୧୬-୩୦ଜାନୁଆରୀ, ୨୦୦୮
ବୁଦ୍ଧିଜୀବୀଙ୍କୁ ନିଜପଟକୁ ନେବାପାଇଁ କମ୍ପାନୀ ଓ କମ୍ପାନୀ ବିରୋଧୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଏହା ବୁଦ୍ଧିଜୀବୀଙ୍କର ସମାଜରେ ଗୁରୁତ୍ୱକୁ ନିଶ୍ଚିତ ଭାବରେ ଦର୍ଶାଉଛି । ନିକଟ ଅତୀତରେ ନନ୍ଦିଗ୍ରାମରେ କମ୍ପାନୀ ପ୍ରତିଷ୍ଠା ପାଇଁ ବଙ୍ଗଳା ସରକାରଙ୍କର ଆଗ୍ରହର ଆତିଶ୍ଚଯ୍ୟ ବିରୁଦ୍ଧରେ ଯେଉଁ ବିରାଟ ପଟୁଆର କୋଲକାତାର ରାଜରାସ୍ତାରେ ବାହାରିଲା – ତାହାକୁ ବୁଦ୍ଧିଜୀବୀଙ୍କର ପଟୁଆର ବୋଲି କୁହାଗଲା ଓ ଏହି ପଟୁଆରରେ ଚାଲୁଥିବା ସିନେମା ଜଗତର ନିଦେ୍ର୍ଧଶକ, ଅଭିନେତା, ଅଭିନେତ୍ରୀମାନଙ୍କୁ ହିଁ ଗଣମାଧ୍ୟମ ଅଧିକ ଗୁରୁତ୍ୱଦେଲା । ତେଣୁ ବୁଦ୍ଧିଜୀବୀ କହିଲେ କେଉଁମାନଙ୍କୁ ଆଜି ମୁଖ୍ୟତଃ ବୁଝାଯାଉଛି – ତାହା ଏତଦ୍ଦ୍ୱାରା ସ୍ପଷ୍ଟ ହୋଇଗଲା । ଏହା କମ୍ପାନୀମାନେ ଯେ ବୁଝନ୍ତି – ତାହା ଜଣାପଡ଼େ ଯେତେବେଳେ ବେଦାନ୍ତ କମ୍ପାନୀ ଭୁବନେଶ୍ୱର କଥା ଅନ୍ୟାନ୍ୟ ସହରରେ ନାଟକ, ସଙ୍ଗୀତ ଓ ଅଭିନୟରେ ମାତିଥିବା କଳାକାରମାନଙ୍କୁ ସେମାନଙ୍କର କଳାପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବା ଆମେ ଦେଖୁଛୁ । ଏହି ସୁଯୋଗକୁ ହାତଛଡ଼ା ନକରିବା ପାଇଁ ଆମ କଳାକାର ମହଲରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ଦର୍ଶାଇ ଦେଉଛି କମ୍ପାନୀର ପୃଷ୍ଠପୋଷକ ପାଇଁ ସେମାନଙ୍କର ବ୍ୟାକୁଳତା ।
