ଯେତେବେଶୀ ଶିଳ୍ପ ହେବ, ସେତେ ବେଶୀ ପ୍ରଗତି କହି ଯେଉଁମାନେ ଏକଦା ସବୁଜ ଅଞ୍ଚଳକୁ ଟାଙ୍ଗରା କରି ସମୁଦାୟ ଅଞ୍ଚଳକୁ ଧୂଅାଁ-ଧୂସରିତ କରିଦେଲେ-ସେମାନେ ବୋଧହୁଏ ଗୌରବାନ୍ୱିତ ମନେ କରିବେ-ଏହା ଜାଣି ଯେ ବିଶ୍ୱର ପ୍ରଥମ ଦଶଟି ସବୁଠାରୁ ପ୍ରଦୂଷିତ ଅଞ୍ଚଳ ଭିତରେ ଆମ ରାଜ୍ୟର ସୁକିନ୍ଦା ସ୍ଥାନ ପାଇଛି । ପ୍ରଭାବିତ ଲୋକଙ୍କ ସଂଖ୍ୟା ଅନୁସାରେ ସାରା ବିଶ୍ୱରେ ଏହାର ସ୍ଥାନ ତୃତୀୟ । ୨୬ଲକ୍ଷ ଲୋକ ପ୍ରଭାବିତ । (ଦ୍ରଷ୍ଟବ୍ୟ- Blacksmith Instituteର ରିପୋର୍ଟ-୨୦୦୭: www.blacksmithinstitute.org)
ଏହି ଅପବାଦ ସେଠାକାର ସ୍ଥାନୀୟ ଆଦିବାସୀ ଯେ ମୁଣ୍ଡ ଉପରକୁ ନେବାପାଇଁ ପ୍ରସ୍ତୁତ ନୁହନ୍ତି- ତାହା ସେମାନେ ସେମାନଙ୍କର ପ୍ରାଣବଳି ଦେଇ (୨ଜାନୁଆରୀ, ୨୦୦୬) ପ୍ରମାଣିତ କରିଛନ୍ତି । ଆଜି ଯେତେବେଳେ ବାୟୁମଣ୍ଡଳର ପ୍ରଦୂଷଣକୁ ନେଇ କୋପେନହେଗେନ୍ଠାରେ ଶୀର୍ଷ ସମ୍ମିଳନୀ ବସୁଛି ଓ ସେଥିରେ ଭାରତର ଭୂମିକା କ’ଣ ହେବ ତାହାକୁ ନେଇ ଭାରତ ସରକାରଙ୍କର ପ୍ରତିନିଧି ମଣ୍ଡଳରେ ଦେଖାହେଉଛି ମତପାର୍ଥକ୍ୟ-ସେତିକିବେଳେ କଳିଙ୍ଗନଗରର ଆଦିବାସୀ ଓ ତାଙ୍କଭଳି ବିଭିନ୍ନସ୍ଥାନରେ ପ୍ରାକୃତିକ ପରିବେଶର ସୁରକ୍ଷା ପାଇଁ ଅନିୟନ୍ତ୍ରିତ ଶିଳ୍ପୀକରଣ ବିରୋଧରେ ଲଢ଼ୁଥିବା ଆଦିବାସୀଙ୍କୁ ପରିବେଶ ନୀତି ନିର୍ଣ୍ଣୟକାରୀମାନେ ସ୍ମରଣ କରିବା ଉଚିତ । ଏହି ସରଳ ଆଦିବାସୀମାନେ ହିଁ ପ୍ରଦୂଷଣର ସଠିକ ସମାଧାନ ପ୍ରତି ଇଙ୍ଗିତ କରୁଛନ୍ତି- ତାହା ଆମେ ସମସ୍ତେ ହୃଦୟଙ୍ଗମ କରିବା ଉଚିତ ।