ଦାମଙ୍କ ବିତାଡ଼ନ ଓ ପୋସ୍କୋ ପ୍ରସଙ୍ଗ

  • 10/09/2015

୨ ମଇ ୨୦୧୧ ଦିନ କେନ୍ଦ୍ର ପରିବେଶ ମନ୍ତ୍ରୀ ଜୟରାମ ରମେଶଙ୍କ ଘୋଷଣାପରେ ଉତ୍ଫୁଲ୍ଲିତ ପୋସ୍କୋ ପ୍ରକଳ୍ପ ସପକ୍ଷବାଦୀ ଓ ଦାମବାବୁଙ୍କ ସମର୍ଥôତ ମିଳିତ କ୍ରିୟାନୁଷ୍ଠାନ କମିଟି ଦାମଙ୍କର ଆକସ୍ମିକ ବିତାଡ଼ନ ପରେ ପୋସ୍କୋ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସେ ପର୍ଯ୍ୟନ୍ତ କରାଇଦେବେ ନାହିଁ ବୋଲି ଘୋଷଣା କଲେ । ଯେତେବେଳ ପର୍ଯ୍ୟନ୍ତ ତାଙ୍କର କେତୋଟି ସର୍ତ୍ତ ସରକାର ପୂରଣ ନକରିଛନ୍ତି । ଜମି ଅଧିଗ୍ରହଣ ପାଇଁ ସରକାରଙ୍କ ତରଫରୁ ଉଦ୍ୟମକୁ ସେମାନେ ବିରୋଧକରି ଗିରଫହେବା ଖବର ଗଣମାଧ୍ୟମରେ ବେଶ୍ ପ୍ରଚାରିତ ହେଲା । ମଇ ୨୨ ତାରିଖ ପର୍ଯ୍ୟନ୍ତ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ବିରୋଧ ଅପେକ୍ଷା ମିଳିତ କ୍ରିୟାନୁଷ୍ଠାନ କମିଟିର ପୋସ୍କୋପ୍ରକଳ୍ପକୁ ବିରୋଧ ଗଣମାଧ୍ୟମରେ ଅଗ୍ରାଧିକାର ପାଉଥିବା ଦୃଶ୍ୟମାନ ହେଲା । ବିତାଡ଼ିତ ଦାମ ତାଙ୍କର ବିତାଡ଼ନ ପାଇଁ ବିଜେଡ଼ି ଦଳ ଭିତରେ ଥିବା ପୋସ୍କୋ ପ୍ରକଳ୍ପର ବିରୋଧୀ ଗୋଷ୍ଠୀକୁ ହିଁ ଦାୟୀ କରି ଅବିରାମ ବୟାନ ଦେଇ ଚାଲିଥିଲେ ଗଣମାଧ୍ୟମରେ । ପ୍ୟାରୀ ମୂଳରୁ ପୋସ୍କୋ ପ୍ରକଳ୍ପବିରୋଧୀ ବୋଲି ସର୍ବସାଧାରଣକୁ ମଧ୍ୟ ଜଣାଇଦେଲେ ।(ଦ୍ରଷ୍ଟବ୍ୟ: ‘ପ୍ୟାରୀମୂଳରୁ ପୋସ୍କୋ ବିରୋଧୀ: ଦାମ’-ବରେନ୍ଦ୍ରକୃଷ୍ଣ ଧଳ, ଧରିତ୍ରୀ ୨୪/୫/୨୦୧୧) ଅର୍ଥାତ ବିଜେଡ଼ିତ ଦଳ ଭିତରେ ଥିବା ଦ୍ୱିତୀୟ କ୍ଷମତା କେନ୍ଦ୍ର ପ୍ୟାରୀମୋହନ ମହାପାତ୍ରଙ୍କ ନେତୃତ୍ୱରେ ପୋସ୍କୋ ପ୍ରକଳ୍ପବିରୋଧୀ ବିଜେଡ଼ି ଦଳର ଗୋଷ୍ଠୀ ତାଙ୍କୁ ଯେ ବିତାଡ଼ିତ କରିଛନ୍ତି ଏହାହିଁ ସେ ଓଡ଼ିଶାର ସର୍ବସାଧାରଣଙ୍କୁ ଜଣାଇଦେଲେ । ଦାମବାବୁଙ୍କର ଏହି ପ୍ରଘଟବାଣୀ ପରେ ଓଡ଼ିଶାର ସର୍ବସାଧାରଣ ଜାଣିଲେ ଯେ ବିଜେଡ଼ି ଦଳ ପୋସ୍କୋ ସପକ୍ଷରେ ଏକାଠି ନୁହନ୍ତି-ଯଦିଓ ବିତାଡ଼ିତ ଦାମବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନିଶ୍ଚିତ ପୋସ୍କୋ ସପକ୍ଷରେ । ମଇ ୨୨ତାରିଖ ଯାଏ ମନେହେଲା ଯେପରି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି, ମିଳିତ କ୍ରିୟାନୁଷ୍ଠାନ କମିଟି ଓ ବିଜେଡ଼ି ଦଳ ଭିତରେଥିବା ପ୍ୟାରୀନେତୃତ୍ୱରେ ପୋସ୍କୋ ପ୍ରକଳ୍ପବିରୋଧୀ ଗୋଷ୍ଠୀଙ୍କର ବିରୋଧ ସରକାରଙ୍କର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଅକାମୀ କରିଦେବ । କିନ୍ତୁ ଏହା ହେଲାନାହିଁ, ସର୍ତ୍ତପୂରଣକୁ ଅପେକ୍ଷା ନକରି ମିଳିତ କ୍ରିୟାନୁଷ୍ଠାନ କମିଟି, ମଇ ୨୩ତାରିଖ ଦିନ ଘୋଷଣା କଲା ଯେ ସେମାନେ ପ୍ରଶାସନକୁ ଜମି ଅଧିଗ୍ରହଣରେ ସାହାଯ୍ୟ କରିବେ । ଏହାପରେ ଜମି ଅଧିଗ୍ରହଣ ଚାଲିଛି ବୋଲି ଖବରକାଗଜରେ ନିୟମିତ ପ୍ରକାଶ ପାଉଛି । ଦ୍ୱିତୀୟ କ୍ଷମତା କେନ୍ଦ୍ର ପ୍ୟାରୀମୋହନ ମହାପାତ୍ର ଓ ତାଙ୍କର ଅନୁଯାୟୀମାନେ କେତେଦୂର ପୋସ୍କୋ ପ୍ରକଳ୍ପ ବିରୋଧୀ ତାହା ଅନୁସନ୍ଧାନସାପେକ୍ଷ ହୋଇଥିବା ବେଳେ- ଦାମ ପୋସ୍କୋର ସପକ୍ଷବାଦୀ ବୋଲି ନିଜକୁ ସାବ୍ୟସ୍ତ କରାଇ ଓ ତାଙ୍କ କୃତ ମିଳିତ କ୍ରିୟାନୁଷ୍ଠାନ କିମିଟିକୁ ଏକ ଅସ୍ତ୍ରଭାବେ ବ୍ୟବହାର କରି-ବିଜେଡ଼ି ଦଳରୁ ନିଲମ୍ବିତ ହେବାର ନିଶ୍ଚିତ ପରିଣତିକୁ ଏଡ଼ାଇ ଦେଇପାରିଛନ୍ତି-ଯାହା ବରୀ-ଡରାବିଶ ବିଧାୟକ ଦେବାଶିଷ ନାୟକ କରିପାରିଲେ ନାହିଁ । ଅପରପକ୍ଷରେ ବିଜେଡ଼ି ଦଳ ଭିତରେ ଯଦି ଦାମଙ୍କ କହିବା ଅନୁସାରେ ପ୍ୟାରୀଙ୍କ ନେତୃତ୍ୱରେ ପୋସ୍କୋବିରୋଧୀ ଗୋଷ୍ଠୀ ଅଛନ୍ତି-ସେମାନେ ପୋସ୍କୋ ପ୍ରକଳ୍ପପାଇଁ ଜମି ଅଧିଗ୍ରହଣକୁ ଅଟକାଇ ପାରିନାହାନ୍ତି । ତେଣୁ ଦାମଙ୍କ ଅଭିଯୋଗରେ ଭିତ୍ତ କ’ଣ, ତାହା ନେଇ ସନେ୍ଦହ ଉପୁଜିବା ସ୍ୱାଭାବିକ । ଯଦି ଏହିଭଳି ଅଭିଯୋଗ କରି ପୋସ୍କୋ ସପକ୍ଷବାଦୀ ନବୀନ ପଟ୍ଟନାୟକ ଓ ପ୍ୟାରୀଙ୍କ ଭିତରେ ଭୁଲ୍ ବୁଝାମଣା ସୃଷ୍ଟି ଓ ନିଜକୁ ନବୀନଙ୍କର ଅନୁଗତ ବୋଲି ସାବ୍ୟସ୍ତ କରିବାର ହିଁ ଦାମଙ୍କର ଉଦେ୍ଧଶ୍ୟ ବୋଲି କେହି କେହି ମନ୍ତବ୍ୟ କରୁଥାନ୍ତି-ତା’ହେଲେ ଏହାକୁ ଅଣଦେଖା କରିହେବ ନାହିଁ । ତେବେ ପ୍ୟାରୀଙ୍କୁ ଅସନ୍ତୁଷ୍ଟ କରି ମନ୍ତ୍ରିମଣ୍ଡଳରୁ ବିତାଡ଼ିତ ହୋଇଥିବା ଦାମ, ଦେବାଶୀଷଙ୍କ ପରି ବିଜେଡ଼ିରୁ ନିଲମ୍ବିତ ହୋଇନଥିବା-ଦାମଙ୍କ ପାଇଁ ଏକ ସାମୟିକ ଆଶ୍ୱସ୍ତି ହୋଇପାରେ । ଜମି ଅଧିଗ୍ରହଣ ପରେ ନିଲମ୍ବନ ଯେ ଅବଶ୍ୟମ୍ଭାବୀ,ଏହାକୁ ଏଡ଼ାଇ ଦିଆଯାଇ ନପାରେ । ପ୍ୟାରୀଙ୍କୁ ଅସନ୍ତୁଷ୍ଟ କରି ବିଜେଡ଼ିରେ ରହିବା ଯେ ଅସମ୍ଭବ, ଏହା ଏକାଧିକବାର ପ୍ରମାଣିତ ହୋଇସାରିବା ପରେ ନବୀନଙ୍କୁ ବିଜେଡ଼ି ସୁପ୍ରିମୋ (Supremo) କହିବା ଆତ୍ମପ୍ରବଞ୍ଚନା ବ୍ୟତୀତ ଆଉ କିଛି ନୁହେଁ । ପ୍ୟାରୀଙ୍କୁ ଆହ୍ୱାନ ଦେବାକୁ ଯାଇ ପୋସ୍କୋ ପ୍ରସଙ୍ଗକୁ ଉପଲକ୍ଷ୍ୟ କରିବା-ଏକ ଦୁର୍ବଳ ରଣନୀତି-ଏହା ଦାମବାବୁ ନିଶ୍ଚୟ ବୁଝୁଥିବେ । -ଶୁଦ୍ରକ

Print Friendly, PDF & Email