୧-୧୫ ଜୁଲାଇ ୨୦୧୧

ଦକ୍ଷିଣ କୋରିଆର ଇସ୍ପାତ କାରଖାନା ପୋସ୍କୋ ପାଇଁ ଜମି ଅଧିଗ୍ରହଣ ନିଶାରେ ଆବିଷ୍ଟ ଓଡ଼ିଶା ସରକାରଙ୍କର ପୁଲିସ ଫଉଜ ସାମନାରେ ଢିଙ୍କିଆ-ଗୋବିନ୍ଦପୁରର ୩୦୦ରୁ ଅଧିକ ପିଲା ବୟସ୍କ ବିକ୍ଷୋଭକାରୀଙ୍କ ସହ ଧାରଣାର ଆଗଧାଡ଼ିରେ ବସିବା ଏକ ଅତ୍ୟନ୍ତ ଦୃଷ୍ଟିଆକର୍ଷଣକାରୀ ଦୃଶ୍ୟଭାବେ ପ୍ରସାରିତ ହୋଇଛି । ଏହା ଫଳରେ ଫଉଜ ଅଗ୍ରସର ହୋଇପାରି ନାହିଁ, ଜମି ଅଧିଗ୍ରହଣ ସ୍ଥଗିତ ରହିଛି । ଯେଉଁମାନେ ଫଉଜ ଅଗ୍ରସର ନହୋଇପାରିବାର ବିଫଳତା ଦ୍ୱାରା ମର୍ମାହତ, ସେମାନେ ପିଲାମାନଙ୍କର ବିକ୍ଷୋଭରେ ଅଂଶଗ୍ରହଣକୁ ଅଯଥାର୍ଥ ଦର୍ଶାଇବେ ସେଥିପାଇଁ ଲାଗିପଡ଼ିଛନ୍ତି ।
ସତେଯେପରି ପିଲାମାନେ ନ ବସିଥିଲେ ପୁଲିସ ଫଉଜ ବୟସ୍କ ବିକ୍ଷୋଭକାରୀଙ୍କୁ ପଦଦଳିତ କରି ଗାଁ ଭିତରକୁ ମାଡ଼ିଯାଇଥାନ୍ତେ ଓ ପୋସ୍କୋ ପାଇଁ ବ୍ୟାକୁଳଗୋଷ୍ଠୀକୁ ସଫଳତାର ତୃପ୍ତି ଆସ୍ୱାଦନ କରିବାର ସୁଯୋଗ ଯୋଗାଇଥାନ୍ତେ । ଏହିଭଳି ତୃପ୍ତିରୁ ବଞ୍ଚôତ ବ୍ୟାକୁଳ ଆତ୍ମାମାନେ ଧାରଣାରେ ବସିଥିବା ପିଲାମାନଙ୍କର ‘କଷ୍ଟ’ଦ୍ୱାରା ଆଦ୍ର ହୋଇଯିବା ଓ ପିଲାମାନଙ୍କ ଅଧିକାରକୁ ପୋସ୍କୋବିରୋଧୀ ନେତୃତ୍ୱ କ୍ଷୁର୍ଣ୍ଣ କରୁଛି ବୋଲି କୋଳାହଳ ଆରମ୍ଭ କରିବା ବେଶ୍ କୌତୁହଳପ୍ରଦ ହୋଇଛି ଓ ପୋସ୍କୋ ପାଇଁ ଅନୁରକ୍ତିର ଅମାପ ଗଭୀରତାକୁ ହିଁ ସୂଚିତ କରୁଛି । ଅପରପକ୍ଷରେ ପିଲାମାନେ ଯେ ବିଶାଳ ପୁଲିସ ଫଉଜର ଉପସ୍ଥିତି ଦ୍ୱାରା ଡରିଯାଇ ନାହାନ୍ତି ବରଂ ନିର୍ଭୀକତାରୁ ଅନନ୍ୟ ଦୃଶ୍ୟ ପ୍ରଦର୍ଶନ କରିଛନ୍ତି-ତାହା ପ୍ରତ୍ୟେକ ସ୍ୱାଭିମାନ ଥିବା ବ୍ୟକ୍ତିକୁ ଗର୍ବିତ କରିଛି ।
ପୋସ୍କୋ ବ୍ୟାକୁଳଗୋଷ୍ଠୀର ମତ ଯେ ବୟସ୍କ ପୋସ୍କୋବିରୋଧୀ ନେତୃତ୍ୱ ପିଲାମାନଙ୍କୁ ପୁଲିସ ଫଉଜର ଗାଁକୁ ପ୍ରବେଶ ବିରୋଧରେ ଢାଲ ସଦୃଶ ବ୍ୟବହାର କରୁଛି । ସତେଯେପରି ପିଲାମାନେ ଜଡ଼ ଓ ସେମାନଙ୍କୁ ଟେକି ଆଣି ବିକ୍ଷୋଭକାରୀମାନେ ତାଙ୍କୁ ବସାଇ ଦେଇଛନ୍ତି । ପୋସ୍କୋ ବ୍ୟାକୁଳମାନେ ଏହିଭଳି ଚିନ୍ତା କରିବା ଅର୍ଥ ପିଲାମାନଙ୍କର ଚିନ୍ତା କରିବାର ଯେ ଅଧିକାର ରହିଛି-ତାହାକୁ ଅସ୍ୱୀକାର କରିବା ଓ ପିଲାଙ୍କ ଅଧିକାରର ଧାରା ୧୪କୁ ଊଲ୍ଲଂଘନ କରିବା । ଚିନ୍ତା କରିବାର ଅଧିକାର ବଳରେ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏଗାରବର୍ଷ ବୟସର ସପ୍ତମ ଶ୍ରେଣୀ ଛାତ୍ରୀ ରୋଜାଲିନ ପାତ୍ର ଯେତେବେଳେ ପ୍ରଶ୍ନ କରେ, ‘ରାଜ୍ୟ ସରକାର ବା ପୋସ୍କୋ ଆମକୁ କ’ଣ ଉନ୍ନତତର ଭବିଷ୍ୟତ ଦେବ? ଆମ ବାପା ମା ହିଁ ଆମର ପ୍ରତିପୋଷଣ କରୁଛନ୍ତି । ସେମାନେ ଯଦି ତାଙ୍କର ଜୀବିକା ହରାଇବେ, ତା’ହେଲେ ଆମକୁ କିଏ ସୁରକ୍ଷା ଦେବ’ ବା ମୃତ ଦୁଲା ମଣ୍ଡଳର ଝିଅ ନିରୁପମା ମଣ୍ଡଳ ଯେତେବେଳେ ଘୋଷଣା କରୁଛି ଯେ, ‘ବାପା ପୋସ୍କୋ ସମର୍ଥକଙ୍କ ଦ୍ୱାରା ନିହତ ହେଲେ । ବୟସ୍କମାନେ ୬ବର୍ଷ ଧରି ଆନେ୍ଦାଳନ କରୁଛନ୍ତି, କିନ୍ତୁ ସରକାର ଶୁଣୁନାହାନ୍ତି । ତେଣୁ ଆମେ ନେତୃତ୍ୱ ନେଉଛୁ । ସରକାର ଆମକୁ ଶୁଣିବେ । ପୁଲିସ ଫଉଜକୁ ଆମର ଭୟ ନାହିଁ ।’ ସେତେବେଳେ ସେମାନେ ଦାବି କରୁଛନ୍ତି ତାଙ୍କର ମତ ପାଇଁ ସମ୍ମାନ ଯାହା ପିଲାଙ୍କ ଅଧିକାରର ଧାରା ୧୨ଅନୁସାରେ ଯଥାର୍ଥ । ଏହି ସମ୍ମାନ ଦାବି କରି ସଦୃଶ ମତପୋଷଣ କରୁଥବା ପିଲାମାନେ ଯଦି ଏକାଠି ହୋଇଛନ୍ତି-ତାହା ମଧ୍ୟ ଆଇନସମ୍ମତ -ପିଲାଙ୍କ ଅଧିକାରର ଧାରା ୧୫ ଅନୁସାରେ । ତେଣୁ ଯେଉଁମାନେ ପିଲାଙ୍କର ବିକ୍ଷୋଭରେ ବସିବାକୁ ପ୍ରଶ୍ନ କରୁଛନ୍ତି ଓ ଏହା ବୟସ୍କ ବିରୋଧୀଙ୍କର ବାଧ୍ୟବାଧକତା ଫଳରେ ହୋଇଛି ବୋଲି ଅଭିଯୋଗ କରୁଛନ୍ତି-ସେମାନେ ପିଲାମାନଙ୍କର ଅଧିକାର-ଯାହା united Nations Convention on the Rights of the Child ଦ୍ୱାରା ପ୍ରଣୀତ ଓ ୨ସେପ୍ଟେମ୍ବର ୧୯୯୦ରୁ ପ୍ରଚଳିତ-ତାହା ପ୍ରତି ଅବମାନନା ହିଁ ପ୍ରଦର୍ଶନ କରୁଛନ୍ତି । ଏହି ଅଧିକାରଗୁଡ଼ିକର ପୃଷ୍ଠଭୂମିରେ ଢିଙ୍କିଆ ଗୋବିନ୍ଦପୁରର