ମାଟି ପାଇଁ ମମତାର ବିଜୟ

  • 08/09/2015

୧୬-୩୧ଜୁନ୍, ୨୦୧୦

ମାଟି ପାଇଁ ମମତାର ଅଣଲେଉଟାଣି ବିଜୟ ଯାତ୍ରା ଅବ୍ୟାହତ ରହିଛି । ପଶ୍ଚିମବଙ୍ଗ ଭୂଇଁରେ, ନନ୍ଦିଗ୍ରାମ ଓ ସିଙ୍ଗୁରରେ ଭିଟାମାଟିର ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ବେସାଲିସ୍ ଲଢ଼େଇରେ ନିଜକୁ ସାମିଲ କରି ମମତା ବାନାର୍ଜୀ ତାଙ୍କର ଅବଦମିତ ନେତୃତ୍ୱକୁ ଯେପରି ସାବ୍ୟସ୍ତ କଲେ, ତାହା ତାଙ୍କୁ ସମଗ୍ର ପଶ୍ଚିମବଙ୍ଗର ସାଧାରଣ ଲୋକଙ୍କର ବିଶ୍ୱାସଭାଜନ କରାଯାଇପାରିଛି ଯାହାର ପ୍ରମାଣ ହେଉଛି, ଗ୍ରାମପଞ୍ଚାୟତ, ଲୋକସଭା ଓ ନଗରପାଳିକା ମାନଙ୍କରେ ତାଙ୍କ ଦଳର ନିରବଚ୍ଛିନ୍ନ ବିଜୟ । ତିନିଦଶକରୁ ଊଦ୍ଧ୍ୱର୍କାଳ କ୍ଷମତାସୀନ ବାମପନ୍ଥୀ ମେଣ୍ଟ ଆଜି କ୍ଷମତା ହରାଇବାର ଆଶଙ୍କା ଭିତରେ । ତେଣୁ ଯେଉଁ ‘ମା-ମାଟି-ମାନୁଷ୍’ର ସ୍ଲୋଗାନ ଦେଇ ମମତା ବାନାର୍ଜୀ ଆଜି କ୍ଷମତା ଦଖଲ ଅଭିଯାନରେ ବାହାରିଛନ୍ତି, ସେହି ‘ମା-ମାଟି-ମାନୁଷ୍’ର ସ୍ୱାର୍ଥରକ୍ଷା କରିବା ପାଇଁ ଆଜି ଆହ୍ୱାନ ଦେବା ଆରମ୍ଭ କରିଛନ୍ତି ସିପିଏମ୍ର ରାଜ୍ୟ ସମ୍ପାଦକ ଓ ବାମଫଣ୍ଟର ଅଧ୍ୟକ୍ଷ ବିମାନ ବୋଷ । (ଦ୍ରଷ୍ଟବ୍ୟ – – The statesman, 10June,2010) । ବିଳମ୍ବରେ ଏହି ଆହ୍ୱାନ ସିପିଏମ୍ ଓ ବାମଫ୍ରଣ୍ଟକୁ କ୍ଷମତା ରକ୍ଷା କରିବାରେ କେତେଦୂର ସାହାଯ୍ୟ କରିବ, ତାହା ସମୟ ହିଁ କହିବ । କିନ୍ତୁ ମମତା ବାନାର୍ଜୀ ଯେ ବଙ୍ଗଳାର ଅପ୍ରତିଦ୍ୱନ୍ଦ୍ୱୀ ବିକଳ୍ପ ରାଜନୈତିକ ବ୍ୟକ୍ତି , ଏଥିରେ ସନେ୍ଦହ ନାହିଁ ।
ପ୍ରଶ୍ନ ମନକୁ ଆନେ୍ଦାଳିତ କରେ । ନନ୍ଦୀଗ୍ରାମ ଓ ସିଙ୍ଗୁରର ଲଢ଼େଇକୁ ପୃଷ୍ଠଭୂମିରେ ରଖି ଯଦି ମମତା ବାନାର୍ଜୀ ତିନିଦଶକ ପୂରାତନ କ୍ଷମତାସୀନ ଦଳକୁ ଉତ୍ଖାତ କରିବାର ସମ୍ଭାବନା ସୃଷ୍ଟି କରିପାରିଲେ-ଓଡ଼ିଶା ମାଟିରେ କଳିଙ୍ଗନଗର, ଢିଙ୍କିଆ-ଗୋବିନ୍ଦପୁର ଅଞ୍ଚଳରେ ଚାଲିଥିବା ବିସ୍ଥାପନବିରୋଧୀ ଲଢ଼େଇର ସୁଯୋଗ କାହିଁକି ଆମ ରାଜ୍ୟର ବିରୋଧୀ ରାଜନୈତିକଦଳ ନେଇପାରିଲେ ନାହିଁ?- ଅନ୍ତତଃ କ୍ଷମତାସୀନ ଦଳକୁ ଦୋହଲାଇ ଦେବାପାଇଁ । ଏହା ନିଶ୍ଚିତ ଗଭୀର ଅନୁଶୀଳନର ଅପେକ୍ଷା ରଖେ । କିନ୍ତୁ ଯାହା ଦୃଶ୍ୟମାନ, ତାହା ହେଉଛି ମମତା ବାନାର୍ଜୀଙ୍କର ବେସାଲିସ୍ ନେତୃତ୍ୱ ପଶ୍ଚିମବଙ୍ଗରେ ଏକ ପ୍ରକୃତ ବିରୋଧୀଦଳଟିଏ ଠିଆ କରାଇଛି- ଓଡ଼ିଶାରେ ପ୍ରକୃତ ବିରୋଧୀଦଳ ଏଯାବତ୍ ସୃଷ୍ଟି ହୋଇପାରି ନାହିଁ ଯିଏ ସାଧାରଣ ମଣିଷର ସ୍ୱାର୍ଥ ପାଇଁ ବେଧଡ଼କ ବାହାରି ପାରିବ ।
– ଶୁଦ୍ରକ

Print Friendly, PDF & Email