ଇତ୍ୟବସରରେ ବିତର୍କିତ ବେଦାନ୍ତ କମ୍ପାନୀର ମାଲିକ ବିଲାତାଶ୍ରିତ କବାଡ଼ିବାଲା କୋଟିପତି ଅନୀଲ ଅଗ୍ରୱାଲ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା ସହିତ ଖବରକାଗଜ ଓ ଟିଭି ଚ୍ୟାନେଲର କେତେକ ମାଲିକ/ସମ୍ପାଦକଙ୍କୁ ସାକ୍ଷାତ ପାଇଁ ନିମନ୍ତ୍ରଣ କରି କୃତାର୍ଥ କରିଛନ୍ତି । ବେଦାନ୍ତକୁ ଓଡ଼ିଶାରେ ବିରୋଧ ସମ୍ପର୍କରେ ସେ ଏକ ରୋଚକ ମନ୍ତବ୍ୟ ଦେଇଛନ୍ତି । ଏହି ବିରୋଧକୁ ସେ ଏକ ଦାମ୍ପତ୍ୟ କଳହ ସହ ତୁଳନା କରିଛନ୍ତି ଯାହା ଅପରିଚିତ ପୁରୁଷ ଓ ନାରୀଙ୍କୁ ପରିଣୟ ସୂତ୍ରରେ ଆବଦ୍ଧ କଲେ ପ୍ରଥମେ ପ୍ରଥମେ ଉପୁଜିଥାଏ ଓ ଯାହା ଭାରତୀୟ ପରମ୍ପରା ସହ ଖାପ ଖାଇ କ୍ରମଶଃ ଦୂର ହୋଇଯାଏ । ତେଣୁ ସେ ଆଶାବାଦୀ ଯେ ବେଦାନ୍ତକୁ ବିରୋଧ ଅଳ୍ପଦିନ ମଧ୍ୟରେ ଦୂରେଇ ଯିବ ।
ଏହିଭଳି ଏକ ତୁଳନା ନିଶ୍ଚିତଭାବରେ କାବି୍ୟକ- ଯାହା ଓଡ଼ିଶାର ବହୁ କର୍ପୋରେଟ କୃପାଭିକ୍ଷୁ ସାରସ୍ୱତ ସାଧକ ଓ ବୁଦ୍ଧିଜୀବୀମାନଙ୍କୁ ଅଭିଭୂତ କରିଦେଇଥିବ । ସେମାନେ ଏହି ‘ଦାମ୍ପତ୍ୟ କଳହ’କୁ ଯଥାଶୀଘ୍ର ଦୂର କରିବା ପାଇଁ କନ୍ୟାକୁ ବୁଝାଉଥିବା ଗୁରୁଜନଙ୍କର ଭୂମିକା ନିର୍ବାହ କରିବାକୁ ଯଦି ଅଯାଚିତ ବାହାରି ପଡ଼ନ୍ତି, ତା’ହେଲେ ଆମେ ଆଦୌ ଆଶ୍ଚର୍ଯ୍ୟ ହେବା ନାହିଁ । ଏ’ଭଳି ତୁଳନା ପୂର୍ବରୁ ଶ୍ରୀଯୁକ୍ତ ଚିତ୍ତ ବରାଳ ଓ ଶ୍ରୀଯୁକ୍ତ କବିପ୍ରସାଦ ମିଶ୍ର ଏଭଳି ଉଦ୍ୟମ କରିଥିବା ଆମେ ସମସ୍ତେ ଜାଣନ୍ତି ।
ପୁନଶ୍ଚ ଏହିଭଳି ତୁଳନାଟିକୁ ଆମ ଆଗରେ ଥୋଇ ଅନୀଲ ଅଗ୍ରୱାଲ ଏକ ଧାରଣା ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛନ୍ତି ଯେ ବେଦାନ୍ତ ଓ ଓଡ଼ିଶାବାସୀ ପରସ୍ପର ସହ ଅପରିଚିତ । କିନ୍ତୁ ଏମାନଙ୍କୁ ପରିଣୟ ସୂତ୍ରରେ ଆବଦ୍ଧ କରିଥିବା ଦୁଇ ସମୁଦି ଅର୍ଥାତ ବେଦାନ୍ତର ଜନକ ଅନୀଲ ଅଗ୍ରୱାଲ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରସ୍ପର ସହିତ ଅପରିଚିତ ବୋଲି କୁହାଯାଇପାରେ । ଓଡ଼ିଶାବାସୀଙ୍କ ବେଦାନ୍ତ ପ୍ରତି ବିରୋଧକୁ ସ୍ୱୀକାର କରି ଅନୀଲ ଅଗ୍ରୱାଲ ପ୍ରକାରାନ୍ତରେ ସ୍ୱୀକାର କରନ୍ତି ଯେ ପରିଣୟ ସୂତ୍ରରେ ଆବଦ୍ଧକରିବା ପୂର୍ବରୁ ଅର୍ଥାତ୍ ବୁଝାମଣା ପତ୍ର ସ୍ୱାକ୍ଷର କରିବା ପୂର୍ବରୁ ଓଡ଼ିଶାବାସୀଙ୍କର ମତାମତ ଓଡ଼ିଶା ସରକାର ନେଇନାହାନ୍ତି- ଝିଅକୁ ସୁଦୂର କୌଣସି ଅଞ୍ଚଳରେ କିଣି ପାରୁଥିବା ପୁରୁଷକୁ ବିକ୍ରି କରିଦେଉଥିବା ବାପ ଭଳି ।
ଯଦି କେହି ଏହିପରି ପୁଅଝିଅଙ୍କୁ ନ ପଚାରି ବିବାହ ବନ୍ଧନରେ ଆବଦ୍ଧ କରିଦେବା ଆମ ଭାରତୀୟ ପରମ୍ପରା ଅନୁମୋଦିତ ବୋଲି ଯୁକ୍ତିକରନ୍ତି- ତା’ହେଲେ ବିରୋଧ କରୁଥିବା କନ୍ୟା ପ୍ରତି ଉଭୟ ପକ୍ଷର ପ୍ରତିକୂଳ ମନୋଭାବ ଯଥାର୍ଥ ବୋଲି ସେମାନେ ସ୍ୱୀକୃତି ଦିଅନ୍ତି । ଏମାନଙ୍କପାଇଁ ବାଡ଼େଇ ପିଟି କନ୍ୟାକୁ ସାଧ୍ୟ କରାଯିବା-ଆଦୌ ଅପକର୍ମ ହୁଏ ନାହିଁ । ଉଭୟ ବେଦାନ୍ତ ଓ ଓଡ଼ିଶା ସରକାର ଓଡ଼ିଶାବାସୀଙ୍କୁ ଏହିଭଳି ସାଧ୍ୟ କରିବେ ବୋଲି ଏହି କାବି୍ୟକ ତୁଳନାରୁ ସମ୍ବାଦ ମିଳୁନାହିଁ ତ? ଅପରପକ୍ଷରେ ଭାରତୀୟ ପରମ୍ପରାର ଦ୍ୱାହି ଦେଇ ବିଚ୍ଛେଦ ଅସମ୍ଭବ ବୋଲି ଘୋଷଣା କରୁଥିବା ବେଦାନ୍ତ କମ୍ପାନୀର ମାଲିକ ଅନୀଲ ଅଗ୍ରୱାଲ ବୋଧହୁଏ ନିଶ୍ଚିତ ଯେ ଓଡ଼ିଶାବାସୀଙ୍କୁ ଯେକୌଣସି ଉପାୟରେ ସେ ନିଜର ମର୍ଜିର ଦାସ କରିଦେଇ ପାରିବେ ।
ଅନୀଲ ଅଗ୍ରୱାଲ ବୋଧହୁଏ ବୁଝିନାହାନ୍ତି ଯେ କନ୍ୟାଘରର ସମ୍ପତ୍ତ ପ୍ରଲୋଭନରେ ପରିଣୟ ସୂତ୍ରରେ ବନ୍ଧା ହୋଇଥିବା ପୁରୁଷକୁ କୌଣସି ଝିଅ ସମ୍ମାନର ସହ ଦେଖେ ନାହିଁ । ସମ୍ପତ୍ତ ହାତେଇଲାପରେ ଯେ ପୁରୁଷ ଦ୍ୱାରା ଅବହେଳିତ ହେବ-ଏହି ଆଶଙ୍କା ତାକୁ ଆକ୍ରାନ୍ତ କରେ । ଓଡ଼ିଶାର ଖଣିଜଦ୍ରବ୍ୟ ଉପରେ ଯେ ଅନୀଲ ଅଗ୍ରୱାଲଙ୍କର ଲୋଲୁପ ଦୃଷ୍ଟି ପଡ଼ିଛି ଓ ଏହି ଖଣିଜଦ୍ରବ୍ୟ ମାତ୍ର କେତୋଟି ବର୍ଷରେ ନିଃଶେଷ ହୋଇଯିବ-ଏହା ଜାଣି ବେଦାନ୍ତ କମ୍ପାନୀ ସହ ଓଡ଼ିଶାବାସୀଙ୍କର ସମ୍ପର୍କ ଭାରତୀୟ ଦାମ୍ପତ୍ୟ ସମ୍ପର୍କ ଭଳି ଦୀର୍ଘସ୍ଥାୟୀ ହେବବୋଲି କେଉଁ ଓଡ଼ିଆ ବିଶ୍ୱାସ କରିବ?
