଡ଼ିବ । ତାଙ୍କ ଭାଗର ଜଳ ବେଦାନ୍ତ ‘ବିଶ୍ୱବିଦ୍ୟାଳୟ’କୁ ଯିବ । କିନ୍ତୁ ରାଜ୍ୟ ସରକାର ବର୍ତ୍ତମାନ ଯାହା ପୁରୀ ଜିଲ୍ଲାର ଲୋକଙ୍କୁ ଉପଲବ୍ଧ ହେଉଛି ତାହାକୁ ଦ୍ୱିଗୁଣିତ କରିପାରିବେ ତ? ପୁଣି ପ୍ରଶ୍ନ ଉଠୁଛି ଏତେ ପରିମାଣର ଜଳ ବେଦାନ୍ତ ‘ବିଶ୍ୱବିଦ୍ୟାଳୟ’ କରିବ କ’ଣ? ପୁରୀ ସହର ପାଇଁ ଯେତିକି ଜଳ ଯୋଗାଇ ଦିଆଯାଉଛି ତାର ପାଞ୍ଚଗୁଣ ଜଳ ‘ବିଶ୍ୱବିଦ୍ୟାଳୟ’ ପାଇଁ ଯେ ଆବଶ୍ୟକ – ଏହା ମନରେ ସଂଶୟ ସୃଷ୍ଟି କରୁଛି । ଏହି ଜଳର ବ୍ୟବହାର ଆଉ କୌଣସି ଉଦେ୍ଧଶ୍ୟରେ କରିବାର ଯୋଜନା ହେଉନାହିଁ ତ? ଏହି ପରିମାଣରେ ଜଳ ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ରାଜ୍ୟ ସରକାର ଠାରୁ ‘ବିଶ୍ୱବିଦ୍ୟାଳୟ’ର ପ୍ରକୃତ ଆବଶ୍ୟକତା ଠାରୁ ବଳକା ହେଉଥିବା ଜଳକୁ ବେଦାନ୍ତ କମ୍ପାନୀର ଆଲୁମିନିୟମ ଶିଳ୍ପ ପାଇଁ ଯୋଗାଇବାକୁ ଅନୀଲ ଅଗ୍ରୱାଲ ଦାବି କରିବେ ନାହିଁ ତ? ‘ବିଶ୍ୱବିଦ୍ୟାଳୟ’ ଆଳରେ ଆଲୁମିନିୟମ କମ୍ପାନୀର ସ୍ୱାର୍ଥରକ୍ଷାର ଯୋଜନା ହେଉ ନାହିଁ ତ?
ବିଦ୍ୟୁତ୍ : ବର୍ତ୍ତମାନ ବେଦାନ୍ତ ‘ବିଶ୍ୱବିଦ୍ୟାଳୟ’ ପାଇଁ ବିଦ୍ୟୁତ୍ ଚାହିଦାର ପରିମାଣକୁ ବିଚାରକୁ ନିଆଯାଉ । ଏହା ୧୫୦ ମେଗାୱାଟରୁ ୬୦୦ ମେଗାୱାଟ ବୋଲି ସୂଚନା ଦିଆଯାଇଛି । ସମଗ୍ର ଓଡ଼ିଶା ପାଇଁ ଆଜି ବିଦ୍ୟୁତ୍ ଚାହିଦା ହାରାହାରି ୧୫୦୦ ମେଗାୱାଟ ହୋଇଥିବା ବେଳେ କେବଳ ବେଦାନ୍ତ ‘ବିଶ୍ୱବିଦ୍ୟାଳୟ’କୁ ସମଗ୍ର ରାଜ୍ୟର ଚାହିଦାର ଶତକଡ଼ା ୧୦ଭାଗରୁ ଶତକଡ଼ା ୪୦ଭାଗ ବିଦ୍ୟୁ୍ତ୍ ଯୋଗାଇବାକୁ ହେବ । ଓଡ଼ିଶାରେ ଥିବା ରାଜ୍ୟ ସରକାରଙ୍କର ବିଭିନ୍ନ ଜଳବିଦ୍ୟୁତ୍ ପ୍ରକଳ୍ପ ଓ ତାପଜ ବିଦ୍ୟୁତ୍ ପ୍ରକଳ୍ପ ଗୁଡ଼ିକକୁ ଉପôାଦିତ ବିଦ୍ୟୁତ୍ ପରିମାଣର ପୃଷ୍ଠଭୂମିରେ ‘ବିଶ୍ୱବିଦ୍ୟାଳୟ’ର ଆବଶ୍ୟକତାକୁ ବିଚାରକଲେ, କେଉଁ ଆକାରର ଉପôାଦନ ପ୍ରକଳ୍ପ ଏହି ପରିମାଣର ବିଦ୍ୟୁତ୍ ଯୋଗାଇବ ତାହା ଆମେ ଜାଣିପାରବା । ଆଜି ରାଜ୍ୟରେ ସବୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ଯଥା ହୀରାକୁଦ, ବାଲିମେଳା, ରେଙ୍ଗାଲୀ, ଅପର କୋଲାବ, ଅପର ଇନ୍ଦ୍ରାବତୀ ଓ ମାଛକୁଣ୍ଡ ମିଶି ୬୮୪.୨୧ ମେଗାୱାଟ ବିଦ୍ୟୁତ୍ ଉପôାଦନ କରନ୍ତି । ସେହଭଳି ତାପଜ ବିଦ୍ୟୁତ୍ ପ୍ରକଳ୍ପ ଯଥା ଇବ୍ ପ୍ରକଳ୍ପ ଓ ତାଳଚେର ପ୍ରକଳ୍ପ ମିଶି ଉପôାଦନ କରନ୍ତି ୫୮୪.୮୪ ମେଗାୱାଟ (ଦ୍ରଷ୍ଟବ୍ୟ ଋମକ୍ଟଦ୍ଭକ୍ଟଜ୍ଞସମ ଝଙ୍କକ୍ସଙ୍ଖରଚ୍ଚ ୨୦୦୪ – ୦୫, ଚ . ୧୧/୪) ତେଣୁ ‘ବିଶ୍ୱବିଦ୍ୟାଳୟ’କୁ ଯଦି ୬୦୦ ମେଗାୱାଟ ବିଦ୍ୟୁତ୍ ଯୋଗାଇବାକୁ ପଡ଼େ ତା’ହେଲେ ଆମର ପ୍ରାୟତଃ ସମସ୍ତ ଜଳବିଦ୍ୟୁତ୍ ପ୍ରକଳ୍ପ ଗୁଡ଼ିକୁ ‘ବିଶ୍ୱବିଦ୍ୟାଳୟ’ର ସେବାରେ ନିୟୋଜିତ କରିବାକୁ ହେବ । ଯଦି ତାପଜ ବିଦ୍ୟୁତ୍ ଦିଆଯାଏ, ତା’ହେଲେ ଦୁଇଟିଯାକ ତାପଜ ବିଦ୍ୟୁତ୍ ପ୍ରକଳ୍ପକୁ ସେଥିପାଇଁ ନିୟୋଜିତ କରିବାକୁ ହେବ । ଯଦି ଏଥିପାଇଁ ନୂତନ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ କରାଯାଏ ତା’ହେଲେ ଏହାର ଆକାର କ’ଣ ହେବ ଓ ଏହା କେତେ ବିସ୍ଥାପନାଦି କରିବ ବା ପରିବେଶକୁ ପ୍ରଭାବିତ କରିବ ତାହା ସହଜରେ ଅନୁମେୟ । ପୁନଶ୍ଚ ଏ ପ୍ରଶ୍ନ ମଧ୍ୟ ମନକୁ ଆସୁଛି ଯେ ଏତେ ପରିମାଣର ବିଦ୍ୟୁତ୍ କ’ଣ ଆବଶ୍ୟକ ‘ବିଶ୍ୱବିଦ୍ୟାଳୟ’ ପାଇଁ ନା ଏହି ପରିମାଣର ବିଦ୍ୟୁତ୍ ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ରାଜ୍ୟ ସରକାରଙ୍କ ଠାରୁ ବଳକା ବିଦ୍ୟୁତ୍ ନେଇ ଆଲୁମିନିୟମ୍ ଶିଳ୍ପରେ ଲଗାଇବେ ଅନୀଲ ଅଗ୍ରୱାଲ?
