୧୬-୩୦ଡିସେମ୍ବର, ୨୦୦୭
ଇଷ୍ଟ୍ଇଣ୍ଡିଆ କମ୍ପାନୀରୁ ବ୍ରିଟିଶ ଶାସନ ଭାରତ ଭୂଇଁରେ ପ୍ରତିଷ୍ଠା ହେଲା । ଏହି ଶାସନର ଉପôାଟନ ପାଇଁ ଯେଉଁମାନେ ଉଦ୍ୟମ କଲେ – ସେମାନଙ୍କୁ ବ୍ରିଟିଶ ଶାସନର ପାହାର ଖାଇବାକୁ ପଡ଼ିଥିଲା । ଆଗଧାଡ଼ିରେ ତ’ ଥିଲେ ଗାନ୍ଧୀ । ତେଣୁ ବ୍ରିଟିଶ ଶାସକର ଆକ୍ରୋଶର ଶିକାର ହେବା ତାଙ୍କ ପାଇଁ ସ୍ୱାଭାବିକ ଥିଲା । ପରାଧୀନ ଭାରତରେ ଗାନ୍ଧୀ ବ୍ରିଟିଶ ଶାସକ ହାତରୁ ମାଡ଼ ଖାଇବା ସମ୍ବାଦ ସେ ସମୟରେ ଅପ୍ରତ୍ୟାଶିତ ସମ୍ବାଦ ହୋଇନଥିବ । କିନ୍ତୁ ସ୍ୱାଧୀନ ଭାରତରେ ଜାତିର ପିତା ମହାତ୍ମାଗାନ୍ଧୀ ମାଡ଼ ଖାଇବା ନିଶ୍ଚିତ ଭାବରେ ଅପ୍ରତ୍ୟାଶିତ- ତେଣୁ ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖନୀୟ ସମ୍ବାଦ । (ପୋସ୍କୋ : ଗାନ୍ଧୀଙ୍କୁ ବି ମାଡ଼ -ଧରିତ୍ରୀ, ୬/୧୨/୨୦୦୭)
ଭାରତର ପରାଧୀନତା ସହ ଗାନ୍ଧୀଙ୍କୁ ମାଡ଼ ଯଦି ଯୋଡ଼ାଯାଏ; ତା’ହେଲେ ବର୍ତ୍ତମାନ ସମୟରେ ଗାନ୍ଧୀଙ୍କୁ ମାଡ଼ ସମ୍ବାଦ ଭାରତର ପୁନଃ ପରାଧୀନତାକୁ ସୂଚିତ କରୁଛି କି? ବିଶେଷତଃ ଯେତେବେଳେ ଦକ୍ଷିଣ କୋରିଆର ଇସ୍ପାତ କମ୍ପାନୀ ପୋସ୍କୋ ପାଇଁ ବିଶେଷ ଅର୍ଥନୈତିକ ଅଞ୍ଚଳ ପ୍ରସଙ୍ଗରେ ଏହି ସମ୍ବାଦ ପ୍ରକାଶ ହୋଇଛି ଓ ବିଶେଷ ଅର୍ଥନୈତିକ ଅଞ୍ଚଳ ଏକ ବିଦେଶୀ ଅଞ୍ଚଳ ବୋଲି ପରିଭାଷିତ ହୋଇଛି ।
କହିବା ବାହୁଲ୍ୟ ଯେ, ଅଧିକରୁ ଅଧିକ ବିଶେଷ ଅର୍ଥନୈତିକ ଅଞ୍ଚଳମାନ ଭାରତ ଭୂଇଁରେ ପ୍ରତିଷ୍ଠିତ ହେଲେ ଭାରତକୁ ସ୍ୱାଧୀନ କରିଥିବା ମନୀଷୀମାନଙ୍କୁ ସ୍ମରଣ କରିବାର ଭୌଗୋଳିକ କ୍ଷେତ୍ର କ୍ରମଶଃ ସଙ୍କୁଚିତ ହୋଇଯିବ । ସ୍ୱାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଧାର ବଲ୍ଲଭଭାଇ ପଟେଲ ରାଜାଶାସିତ ରାଜ୍ୟଗୁଡ଼ିକୁ ଭାରତରେ ମିଶାଇ ଏହି କ୍ଷେତ୍ରଟିକୁ ପ୍ରଶସ୍ତ କରିଥିଲେ । ସ୍ୱାଧୀନତାର ଷାଠିଏ ଦଶକ ପରେ ପ୍ରଧାନମନ୍ତ୍ରୀ ସର୍ଦ୍ଧାର ମନମୋହନ ସିଂହ ବିଶେଷ ଅର୍ଥନୈତିକ ଅଞ୍ଚଳକୁ ମାନ୍ୟତା ଦେଇ ଏହି କ୍ଷେତ୍ରକୁ ସଙ୍କୁଚିତ କରିବା ଆରମ୍ଭ କରିଛନ୍ତି । ବିଶ୍ୱୀକରଣ, ଉଦାରୀକରଣ ଓ ଘରୋଇକରଣର ଏହାଠାରୁ ବଡ଼ ଅବଦାନ ଆଉ କ’ଣ ହୋଇପାରେ ।