ବାମ ବନାମ ବାମପନ୍ଥୀ ଦୁଇ ନୋବେଲ ବିଜେତାଙ୍କ ସ୍ଥିତି

  • 08/09/2015

ଇତ୍ୟବସରରେ ଅର୍ଥନୀତିରେ ଦୁଇଜଣ ନୋବେଲ ପୁରସ୍କାର ବିଜେତାଙ୍କ ସହ ସମ୍ବାଦପତ୍ରର ପାଠକ ମୁହାଁମୁହିଁ ହୋଇଛନ୍ତି । ଜଣେହେଲେ ୧୯୯୮ମସିହା ନୋବେଲ ପୁରସ୍କାର ବିଜେତା ଭାରତୀୟ ଅମର୍ତ୍ତ୍ୟ ସେନ ଓ ଅନ୍ୟଜଣେ ହେଲେ ୨୦୦୧ମସିହା ନୋବେଲ ପୁରସ୍କାର ବିଜେତା ଆମେରିକୀୟ ଜୋସେଫ ସ୍ଟିଗଲିଜ୍ । ଅମର୍ତ୍ତ୍ୟ ସେନ ସିଙ୍ଗୁରରେ ଟାଟାକମ୍ପାନୀର ଛୋଟ କାର୍ ପ୍ରକଳ୍ପ ସମର୍ଥନରେ ବକ୍ତବ୍ୟ ରଖି ବୁଦ୍ଧଦେବଙ୍କର ଇଛାଶକ୍ତିକୁ ମଜବୁତ୍ କରୁଥିବା ବେଳେ, ନିରନ୍ତର ବିକାଶପାଇଁ ବାମକୁ ମୁହାଁଇବାକୁ (Turn left for sustainable growth)ଆହ୍ୱାନ ଦିଅନ୍ତି ଜୋସେଫ ସ୍ଟିଗଲିଜ । (ଦ୍ରଷ୍ଟବ୍ୟ:The Economic Times, 11th August 2008) । ସ୍ଟିଗଲିଜ୍ଙ୍କ ମତରେ ବାମକୁ ମୁହାଁଇ ଯେଉଁ ବିକାଶରଧାରା ଫିଟେ, ତାହାଦ୍ୱାରା ସଂଖ୍ୟାଗରିଷ୍ଠ ନାଗରିକ ଉପକୃତ ହୁଅନ୍ତି । ଦକ୍ଷିଣପନ୍ଥୀ ବିକାଶଧାରାରେ ଜି.ଡ଼ି.ପି ପାଏ ଗୁରୁତ୍ୱ ଯାହାର ଲାଭ କିନ୍ତୁ ତଳକୁଗଡ଼େ ନାହିଁ । ବରଂ ଅଧିକରୁ ଅଧିକ ନାଗରିକ ଏଭଳି ଅର୍ଥନୀତିରେ ଦୁଃସ୍ଥିତି ଭିତରକୁ ଠେଲି ହୋଇଯାଆନ୍ତି । ଭାରତରେ ସାମ୍ପ୍ରତିକ ଅର୍ଥନୈତିକ ଅବସ୍ଥାକୁ ଦେଖିଲେ ଦକ୍ଷିଣପନ୍ଥୀ ବିକାଶ ଯେ ଚାଲିଛି, ଏହାକୁ ଆଖିବୁଜି କହିଦିଆଯାଇପାରେ ।
ଟାଟାର ଛୋଟକାର୍ ପ୍ରକଳ୍ପ ସପକ୍ଷରେ ଯୁକ୍ତି ବାଢ଼ି ଯେତେବେଳେ ଅମର୍ତ୍ତ୍ୟ ସେନ୍ ପଶ୍ଚିମବଙ୍ଗର ବାମପନ୍ଥୀ ସରକାରଙ୍କୁ ନୈତିକବଳ ଯୋଗାଇଛନ୍ତି-ସେତେବେଳେ ସ୍ୱାଭାବିକ ଅନେକେ ତାଙ୍କଠାରୁ ଜାଣିବାକୁ ଚାହିଁଛନ୍ତି ଯେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ
କ)୧୩୦୦୦ଲୋକ ଜୀବିକା ହରାଇବେ । ସେମାନଙ୍କୁ କିପରି ଜୀବିକା ଯୋଗାଇ ଦିଆଯିବ?
ଖ)ବହୁଲୋକ ଗୃହହୀନ ହେବେ, ତାଙ୍କୁ କିପରି ଥଇଥାନ କରାଯିବ?
ଗ)କାରଖାନା ହେଲେ ଖାଦ୍ୟ, ଶସ୍ୟ, ପନିପରିବା, ତୈଳବୀଜ ଉପôାଦନ ସେ ଅଞ୍ଚଳରେ ଯେପରି ହ୍ରାସ ପାଇବ-ତାହାର ଭରଣା ଦରଦାମ ବୃଦ୍ଧି ନ କରି କିପରି କରାଯିବ? (ଦ୍ରଷ୍ଟବ୍ୟ-Letter to the Editor ସ୍ତମ୍ଭରେ D.K.Chowdhury ଚିଠି, The Statesman, 14th Aug. 2008) କହିବା ବାହୁଲ୍ୟ ଯେ ସାଧାରଣରେ ଧାରଣା ହେଉଛି ଯେ ଟାଟାପ୍ରକଳ୍ପ ହେଲେ ଅଧିକାଂଶ ଲୋକେ ଦୁଃସ୍ଥିତି ଭିତରକୁ ହିଁ ଠେଲି ହୋଇଯିବେ । ପଶ୍ଚିମବଙ୍ଗ ବାମପନ୍ଥୀ ସରକାର ଓ ଟାଟାକମ୍ପାନୀ ଭିତରେ ପ୍ରଣୟର ସଦ୍ୟତମ ପୁରୋହିତ ଭାବେ ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ ଆବିର୍ଭାବ ହେବା ଉଭୟ ପଶ୍ଚିମବଙ୍ଗ ବାମପନ୍ଥୀ ସରକାର ଓ ପୁଞ୍ଜିପତି ଟାଟା ପାଇଁ ଏକ ଚରମ ସଫଳତା । ଏହି ପୃଷ୍ଠଭୂମିରେ ବିକାଶର ନିରନ୍ତରତା ପାଇଁ ବାମକୁ ମୁହାଁଇବାର ଆବଶ୍ୟକତା ଉପରେ ସ୍ଟିଗଲିଜ୍ଙ୍କର ଗୁରୁତ୍ୱ ଏହାହିଁ ସାବ୍ୟସ୍ତ କରୁଛି ଯେ ବାମପନ୍ଥୀ ସରକାରଙ୍କୁ ସମର୍ଥନ ଓ ବାମକୁ ମୁହାଁଇବା ଗୋଟିଏ କଥାନୁହେଁ ।

Print Friendly, PDF & Email