ଏହିଭଳି ବୁଦ୍ଧିଜୀବୀମାନେ ଯେ ସେମାନଙ୍କର ଭୂମିକା ସମ୍ପର୍କରେ ସ୍ପଷ୍ଟ ନୁହନ୍ତି, ତାହାର ବିରାଟ ଉଦାହରଣ ହେଉଛନ୍ତି ଖ୍ୟାତନାମା ଚଳଚ୍ଚିତ୍ର ନିଦେ୍ର୍ଧଶକ ମୃଣାଳ ସେନ୍ । ଏ ମହାଶୟ ନନ୍ଦିଗ୍ରାମକୁ କେନ୍ଦ୍ରକରି ଉଭୟ ବିରୋଧ ଓ ସପକ୍ଷରେ ରାଜରାସ୍ତାକୁ ଓହ୍ଲାଉଥିବା ପଟୁଆରରେ ସାମିଲ ହୋଇଥିଲେ ବୋଲି ଗଣମାଧ୍ୟମରେ ବହୁ ପ୍ରଚାରିତ ସମ୍ବାଦ । ତେଣୁ କମ୍ପାନୀ ବିରୋଧୀମାନେ ବୁଦ୍ଧିଜୀବୀଙ୍କୁ ସେମାନଙ୍କର ଅଭିଯାନରେ ସାମିଲ କରିବାପୂର୍ବରୁ ସାମ୍ପ୍ରତିକ ସମାଜବ୍ୟବସ୍ଥାରେ ବୁଦ୍ଧିଜୀବୀର ଚରିତ୍ର ସମ୍ପର୍କରେ ସଚେତନ ଓ ସତର୍କ ରହିଲେ ସେମାନଙ୍କର ମୂଲ୍ୟବାନ ସମୟ ଅପଚୟ ହେବନାହିଁ ।
ବୁଦ୍ଧିଜୀବୀର ଆକ୍ଷରିକ ଅର୍ଥ ଯଦି ବୁଦ୍ଧିକୁ ଜୀବିକା କରି ଚଳୁଥିବା ବ୍ୟକ୍ତିକୁ ବୁଝାଯାଏ, ତା’ହେଲେ ତା’ର ଜୀବିକାକୁ ନିୟନ୍ତ୍ରଣ କରୁଥିବା ଶକ୍ତିକୁ ତାହା ସରକାରୀ ହେଉ ବା କମ୍ପାନୀର ହେଉ, ସେ ବିରୋଧ କରିବ; ଏହା ଆଶା କରାଯାଏନା । ଏବେ ତ ବହୁଉପାୟରେ ଜୀବିକାର ନିୟନ୍ତ୍ରଣ ଆରମ୍ଭ ହୋଇଛି, ସରକାର ଓହରିଯିବା ଆରମ୍ଭ କରିଛି – ଘରୋଇ ସଂସ୍ଥା ଏହି ଶୂନ୍ୟସ୍ଥାନ ପୂରଣ କରିବା ଆରମ୍ଭ କରିଛନ୍ତି । ସରକାରୀ ନିୟନ୍ତ୍ରଣରେ ଜୀବିକା ଥିଲାବେଳେ ଯେଉଁ ସୁରକ୍ଷାଟିକ ଥିଲା – ତାହା କ୍ଷୀଣ ହେବାରେ ଲାଗିଛି । ଘରୋଇ ନିୟନ୍ତ୍ରଣରେ ଜୀବିକା ଅଧିକ ଅସୁରକ୍ଷିତ ହୋଇଛି । ତେଣୁ ବୁଦ୍ଧିକୁ ଜୀବିକା କରି ଚଳୁଥିବା ବ୍ୟକ୍ତି ବା ବୁଦ୍ଧିଜୀବୀମାନେ ନିଜର ଜୀବିକାର ସୁରକ୍ଷା ବାହାରେ ଆଉ କିଛି ଦେଖିବାର ସମ୍ଭାବନା ବେଶ୍ ସଙ୍କୁଚିତ ହୋଇଚାଲିଛି । ଅନେକ ସମୟରେ ଏମାନେ ଘରୋଇ ଭାବରେ ବହୁ ବିପ୍ଳବୀମନ୍ତବ୍ୟମାନ କଲେ ମଧ୍ୟ ସର୍ବସାଧାରଣରେ ତାହାକୁ ବ୍ୟକ୍ତ କରନ୍ତି ନାହିଁ । ଉପରନ୍ତୁ ନିଜସ୍ୱ ଘରୋଇ ମତାମତର ସମ୍ପୂର୍ଣ୍ଣ ବିରୋଧୀ ମତ ଯାହା ମାଲିକକୁ ସୁହାଇବ, ସେହିଭଳି ମନ୍ତବ୍ୟ ସର୍ବସାଧାରଣରେ ଦେଇଥାନ୍ତି ।