ଧର୍ଷଣକାରୀ ଓ ଧର୍ଷିତାର ସମ୍ପର୍କ ଦାମ୍ପତ୍ୟ ସମ୍ପର୍କ ନୁହେଁ । ଜଙ୍ଗଲକୁ ଧ୍ୱଂସ କରି ପାହାଡ଼କୁ ଗର୍ତ୍ତ କରି, ଜଳକୁ ପ୍ରଦୂଷିତ କରି ଓଡ଼ିଶାକୁ ଶ୍ରୀହୀନ କରିଦେବାର ଯେଉଁଭଳି ଯୋଜନା ବେଦାନ୍ତ କମ୍ପାନୀ କରୁଛି- ତାହାକୁ ଓଡ଼ିଶାବାସୀ ବିରୋଧ କରିବା ଦାମ୍ପତ୍ୟ ସମ୍ପର୍କ ଭିତରର ବିରୋଧ ନୁହେଁ-ଏକ ଧର୍ଷଣକାରୀକୁ ବିରୋଧ ।
କାରଣ ଅନୀଲ ଅଗ୍ରୱାଲ ଯେପରି ଭାବୁଛନ୍ତି ଯେ ବେଦାନ୍ତ କମ୍ପାନୀ ଓ ଓଡ଼ିଶା ପରସ୍ପର ପ୍ରତି ଅପରିଚିତ – ତାହା ସେପରି ନୁହେଁ । ବେଦାନ୍ତ କମ୍ପାନୀର ଅନୀଲ ଅଗ୍ରୱାଲ ଜାଣନ୍ତି ଯେ ଓଡ଼ିଶା ଖଣିଜଦ୍ରବ୍ୟର ଏକ ଲୋଭନୀୟ ଭଣ୍ଡାର । ଅପରପକ୍ଷରେ ଓଡ଼ିଶାବାସୀ ତ’ ସେଦିନଠାରୁ ଅନୀଲ ଅଗ୍ରୱାଲଙ୍କର କାରନାମା ବିଷୟରେ ଜାଣିଛନ୍ତି ଯେଉଁଦିନ ସେ ବାଲ୍କୋ କମ୍ପାନୀକୁ ଶାଗମାଛ ମୂଲ୍ୟରେ କିଣିନେଲେ ଓ ଛତିଶଗଡ଼ରେ ନିଜ ମାଲିକାନାରେ ଏହି କମ୍ପାନୀର ସ୍ଥାପନା କଲେ । ଓଡ଼ିଶାବାସୀ ମଧ୍ୟ ଜାଣନ୍ତି କିପରି ସେ ନିଜ କର୍ମଚାରୀଙ୍କୁ ଧମକାନ୍ତି- ‘ପୃଥିବୀପୃଷ୍ଠରୁ ଉଚ୍ଛେଦ କରିଦେବି’ ବୋଲି କୁହନ୍ତି ଯାହାପାଇଁ ସେ ବ୍ରିଟିଶ ନ୍ୟାୟାଳୟ ଦ୍ୱାରା ଦଣ୍ଡିତ ହୁଅନ୍ତି ଓ ଜୋରିମାନା ଦିଅନ୍ତି । ଏହିଭଳି ଅନେକ କିଛି ଓଡ଼ିଶାବାସୀ ଅନୀଲ ଅଗ୍ରୱାଲ ଓ ବେଦାନ୍ତ କମ୍ପାନୀ ବିଷୟରେ ଜାଣନ୍ତି (ଦ୍ରଷ୍ଟବ୍ୟ ‘ସମଦୃଷ୍ଟିର ଭାଗ-୪,ସଂଖ୍ୟା-୫ ଓ୬, ସେପ୍ଟମ୍ବର ୨୦୦୯) । ତେଣୁ ଓଡ଼ିଶାବାସୀ ବେଦାନ୍ତ କମ୍ପାନୀ ସହ ଅପରିଚିତ ବୋଲି ବିରୋଧ କରୁଛନ୍ତି ବୋଲି କହିବା ଅନୀଲ ଅଗ୍ରୱାଲଙ୍କର ଅଜ୍ଞତା । ଅବଶ୍ୟ ଆମର ନେତୃବର୍ଗ ଅନୀଲ ଅଗ୍ରୱାଲଙ୍କ ସମ୍ମୁଖରେ ଯେପରି ଆଜାନୁନତ ହୋଇ ପଡ଼ିଛନ୍ତି, ସ୍ୱାଭାବିକ ଅନୀଲ ଅଗ୍ରୱାଲ ଭାବୁଥିବେ ଯେ ଓଡ଼ିଶାର ଜନ -ସାଧାରଣଙ୍କ ବିଷୟରେ ଅଜ୍ଞ ଓ ବେଦାନ୍ତ କମ୍ପାନୀ ସହ ଅପରିଚିତ ।
କହିବା ବାହୁଲ୍ୟ ଯେ ବେଦାନ୍ତ-ଓଡ଼ିଶା ସମ୍ପର୍କକୁ ଭାରତୀୟ ପରମ୍ପରାସମ୍ମତ ଦାମ୍ପତ୍ୟ ସମ୍ପର୍କ ସହ ତୁଳନା କରି ଅନୀଲ ଅଗ୍ରୱାଲ ଓଡ଼ିଶାବାସୀଙ୍କୁ ଦାମ୍ପତ୍ୟର ଖୋଳପା ଭିତରେ ନିର୍ଯାତନାର ସମ୍ବାଦ ଦେଇନାହାନ୍ତି ତ?