ସାଂସ୍କୃତିକ ପ୍ରତିରୋଧ ନା ପ୍ରତିରୋଧର ସଂସ୍କୃତି

  • 10/09/2015

୧-୧୬ ଡିସେମ୍ବର, ୨୦୧୦

ଇତ୍ୟବସରରେ (୨୧/୧୧/୨୦୧୦) ଭୁବନେଶ୍ୱରଠାରେ ନିସାନ ସମ୍ମେଳନ-୨୦୧୦ ବ୍ୟାନର ତଳେ ଏକ ଆଲୋଚନା ସଭା ସହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାର ବିଷୟବସ୍ତୁ ଥିଲା ‘କର୍ପୋରେଟ ସ୍ୱାର୍ଥରେ ଜନଗଣଙ୍କ ବିରୁଦ୍ଧରେ ଯୁଦ୍ଧ:ସାଂସ୍କୃତିକ ପ୍ରତିରୋଧ’ ଏହି ଆଲୋଚନା ସଭାର ମୁଖ୍ୟ ଆକର୍ଷଣଥିଲେ ବିଲାତି କମ୍ପାନୀ ବୁକର-ମାକ୍କନେଲ କର୍ପୋରେସନ (Booker Mc Connell Corporation) ଦ୍ୱାରା ପ୍ରତିଷ୍ଠିତ ବୁକର ପୁରସ୍କାରଦ୍ୱାରା ସମ୍ମାନିତ ଔପନ୍ୟାସିକା ଅରୁନ୍ଧତୀ ରାୟ ଯିଏ କି ନର୍ମଦା ବଞ୍ଚାଅ ଆନେ୍ଦାଳନର ଅହିଂସକ ନେତ୍ରୀ ମେଧା ପାଟକରଙ୍କ ସହିତ ସାମିଲ ହେବାପରେ ଆରମ୍ଭ କରିଛନ୍ତି ତୃଣମୂଳ ସ୍ତରରେ ହେଉଥିବା ଆନେ୍ଦାଳନଗୁଡ଼ିକୁ ସମର୍ଥନ କରିବାର ପର୍ଯ୍ୟାୟ । ଗତ କିଛିଦିନ ହେଲା ସେ ବିଶେଷ ଚର୍ଚ୍ଚିତ ହୋଇପଡ଼ିଛନ୍ତି-ବିଚ୍ଛିନ୍ନତାବାଦୀ ସଙ୍ଗଠନ ହୁରିଆତ କନଫରେନ୍ସର ଅଧ୍ୟକ୍ଷ ସୟେଦ ଅଲି ସାହ ଗିଲାନୀଙ୍କ ସହ ଗୋଟିଏ ମଞ୍ଚରେ ବସି-କାଶ୍ମୀର ସମ୍ପର୍କରେ ଏକ ବିତର୍କିତ ମତ ଦେଇ । ଏହି ମତପାଇଁ ତାଙ୍କ ବିରୁଦ୍ଧରେ ଉଠିଛି ଦେଶଦ୍ରୋହର ଅଭିଯୋଗ । କହିବା ବାହୁଲ୍ୟ ଯେ ଏହିଭଳି ବିରୋଧ ଉଭୟ ଅରୁନ୍ଧତୀ ରାୟ ଓ ତାଙ୍କର ବିରୋଧୀମାନଙ୍କୁ ଗଣମାଧ୍ୟମରେ ବେଶ୍ ସତେଜ କରି ରଖିଛି । ଅବଶ୍ୟ ଅନେକେ ଅରୁନ୍ଧତୀ ରାୟଙ୍କର ବିତର୍କିତ ମନ୍ତବ୍ୟକୁ ସମ୍ପୂର୍ଣ୍ଣ ଉପେକ୍ଷା କରିଦେବା ଉଚିତ ହେବ ବୋଲି ମତପୋଷଣ କରୁଛନ୍ତି । ଅରୁନ୍ଧତୀ ରାୟଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରିବା ପାଇଁ ଦାବିକୁ ଭାରତ ସରକାର ତ’ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏହିଭଳି ପୃଷ୍ଠିଭୂମିର ଅରୁନ୍ଧତୀ ରାୟ ନିଶ୍ଚିତଭାବେ ଓଡ଼ିଶାର ବିିଭିନ୍ନ ଅଞ୍ଚଳରେ ଚାଲୁଥିବା ଆନେ୍ଦାଳନର ନେତୃବର୍ଗଙ୍କ ପାଇଁ ସ୍ୱାଭାବିକ ଏକ ପ୍ରତୀକ୍ଷିତ ବ୍ୟକ୍ତିତ୍ୱ ଓ ଏହି ପ୍ରତୀକ୍ଷାର ଅବସାନ ସମ୍ଭବ ହୋଇଛି ନିସାନ ସମ୍ମେଳନ-୨୦୧୦ଦ୍ୱାରା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଆନେ୍ଦାଳନ ସହ ସମ୍ପୃକ୍ତ ୨୭ଟି ସଙ୍ଗଠନ ଏହି ସମ୍ମେଳନରେ ସହଯୋଗୀ ସଙ୍ଗଠନ ବୋଲି ବିତରିତ ପ୍ରଚାର ପତ୍ରରୁ ସୂଚନା ମିଳେ । ଲାଞ୍ଜିଗଡ଼ଠାରେ ସକ୍ରିୟ ନିମୟଗିରି ସୁରକ୍ଷା ସମିତି ଓ ଢିଙ୍କିଆଠାରେ ସକ୍ରିୟ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ଏହି ୨୭ଜଣିଆ ତାଲିକାରେ ଉଲ୍ଲିଖିତ ହୋଇଥିବାବେଳେ କଳିଙ୍ଗନଗର ବିସ୍ଥାପନ ବିରୋଧୀ ମଞ୍ଚର ନାଁ ଏହି ତାଲିକାରେ ନରହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚୟ । କାରଣ କର୍ପୋରେଟ ସ୍ୱାର୍ଥରେ ଜନଗଣଙ୍କ ବିରୁଦ୍ଧରେ ଯେଉଁ ଯୁଦ୍ଧ ଆରମ୍ଭ ହୋଇଛି-ସେ ଯୁଦ୍ଧରେ ସବୁଠାରୁ ଅଧିକସଂଖ୍ୟକ ସହିଦ ହୋଇଛନ୍ତି କଳିଙ୍ଗନଗରଠାରେ । ଅଥଚ ଏହି ସମ୍ମେଳନରେ ସେମାନେ ସହଯୋଗୀ ନୁହନ୍ତି ।
ତେବେ ଯେଉଁମାନେ ସଭାର ବିଷୟବସ୍ତୁ ଦ୍ୱାରା ଆକୃଷ୍ଟ ହୋଇ ଏହି ସଭାକୁ ଯାଇଥିଲେ ଓ ଅରୁନ୍ଧତୀ ରାୟଙ୍କ ବ୍ୟତୀତ ପ୍ରଚାର ପତ୍ରରେ ଉଲ୍ଲିଖିତ ଅନ୍ୟାନ୍ୟ ସାହିତି୍ୟକମାନଙ୍କର ନାଁ ପଢ଼ି ଉତ୍ସାହିତ ହୋଇଥିଲେ-ସେମାନେ ନିଶ୍ଚୟ ଆଶା କରିଥିବେ ଯେ ଏହି ସଭାରେ ସେମାନେ ସାଂସ୍କୃତିକ ପ୍ରତିରୋଧର ସ୍ୱରୂପ ସମ୍ପର୍କରେ ଜାଣିବାର ଅବସର ପାଇବେ । ରାଜନୈତିକ ପ୍ରତିରୋଧ, ଅର୍ଥନୈତିକ ପ୍ରତିରୋଧ-ଏଗୁଡ଼ିକର ସ୍ୱରୂପ ମୋଟାମୋଟି ଜାଣିହୁଏ । କିନ୍ତୁ ସାଂସ୍କୃତିକ ପ୍ରତିରୋଧ କ’ଣ, ଏହା କିପରି କାର୍ଯ୍ୟକାରୀ ହୁଏ, କେଉଁ ରୂପନିଏ- ଏହିସବୁ ପ୍ରଶ୍ନର ଉତ୍ତର ଉକ୍ତ ଆଲୋଚନା ସଭା କେତେଦୂର ସ୍ପଷ୍ଟ କରିପାରିଛି- ତାହା ସର୍ବେକ୍ଷଣ ସାପେକ୍ଷ । ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦରୁ ଏହା ସ୍ପଷ୍ଟ ହୁଏନାହିଁ । ଅବଶ୍ୟ ପ୍ରତିରୋଧର ସଂସ୍କୃତି କ’ଣ ହେବ, ତାହା ହିଂସକ ହେବ କି ଅହିଂସକ -ତାହାଉପରେ ଅରୁନ୍ଧତୀଙ୍କର ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ତାଙ୍କ ମତରେ ଲୋକଙ୍କୁ ଭାଷଣ ମାରିବା ଅନୁଚିତ ଯେ ସେମାନଙ୍କର ଆନେ୍ଦାଳନ ହିଂସକ ମାର୍ଗରେ ହେବ କି ଅହିଂସକ ମାର୍ଗରେ ହେବ । ଲୋକେ ନିଷ୍ପତ୍ତି ନେବେ ସେମାନେ କିପରି ଲଢ଼ିବେ । ‘ପ୍ରତିରୋଧର ଜୈବବିବିଧତା’ (biodiversity of resistance) ଭଳି ଏକ ଅଶ୍ରୁତପୂର୍ବ ପଦଟିଏ ସର୍ଜ୍ଜନା କରି ଅରୁନ୍ଧତୀ ତାଙ୍କର ଅବିସମ୍ବାଦିତ ସୃଜନଶୀଳତାର ପ୍ରମାଣ ଦେବା ସହ-ଉଭୟ ହିଂସା ଓ ଅହିଂସା ଯେ ପ୍ରତିରୋଧର ସଂସ୍କୃତି ହେବ, ତାହା ପ୍ରତି ଇଙ୍ଗିତ କରିଛନ୍ତି ।
ଶୁଦ୍ରକ ଆଶା କରିବ ଯେ ନିସାନ ସମ୍ମେଳନ ସହ ସମ୍ପୃକ୍ତ ଲେଖକ/କବିମାନେ ଏକାଠି ବସି ସାଂସ୍କୃତିକ ପ୍ରତିରୋଧର ସ୍ୱରୂପ କିପରି ହେବ-ତାହାର ଏକ ଚିଠା ପ୍ରସ୍ତୁତ କରିବେ ଯାହା ପ୍ରତିରୋଧର ସାହିତ୍ୟକୁ ନିଶ୍ଚିତ ରୁଦ୍ଧିମନ୍ତ କରିବ ଓ ଏହା ସମ୍ମେଳନ-୨୦୧୦ପାଇଁ ଏକ ଉପଲକ୍ଷ୍ୟ ମାତ୍ର ହୋଇ ରହିଯିବ ନାହିଁ ।

Print Friendly, PDF & Email