ଲାଗଲାଗ ଦୁଇଦିନରେ ଦୁଇଟି ଖବର ବେଶ୍ ଉଲ୍ଲେଖନୀୟ । ପ୍ରଥମ ଖବରର ଶିରୋନାମା ହେଉଛି ଲକ୍ଷ୍ମୀ ମିତ୍ତଲଙ୍କ କାର୍ଯ୍ୟାଳୟରେ ଫରାସୀ ଶ୍ରମିକଙ୍କ ଭଙ୍ଗାରୁଜା (ଧରିତ୍ରୀ, ତା୬/୪/୨୦୦୮, ପୃ-୧୧) ଓ ଦ୍ୱିତୀୟ ଖବରର ଶିରୋନାମା ହେଉଛି ‘ବେଦାନ୍ତବିରୋଧୀ ଉଗ୍ରମୁଖା:ସ୍ୱାସ୍ଥ୍ୟଶିବିର ଧ୍ୱସ୍ତବିଧ୍ୱସ୍ତ, ପୋଲିସର ଲାଠିମାଡ଼’ (ଧରିତ୍ରୀ, ତା୭/୪/୮, ପୃ-୩) । ଫ୍ରାନ୍ସର ଆର୍ସେଲର ମିତ୍ତଲ କମ୍ପାନୀର ମାଲିକ ଭାରତୀୟ ଲକ୍ଷ୍ମୀ ମିତ୍ତଲ । ଯେତେବେଳେ ଘୋଷଣା କରାଗଲା ଯେ ୫୭୫ କର୍ମଚାରୀଙ୍କୁ କମ୍ପାନୀରୁ ଛଟେଇ କରାଯିବ – ସେତେବେଳେ ଏହାର ପ୍ରତିବାଦରେ ହିଁ ହୋଇଥିଲା ଲକ୍ଷ୍ମୀ ମିତ୍ତଲଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା । ପ୍ରାୟତଃ ୬୦ଜଣ ଶ୍ରମିକ ଅଫିସରେ ଧସେଇ ପଶି ଏହି ଭଙ୍ଗାରୁଜା କରିଥିଲେ । ଫ୍ରାନ୍ସର ଗାଣ୍ଡ୍ରେଜ୍ ସହରରେ ଘଟିଥିଲା ଏହି ଘଟଣା ।
ଏପଟେ ପୁରୀସହରଠାରୁ ଅଳ୍ପ ଦୂରରେ ଛଇତନା ଗାଁରେ ଆୟୋଜିତ ବେଦାନ୍ତ କମ୍ପାନୀର ସ୍ୱାସ୍ଥ୍ୟସେବା ଶିବିରରେ ବ୍ୟାପକ ଭଙ୍ଗାରୁଜା କଲେ ବେଦାନ୍ତବିଶ୍ୱବିଦ୍ୟାଳୟ ବିରୋଧୀ, ସେ ଅଞ୍ଚଳର ଗ୍ରାମବାସୀ ଓ ସେମାନଙ୍କର ସମର୍ଥକ । ସ୍ୱାସ୍ଥ୍ୟସେବାର ଥୋପପକାଇ ବେଦାନ୍ତ କମ୍ପାନୀ ସେ ଅଞ୍ଚଳରେ ଦଶହଜାର ଏକର ଜମି ନେବାର ମସୁଧା କରୁଛି ବୋଲି ଏହି ବିରୋଧୀମାନେ ଠଉରାଇ ପାରିଛନ୍ତି । କୌଣସି ପରିସ୍ଥିତିରେ ଏହି ଜମିକୁ ଛାଡ଼ିବେ ନାହିଁ ବୋଲି ପ୍ରତିଶ୍ରୁତିବଦ୍ଧ ଏହି ଗ୍ରାମବାସୀ ଓ ସେମାନଙ୍କର ସମର୍ଥକ, ତେଣୁ ବିରୋଧକରୁଛନ୍ତି । ଏତେଗୁଡ଼ାଏ ଜମି ଚାଲିଗଲେ ଯେ ଲକ୍ଷାଧିକ ଲୋକ ଜୀବିକାଶୂନ୍ୟ ହୋଇଯିବେ – ଏହି ଆଶଙ୍କା ହିଁ ସେମାନଙ୍କର ବିରୋଧକୁ ଦୃଢ଼ କରିଦେଇଛି-ଯାହାର ଏହି ଭଙ୍ଗାରୁଜା ଏକ ବାହି୍ୟକ ପରିପ୍ରକାଶ ।
ଦୁଇଟି ଘଟଣା ପୃଥିବୀର ପଶ୍ଚିମରେ ହେଉ ବା ପୂର୍ବରେ, ଜୀବିକା ଯେଉଁଠି ବିପନ୍ନ ହୋଇଯିବାର ଆଶଙ୍କା ସୃଷ୍ଟି ହେଉଛି – ସେହିଠାରେ ବିରୋଧ ଦୃଢ଼ ହେଉଛି । ଯେତେବେଳେ ସୁରକ୍ଷା ଦେବା ପାଇଁ ସରକାର ବିଫଳ ହେଉଛି- ସେଠାରେ ବିରୋଧ ହିଂସାତ୍ମକ ରୂପ ନେଉଛି । ବର୍ତ୍ତମାନ ସମୟରେ ଯେଉଁ ପ୍ରକାର ଅର୍ଥନୈତିକ ପର୍ଯ୍ୟାୟ ସାରାବିଶ୍ୱରେ ଆରମ୍ଭ ହୋଇଛି ଯାହା ଭିତରେ ଶ୍ରମିକ, ଚାଷୀ, ମୂଲିଆର ଜୀବିକା ନିରାପତ୍ତା କୌଣସି ଗୁରୁତ୍ୱ ହିଁ ପାଉନାହିଁ-ସେଠାରେ ଏହି ଭଳି ବିରୋଧର ବିଶ୍ୱୀକରଣ ବା ଜଗତୀକରଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାକୁ ହାଲୁକାରେ ନେବା ଅର୍ଥ ଲୋକଶକ୍ତିର ପରାକ୍ରମର ଇତିହାସକୁ ଅଣଦେଖା କରିଦେବା ।