ଗୋଟିଏ ଯୁଗ (ବାରବର୍ଷ) ହୋଇଗଲା- ବିଜେଡ଼ି କ୍ଷମତାରେ ରହିବାର । ଭାଗୁଆଳି ସରକାରରୁ ନିରଙ୍କୁଶ ସରକାର ହେବାରେ ସମର୍ଥ ହେଲା । ଯଦିଓ ଏହି ବାରବର୍ଷ ଭିତରେ ସରକାରୀ ଗୁଳିର ଯେତେ ଲୋକ ନିହତ ହୋଇଛନ୍ତି, ତାହା ପୂର୍ବେ କୌଣସି ସରକାର ସମୟରେ ହୋଇନାହିଁ । ଯେତେ ଜନଆନେ୍ଦାଳନ- ଗତ ବାରବର୍ଷ ମଧ୍ୟରେ ମୁଣ୍ଡଟେକିଛି ତାହା ଅଭୂତପୂର୍ବ । ଜଳ, ଜମି ଓ ଜଙ୍ଗଲ ଉପରେ ପଡ଼ିଛି ପ୍ରତିକୂଳ ପ୍ରଭାବ ଯାହା ପୂର୍ବେ କୌଣସି ସରକାର ସମୟରେ ଏତେ ମାତ୍ରାରେ ଦେଖାଯାଇ ନଥିଲା । ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବହେଳା ତ ଚରମସୀମାରେ ପହଞ୍ଚôଛି । ଆଇନଶୃଙ୍ଖଳା ପରିସ୍ଥିତି କିଛି କମ୍ ବିପର୍ଯ୍ୟସ୍ତ ନୁହେଁ । ଧର୍ଷଣ, ହତ୍ୟା, ଆତଙ୍କ ତ’ ନିୟମିତ ଦୃଶ୍ୟ ହୋଇଛି । ଦୁର୍ନୀତି, ଅପାରଗତା ଅଭିଯୋଗରେ ଗତ ବାରବର୍ଷ ଭିତରେ ୨୬ଜଣ ମନ୍ତ୍ରୀ ଇସ୍ତଫା ଦେବାପାଇଁ ବାଧ୍ୟ ହୋଇଛନ୍ତି । କିନ୍ତୁ ଏ ସମସ୍ତ ଘଟଣା ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ସ୍ଥିତି ଓ ତାଙ୍କର ବିଜୁ ଜନତା ଦଳର ସ୍ଥିତି ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇ ପାରିନାହିଁ । ବରଂ ପ୍ରତ୍ୟେକ ଦୁର୍ଘଟଣା ପରେ ତାଙ୍କର ଓ ଦଳର ସ୍ଥିତି ଅଧିକରୁ ଅଧିକ ମଜବୁତ ହେବାରେ ଲାଗିଛି । ଭୋଟ ବାକ୍ସରେ ବିଜୁ ଜନତା ଦଳ ପ୍ରତି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । କ୍ଷମତାସୀନର ବିଜୟ ବିରୁଦ୍ଧରେ ବିରୋଧୀ ଦଳର ଚିରାଚରିତ ଅଭିଯୋଗ ଯେ ଏହି ବିଜୟ ଅର୍ଥବଳ ଓ ବାହୁବଳ ଯୋଗୁଁ ସମ୍ଭବ ହୋଇଛି-ଏଠାରେ ମଧ୍ୟ ପ୍ରକାଶ ପାଇଛି । ତେବେ ଝାରସୁଗୁଡ଼ାରେ କଂଗ୍ରେସର ବିଜୟ ଅର୍ଥବଳ ଓ ବାହୁବଳ ଯୋଗୁଁ ସମ୍ଭବ ହୋଇଛି ବୋଲି ବିଜେଡ଼ିର ଶକ୍ତି ପ୍ୟାରୀମୋହନ ମହାପାତ୍ର କହିବା ଅଭିଯୋଗର ପରିସରକୁ ବ୍ୟାପକ କରିଛି । ପ୍ରତ୍ୟେକ ବିଜୟ ଯେପରି ଅର୍ଥବଳ ଓ ବାହୁବଳ ଯୋଗୁଁ ସମ୍ଭବ । (ଦ୍ରଷ୍ଟବ୍ୟ- New Indian Express, 21/2/2012))
