ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ଇତ୍ୟବସରରେ ବହୁ ବିତର୍କିତ ହୋଇପଡ଼ିଛନ୍ତି । ନିକଟରେ ଚୀନ୍ ଦେଶ ଗସ୍ତରେ ଥିବାବେଳେ ସେ ଦେଇଥିବା ମନ୍ତବ୍ୟ ଭାରତଭୂଇଁରେ ବେଶ୍ ଝଡ଼ ସୃଷ୍ଟିକରିଛି । ଚୀନ୍ ଓ କମୁ୍ୟନିଷ୍ଟଙ୍କର ଛାଇ ପଡ଼ିଲେ ନାହିଁ ଡେଉଁଥିବା ବରିଷ୍ଠ ସାମ୍ବାଦିକ ରାଜୀନ୍ଦର ପୁରୀ ଏତେ ରୋଷାଗ୍ରସ୍ତ ଯେ ସେ ଲେଖିଲେ ‘ଜୟରାମ ରମେଶଙ୍କୁ ବରଖାସ୍ତ କର’(Sack Jairam Ramesh!)(he Statesman, May 10, 2010)) ସ୍ୱାଭାବିକ ବିଜେପି ଦଳ ମଧ୍ୟ ଦାବି କରିଛି ରମେଶଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ । ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅବଶ୍ୟ ଏତେ କଠୋର ହୋଇନାହାନ୍ତି-ଯଦିଓ ତାଗିଦ କରିଛନ୍ତି ରମେଶଙ୍କୁ ଅନ୍ୟ ମନ୍ତ୍ରଣାଳୟ ଉପରେ ମନ୍ତବ୍ୟ ନ କରିବାକୁ । ପ୍ରକୃତରେ ରମେଶ କ’ଣ କହିଛନ୍ତି ଓ କେଉଁ ସନ୍ଦର୍ଭରେ କହିଛନ୍ତି, ତାହା ଏଯାବତ୍ ସ୍ପଷ୍ଟ ହୋଇପାରି ନାହିଁ ଯଦିଓ ଶୁଣାଯାଉଛି ଯେ ରମେଶ ତାଙ୍କ ମନ୍ତବ୍ୟପାଇଁ ଅନୁତପ୍ତ ବୋଲି ଗୃହମନ୍ତ୍ରୀ ଚିଦାମ୍ବରମଙ୍କୁ ଇତ୍ୟବସରରେ ଜଣାଇ ଦେଇଛନ୍ତି । ତେବେ ରମେଶ ଯାହା କହିଛନ୍ତି ବୋଲି ପ୍ରଚାରିତ ତାହା ହେଉଛି ଏହିପରି- ‘ଗୃହ ମନ୍ତ୍ରଣାଳୟ ଚୀନ୍ ଦେଶର ପୁଞ୍ଜିନିବେଶ ପ୍ରତି ଅଧିକ ଆଶ୍ୱସ୍ତିମୂଳକ ହେବା ଉଚିତ । ଆମର ନିରାପତ୍ତା ପ୍ରତିଷ୍ଠାନ ଏହା ଭିତରେ ଦେଖୁଛି ରାକ୍ଷସ ଯେତେବେଳେ କି ପ୍ରକୃତରେ ଏପରି କିଛି ନାହିଁ । (‘Home Ministry needed to be ‘much more relaxed’ in its approach to chinese investments and said that the security establishment was imagining demons where there are none’) (ଦ୍ରଷ୍ଟବ୍ୟ-The Statesman, May 11, 2010))
ଏହିଭଳି ଏକ ମନ୍ତବ୍ୟକୁ ନେଇ ଏତେ ହୋହଲ୍ଲା କରାଯିବା ଓ ଆନ୍ଧ୍ରପ୍ରଦେଶର କଂଗ୍ରେସ ବିଧାୟକମାନେ ଜୟରାମ ରମେଶଙ୍କର ରାଜ୍ୟସଭାକୁ ପୁନଃମନୋନୟନକୁ ବିରୋଧ କରିବା ପଛରେ ବହୁଦେଶୀୟ କମ୍ପାନୀ ବେଦାନ୍ତ ରିସୋର୍ସେସ୍ ଓ ମନ୍ସାଣ୍ଟୋର ଯେ ହାତ ନଥିବ, ଏହା କୁହାଯାଇ ପାରିବ ନାହିଁ । କାରଣ ଏହି ଦୁଇଟି କମ୍ପାନୀ ଜୟରାମ ରମେଶଙ୍କ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ନିୟମଗିରିର ପରିବେଶ ହେଉ ବା ପୁରୀ ଉପକୂଳର ପରିବେଶ ହେଉ; ଏହି ପରିବେଶ ବେଦାନ୍ତ କମ୍ପାନୀ ଦ୍ୱାରା ପ୍ରତିଷ୍ଠିତ ଆଲୁମିନିୟମ ପ୍ରକଳ୍ପ ଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଯଥାକ୍ରମେ ନଷ୍ଟ ହେବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଛି ତାହା ଜୟରାମ ରମେଶଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇନାହିଁ । ସେହିପରି ଜି.ଏମ୍. ବିହନ ପ୍ରଚଳନ ଉପରେ ତାଙ୍କର ପ୍ରତିବନ୍ଧକ ମନ୍ସାଣ୍ଟୋ କମ୍ପାନୀର ବଜାରକୁ ସଙ୍କୁଚିତ କରିଦେଇଛି । ଏହି ଦୁଇ କରିତ୍କର୍ମା କମ୍ପାନୀ ଓ ଏହି କମ୍ପାନୀମାନଙ୍କ ଦ୍ୱାରା ଅନୁଗୃହୀତ ରାଜନୈତିକ ବ୍ୟକ୍ତି ତଥା ଅମଲାମାନେ ଯେ ଜୟରାମ ରମେଶଙ୍କର ବିଦାୟକୁ ଅତ୍ୟନ୍ତ ଉକ୍ରଣ୍ଠାର ସହ ଅପେକ୍ଷା କରୁଥିବେ ଓ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ୟମ କରୁଥିବେ -ଏହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ।
– ଶୁଦ୍ରକ

Print Friendly, PDF & Email