ଶୁଣିଲି ଯେ ଲାଞ୍ଜିଗଡ଼ଠାରେ ବେଦାନ୍ତ ଆଲୁମିନିୟମ କାରଖାନା ବିରୋଧୀ ସଂଗ୍ରାମରେ ସକ୍ରିୟ ଡଙ୍ଗରିଆ କନ୍ଧ ଯୁବକ ଜିତୁ ଜାକାସିକା ଇତ୍ୟବସରରେ ବେଦାନ୍ତ କମ୍ପାନୀର ଲୋକସମ୍ପର୍କ ଅଫିସର ହୋଇଯାଇଛି । ବେଦାନ୍ତ ବହୁ ଅର୍ଥ ବ୍ୟୟ କରି ତାକୁ ଭୁବନେଶ୍ୱରସ୍ଥିତ ଗୋଟିଏ ମ୍ୟାନେଜମେଣ୍ଟ୍ କଲେଜରେ ଶିକ୍ଷା ପାଇବାର ବ୍ୟବସ୍ଥା ମଧ୍ୟ କରିଦେଇଛି । ନିଶ୍ଚିତ ଭାବରେ ମ୍ୟାନେଜମେଣ୍ଟ୍ ପାସ୍ କରିଗଲା ପରେ (ଯାହା ସେ ନିଶ୍ଚିତ କରିବ କାରଣ ଘରୋଇଅନୁଷ୍ଠାନରେ ଅର୍ଥ ଦେଇ ଯେ ପ୍ରବେଶ କରିଛି) ଜିତୁ ଏକ ଉଚ୍ଚବେତନ ଭୋଗୀ ଅଫିସରଟିଏ ହୋଇ ସୁଖ ସ୍ୱାଚ୍ଛନ୍ଦ୍ୟରେ ଜୀବନ ନିର୍ବାହ କରିବ । ତା’ର ଭାଇ, ବନ୍ଧୁ, କୁଟୁମ୍ବ ଯେଉଁମାନେ ତା’ଉପରେ ବିଶ୍ୱାସ ଥାପି ତାକୁ ନେତୃତ୍ୱଦେଇ ସାରା ଦୁନିଆ ଦୃଷ୍ଟିକୁ ଆଣିଲେ-ସେମାନଙ୍କଠାରୁ ସେ ବହୁଦୂରକୁ ଚାଲିଯିବ-ଅର୍ଥନୈତିକ, ସାଂସ୍କୃତିକ ଓ ସାମାଜିକ ପ୍ରତିପତ୍ତରେ । ସେମାନେ ବେଦାନ୍ତର ବଡ଼ ବଡ଼ ମେସିନ୍ ତଳେ ଚାପିହୋଇ କୁଆଡ଼େ ନିଶ୍ଚିହ୍ନ ହୋଇଯିବେ-ଜିତୁ ଜାକାସିକା ବିମାନରେ ଯାତ୍ରା କରିବା ସାଧାରଣ କଥା ହୋଇଯିବ । ସମୁଦାୟ କର୍ପୋରେଟ୍ ବିଶ୍ୱ ଜିତୁକୁ କର୍ପୋରେଟ୍ ସୋସିଆଲ ରେସ୍ପନ୍ସିବିଲିଟି (Corporate Social Responsibility- CSR)ର ଏକ ଅନବଦ୍ୟ ସନ୍ତକ ଭାବେ ଦୁନିଆ ସାମ୍ନାରେ ପେଶ୍ କରିବ । ଖବରକାଗଜରେ ତା’ର କୃତିତ୍ୱ ସମ୍ପର୍କରେ ବିରାଟ ବିରାଟ ବିଜ୍ଞାପନ ହୁଏତ ପ୍ରକାଶ ପାଇବ ।
