୧-୧୫ ଜାନୁଆରୀ, ୨୦୧୧
ମଙ୍ଗଳବାର (୧୪/୧୨/୨୦୧୦)ଦିନ ଏକ ବିରାଟ ର୍ୟାଲି କଂଗ୍ରେସ ଦଳ ତରଫରୁ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ଯାହାକୁ କେତେକ ସମ୍ବାଦପତ୍ର ମହାସମାବେଶ ବୋଲି ଆଖ୍ୟାୟିତ କରିଛନ୍ତି । ଏହି ସମାବେଶରେ ସ୍ଲୋଗାନ ଦିଆଯାଇଛି ‘ନବୀନ-ଗାଦି ଛାଡ଼’ । ଯେତେବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସର ପରବର୍ତ୍ତୀ ସଭାପତି କିଏ ହେବ ସ୍ଥିର ହୋଇପାରି ନାହିଁ, ସେତେବେଳେ ସ୍ୱାଭାବିକ ସବୁ ତୁଙ୍ଗନେତାମାନେ ମଞ୍ଚ ଉପରେ ଦୃଶ୍ୟ ହୋଇଛନ୍ତି । ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ପରିପ୍ରେକ୍ଷୀରେ ମାନ୍ୟବର ହାଇକୋର୍ଟ ଦେଇଥିବା ରାୟ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଦେବା ନବୀନ ପଟ୍ଟନାୟକଙ୍କ ପ୍ରତି ଅନାସ୍ଥାର ଯେ ପ୍ରମାଣ -ତେଣୁ ସେ ଗାଦି ଛାଡ଼ିବା ଉଚିତ-ଏହାହିଁ ଥିଲା ମହା ସମାବେଶର ମୂଳ ଯୁକ୍ତି ।
ଯଦିଓ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ବିରୋଧ ପ୍ରଥମେ ଭିନ୍ନସ୍ତରରୁ ଆରମ୍ଭ ହୋଇଥିଲା, ତଥାପି ଏହି ବିରୋଧକୁ ଯେ ତକ୍ରାଳୀନ କଂଗ୍ରେସ ନେତା ଉମାବଲ୍ଲଭ ରଥ ତୀବ୍ରତର କଲେ, ଏହା ଆମକୁ ସ୍ୱୀକାର କରିବାକୁ ହେବ । ସମସ୍ତେ ଭାବିଥିଲେ ଯେ ଏହାଦ୍ୱାରା ଉମାବଲ୍ଲଭଙ୍କର ସମର୍ଥକ ସଂଖ୍ୟା ଯେଉଁ ଆକାରରେ ବୃଦ୍ଧି ପାଉଛି- ସେ ନିଶ୍ଚିତ ଭାବରେ ପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପାର୍ଥୀ ହେବେ । କିନ୍ତୁ କଂଗ୍ରେସ ଦଳ ତାଙ୍କୁ ପ୍ରାର୍ଥୀ କଲାନାହିଁ । ଉମାବଲ୍ଲଭ ଭାରତୀୟ ଜନତାପାର୍ଟିର ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଲେ ଓ ଦ୍ୱିତୀୟ ସ୍ଥାନରେ ରହିଲେ । କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଲେ । ଉମାବଲ୍ଲଭ କଂଗ୍ରେସ ପ୍ରାର୍ଥୀହୋଇଥିଲେ ନିଶ୍ଚିତ ବିଜୟୀ ହୋଇଥାନ୍ତେ-ଏହା ଅଧିକାଂଶ ପର୍ଯ୍ୟବେକ୍ଷକଙ୍କର ହିସାବ । ତେଣୁ ଆଜି ଯେତେବେଳେ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ମୁଖ୍ୟପ୍ରସଙ୍ଗ କରି କଂଗ୍ରେସ ଦଳ ଗାଦି ଛାଡ଼ିବାପାଇଁ ନବୀନଙ୍କୁ ଆହ୍ୱାନ ଦେଇଛି , ସେତେବେଳେ ସ୍ୱାଭାବିକ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ କଂଗ୍ରେସର ଆନ୍ତରିକତା ସାମ୍ନାରେ ଏକ ବିରାଟ ପ୍ରଶ୍ନବାଚୀଟିଏ ଠିଆ ହୋଇଯାଇଛି । ଉମାବଲ୍ଲଭଙ୍କ ବିଜୟ-ବେଦାନ୍ତକୁ ବିରୋଧର ବିଜୟ ହୋଇଥାନ୍ତା- ଯାହା କଂଗ୍ରେସ ଖାତାରେ ଆଜି ଚକ୍ ଚକ୍ କରୁଥାନ୍ତା । ଯଦି ଏହା ହୋଇଥାନ୍ତା, ତା’ହେଲେ ବରିଷ୍ଠ ସାମ୍ବାଦିକ ବରେନ୍ଦ୍ରକୃଷ୍ଣ ଧଳ ସୁଯୋଗ ପାଇନଥାନ୍ତେ ଅଭିଯୋଗ କରିବାକୁ ଯେ କଂଗ୍ରେସର ଭୂମିକା ବହୁରୂପୀ ଓ ଲେଖିବାକୁ ଯେ ‘୨୦୦୯ଜୁଲାଇ ୯ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍କୁ ସରକାର ଜବରଦସ୍ତ ଗୃହୀତ କରାଇଦେବା ପାଇଁ ଯେତେବେଳେ ଉଦ୍ୟମ କଲେ, ସେତେବେଳେ ତାଙ୍କୁ ସାଙ୍ଗ ଦେଲେ କଂଗ୍ରେସର ବିଧାୟକମାନେ । ସେଦିନ ସକାଳ ବିମାନରେ ପନ୍ଦର ଜଣ କଂଗ୍ରେସ ବିଧାୟକ ଦିଲ୍ଲୀ ଉଡ଼ିଗଲେ ।’ (ଧରିତ୍ରୀ, ୨୧ଡିସେମ୍ବର ୨୦୧୦) -ଶୁଦ୍ରକ