‘ବିଶ୍ୱବିଦ୍ୟାଳୟ’ ପ୍ରତିଷ୍ଠା ପଛରେ ‘ଲାଭ ନୁହେଁ ମେଧା ସୃଷ୍ଟି ହିଁ ଲକ୍ଷ୍ୟ’ ବୋଲି ଘୋଷଣା କରନ୍ତି ଅନୀଲ ଅଗ୍ରୱାଲ । ବିହାରର କବାଡ଼ିବାଲାରୁ ବିଲାତ ଦେଶର ଜଣେ ତାଲିକାଭୁକ୍ତ ଧନୀରେ ନିଜକୁ ରୂପାନ୍ତରିତ କରିପାରିଥିବା ଅନୀଲ ଅଗ୍ରୱାଲଙ୍କର ମେଧା ସମ୍ପର୍କରେ କାହାରି ସନେ୍ଦହ ରହିବା ଉଚିତ ନୁହେଁ । ଏହି ମେଧାର ଅଧିକାରୀ ସେ ହୋଇ ପାରିଛନ୍ତି ହାର୍ଭାଡ଼, ଅକ୍ସଫୋର୍ଡ଼ ବା ଷ୍ଟାନ୍ଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ଶିକ୍ଷା ନପାଇ । ତେଣୁ ଏହି ବିଶ୍ୱବିଦ୍ୟାଳୟ ମାନଙ୍କ ପରି ଓଡ଼ିଶା ଭୂଇଁରେ ‘ବିଶ୍ୱବିଦ୍ୟାଳୟ’ ଟିଏ ଠିଆକରି (ଯାହା ୨୦ବର୍ଷ ଲାଗିବ ୨୦୦୬ରୁ ୨୦୨୫) ଯେଉଁ ସ୍ତରର ମେଧା ସୃଷ୍ଟି ତାଙ୍କର ଲକ୍ଷ୍ୟ ହେଉ ନା କାହିଁକି, ତାଙ୍କର ବ୍ୟବସାୟକୁ ଆହୁରି ଲାଭଜନକ କରିବା ପାଇଁ ତାଙ୍କ ନିଜ ମେଧାର ଯେ ଅପୂର୍ବ ପ୍ରୟୋଗ କରିଛନ୍ତି ତାହା ଆମକୁ ସ୍ୱୀକାର କରିବାକୁ ହେବ ।
ତେବେ ଓଡ଼ିଶାର ଲୋକେ କ’ଣ ଏତେ ଗଧା ଯେ ଅନୀଲ ଅଗ୍ରୱାଲଙ୍କର ମେଧାର ଏତାଦୃଶ ପ୍ରୟୋଗକୁ ସେମାନେ ବୁଝିପାରୁ ନାହାନ୍ତି ଓ ତାଙ୍କ ‘ବିଶ୍ୱବିଦ୍ୟାଳୟ’ ପ୍ରସ୍ତାବରେ କୁରୁଳୁଛନ୍ତି? ବୋଧ ହୁଏ ନୁହେଁ – ଏହା ଅନୀଲ ଅଗ୍ରୱାଲ ଓ ତାଙ୍କର ସମର୍ଥକ ଗୋଷ୍ଠୀଙ୍କର ମେଧାକୁ ସ୍ପର୍ଶ କରିବ ବୋଲି ଆଶା କରାଯାଏ ।