କିନ୍ତୁ ଏହିଭଳି ଅଭିଯୋଗ କରି କଂଗ୍ରେସ ଓ ବିଜେପି ଦଳ ସେମାନଙ୍କର ସାଙ୍ଗଠନିକ ଦୁର୍ବଳତା ଓ ଜନଗଣଙ୍କ ମଧ୍ୟରେ ଗ୍ରହଣୀୟତାକୁ ବୃଦ୍ଧି କରିବାର ଆବଶ୍ୟକତାକୁ ଅଣଦେଖା କରିବା ଉଚିତ ନୁହେଁ । ଅବଶ୍ୟ କଂଗ୍ରେସ ଦଳର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଦଳର ସାଙ୍ଗଠନିକ ଦୁର୍ବଳତାକୁ ସ୍ୱୀକାର କରିଛନ୍ତି । ବିଜେଡ଼ିର ସ୍ଥିତି ଯେ ସବୁଠାରୁ ଖରାପ, ତାହା ପରିସଂଖ୍ୟାନ କହୁଛି ।
ବିଜେଡ଼ିର ଜୟଯାତ୍ରା ଅବ୍ୟାହତ ରହିଥିବା ବେଳେ ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକ୍ରେ ବିଜେଡ଼ି ଝୁଣ୍ଟିଛି । ଏହି ବ୍ଲକ୍ରେ ଚାରୋଟି ଜିଲ୍ଲା ପରିଷଦ ସ୍ଥାନରେ ପ୍ରତ୍ୟେକ ମୁଖ୍ୟ ଦଳ (ବିଜେଡ଼ି, ବିଜେପି ଓ କଂଗ୍ରେସ) ଗୋଟିଏ ଲେଖାଏଁ ସ୍ଥାନ ଅକ୍ତିଆର କରିଥିବା ବେଳେ, ଚତୁର୍ଥ ସ୍ଥାନରେ ସ୍ୱାଧୀନ ପାର୍ଥୀ ବିଜୟୀ ହୋଇଛନ୍ତି । ଏହି ସ୍ୱାଧୀନ ପ୍ରାର୍ଥୀ, ଯିଏ ଜଣେ ମହିଳା ସେ, ବିଜେଡ଼ି ପ୍ରାର୍ଥୀ ଓ ବ୍ଲକ୍ ଚେୟାରମ୍ୟାନଙ୍କୁ ପରାସ୍ତ କରି ଜିଲ୍ଲା ପରିଷଦ ସଭ୍ୟାଭାବେ ନିର୍ବାଚିତ ହୋଇଛନ୍ତି । ଏହି ବ୍ଲକ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭାବମୂର୍ତ୍ତି ବା ଏଠାକାର ମୂଳ ଅଧିବାସୀ ଓ ବିଜେଡ଼ିର ମୁଖ୍ୟ ଶକ୍ତି ପ୍ୟାରୀମୋହନ ମହାପାତ୍ରଙ୍କର ପ୍ରଭାବ କୌଣସି ଚମକ୍ରାର ଦେଖାଇ ପାରିନାହିଁ । (ଦ୍ରଷ୍ଟବ୍ୟ: The New Indian Express, 20/2/2012, ପୃଷ୍ଠା-୫) ଅପରପକ୍ଷରେ ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରେ, ପୋସ୍କୋବିରୋଧୀ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିଙ୍କ ଦ୍ୱାରା ସମର୍ଥିତ ପ୍ରାର୍ଥୀ ପଞ୍ଚାୟତ ନିର୍ବାଚନରେ ପରାଜିତ ହେବା ସମ୍ବାଦ ଗଣମାଧ୍ୟମରେ ପ୍ରକାଶ ପାଇବା ଆରମ୍ଭ ହୋଇଛି । ଏହାକୁ ପୋସ୍କୋ ସପକ୍ଷରେ ଜନମତର ଏକ ସୂଚନା ବୋଲି କେହି କେହି ଯୁକ୍ତି କରିପାରନ୍ତି । କିନ୍ତୁ ଗତ ବାରବର୍ଷରେ ବିଜୁ ଜନତା ଦଳ ନେତୃତ୍ୱରେ ସରକାର ପ୍ରତି ଜନସମର୍ଥନ ଭୋଟ ବାକ୍ସରେ ବୃଦ୍ଧି ପାଇଥିଲେ ହେଁ- ବିଜେଡ଼ି ସରକାର ଦ୍ୱାରା ସ୍ୱାକ୍ଷରିତ ଏମ୍.ଓ.