୧୬-୩୦ ସେପ୍ଟେମ୍ବର, ୨୦୧୦
ବରେନ୍ଦ୍ରକୃଷ୍ଣ ଧଳ ତାଙ୍କର ଖୋଲା ବିଚାର ସ୍ତମ୍ଭରେ ‘ସବୁ ସେଇ ପ୍ରଭୁ ଜଗନ୍ନାଥଙ୍କ ଲୀଳା’ ଶିରୋନାମାରେ (ଧରିତ୍ରୀ:୩୧/୮/୨୦୧୦) ଯୁକ୍ତି କରିଛନ୍ତି ଯେ ବେଦାନ୍ତ କମ୍ପାନୀ ଓ ପୋସ୍କୋକୁ ଯେଉଁ ଝଟ୍କା ଇତ୍ୟବସରରେ ଲାଗିଲା-ତାହା ପ୍ରଭୁ ଜଗନ୍ନାଥଙ୍କ ଦ୍ୱାରା ହିଁ ସମ୍ଭବ ହେଲା । ଏଥିପାଇଁ ସେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ ବୋଲି ଏକ ନିଦା ପ୍ରମାଣ ମଧ୍ୟ ପେଶ୍ କରିଛନ୍ତି । ଏଥିରୁ ଜଣାପଡ଼ୁଛି ଯେ ସ୍ଥାନୀୟ ସାଧାରଣ ଲୋକଙ୍କର ନିରବଚ୍ଛିନ୍ନ ବିରୋଧ, ସେମାନଙ୍କ ସମର୍ଥନରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବୁଦ୍ଧିଜୀବୀ ଓ ସମାଜକର୍ମୀଙ୍କର ଏହି କମ୍ପାନୀମାନଙ୍କ ବିରୁଦ୍ଧରେ ବେସାଲିସ ପ୍ରତିବାଦ ଫଳପ୍ରଦ ହେବ ବୋଲି ବରେନ୍ଦ୍ର ବାବୁଙ୍କର ବିଶ୍ୱାସ ନଥିଲା । ଅବଶ୍ୟ ଶୁଦ୍ରକ ଜାଣେନା ଯେ, ଦୀର୍ଘଦିନରୁ ସାମ୍ବାଦିକତା କରି ଆସୁଥିବା ବରେନ୍ଦ୍ରବାବୁ ୮୦ ଓ ୯୦ଦଶକରେ ବାଲିଆପାଳ, ଗନ୍ଧମାର୍ଦ୍ଧନ, ଚିଲିକା ଓ ଗୋପାଳପୁରରୁ ପ୍ରକଳ୍ପଗୁଡ଼ିକ ଓହରି ଯିବାର ଶ୍ରେୟ କାହାକୁ ଦେଇଥିଲେ । ତେବେ ଗତ କିଛିବର୍ଷ ହେଲା ତାଙ୍କର ନିବନ୍ଧମାନଙ୍କରେ ସେ ଓଡ଼ିଆଙ୍କୁ ମେଣ୍ଢା (ହୋଇପାରେ ଓଡ଼ିଆଙ୍କୁ କେଞ୍ଚôବାର ସାଧୁ ଉଦେ୍ଧଶ୍ୟ ରଖି) କହି କହି-ଓଡ଼ିଆ ପ୍ରକୃତରେ ମେଣ୍ଢା ବୋଲି ଧାରଣାରେ ନିଜେ ଆକ୍ରାନ୍ତ ହେବା ଓ ଏହି ଧାରଣାର ବଶବର୍ତ୍ତୀ ହୋଇ ସାଧାରଣ ଓଡ଼ିଆଙ୍କ ପ୍ରତିବାଦ ଫଳରେ ବେଦାନ୍ତ ଓ ପୋସ୍କୋଭଳି ଶକ୍ତିଶାଳୀ କମ୍ପାନୀମାନ ଅଡ଼ୁଆରେ ପଡ଼ିଯିବା ସ୍ୱାଭାବିକ ତାଙ୍କୁ ଦୃଶ୍ୟ ହୋଇନଥିବ । ଏହା ତ ଭିନ୍ନ କଥା ଯେ ବହୁ ପ୍ରତିଷ୍ଠିତ ଅଣଓଡ଼ିଆ ସମ୍ବାଦପତ୍ର ଏହାକୁ ଲୋକଙ୍କ ବିଜୟ ବୋଲି ଅଭିହିତ କରିଛନ୍ତି । (ଦ୍ରଷ୍ଟବ୍ୟ:Vedanta Verdit is peoples’ Victory’ ଠସମଗ୍ଧକ୍ଟକ୍ସଚ୍ଚ- ସମ୍ପାଦକୀୟ The New Indian Express-2nd Sept 2010) ବିଡ଼ମ୍ବନା ଯେ ଓଡ଼ିଆ ସାମ୍ବାଦିକ ବରେନ୍ଦ୍ରକୃଷ୍ଣ ଧଳ ନିକଟରେ ଥାଇ ଦୀର୍ଘ ପାଞ୍ଚବର୍ଷ ଧରି ଏହି କମ୍ପାନୀମାନଙ୍କ ବିରୋଧରେ ଚାଲିଥିବା ଜନଆନେ୍ଦାଳନକୁ ଅଣଦେଖା କରି ଏହି ବିଜୟ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରେୟ ଦେଉଥିବା ବେଳେ ସଂଗ୍ରାମଠାରୁ ବହୁଦୂରରେ ଥିବା ଅଣଓଡ଼ିଆ ସାମ୍ବାଦିକମାନେ ଏହି ବିଜୟ ପାଇଁ ସାଧାରଣ ଲୋକଙ୍କୁ ହିଁ ଶ୍ରେୟ ଦିଅନ୍ତି । ତେବେ ବରେନ୍ଦ୍ର ବାବୁଙ୍କର ଏହି ଦୃଷ୍ଟିକୋଣ ଏକ ବୃହତ୍ତର ପ୍ରଶ୍ନ ମନରେ ସୃଷ୍ଟିକରେ- ଯେ ଓଡ଼ିଶାର ସାଧାରଣ ଲୋକ, ସାଧାରଣ ଆଦିବାସୀ ନିରବଚ୍ଛିନ୍ନ ସଂଗ୍ରାମ କରି ଶକ୍ତିଶାଳୀ ବେଦାନ୍ତ ଓ ପୋସ୍କୋର ମଞ୍ଜକୁ ଦୋହଲାଇ ଦେଇପାରେ-ତାହାକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଅସ୍ୱୀକାର କରିବା କ’ଣ ହୀନମନ୍ୟତା ନା ସାଧାରଣ ଲୋକର ଉତ୍ଥିତ ସ୍ୱର ପ୍ରତି ଭୟ? ବରେନ୍ଦ୍ରବାବୁ ମହାପ୍ରଭୁ ଜଗନ୍ନାଥଙ୍କୁ ବେଦାନ୍ତ ଓ ପୋସ୍କୋ ପ୍ରସଙ୍ଗ ଭିତରକୁ ଆଣି-ଆମ୍ଭକୁ ଏକ ଅବସର ଦେଇଛନ୍ତି ସ୍ମରଣ କରିବାର ଯେ କିପରି ଗତ କିଛିବର୍ଷ ହେଲା ପୁରୀ ରଥଯାତ୍ରାରେ ବେଦାନ୍ତକମ୍ପାନୀ ତା’ର ଉପସ୍ଥିତିକୁ ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ପ୍ରତିପାଦିତ କରୁଛି । ପୋସ୍କୋ କମ୍ପାନୀ ତ’ ଏକ ଜନ୍ମାଷ୍ଟମୀରେ ଭୁବନେଶ୍ୱରସ୍ଥିତ ଇସ୍କନ ମନ୍ଦିରରେ ସହସ୍ରାଧିକ ଲୋକଙ୍କ ପାଇଁ ପଂକ୍ତି ଭୋଜନର ଆୟୋଜନ କରିଥିଲା । କହିବା ବାହୁଲ୍ୟ ଯେ ଉଭୟ ବେଦାନ୍ତ ଓ ପୋସ୍କୋ ଓଡ଼ିଆଙ୍କର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ସନ୍ତୁଷ୍ଟ କରିବାକୁ ଚାହିଁଛନ୍ତି । କିନ୍ତୁ ଜଗନ୍ନାଥ ଲୋକଙ୍କ ସହିତ ରହିଛନ୍ତି । କାରଣ ଶୋଷକ ବିରୁଦ୍ଧରେ ସାଧାରଣ ଲୋକଙ୍କୁ ନେତୃତ୍ୱ ଦେଇ ସେ ପରା ଶୋଷକ ଦ୍ୱାରା ହୋଇଥିଲେ ବିକଳାଙ୍ଗ । ସେ ସାଧାରଣ ଲୋକଙ୍କୁ ଛାଡ଼ନ୍ତେ କିପରି । ତାଙ୍କର ସଂଘର୍ଷ ପରମ୍ପରାକୁ ପରା ସାଧାରଣ ଲୋକ ଯେ ବଜାୟ ରଖିଛନ୍ତି । ବେଦାନ୍ତ ଓ ପୋସ୍କୋ ଝଟ୍କା ସାଧାରଣ ଲୋକଙ୍କର ଯେ ବିଜୟ ଏହାକୁ ବରେନ୍ଦ୍ରବାବୁ ଓ ତାଙ୍କଭଳି ଆମ ସମାଜର ମଧ୍ୟବିତ୍ତ ସମାଜପତିମାନେ ସ୍ୱୀକାର କରନ୍ତୁ ବା ନକରନ୍ତୁ, ମହାପ୍ରଭୁ ଜଗନ୍ନାଥ ନିଶ୍ଚୟ ସ୍ୱୀକାର କରିଛନ୍ତି ।
-ଶୁଦ୍ରକ