ଭିଆଇପି ସିପାହୀ -ରାହୁଳ

  • 10/09/2015

ନେହେରୁ ‘ରାଜବଂଶ’ର ଚତୁର୍ଥ ପିଢ଼ି ଦାୟାଦ ରାହୁଳ ନିଜକୁ ଲାଞ୍ଜିଗଡ଼ ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧମାନଙ୍କର ଦିଲ୍ଲୀରେ ଅବସ୍ଥାପିତ ସିପାହୀ ବୋଲି ଘୋଷଣା କରିଛନ୍ତି । ଆମର ଏହି ସିପାହୀ ମନମୋହନ ସିଂହଙ୍କ ପରେ ପରେ ଯେ ଭାରତର ପ୍ରଧାନମନ୍ତ୍ରୀ ହେବେ ଏହା କୌଣସି କଂଗ୍ରେସ ଦଳର ସଭ୍ୟ ଅସ୍ୱୀକାର କରିବାର ସାହସ କରିପାରିବେ ନାହିଁ । ଆମର ଏହି ସିପାହୀ ପ୍ରଧାନମନ୍ତ୍ରୀ ହେଲେ ଡଙ୍ଗରିଆକନ୍ଧମାନଙ୍କର କଥାକୁ କେତେଦୂର ମନେ ରଖିବେ, ତାହା ତ’ ଭବିଷ୍ୟତ କହିବ । କିନ୍ତୁ ରାହୁଳଙ୍କର ପ୍ରଥମ ପରିଦର୍ଶନବେଳେ ଡଙ୍ଗରିଆକନ୍ଧଙ୍କର ସମସ୍ୟା ସମ୍ପର୍କରେ ତାଙ୍କୁ ବୁଝାଉଥିବା ତକ୍ରାଳୀନ ବେଦାନ୍ତ ବିରୋଧୀ ନେତା ଜିତୁ ଜାକେସିକା ଯେ ଏ ପରିଦର୍ଶନ ବେଳେ ବେଦାନ୍ତ ସପକ୍ଷବାଦୀ ହୋଇଯାଇଛି- ତାହା ଏକ ଆଶଙ୍କା ଉଦ୍ରେକ କରାଉଛି ଯେ ରାହୁଳ ଗାନ୍ଧୀଙ୍କର ବର୍ତ୍ତମାନର ପରିଦର୍ଶନ ପରେ ଆଉ କିଛି ଅଧିକ ବେଦାନ୍ତ ସପକ୍ଷବାଦୀ ସୃଷ୍ଟି ହେବେନାହିଁ ତ?
କିନ୍ତୁ ରାହୁଳ ଗାନ୍ଧୀଙ୍କର ପରିଦର୍ଶନ ପରେ ଲାଞ୍ଜିଗଡ଼ରେ ବିଜୁ ଜନତାଦଳର ଯୁବ ସଙ୍ଗଠନ ତରଫରୁ ଏକ ସମାବେଶ କରାଇବା ଓ ଏହି ସମାବେଶରେ ବହୁ ବରିଷ୍ଠ ମନ୍ତ୍ରୀ ସାମିଲ ହେବାଦ୍ୱାରା ଏଯାବତ୍ ପ୍ରକଟିତ ହୋଇନଥିବା ବେଦାନ୍ତକୁ ବିଜୁ ଜନତା ଦଳର ସମର୍ଥନ, ପ୍ରକଟିତ ହୋଇଛି ।
ଯେତେବେଳେ ଏନ୍.ସି.ସାକ୍ସେନାଙ୍କର କମିଟିର ରିପୋର୍ଟକୁ ବିଚାରକୁ ନେଇ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ବେଦାନ୍ତ ଉପରେ ଅଙ୍କୁଶ ଭିଡ଼ିଛି, ସେତେବେଳେ ରାହୁଳ ଗାନ୍ଧୀଙ୍କର ପରିଦର୍ଶନ ସମୁଦାୟ ପ୍ରସଙ୍ଗକୁ ଏକ ରାଜନୈତିକ ରୂପ ଦେବାପାଇଁ ସୁଯୋଗ ତିଆରି କରିଦେଇଛି । ସତେ ଯେପରି ଏନ୍.ସି ସାକ୍ସେନା କମିଟିର ରିପୋର୍ଟ ପାଇଁ ନୁହେଁ-ରାହୁଳ ଗାନ୍ଧୀଙ୍କର ନିଦେ୍ର୍ଧଶରେ ହିଁ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏପରି ନିଷ୍ପତ୍ତ ନେଇଛି । ସବୁ ବିଫଳତା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରୁଥିବା ଆମ ରାଜ୍ୟ ସରକାର ଏହି ଅଭିଯୋଗକୁ ଆହୁରି ଉଚ୍ଚସ୍ୱରରେ ଘୋଷଣା କରିବାପାଇଁ ରାହୁଳ ଗାନ୍ଧୀଙ୍କର ପରିଦର୍ଶନ ସୁଯୋଗଟିଏ ବଢ଼ାଇ ଦେଇଛି । ସଂକ୍ଷେପରେ କହିଲେ ଏହା ଏକ ରାଜନୈତିକ ଅପରିପକ୍ୱତା ଓ ଖୁବ୍ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଏକ କୌଶଳ । ରାଜବଂଶର ଦାୟାଦଭାବେ ପ୍ରଧାନମନ୍ତ୍ରୀ ତାଙ୍କର କପାଳ ଲିଖିନ ହୋଇଥିବାବେଳେ ଭାରତୀୟ ପ୍ରଜାମାନେ ଏହି ରାଜକୁମାରଙ୍କ ଠାରୁ ଭବିଷ୍ୟତରେ ଅଧିକ ରାଜନୈତିକ ପରିପକ୍ୱତା ଆଶା କରିବେ-ନିଶ୍ଚୟ । -ଶୁଦ୍ରକ

Print Friendly, PDF & Email