ନନ୍ଦିଗ୍ରାମ-ତସଲିମା-ବୁଦ୍ଧିଜୀବୀ

  • 10/09/2015

୨୧/୧୧/୨୦୦୭ବୁଧବାର ଦିନ କଲିକତା ସହର ଜଳିଲା । ବଙ୍ଗଳାଦେଶର ଲେଖିକା ତସଲିମା ନସ୍ରିନଙ୍କୁ ଭାରତରେ ରହିବା ପାଇଁ ଅନୁମତି ନ ଦେବାକୁ ଦାବି କରି ଆରମ୍ଭ ହୋଇଥିବା ବିକ୍ଷୋଭ ହଠାତ୍ ହିଂସ୍ର ହୋଇଗଲା । ଏହି ଦାବି ସହିତ ମିଶିଗଲା ନନ୍ଦିଗ୍ରାମରେ ସି.ପି.ଏମ୍.ଦଳର ଅତ୍ୟାଚାର ବିରୋଧରେ ସ୍ୱର । ଏହି ମିଶ୍ରଣ ସ୍ୱତଃପ୍ରବୃତ୍ତ ଥିଲା କି ଏକ ସୁଚିନ୍ତିତ ଯୋଜନାର ଅଂଶବିଶେଷ ଥିଲା, ତାହା ନିର୍ଦ୍ଧିଷ୍ଟ ଭାବେ କହିବା ସମ୍ଭବ ନହେଲେ ମଧ୍ୟ ଏହା ନନ୍ଦିଗ୍ରାମ ଉଚ୍ଛେଦ ବିରୋଧୀ ଉଦାର ବୁଦ୍ଧିଜୀବୀଙ୍କ ପାଇଁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ସ୍ୱାଭାବିକ ଏହିଭଳି ମିଶ୍ରଣକୁ ଉଚ୍ଛେଦ ବିରୋଧୀ ବୁଦ୍ଧିଜୀବୀ (ଯେପରି ଅପର୍ଣ୍ଣା ସେନ) ଦୁର୍ଭାଗ୍ୟନକ ବୋଲି କହିଛନ୍ତି, ଏତଦ୍ୱାରା ବୁଦ୍ଧିଜୀବୀମାନଙ୍କୁ ନୀରବ କରିଦେବାର ଏକ ଅବସର ସୃଷ୍ଟି ହେଲା କି ଯାହା ସି.ପି.ଏମ୍.ଦଳର ଶାସକଶ୍ରେଣୀ ଚାହୁଁଛି ।
କହିବା ବାହୁଲ୍ୟ ଯେ, ଏହି ବୁଦ୍ଧିଜୀବୀମାନେ ପ୍ରାୟତଃ ସମସ୍ତେ ତସଲିମା ଭାରତରେ ରୁହନ୍ତି ବୋଲି ଚାହାନ୍ତି- ଯାହା ମୁସଲମାନ ସମ୍ପ୍ରଦାୟର ମୌଳବାଦୀମାନେ ଚାହାନ୍ତି ନାହିଁ । ଅପର ପକ୍ଷରେ ସି.ପି.ଏମ୍. ସରକାର ନନ୍ଦିଗ୍ରାମରେ ଚାଲିଥିବା ଆନେ୍ଦାଳନକୁ ମୁସଲମାନ ମୌଳବାଦୀମାନେ ଉସୁକାଉଛନ୍ତି ବୋଲି ଅଭିଯୋଗ କରି ଆସୁଛନ୍ତି କାରଣ ନନ୍ଦିଗ୍ରାମରେ ମୁସଲମାନଙ୍କ ଜନସଂଖ୍ୟା ଅଧିକ ଓ ସେମାନେ ହିଁ ଭୂମିହୀନ ହେବାକୁ ଯାଉଛନ୍ତି ଓ ପ୍ରତିରୋଧରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି ।
ତେଣୁ ନନ୍ଦିଗ୍ରାମରେ ଆନେ୍ଦାଳନକୁ ସମର୍ଥନ କରୁଥିବା ବୁଦ୍ଧିଜୀବୀଙ୍କୁ ଏହି ମୌଳବାଦୀମାନଙ୍କର ସହଯୋଗୀ ବୋଲି ଚିତ୍ରଣ କରିବା ଶାସକଦଳ ପକ୍ଷରେ ଅସମ୍ଭବ ନୁହେଁ – ଯାହା ଭାବମୂର୍ତ୍ତି ସଚେତନ ବୁଦ୍ଧିଜୀବୀକୁ ପ୍ରଥମେ ସତର୍କ ଓ ତା’ପରେ ନୀରବ କରାଇ ଦେଇପାରେ । ଅପରପକ୍ଷରେ ତସଲିମାଙ୍କୁ ସମର୍ଥନ ପାଇଁ ଏହି ବୁଦ୍ଧିଜୀବୀମାନଙ୍କୁ ମୌଳବାଦୀଙ୍କର ଆକ୍ରମଣର ଶିକାର ହେବାକୁ ପଡ଼ିପାରେ ଯାହା ହୁଏତ ସେମାନଙ୍କୁ ଅଧିକ ସତର୍କ ହେବା ପାଇଁ ବାଧ୍ୟ କରିପାରେ । କହିବା ବାହୁଲ୍ୟ ଯେ, ନନ୍ଦିଗ୍ରାମ ଆନେ୍ଦାଳନ ସହ ତସଲିମା ପ୍ରସଙ୍ଗର ଏକୀକରଣ ହେବା ଭାବମୂର୍ତ୍ତି ସଚେତନ ବୁଦ୍ଧିଜୀବୀଙ୍କ ପାଇଁ ନିଶ୍ଚିତ ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି ଓ ବୁଦ୍ଧିଜୀବୀଙ୍କ ତରଫରୁ ବିରୋଧର ତୀବ୍ରତା ହ୍ରାସ ହେବାର ସମ୍ଭାବନା ସି.ପି.ଏମ୍. ଦଳର ଶାସକ ଗୋଷ୍ଠୀ ପାଇଁ ଆଶ୍ୱସ୍ତି ହେବାର ଅବସର ସୃଷ୍ଟି କରୁଛି ।

Print Friendly, PDF & Email