ଯାହାର ଲୁଣ ଖାଇଛନ୍ତି, ତା’ପ୍ରତି କୃତଜ୍ଞ ରହିବା – ଏକ ରୂଢ଼ି ଯାହାର ପ୍ରକୃତ ଅର୍ଥ ହେଉଛି ଯିଏ ଆମର ସାମାନ୍ୟତମ ଉପକାର କରିଛି-ତା’ପ୍ରତି ଆମେ କୃତଜ୍ଞ ରହିବା । ଟିପେ ଲୁଣ ଯେପରି ଖାଦ୍ୟର ସ୍ୱାଦକୁ ବଢ଼ାଇଦିଏ, ବିପଦ ସମୟରେ ସାମାନ୍ୟତମ ଉପକାର ମଣିଷର କ୍ଳେଶକୁ ଲାଘବ କରିଥାଏ- ମାନସିକ ଅବସ୍ଥାରେ ଆଶ୍ୱସ୍ତି ଆଣିଥାଏ । ଏହାକୁ ପାଶୋରି ଯିବା ଉଚିତ ନୁହେଁ- ଏହାହିଁ ଏହି ଋଢ଼ିର ସମ୍ବାଦ ।
ଯଦି କେହି ଏହାର ଆକ୍ଷରିକ ଅର୍ଥ ଅନୁସାରେ ଦାବି କରେ ଯେ ଏଥିପାଇଁ ଲୁଣ ବିକୁଥିବା କମ୍ପାନୀ ମାନଙ୍କ ପ୍ରତି ଆମେ କୃତଜ୍ଞ ରହିବା ଉଚିତ ତା’ହେଲେ ଏହି ଦାବି ଯେ ହୋଟେଲ ମାଲିକମାନଙ୍କ ପ୍ରତି ମଧ୍ୟ ଆମେ କୃତଜ୍ଞ ରହିବା ଉଚିତ-ଆଦୌ ଅସଙ୍ଗତ ମନେ ହେବନାହିଁ । ତେବେ ଏହିଭଳି ଦାବି ଋଢ଼ିର ଅସଲ ଅର୍ଥକୁ ପ୍ରତିଫଳିତ କରେନାହିଁ- ବରଂ ହାସ୍ୟାସ୍ପଦ ମନେହୁଏ । ଏହିଭଳି ଦାବି କରୁଥିବା ବ୍ୟକ୍ତିର ଯଦି ଏହା ଅଜ୍ଞତା ପ୍ରସୂତ ନୁହେଁ, ତା’ହେଲେ କୌଣସି ଅଭିସନ୍ଧି ସନେ୍ଦହ କରାଯାଇପାରେ ।
ଏହି ପ୍ରସଙ୍ଗ ଉତ୍ଥାପିତ ହେବାର କାରଣ ହେଉଛି ଯେ କଳିଙ୍ଗନଗରରେ ସହିଦ ଦିବସ ପାଳନ ଅବସରରେ (୨ଜାନୁଆରୀ ୨୦୧୦) ଟାଟା କମ୍ପାନୀ ଦ୍ୱାରା ସ୍ଥାପିତ ଥଇଥାନ ବସତିର ଆଦିବାସୀ ବାସିନ୍ଦାଙ୍କୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଉଦ୍ବୋଧନ ଦେଇ ଟାଟା ଲୁଣ ଖାଉଥିବା ଆଦିବାସୀ ମାନେ ଟାଟାକୁ ବିରୋଧ କରିବା ଉଚିତ ନୁହେଁ ବୋଲି ବୁଝାଇବା ଟି.ଭି. ପରଦାରେ ଦେଖି ଅନେକେ ଆଶ୍ଚର୍ଯ୍ୟାନ୍ୱିତ ହୋଇଛନ୍ତି । ତୁଳସୀ ମୁଣ୍ଡା କ’ଣ ଏହି ଋଢ଼ିର ପ୍ରକୃତ ଅର୍ଥ ସମ୍ପର୍କରେ ଅଜ୍ଞ, ନା ଟାଟା ସପକ୍ଷରେ ବ୍ୟାକୁଳତା ଦ୍ୱାରା ଗସ୍ତ ହୋଇ ସେ ଏପରି ଅର୍ଥ କରିଛନ୍ତି – ତାହା ସେମାନେ ପ୍ରଶ୍ନ କରୁଛନ୍ତି । ତେବେ ତାଙ୍କର ସମ୍ପ୍ରତି ଆଚରଣକୁ ଲକ୍ଷ୍ୟ କଲେ ଯେକେହି କହିବ ଯେ, ତୁଳସୀ ମୁଣ୍ଡା ତାଙ୍କର ପୃଷ୍ଠଭୂମି, ନବକୃଷ୍ଣ ଚୌଧୁରୀ-ମାଳତୀ ଚୌଧୁରୀଙ୍କ ତାଲିମ ଠାରୁ ବହୁ ଦୂରକୁ ଚାଲି ଆସିଛନ୍ତି ଓ ମୁଖ୍ୟଧାରାର ମୁଖପାତ୍ର ହୋଇଯାଇଛନ୍ତି । ତେଣୁ ମୋବାଇଲ ମତଦାନ ଉପରେ ପର୍ଯ୍ୟବସିତ ଇ’ଟି.ଭି. ପ୍ରିୟ ଓଡ଼ିଆ ମନୋନୟନରେ ତୁଳସୀ ମୁଣ୍ଡା ପ୍ରିୟତମା ଓଡ଼ିଆଭାବେ ବିବେଚିତ ହେବା କଦାପି ଏକ ସଂଯୋଗ ନୁହେଁ ।