ୟୁ (ଗଙଟ)ଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁ ନାହିଁ ଜନଗଣଙ୍କର ତୀବ୍ର ବିରୋଧ ଯୋଗୁଁ । ତେଣୁ ଭୋଟବାକ୍ସରେ ବିଜେଡ଼ି ପ୍ରତି ଜନସମର୍ଥନ-ବିଜେଡ଼ି ପ୍ରସ୍ତାବିତ ଜନବିରୋଧୀ ପ୍ରକଳ୍ପ ପ୍ରତି ସମର୍ଥନରେ ଯେ ରୂପାନ୍ତରିତ ହେଉନାହିଁ- ତାହା ଅଭିଜ୍ଞତା କହୁଛି । ଏହିଭଳି ଏକ ଦୃଶ୍ୟମାନ ବିରୋଧାଭାସର ସୁଯୋଗ ଯେ ମୁଖ୍ୟ ବିରୋଧୀ ଦଳମାନେ ନେଇପାରୁ ନାହାନ୍ତି,ତାହାହିଁ ଏକ ବିଡ଼ମ୍ବନା । ଏହାର ହୁଏତ ଏକ କାରଣ ହୋଇପାରେ ଯେ ବିଶ୍ୱୀକରଣ, ଉଦାରୀକରଣ ଓ ଘରୋଇକରଣର ଅର୍ଥନୈତିକ ବାତାବରଣ ଭିତରେ- ଶାସକ ଓ ବିରୋଧୀ ଉଭୟଙ୍କର ଅର୍ଥନୈତିକ ଆଜେଣ୍ଡା ବା କାର୍ଯ୍ୟକ୍ରମ ହେଉଛି ଗୋଟିଏ, ଯାହା ଜନସ୍ୱାର୍ଥବିରୋଧୀ । ଏହା ବୋଧହୁଏ ଓଡ଼ିଶାର ସାଧାରଣ ଭୋଟର ବୁଝିପାରିଛି । ଏହାଛଡ଼ା, ସାଧାରଣ ଭୋଟର ମଧ୍ୟ ଦେଖୁଛି ଯେ ବିରୋଧୀ କଂଗ୍ରେସ ଓ ବିଜେପିର ରାଷ୍ଟ୍ରୀୟ ନେତୃବର୍ଗଙ୍କର ବିଜେଡ଼ି ଓ ନବୀନଙ୍କ ପ୍ରତି ଥିବା ନରମା ଆଭିମୁଖ୍ୟ । ସେ ବୁଝିପାରିଛି ଯେ ଏହି ଦଳଗୁଡ଼ିକର କେନ୍ଦ୍ରୀୟ ନେତୃବର୍ଗ- କେନ୍ଦ୍ରରେ ସେମାନଙ୍କର କ୍ଷମତା ଦଖଲ ଦଉଡ଼ରେ ବିଜେଡ଼ି ଉପରେ କେତେଦୂର ନିର୍ଭର କରୁଛନ୍ତି । ତା’ବିଚାରରେ କେନ୍ଦ୍ରୀୟ ଦଳର ସୁବେଦାରମାନଙ୍କ ଦ୍ୱାରା ଶାସିତହେବା ଅପେକ୍ଷା ପ୍ରାଦେଶିକ ଦଳର ଏକ ସମ୍ରାଟଙ୍କ ଦ୍ୱାରା ଶାସିତ ଅଧିକ ଗୌରବମୟ; ସିଂହର ଲାଞ୍ଜ ଅପେକ୍ଷା ଶୃଗାଳର ମୁଣ୍ଡ ଅଧିକ ସ୍ୱାଧୀନ ନୁହେଁ କି? କହିବା ବାହୁଲ୍ୟ ଯେ ଗତ ୧୨ବର୍ଷ ଶାସନ ଭିତରେ ଓଡ଼ିଶା ମାଟିରେ ଯାହା ସବୁ ଘଟିଛି-ତାହା ଯଦି କୌଣସି କେନ୍ଦ୍ରୀୟ ଦଳର ଶାସନକାଳରେ ଘଟିଥାନ୍ତା, ତା’ହେଲେ ଓଡ଼ିଶାବାସୀ ବହୁ ମୁଖ୍ୟମନ୍ତ୍ରୀ ଦେଖିବାର ସୌଭାଗ୍ୟ ପାଇଥାନ୍ତେ । ଅପରପକ୍ଷରେ ବିଜେଡ଼ି ଶାସନରେ ଯେପରି ମୁଖ୍ୟମନ୍ତ୍ରୀ ‘ସ୍ଥିର’ ଓ ଅନ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଝୁଲୁଛି ‘ତଲୁଆର’ – ସେପରି ଦୃଶ୍ୟ ଦେଖିବାର ସୁଯୋଗ ପାଇନଥାନ୍ତେ ।
ଓଡ଼ିଶାର ଭୋଟର ଯେତେବେଳେ କେନ୍ଦ୍ରୀୟ ରାଜନୈତିକ ଦଳଗୁଡ଼ିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଚାଲିଛି, ସେତେବେଳେ ବିଜେଡ଼ିର ବିକଳ୍ପ ଭାବେ ଏକ ପ୍ରାଦେଶିକ ଦଳର ଆବଶ୍ୟକତା ଅଛି ।
-ଶୁଦ୍ରକ