‘ରକ୍ତପାତ ହେଉ ପଛେ ଇଞ୍ଚେ ଜମି ଛାଡ଼ିବୁ ନାହିଁ’

  • 08/09/2015

ଏହା ଯଦି ଦକ୍ଷିଣପନ୍ଥୀ ରାଜନୈତିକ ଦଳ ବିଜେଡ଼ିର ଚାଣକ୍ୟ ପ୍ୟାରୀବାବୁ କହିନଥାନ୍ତେ (ଦ୍ରଷ୍ଟବ୍ୟ- ସମ୍ବାଦ, ୧୯ ଅଗଷ୍ଟ ୨୦୧୦) ତା’ହେଲେ ନିଜ ଭିଟାମାଟି ସୁରକ୍ଷା ପାଇଁ ଲଢ଼ୁଥିବାଲୋକେ ଏପରି କହୁଛନ୍ତି ବୋଲି ଭ୍ରମ ସୃଷ୍ଟି କରିଥାନ୍ତା । କିନ୍ତୁ ଏଯାବତ୍ ବାଲିଆପାଳ, ଗନ୍ଧମାର୍ଦ୍ଧନ, ଚିଲିକା, ଗୋପାଳପୁର, କାଶୀପୁର, ପ୍ରସ୍ତାବିତ ପୋସ୍କୋ ଅଞ୍ଚଳ, ଲାଞ୍ଜିଗଡ଼ ବା ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ହେଉ ଯେଉଁଠାରେ ସାଧାରଣ ଲୋକ ତାଙ୍କର ଭିଟାମାଟିର ସୁରକ୍ଷାପାଇଁ ଲଢ଼ୁଥିଲେ ବା ଲଢ଼ୁଛନ୍ତି-ସେମାନେ ଯେଉଁ ସ୍ଲୋଗାନ ଦେଉଥିଲେ ବା ଦେଉଛନ୍ତି ତାହା ହେଉଛି ‘ମରିବୁ ପଛେ, ଛାଡ଼ିବୁ ନାହିଁ’ । ଏହା ସାଧାରଣ ଲୋକଙ୍କର ପରିପକ୍ୱତାକୁ ହିଁ ଦର୍ଶାଉଛି । ସେମାନେ ଜାଣନ୍ତି ଯେ ସରକାରର ଫଉଜ ଓ କମ୍ପାନୀ ଅର୍ଥର ଜନବିରୋଧୀ ବିସ୍ଫୋରକ ମିଶ୍ରଣକୁ ପରାସ୍ତ କରିବାର ଏକମାତ୍ର ଉପାୟ ହେଉଛି ମୃତୁ୍ୟ ପ୍ରତି ଭୟତ୍ୟାଗ; ରକ୍ତପାତର ଆଶ୍ରୟ ନୁହେଁ । କହିବା ବାହୁଲ୍ୟ ଯେ, ଏହି ସଂକଳ୍ପ ଭିଟାମାଟିର ସୁରକ୍ଷା ଦିଗରେ ସାଧାରଣ ଲୋକଙ୍କୁ ଅନେକାଂଶରେ ସଫଳ କରାଇଛି ଓ ଚାଲିଥିବା ସଂଘର୍ଷରେ ସଫଳତାର ସ୍ୱାଦ ଚଖାଇବ ବୋଲି ସମ୍ଭାବନା ସୃଷ୍ଟି କରିଛି ।
ତେବେ ଯେଉଁ ପୃଷ୍ଠଭୂମିରେ ପ୍ୟାରୀବାବୁ ଏପରି ଆହ୍ୱାନ ଦେଇଛନ୍ତି ତାହା ହେଉଛି ‘ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାର ଅଭିଯୋଗକୁ ଅଣଦେଖା କରି କେନ୍ଦ୍ର ସରକାର ଏଥିପାଇଁ ସ୍ୱୀକୃତି ପ୍ରଦାନ କରିଥିବାବେଳେ ରାଜ୍ୟର ପୋସ୍କୋ ଓ ବେଦାନ୍ତ କ୍ଷେତ୍ରରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଦୋହରା ମାନଦଣ୍ଡ’ । ଅର୍ଥାତ୍ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପୋସ୍କୋ ଓ ବେଦାନ୍ତ କ୍ଷେତ୍ରରେ ଯଦି ମଞ୍ଜୁରୀ ଦେଇଥାନ୍ତେ, ତା’ହେଲେ ପୋଲାଭରମ ପ୍ରକଳ୍ପ କ’ଣ ବିରୋଧଶୂନ୍ୟ ଆଗେଇଥାନ୍ତା ଓ ଓଡ଼ିଶାର ଜଙ୍ଗଲଜମି ବୁଡ଼ିବା ବା ବହୁ ଆଦିବାସୀ, ବନବାସୀ ଗୃହଶୂନ୍ୟ ହେବାର ସମ୍ଭାବନାକୁ ଗୁରୁତ୍ୱ ଦିଆଯାଇନଥାନ୍ତା । ଅବଶ୍ୟ ପରିବେଶମନ୍ତ୍ରୀ ଜୟରାମ ରମେଶ ପ୍ରତିଶ୍ରୁତି ଦେଇଛନ୍ତି ଯେ ପୋଲାଭରମ ପ୍ରକଳ୍ପ ଦ୍ୱାରା ଯଦି ଓଡ଼ିଶାର ଜଙ୍ଗଲଜମି ବୁଡ଼ିବ ଓ ଆଦିବାସୀ, ବନବାସୀ ବିସ୍ଥାପିତ ହେବାର ସମ୍ଭାବନା ଦେଖାଦିଏ, ତା’ହେଲେ ପ୍ରକଳ୍ପ ମଞ୍ଜୁରୀ ପାଇବ ନାହିଁ । ଏହି ପ୍ରତିଶ୍ରୁତି ପ୍ୟାରୀବାବୁଙ୍କର ‘ରକ୍ତପାତ’ଆହ୍ୱାନକୁ ଯଥେଷ୍ଟ ପ୍ରଶମିତ କରିବ ବୋଲି ଆଶା କରାଯାଇପାରେ ।
ତେବେ ‘ରକ୍ତପାତ’ ଭଳି ଏକ ଉଗ୍ର ଶବ୍ଦର ବ୍ୟବହାର, ତାହା ପୁଣି ପରିପକ୍ୱ ପ୍ୟାରୀବାବୁଙ୍କ ତୁଣ୍ଡରେ, ପୋସ୍କୋ ଓ ବେଦାନ୍ତକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ମଞ୍ଜୁରୀ ନଦେବାଜନିତ କ୍ଷୋଭର ଅବଦମିତ ଅଭିବ୍ୟକ୍ତି ବୋଲି କେହି କେହି କହୁଥିବାକୁ କାନ ବୁଜିଦେଇ ହେବନାହିଁ ।
-ଶୁଦ୍ରକଏହି ପ୍ରତିଶ୍ରୁତି ପ୍ୟାରୀବାବୁଙ୍କର ‘ରକ୍ତପାତ’ଆହ୍ୱାନକୁ ଯଥେଷ୍ଟ ପ୍ରଶମିତ କରିବ ବୋଲି ଆଶା କରାଯାଇପାରେ । ତେବେ ‘ରକ୍ତପାତ’ ଭଳି ଏକ ଉଗ୍ର ଶବ୍ଦର ବ୍ୟବହାର, ତାହା ପୁଣି ପରିପକ୍ୱ ପ୍ୟାରୀବାବୁଙ୍କ ତୁଣ୍ଡରେ, ପୋସ୍କୋ ଓ ବେଦାନ୍ତକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ମଞ୍ଜୁରୀ ନଦେବା ଜନିତ କ୍ଷୋଭର ଅବଦମିତ ଅଭିବ୍ୟକ୍ତି ବୋଲି କେହି କେହି କହୁଥିବାକୁ କାନ ବୁଜିଦେଇ ହେବନାହିଁ ।
-ଶୁଦ୍ରକ

Print Friendly, PDF & Email