ବାହାରୁ ଅର୍ଥ ଆଣି ବା କୌଣସି ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀର ଇଶାରାରେ ପୋସ୍କୋକୁ ବିରୋଧ ହେଉଛି ବୋଲି ଗଣମାଧ୍ୟମ ଜରିଆରେ ସର୍ବସାଧାରଣଙ୍କୁ ଜଣାଇବାର ଏକ ଜୋରସୋର ଉଦ୍ୟମ ଆରମ୍ଭ ହୋଇଯାଇଛି – ବିଶେଷତଃ ପୋସ୍କୋ ପ୍ରତିରୋଧ ସମନ୍ୱୟ ସମିତି ଅଧ୍ୟକ୍ଷ ଅଭୟ ସାହୁଙ୍କ ଗିରଫ ପରେ । ଏହି ପ୍ରଚାରକୁ ବିରୋଧ କରୁଥିବା ଜନତା ଯେ ଆଦୌ ବିଶ୍ୱାସ କରୁନାହିଁ – ତାହା ଜଣାପଡ଼ୁଛି ଅଭୟ ସାହୁଙ୍କ ଗିରଫ ପରେ ବିରୋଧର ତୀବ୍ରତା ଓ ବ୍ୟାପକତାର ବୃଦ୍ଧିରୁ । ଶେଷକୁ ସ୍କୁଲ ପିଲାମାନେ ଶପଥ ନେଲେଣି ସେ ଅଞ୍ଚଳରେ ପୋସ୍କୋକୁ ପୁରାଇ ଦେବେନାହିଁ । ଅର୍ଥାତ କେବଳ ବର୍ତ୍ତମାନର ପିଢ଼ି ଯେ ବିରୋଧରେ ମାତିଛି ତା ନୁହେଁ, ଭବିଷ୍ୟତ ପିଢ଼ି ମଧ୍ୟ ଏହି ବିରୋଧକୁ କାଏମ ରଖିବ ବୋଲି ପ୍ରସ୍ତୁତ ହେଉଛି । ବିରୋଧରେ ପୁରୁଷର ଭୂମିକା ଠାରୁ ମହିଳାଙ୍କର ଭୂମିକା ଅଧିକ ନିଷ୍ଠାପର ଓ ଆନ୍ତରିକ ବୋଲି ପ୍ରମାଣିତ ହେଉଛି । ଅବଶ୍ୟ ଭିଟାମାଟି ପାଇଁ, ଜୀବନଜୀବିକା ପାଇଁ ପ୍ରତିରୋଧ ଆନେ୍ଦାଳନରେ ମହିଳା ମାନଙ୍କର ଭୂମିକା ସବୁବେଳେ ଅଧିକ ଶକ୍ତିଶାଳୀ ବୋଲି ଜୀବନଜୀବିକା ପାଇଁ ଆନେ୍ଦାଳନ ଉପରେ ଅଧ୍ୟୟନ କରୁଥିବା ବିଶେଷଜ୍ଞମାନେ କୁହନ୍ତି । ତେଣୁ ଜଳ ଜଳ ହୋଇ ଦେଖାଯାଉଥିବା ଆନେ୍ଦାଳନର ବଳିଷ୍ଠ ଜନାଧାରକୁ ଅଗ୍ରାହ୍ୟ କରି ଆନେ୍ଦାଳନର ଉତ୍ସ୍ୱକୁ ନେଇ ଡାହାଣୀ ଖୋଜା ବାସ୍ତବିକ ହାସ୍ୟାସ୍ପଦ । ‘ବିଜ୍ଞ’ ଅମଲା ଓ ‘ସବୁଜାନ୍ତା’ ଗଣମାଧ୍ୟମ ଯଦି ସେମାନଙ୍କର କମ୍ପାନୀ ପୃଷ୍ଠପୋଷକମାନଙ୍କୁ ଏହିଭଳି ଧାରଣା ଦେଇ ଭୁଲାଇ ନିଜର ‘ଆୟ’ ବଢ଼ାଇବାକୁ ଚାହାନ୍ତି , ତା’ହେଲେ ତ କଥା ଦୋସରା । କିନ୍ତୁ ଏହା ହେବା ଯେ ବିଶ୍ୱାସଘାତକତାର ଏକ ନିଆରା ଉଦାହରଣ ଏଥିରେ ସନେ୍ଦହ ନାହିଁ । ସରକାର ଅର୍ଥାତ ଲୋକଙ୍କ ଅର୍ଥରେ ପ୍ରତିପାଳିତ ଅମଲାଙ୍କର ଲୋକବିରୋଧୀ ନିଷ୍ପତ୍ତ ନେବା ତ ଦ୍ୱିତୀୟ ପ୍ରକୃତି (Second Nature) ହୋଇଯାଇଛି-ଗତ କେତେ ଦଶନ୍ଧିଧରି । କହିବା ବାହୁଲ୍ୟ ଯେ ଉଭୟ କ୍ଷମତାସୀନ ଦଳ ଓ କମ୍ପାନୀ ଏହାଦ୍ୱାରା ସଠିକ କାରଣ ସମ୍ପର୍କରେ ରୁହନ୍ତି ଅଜ୍ଞ । ଅପରପକ୍ଷରେ ଆମର ଶିକ୍ଷିତ ବୃତ୍ତଜୀବୀସମାଜ ଯିଏ ତୃଣମୂଳରୁ ତ ହୋଇଗଲାଣି ବିଚ୍ଛିନ୍ନ -ଯିଏ କଲେଜ , ବିଶ୍ୱବିଦ୍ୟାଳୟ ସ୍ତରରେ ହେଉଥିବା ତଥାକଥିତ ଆନେ୍ଦାଳନ ଓ କିଣାବିକା ହୋଇପାରୁଥିବା ଏହାର ନେତୃତ୍ୱକୁ ହିଁ ସବୁପ୍ରକାର ଆନେ୍ଦାଳନର ମଡ଼େଲ ବୋଲି ଭାବେ-ସେ ଜୀବନଜୀବିକା ସୁରକ୍ଷା ପାଇଁ ଆନେ୍ଦାଳନରେ ପ୍ରଭାବିତ ଲୋକର ସମ୍ପୃକ୍ତିର ଗଭୀରତାକୁ ନ ବୁଝିପାରିବା ସ୍ୱାଭାବିକ । ସେ ଏହାକୁ କିଏ ଉସୁକାଉଛି – ତାକୁ ଖୋଜିବ, କେଉଁଠୁ ପଇସା ଆସୁଛି ତାକୁ ଖୋଜିବ – ସେ ଗ୍ରହଣ କରିପାରିବ ନାହିଁ ଯେ ଜୀବନଜୀବିକା ବିପନ୍ନ ହେଲେ ପ୍ରଭାବିତ ଲୋକ କାହାରି ଉସୁକାଣିକୁ ଅପେକ୍ଷା ନକରି, କାହାରି ପୃଷ୍ଠପୋଷକତାକୁ ଅପେକ୍ଷା ନକରି ରାସ୍ତାଉପରକୁ ଆସିପାରେ ଓ ଜୀବନକୁ ପାଣି ଛଡ଼ାଇଦେଇ ପାରେ । ଏହା ସାଧାରଣ ମଳିମୁଣ୍ଡିଆ, ଅଶିକ୍ଷିତ ଲୋକପାଇଁ ଯେପରି ପ୍ରଯୁଜ୍ୟ; ଉଚ୍ଚଶିକ୍ଷିତ, ଉଚ୍ଚବେତନଭୋଗୀ ପାଇଁ ମଧ୍ୟ ସେହିପରି ପ୍ରଯୁଜ୍ୟ । ତା’ନହେଲେ ନିକଟ ଅତୀତରେ ଯେତେବେଳେ ଜେଟ୍ ଏୟାରୱେଜ (Jet Airways))ର ମାଲିକ ନରେଶ ଗୋଏଲ ତାଙ୍କ କମ୍ପାନୀରୁ ୧୯୦୦ କର୍ମଚାରୀଙ୍କୁ ବାହାର କରିଦେଲେ ସେତେବେଳେ ଏହି ଉଚ୍ଚବେତନଭୋଗୀ କର୍ମଚାରୀ ମାନେ ରାସ୍ତା ଉପରକୁ ଆସିନଥାନ୍ତେ । ନିଶ୍ଚିତ ଭାବରେ ତାଙ୍କୁ କେହି ଉସୁକାଇନଥିଲା । ଏହି ବିରୋଧ ସ୍ୱତଃସ୍ଫୂର୍ତ୍ତ ଥିଲା-ଜୀବିକାର ସୁରକ୍ଷାପାଇଁ ଥିଲା । ତେଣୁ ଜୀବନ ଜୀବିକାର ସୁରକ୍ଷା ପ୍ରତି ଯେତେବେଳେ ବିପଦ ଦେଖାଦେଇଛି, ତାହା ଯେଉଁସ୍ତରରେ ହେଉ ନା କାହିଁକି, ସେତେବେଳେ ପ୍ରଭାବିତ ଲୋକେ ଏକାଠି ହେବା ସ୍ୱାଭାବିକ ଓ ବିପଦ ସୃଷ୍ଟିକରୁଥିବା ଶକ୍ତିଗୁଡ଼ିକ ବିରୁଦ୍ଧରେ ସ୍ୱର ଉତ୍ତୋଳନକରିବା ସ୍ୱାଭାବିକ । ଏହିଭଳି ପ୍ରତିବାଦର ସ୍ୱର ତୀବ୍ର ହେବାବେଳେ, ପ୍ରତିରୋଧ ଅଧିକ ଶକ୍ତିଶାଳୀ ହେବାବେଳେ ଏହା ଅବଶ୍ୟ ଅସ୍ୱାଭାବିକ ନୁହେଁ ଯେ, ଅନେକ ସହାନୁଭୂତି ଦେଖାଇ ପ୍ରତିରୋଧ ଆନେ୍ଦାଳନକୁ ସମର୍ଥନ ଯୋଗାଉଥିବେ । ସମର୍ଥନ ଯୋଗାଉଥିବା ସଙ୍ଗଠନ ବା ବ୍ୟକ୍ତିବିଶେଷଙ୍କ ଭିତରେ ସଂକୀର୍ଣ୍ଣ ଉଦେ୍ଧଶ୍ୟ ଥିବା ସଙ୍ଗଠନ ବା ବ୍ୟକ୍ତିବିଶେଷ ଯେ ନଥିବେ, ଏହା କହିହେବ ନାହିଁ । କିନ୍ତୁ ଏହିମାନଙ୍କୁ ଗୁରୁତ୍ୱ ଦେଇ ଆନେ୍ଦାଳନର ପ୍ରକୃତ ଭିତ୍ତକୁ ଅଣଦେଖା କରିବା ଅର୍ଥ ବାସ୍ତବିକତାଠାରୁ ମୁହଁ ଲୁଚାଇବା । ତେଣୁ ପୋସ୍କୋପ୍ରକଳ୍ପ ବିରୋଧରେ ଜନଆନେ୍ଦାଳନର ବାସ୍ତବିକତା ପ୍ରତି ସଚେତନତା ଆମର ଅଧିକାରୀମାନେ ଦେଖାଇ ପାରିଲେ, ଏହି ଅଧିକାରୀମାନଙ୍କର ସ୍ୱାଧୀନ ଭାବରେ ବୁଝିବାର ଶକ୍ତି ଯେ ସମ୍ପୂର୍ଣ୍ଣ ଲୋପ ପାଇନାହିଁ ତାହା ପ୍ରମାଣିତ ହେବ । ବିଶେଷତଃ ଯେତେବେଳେ ପୋସ୍କୋ ସପକ୍ଷବାଦୀମାନେ ମଧ୍ୟ ଅଭୟ ସାହୁଙ୍କର ମୁକ୍ତି ଦାବିକରି ପୋସ୍କୋ ବିରୋଧୀଙ୍କ ସହ ସାମିଲ ହେଲେଣି । (ଦ୍ରଷ୍ଟବ୍ୟ-The Statesman, 10th Nov, 2008 in Orissa Plus) । ଏହା ହେଲେ ଆନେ୍ଦାଳନର ଉତ୍ସ୍ୱକୁ ନେଇ ଯେଉଁ ଡାହାଣୀ ଖୋଜା (witch hunting)ଚାଲିଛି – ସେଥିରୁ ସେମାନେ କ୍ଷାନ୍ତ ହେବେ ।