ବିଜୁବାବୁଙ୍କ ପ୍ରତିମୂର୍ତ୍ତ ଭଙ୍ଗା ଘଟଣା ଏହି ଲେଖକ ପାଇଁ ଥିଲା ଅତ୍ୟନ୍ତ ମର୍ମନ୍ତୁଦ । ଖବରକାଗଜ ମାନଙ୍କରେ ଏହି ଘଟଣାର ନିନ୍ଦା, ବିଜୁବାବୁଙ୍କ ନାମର ଗଠିତ ରାଜନୈତିକ ଦଳର ନେତୃବୃନ୍ଦମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଚଳରୁ ଆରମ୍ଭ କରି ଭାରତର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବା, କେଉଁପ୍ରକାର ତଦନ୍ତ କରିବା ଉଚିତ ତା ଉପରେ ବିତର୍କ ହେବା ଓ ବିଧାନସଭା ଅଚଳ ହେବା – ଏ ଲେଖକ ମନରେ ପ୍ରତିମୂର୍ତ୍ତି ଘଟଣା ଜନିତ ଦୁଃଖକୁ ସବୁବେଳେ ସତେଜ କରି ରଖିଥିଲା ଓ ଲେଖକର ଅବଚେତନମନକୁ ସ୍ପର୍ଶ କରିଦେଇଥିଲା ବୋଧହୁଏ, ତା’ ନହେଲେ ସେ ବିଜୁବାବୁଙ୍କୁ ସ୍ୱପ୍ନରେ କାହିଁକି ଦେଖିଥାନ୍ତା?
ଲେଖକ ବିଜୁବାବୁଙ୍କୁ ପଚାରୁଥିଲା , ‘ଆଜ୍ଞା ଆପଣଙ୍କ ଭଳି ଶକ୍ତିଶାଳୀ ମଣିଷକୁ କିଏ ବା ଆଘାତ କରିବାର ଦୁଃସାହସ କଲା? କାହାର ଆଘାତରେ ଏପରି ଶକ୍ତି ଅଛି ଯେ ସେ ଆପଣଙ୍କୁ କ୍ଷତ ବିକ୍ଷତ କରିଦେବ?’ ବିଜୁବାବୁ କହିଲେ, ‘ତୁ ଠିକ୍ କହୁଛୁ । ମୋର ଦୀର୍ଘକାୟ ଚେହେରା, ମୋ ପାପୁଲିର ଶକ୍ତି, ମୋ ଦେହର ବଳକୁ ସମସ୍ତେ ସ୍ୱୀକାର କରନ୍ତି । ମୋର ଦୁଃସାହସିକତାକୁ ଏକ ପ୍ରବାଦ କରି ଦେଇଛନ୍ତି । ତେଣୁ କାହାରି ଆଘାତରେ ଏପରି ଶକ୍ତି ନାହିଁ ଯାହା ମୋତେ କ୍ଷତ ବିକ୍ଷତ କରିଦେବ । କିନ୍ତୁ ସେମାନେ ଆସିଥିଲେ ମୋତେ ଆଘାତ କରିବାକୁ । ଆଘାତ ବି କଲେ କିନ୍ତୁ ଛାଟି ହୋଇ ଦୂରରେ ପଡ଼ିଲେ । ମୁଁ ଗର୍ଜିଲି କହିଲି, “ଆରେ ତୁମର ତ କମ୍ ସାହସ ନୁହେଁ । ବିଜୁ ପଟ୍ଟନାୟକ ଉପରେ ହାତ ଉଠାଉଛ । କିନ୍ତୁ ଯାହା ସେମାନେ କହିଲେ ତାହା ହିଁ ଦେଲା ମୋତେ ମରଣାନ୍ତକ ଆଘାତ । ସେମାନେ କହିଲେ ‘ବୁଢ଼ା, ତୁ ତ’ ଛିଡ଼ା ହୋଇଛୁ ରାସ୍ତାରେ । ସବୁ ଦେଖୁଛୁ । କହ, ସବୁ କଣ ଠିକ ଚାଲିଛି? ଯେଉଁ ଓଡ଼ିଆଙ୍କ ପାଇଁ ତୁ ଏତେ ଗର୍ବ କରୁ ସେ ଓଡ଼ିଆ ଆଉ ରହିବେ ତ । ମାଟି ଗୋଡ଼ି ମୂଲ୍ୟରେ ଜଳ, ଜମି, ଜଙ୍ଗଲ, ଖଣିର ବିକ୍ରି ଚାଲିଛି । ଓଡ଼ିଆ ନରହିଲେ ବିଜୁପଟ୍ଟନାୟକ ରହିବ କି? ଓଡ଼ିଆ ନିଶ୍ଚିହ୍ନ ହେବା ଦେଖିବା ପୂର୍ବରୁ ତୋତେ ଉଠାଇଦେବା ପାଇଁ ଆମେ ଆସିଥିଲୁ, ଆମେ ଜାଣିଛୁ ତୁ ଓଡ଼ିଆ ନିଶ୍ଚିହ୍ନ ହେବା ଦୃଶ୍ୟ କଦାପି ଦେଖିପାରିବୁ ନାହିଁ ।’ ପ୍ରକୃତରେ ମୁଁ ଅନେକ ଦିନରୁ ବ୍ୟଥିତ ଥିଲି – କ’ଣ ଚାଲିଛି ଇଏ? ମୋତେ ମୂର୍ତ୍ତିଟିଏ କରାଇ ଠିଆ କରାଇଛ ଆଉ ମୋରି ନାକ ତଳେ ମୋ ଜାତିକୁ ସର୍ବହରା କରିଚାଲିଛ । ତୁ ବୁଝିପାରିିବୁନି ଶୁଦ୍ରକ, ପିଲାଙ୍କ କଥାରେ କାହିଁକି କେଜାଣି ଉତ୍ତେଜିତ ହୋଇପଡ଼ିଲି ଓ ମୋରି ହାତରେ ମୋ କପାଳକୁ ଆଘାତ କଲି । ମୋର ଉତ୍ତେଜନା ଦେଖି ସେ ମାଇଚିଆ ଟୋକା କିଏ କୁଆଡ଼େ ପଳାଇଲେ । ତାପରେ ଯାହାସବୁ ହେଲା ତାହା ତ ସମ୍ବାଦପତ୍ରରେ ଦେଖୁଛୁ ।”
ମୁଁ କହିଲି, ‘ଆଜ୍ଞା, ମୁଁ ସବୁବେଳେ ସେଇୟା ହିଁ ଭାବିଛି । ବିଜୁ ପଟ୍ଟନାୟକଙ୍କୁ ଆଘାତ କରି ଯଦି କେହି କ୍ଷତ ବିକ୍ଷତ କରିପାରେ ସେ ହେଉଛି ମାଡ଼ତତ୍ତ୍ୱର ପ୍ରଣେତା ବିଜୁ ପଟ୍ଟନାୟକଙ୍କର ନିଜ ହାତ ।’
ବିଜୁବାବୁ ମୋ ଗାଲ ଆଡ଼କୁ ତାଙ୍କର ଶକ୍ତ ପାପୁଲିଟି ବଢ଼ାଇଲେ । ମୁଁ ହାଉଳି ଖାଇ ପଳାଇବାକୁ ଉଦ୍ୟତ ହୁଅନ୍ତେ – ନିଦ ମୋର ଭାଙ୍ଗିଗଲା । ମୋ ସ୍ତ୍ରୀ କହିଲେ, “କ’ଣ ଏମିତି ହାଉଳି ଖାଉଥିଲ ।” ମୁଁ କହିଲି, “ଓଃ, ବର୍ତ୍ତିଗଲି । ବିଜୁବାବୁଙ୍କର ଶକ୍ତ ଚାପୁଡ଼ା ମୋ ଗାଲରେ ବସିଥାନ୍ତା ।” ମୋ ସ୍ତ୍ରୀ ଆଶ୍ଚାର୍ଯ୍ୟ ହୋଇ ମୋତେ ଅନାଇଲେ । ମୁଁ ପ୍ରକୃତିସ୍ଥ ହେଲାପରେ ହସିଲି । ସେ ହସିଲେ । କହିଲି ,: “ସ୍ୱପ୍ନ ଦେଖୁଥିଲି ।”
୧୬-୩୦ ଅଗଷ୍ଟ ୨୦୦୬