ପିଲାମାନଙ୍କର ବିକ୍ଷୋଭକୁ ବିଚାର କଲେ ସେମାନେ ଯେ ତାଙ୍କର ବଞ୍ଚôବାର ଅଧିକାର (Right to Survival)କୁ କେନ୍ଦ୍ରରେ ରଖି ସମ୍ପୂର୍ଣ୍ଣ ଆଇନାନୁମୋଦିତ ଭୂମିକାରେ ହିଁ ଅବତୀର୍ଣ୍ଣ ହୋଇଥିଲେ- ଏହା କହିବା ଅତିଶୟୋକ୍ତି ହେବ ନାହିଁ । ମାନବ ଅଧିକାର ପାଇଁ ଦୀର୍ଘଦିନରୁ ସ୍ୱର ଉତ୍ତୋଳନ କରିଆସୁଥିବା ଜଣାଶୁଣା ସମାଜକର୍ମୀ ସ୍ୱାମୀ ଅଗ୍ନିବେଶ, ତେଣୁ ପିଲାମାନଙ୍କର ବିକ୍ଷୋଭରେ ଅଂଶଗ୍ରହଣ ଦ୍ୱାରା କିଛି ଭୁଲ୍ହୋଇଛି ବୋଲି ମନେକରନ୍ତି ନାହିଁ । ଯଦି ଆମେ ସ୍ମରଣକରୁ ଯେ ସ୍ୱାଧୀନତା ଆନେ୍ଦାଳନ ସମୟରେ ପିଲାମାନେ, ବାନରସେନା ଗଢ଼ି ଆନେ୍ଦାଳନରେ ଅଂଶଗ୍ରହଣ କରିଥିଲେ ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଉତ୍ସାହିତ ହେଉଥିଲେ, ତା’ହେଲେ ଆମେ ପିଲାମାନଙ୍କର ବିକ୍ଷୋଭରେ ଅଂଶଗ୍ରହଣକୁ ଏକ ବ୍ୟାପକ ଦୃଷ୍ଟିଭଙ୍ଗୀ ନେଇ ହିଁ ବିଚାର କରିବା । ବରଂ ଭାରତର ଏହି ନାଗରିକମାନେ, ଏତେ କମ୍ ବୟସର ସମ୍ବିଧାନର ଧାରା ୫୧ ଏ(ବି)ଓ(ଜି)ରେ ଉଲ୍ଲେଖ କରାଯାଇଥିବା ମୌଳିକ କର୍ତ୍ତବ୍ୟ (Fundamental Duties)ର ପାଳନ କରୁଛନ୍ତି ବୋଲି ଆମେ ଗର୍ବର ସହିତ କହିପାରିବା । ଧାରା ୫୧ଏ(ବି) ଅନୁସାରେ ସେମାନେ ସ୍ୱାଧୀନତା ଆନେ୍ଦାଳନରେ ଅଂଶଗ୍ରହଣ କରିଥିବା ବାନର ସେନାକୁ ଅନୁସରଣ କରୁଛନ୍ତି, ଅହିଂସକ ଉପାୟ ଅବଲମ୍ବନ କରିଛନ୍ତି ଓ ଧାରା ୫୧ଏ(ଜି) ଅନୁସାରେ ଜଙ୍ଗଲ, ପୁଷ୍କରିଣୀ, ନଦୀ ଇତ୍ୟାଦିର ସୁରକ୍ଷାପାଇଁ ଆନେ୍ଦାଳନ କରୁଛନ୍ତି । ତେଣୁ ଯେଉଁମାନେ ବିକ୍ଷୋଭରେ ଅଂଶଗ୍ରହଣ କରିଥିବା ପିଲାଙ୍କ କଷ୍ଟ ଦେଖି ଆଦ୍ର ହୋଇଯାଉଛନ୍ତି-ସେମାନେ ‘ପିଲା’ (Child) ଶବ୍ଦର ପରିଭାଷା, ତା’ର ଅଧିକାର ଓ ନାଗରିକ ଭାବେ ତା’ର ସମ୍ବିଧାନସମ୍ମତ କର୍ତ୍ତବ୍ୟକୁ ଅଧ୍ୟୟନ କଲେ ଢିଙ୍କିଆ ଗୋବିନ୍ଦପୁର ପିଲାଙ୍କର ବିକ୍ଷୋଭରେ ଅଂଶଗ୍ରହଣ ଆଦୌ ପ୍ରମାଦଯୁକ୍ତ ବୋଲି ମନେହେବ ନାହିଁ । ଜଗତସିଂହପୁର