ଜିତୁର ଆଚରଣରେ ଅବଶ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଜିତୁ ହେଉଛି ଏକ ପ୍ରତୀକ ଯିଏ ସେହିଭଳି ପ୍ରତିବାଦୀମାନଙ୍କର ପ୍ରତିନିଧିତ୍ୱ କରେ ଯେଉଁମାନେ ଅଧିକ ମୂଲ୍ୟରେ ସପକ୍ଷବାଦୀ ହୋଇଯାନ୍ତି । ପ୍ରତିବାଦୀ ବା ବ୍ୟବସ୍ଥା ବିରୋଧୀମାନଙ୍କୁ ପ୍ରଲୋଭିତ କରିବା ବ୍ୟବସ୍ଥାର ପ୍ରାଥମିକ କାର୍ଯ୍ୟ । ବିଫଳହେଲେ ସେମାନଙ୍କୁ ନିଶ୍ଚିହ୍ନ କରିବା ବ୍ୟବସ୍ଥାର ଚୂଡ଼ାନ୍ତ କାର୍ଯ୍ୟ ।
ସାମ୍ୟବାଦୀ-ପୁଞ୍ଜିବାଦୀ ବ୍ୟବସ୍ଥା ଭିତରକୁ ପ୍ରଲୋଭିତ ହୋଇ ପଶିଆସିବାର ଦୃଷ୍ଟାନ୍ତ ବିରଳ ନୁହେଁ । ଏମ୍.ଏଲ୍.ଏ., ଏମ୍.ପି. ବା ମନ୍ତ୍ରୀପଦଠାରୁ ଆରମ୍ଭ କରି ବିଦେଶୀ ଅନୁଦାନ ଦ୍ୱାରା ପୁଷ୍ଟ ଏନ୍.ଜି.ଓର ପ୍ରଲୋଭନକୁ ଏଡ଼ାଇ ନପାରିଥିବା ବହୁ ସାମ୍ୟବାଦୀଙ୍କର ଉଦାହରଣ ଦିଆଯାଇ ପାରେ । ଏବେ କିଛିବର୍ଷ ହେଲା ବିସ୍ଥାପନ ବିରୋଧୀ ଆନେ୍ଦାଳନଗୁଡ଼ିକ ସାମାଜିକ, ରାଜନୈତିକ ପରିବେଶକୁ ବହୁ ସ୍ଥାନୀୟ ନେତୃତ୍ୱ ଉତ୍କ୍ଷେପଣ କରିଛନ୍ତି । ଏହି ବିସ୍ଥାପନ ବିରୋଧୀ ଆନେ୍ଦାଳନଗୁଡ଼ିକ ଯେ ବ୍ୟବସ୍ଥାକୁ ପ୍ରଚଣ୍ଡ ଆଘାତ ଦେଇପାରୁଛନ୍ତି-ଏହା କହିବା ଅତିଶୟୋକ୍ତି ହିଁ ହେବ । ବରଂ ଏଗୁଡ଼ିକ ସ୍ଥାନୀୟ ବୋଲି କହିବା ଯଥାର୍ଥ ହେବ । ଅବଶ୍ୟ କିଛି ମାନବବାଦୀ ନେତା ଏହି ଆନେ୍ଦାଳନଗୁଡ଼ିକ ଭିତରେ ଯୋଗସୂତ୍ର ସ୍ଥାପନ କରାଇ ବ୍ୟବସ୍ଥାକୁ ପ୍ରଶ୍ନକରିବା ପାଇଁ ଏକ ନିଷ୍ଠାପର ଉଦ୍ୟମ ଆରମ୍ଭ କରିଛନ୍ତି । କିନ୍ତୁ ଆନେ୍ଦାଳନକୁ ଦୀର୍ଘସ୍ଥାୟୀ କରିବା, ବ୍ୟାପକ କରିବା ଓ ଏକ ଆସ୍ଥାଭାଜନ ହୋଇପାରୁଥିବା ନେତୃତ୍ୱକୁ ଗଣମାଧ୍ୟମ ଓ ବିଭିନ୍ନ ପ୍ରଲୋଭନରୁ ସୁରକ୍ଷିତ ରଖିବାର କୌଶଳ ଯଦି ଯୋଗସୂତ୍ର ସ୍ଥାପନ କରୁଥିବା ବ୍ୟକ୍ତିମାନେ ଅବଲମ୍ବନ କରିବାରେ ବିଫଳ ହୁଅନ୍ତି-ତା’ହେଲେ ବ୍ୟବସ୍ଥାକୁ ପ୍ରଶ୍ନ କରିବାର ଉଦ୍ୟମ ଅର୍ଦ୍ଧପକ୍ୱ ହୋଇ ରହିଯିବ ।

Print Friendly, PDF & Email