ଏହି ଶିରୋନାମାରେ ଓଡ଼ିଶାର ସୁନାମଧନ୍ୟ ଗାୟକ, ସଙ୍ଗୀତଜ୍ଞ ଶ୍ରୀଯୁକ୍ତ ପ୍ରଫୁଲ୍ଲ କର ତାଙ୍କର ନିୟମିତ ସ୍ତମ୍ଭ ‘ସାଉଁଟା କାହାଣୀ’ରେ ଏକ ଚମକ୍ରାର ଲେଖାଟିଏ ଲେଖିଛନ୍ତି (ଦ୍ରଷ୍ଟବ୍ୟ-ଧରିତ୍ରୀ, ୭/୫/୦୮) । ଓଡ଼ିଶା ଭୂଇଁ ତଳେ ଥିବା ଖଣିଜସମ୍ପଦକୁ ଲୁଟ୍ କରିବାପାଇଁ ଯେ ବାହାରୁ ଲୁଟେରାମାନଙ୍କର ସୂଅ ଛୁଟିଛି ଓ ତାକୁ ପ୍ରତିହତ କରିବା ପାଇଁ ଯୁବସମାଜ ଜାଗ୍ରତ ହେବା ଉଚିତ, ଏହିଭଳି ଏକ ଆହ୍ୱାନ ସେ ଏହି ଲେଖାଟି ମାଧ୍ୟମରେ ଓଡ଼ିଆ ଯୁବସମ୍ପ୍ରଦାୟକୁ ଶୁଣାଇବା ପାଇଁ ଚେଷ୍ଟା କରିଛନ୍ତି । ଯେତେବେଳେ ଏହି ଲୁଟେରାମାନେ ଓଡ଼ିଶାର ବୁଦ୍ଧିଜୀବୀ ଓ କଳାକାରମାନଙ୍କୁ ତୁଷ୍ଟ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସେମିନାର, ୱାର୍କସପ୍ ଇତ୍ୟାଦିକୁ ପୃଷ୍ଠପୋଷକତା ଯୋଗାଉଛନ୍ତି, ଅତି ଉଦାରତାର ସହ ଅର୍ଥ ସାହାଯ୍ୟ କରୁଛନ୍ତି – ସେତେବେଳେ ପ୍ରଫୁଲ୍ଲ କରଙ୍କ ଭଳି ଜଣେ ଆଗଧାଡ଼ିର କଳାକାର ଏହି ଲୁଟେରାମାନଙ୍କୁ ଯୁବସମ୍ପ୍ରଦାୟ ସାମ୍ନାରେ ଚିହ୍ନାଇ ଦେବା ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ ଉଦ୍ୟମ । କିନ୍ତୁ ଏହି ଉଦ୍ୟମ ଆହୁରି ଅର୍ଥପୂର୍ଣ୍ଣ ଓ ପ୍ରକୃତ ପକ୍ଷେ ସଫଳ ହେବ ଯଦି ପ୍ରଫୁଲ୍ଲ ବାବୁ ନିଜ ସମେତ, ତାଙ୍କର ଅନ୍ୟ କଳାକାର ବନ୍ଧୁମାନଙ୍କୁ ଏହି ଲୁଟେରାମାନଙ୍କ ପୃଷ୍ଠପୋଷକତାରେ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକରେ ଅଂଶଗ୍ରହଣ ନକରିବା ପାଇଁ ପ୍ରବର୍ତ୍ତାଇ ପାରିବେ । କହିବା ବାହୁଲ୍ୟ ଯେ ଏହାଦ୍ୱାରା ଏହି ଲୁଟେରାମାନଙ୍କର ବୁଦ୍ଧିଜୀବୀ, କଳାକାରଙ୍କ ଜରିଆରେ ଓଡ଼ିଶାରେ ପ୍ରବେଶ କରିବାର କୌଶଳ ପଣ୍ଡ ହେବ ଯେତେବେଳେ ସାଧାରଣ ଲୋକେ ଏମାନଙ୍କୁ ବିରୋଧ କରୁଛନ୍ତି ଓ ନିଜ ଲଢ଼େଇ ନିଜେ କରୁଛନ୍ତି ।