ଜିଲ୍ଲା ସମାଜ କଲ୍ୟାଣ ଅଫିସର(DSWO) ଜିଲ୍ଲାପାଳଙ୍କୁ ଦାଖଲ କରିଥିବା ରିପୋର୍ଟରେ ଅଭିଯୋଗ କରିଛନ୍ତି ଯେ ବାପ, ମା’ମାନେ ସେମାନଙ୍କର ପିଲାମାନଙ୍କୁ ପ୍ରଭାବିତ କରି ବିକ୍ଷୋଭରେ ସାମିଲ କରାଇଛନ୍ତି । (ଦ୍ରଷ୍ଟବ୍ୟ:The New Indian Express, 22June 2011, P-4: ‘Parents Motivate Children to take part in Anti POSCO Stir’) । ବାପା ମା’ମାନେ ଯେତେବେଳେ ନିଜର ଜୀବନଜୀବିକାର ସୁରକ୍ଷା ପାଇଁ ବିକ୍ଷୋଭରେ ସାମିଲ ହୋଇଛନ୍ତି-ସେତେବେଳେ ପିଲାମାନଙ୍କୁ କ’ଣ କହିବାକୁ ପଡ଼ିବ ଯେ ‘ବିକ୍ଷୋଭରେ ଆସି ସାମିଲ ହୁଅ’ ବୋଲି । ବାପା, ମା’ମାନଙ୍କର ଅଂଶଗ୍ରହଣ ତ ପିଲାମାନଙ୍କୁ ପ୍ରଭାବିତ କରିବା ପାଇଁ ଯଥେଷ୍ଟ । ତେଣୁ ଏହି ରିପୋର୍ଟ ବାପା, ମା’ଅଭିଭାବକଙ୍କର ଅଂଶଗ୍ରହଣକୁ ପ୍ରଶ୍ନ କରୁଛି ବୋଲି କହିବା ଅଧିକ ଯଥାର୍ଥ ହେବ ।
ଅବଶ୍ୟ ଯେଉଁମାନଙ୍କର ପିଲାବୟସ ପିତାମାତାଙ୍କର ଉପାର୍ଜନ ଓ କ୍ଷମତାର ପୃଷ୍ଠପୋଷକତାରେ, ଅତି ଫୁର୍ତ୍ତିରେ କଟିଛି ସେମାନେ ଢିଙ୍କିଆ ଗୋବିନ୍ଦପୁର ପିଲାଙ୍କର ଜୀବନ ସଂଗ୍ରାମ ପ୍ରସୂତ ଉଚ୍ଚତର ସଚେତନତା ସ୍ତରକୁ କଳ୍ପନା କରିପାରିବେ ନାହିଁ ।
ବାପା ମା’ଙ୍କ ଉପାର୍ଜନ ଓ କ୍ଷମତାକୁ ଆୟୁଧ କରି ଫୁର୍ତ୍ତି କରୁଥିବା ପିଲା, ବାପା ମା’ଙ୍କର ଜୀବନ ସଂଗ୍ରାମରେ ସାମିଲ ହୋଇଥିବା ପିଲା ସହିତ ସମାନ କିପରି ହୁଅନ୍ତା? କିନ୍ତୁ ବିଡ଼ମ୍ବନା ଯେ ଆଜିର ଭାରତବର୍ଷରେ, ପରିବାରର ଉପାର୍ଜନ ଓ କ୍ଷମତା ବଳରେ ଫୁର୍ତ୍ତି କରୁଥିବା ପିଲା ହିଁ ପରବର୍ତ୍ତୀ କାଳରେ ସାଂସଦ ହେଉଛି, ମୁଖ୍ୟମନ୍ତ୍ରୀ ହେଉଛି, ପ୍ରଧାନମନ୍ତ୍ରୀ ହେଉଚି-ଶାସନର ଡୋରକୁ ଅକ୍ତିଆର କରିନେଉଛି ଓ ବୟସ୍କ ଫୁର୍ତ୍ତିର ସମ୍ଭାବନା ସହିତ ନିଜ ସନ୍ତାନ ସନ୍ତତିଙ୍କର ଫୁର୍ତ୍ତି ପାଇଁ ଦେଶର ସମ୍ପତ୍ତକୁ ବିଦେଶୀଙ୍କ ହାତରେ ଟେକିଦେଉଛି ।
-ଶୁଦ୍ରକ

Print Friendly, PDF & Email