ଉପସ୍ଥାନ କମ୍ ହେଲେ ଅଧ୍ୟାପକ ଦାୟୀ ହେବେ – ଏହିଭଳି ଏକ ନୂତନ ଧାରଣା ଓଡ଼ିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗରୁ ଜନ୍ମ ନେଇଛି । (ଧରିତ୍ରୀ ତା-୧୦.୩.୨୦୦୬) ଅଧ୍ୟାପକମାନଙ୍କୁ ଦାୟୀ କଲେ ସେମାନେ ସେମାନଙ୍କ ଶ୍ରେଣୀର ଉପସ୍ଥାନ ବଢ଼ାଇବା ପାଇଁ ଉଦ୍ୟମ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ବିଶ୍ୱାସ କରୁଛି । ନିୟମ କହୁଛି ଯେ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ବସିବାକୁ ହେଲେ ଅନ୍ୟୁନ ଶତକଡ଼ା ୭୫ଟି ଶ୍ରେଣୀରେ ଛାତ୍ର ଉପସ୍ଥିତ ରହିବା ଉଚିତ । ବିଶେଷ ପରିସ୍ଥିତିରେ ଏହା ଶତକଡ଼ା ୬୦ ହୋଇପାରେ କିନ୍ତୁ ୬୦ରୁ କମ୍ ହେଲେ ଛାତ୍ରଙ୍କୁ ପରୀକ୍ଷାରେ ବସିବା ପାଇଁ ଅନୁମତି ମିଳେ ନାହିଁ । ଏହା ଛାତ୍ରର ଦାୟିତ୍ୱ ଯେ ସେ ଅନ୍ୟୁନ ଶତକଡ଼ା ୬୦ଟି ଶ୍ରେଣୀରେ ଉପସ୍ଥିତ ରହିବ – ତା ହେଲେ ପରୀକ୍ଷା ଦେବାରୁ ବଂଚିତ ହେବ । ଅପରପକ୍ଷରେ ଏଯାବତ୍ ଯେଉଁମାନେ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ବସୁଛନ୍ତି ସମସ୍ତେ ଅନ୍ୟୁନ ଶତକଡ଼ା ୬୦ଟି ଶ୍ରେଣୀରେ ଉପସ୍ଥିତ ଅଛନ୍ତି ବୋଲି ଧରିବାକୁ ହେବ । ଏହା ସତ୍ତ୍ୱେ ଏହାର ସୁଫଳ ନ ମିଳିବାରୁ ଛାତ୍ରର ଉପସ୍ଥାନ ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧ୍ୟାପକମାନଙ୍କୁ ଦାୟୀ କରିଛନ୍ତି । କିନ୍ତୁ ସରକାର ଏହି ଦିଗଟି ପ୍ରତି ଅବଗତ ଅଛନ୍ତି କି – ଛାତ୍ରମାନେ ଶ୍ରେଣୀକୁ ନ ଆସିବାର ଏକ କାରଣ ଆବଶ୍ୟକ ସଂଖ୍ୟାରେ ଅଧ୍ୟାପକଙ୍କର ଅଭାବ? ଯଦି ଦିନକୁ ପାଞ୍ଚଚଟି ପିରିୟଡ଼ରୁ ଅଧ୍ୟାପକ ଅଭାବ ଯୋଗୁଁ ତିନୋଟି ପିରିୟଡ଼ ଫାଙ୍କା ଯାଏ ତାହେଲେ ସେ ଛାତ୍ରଟି ମାତ୍ର ଦୁଇଟି ପରିୟଡ଼ ପାଇଁ କଲେଜକୁ ଆସି ତାର ସମୟ କାହିଁକି ନଷ୍ଟ କରିବ? ଏହାଫଳରେ ଅନ୍ୟ ଅଧ୍ୟାପକଙ୍କ ଶ୍ରେଣୀରେ ଛାତ୍ର ଉପସ୍ଥାନ କମିବ ନାହିଁକି? ଅବଶ୍ୟ ଏପରି କିଛି ଛାତ୍ର ଅଛନ୍ତି ଯେଉଁମାନେ ସକାଳୁ କଲେଜ ଆସନ୍ତି ଓ ସନ୍ଧ୍ୟାବେଳେ ଯାଆନ୍ତି – ସେ ଛାତ୍ରମାନଙ୍କର ଉଦେ୍ଧଶ୍ୟ ଭିନ୍ନ – ତାହା ଆମର ରାଜନୈତିକ ନେତା, ଏପରିକି ମନ୍ତ୍ରୀ ମହୋଦୟ ଭଲଭାବରେ ଜାଣନ୍ତି – ସେମାନେ ଶ୍ରେଣୀଗୃହ କଦାପି ମାଡ଼ନ୍ତି ନାହିଁ । ତେଣୁ ଉପସ୍ଥାନ ପାଇଁ ଅଧ୍ୟାପକଙ୍କୁ ଦାୟୀ କରିବା ପୂର୍ବରୁ ଆବଶ୍ୟକ ସଂଖ୍ୟାରେ ଅଧ୍ୟାପକ ନିଯୁକ୍ତି ହେଉ । ଶିକ୍ଷାଦାନ ଅର୍ଥପୂର୍ଣ୍ଣ ହେବାପାଇଁ ଆବଶ୍ୟକୀୟ ବାତାବରଣ ସରକାର ସୃଷ୍ଟି କରନ୍ତୁ । ଯେଉଁମାନେ ନିଷ୍ଠାପର ଛାତ୍ର ତାଙ୍କର ହୃଦବୋଧ ହେଉ ଯେ କଲେଜ ଆସିଲେ ତାଙ୍କର ସମୟର ଅପଚୟ ହେବ ନାହିଁ । ତା’ହେଲେ ଉପସ୍ଥାନ ପାଇଁ ସରକାରଙ୍କୁ ଆଦୌ ବିବ୍ରତ ହେବାକୁ ପଡ଼ିବ ନାହିଁ ।
ଗୃହରେ ଉପସ୍ଥାନ- ତାହା ଶ୍ରେଣୀଗୃହ ହେଉ ବା ବିଧାନସଭା ବା ଲୋକସଭା ହେଉ ଉପସ୍ଥାନ ସଙ୍କଟ ବେଶ ବ୍ୟାପକ ହେଲାଣି । ବିଧାନସଭା ଓ ଲୋକସଭାର ମାନ୍ୟବର ସଦସ୍ୟମାନଙ୍କ ପାଇଁ ଏତେ ସୁବିଧା ସୁଯୋଗ ଖଞ୍ଜା ହୋଇଥିଲା ବେଳେ – ସେମାନଙ୍କର ଗୃହରେ ଉପସ୍ଥାନ କି ପ୍ରକାର ହେଉଛି ତାହା ତ ସାରା ରାଜ୍ୟବାସୀ ଓ ଦେଶବାସୀ ଟି.ଭି. ପରଦା ଉପରେ ଦେଖୁଛନ୍ତି ।
ତେଣୁ ଶ୍ରେଣୀଗୃହରେ ଉପସ୍ଥାନ ପାଇଁ ଯଦି ଅଧ୍ୟାପକଙ୍କୁ ଦାୟୀ କରାଯାଏ, ତାହେଲେ ବିଧାନସଭା ଓ ଲୋକସଭାରେ ମାନ୍ୟବର ସଦସ୍ୟମାନଙ୍କର ଉପସ୍ଥାନ ପାଇଁ ମାନ୍ୟବର ବାଚସ୍ପତିଙ୍କୁ ଦାୟୀ କରାଯିବ କି?
୧୬-୩୦ ଜୁଲାଇ ୨୦୦୬