ବୁଦ୍ଧିଜୀବୀ କିଏ? ତାହାର ଭୂମିକା ସମାଜରେ କ’ଣ ହେବା ଉଚିତ – ଏହା ପ୍ରତ୍ୟେକ ସମୟରେ ଏକ ବିତର୍କର ବିଷୟ ହୋଇଛି – ଯାହା ଦର୍ଶାଇଦିଏ ଯେ, ବୁଦ୍ଧିଜୀବୀ ବୋଲି କହି ଯେଉଁମାନଙ୍କୁ ଆମେ ଚିହ୍ନିତ କରିଥାଉ – ସେମାନେ ଆଶାନୁରୂପ ଭୂମିକା ଗ୍ରହଣ କରିନଥାନ୍ତି । ୬୦ ଦଶକରେ ବିଶିଷ୍ଟ ସମାଜବାଦୀ ଚିନ୍ତକ କିଶନ ପଟ୍ଟନାୟକ ଭାରତୀୟ ବୁଦ୍ଧିଜୀବୀଙ୍କ ସଙ୍କଟ ସମ୍ପର୍କରେ ଲେଖିଥିଲେ । ଭାଷାତତ୍ତ୍ୱବିତ୍, ଚିନ୍ତାନାୟକ, ଦାର୍ଶନିକ ଘକ୍ଟଙ୍କଜ୍ଞ ଉଷକ୍ଟଜ୍ଞଗ୍ଦଳଚ୍ଚ ତ ଏହିମାନଙ୍କ ଭୂମିକା ସମ୍ପର୍କରେ ବାରମ୍ବାର ଲେଖୁଛନ୍ତି ।
ତେବେ ‘ବୁଦ୍ଧିଜୀବୀ’ – ଯେଉଁମାନଙ୍କୁ କମ୍ପାନୀ ବିରୋଧୀମାନେ ନିଜ ପକ୍ଷକୁ ଆଣିବାକୁ ଚାହାନ୍ତି ସେମାନେ କିପରି ହେବା ଉଚିତ – ତାହାର ଏକ ଉଦାହରଣ ହେଉଛନ୍ତି ଓଡ଼ିଆ ପୁରାତନ ସାହିତ୍ୟରେ ଉଲ୍ଲିଖିତ କବି କୃଷ୍ଣଦାସ । ଶ୍ରୀକୃଷ୍ଣଙ୍କ ଜନ୍ମ, ତାଙ୍କର କର୍ମ, ତାଙ୍କର ଗୁଣକୁ ନେଇ ଗୀତ ରଚନା କରୁଥିବା କବି କୃଷ୍ଣ ଦାସଙ୍କୁ ଯେତେବେଳେ ତାଙ୍କ ଅଞ୍ଚଳର ରାଜା ନିଜନାମରେ ଭଣିତା ଲେଖିବା ପାଇଁ ଆଦେଶ ଦିଅନ୍ତି, ସେତେବେଳେ ସେ ଯାହା କହନ୍ତି ଓ ତା’ର ପ୍ରତିକ୍ରିୟା, ତାହାର ବର୍ଣ୍ଣନା ଏହିପରି:-
‘ବୋଇଲା ଶୁଣ ନୃପନାଥ । କେବଳ ଦେବ ଜଗନ୍ନାଥ ।
ଏ ପିଣ୍ଡ ବିକିଅଛି ତାରେ । ଗୀତ ମୁଁ ନ ବୋଲେ ଅନ୍ୟରେ ।
ଏକଥା ଅନ୍ୟ ହେବ କାହୁଁ । ଦୁଃଖ ନକରି ଆଜ୍ଞା ହେଉ ।
ତାହା ଶୁଣିଣ ଦଣ୍ଡଧର । ପୁଣି ବୋଇଲେ ଗୀତକର ।
ମୋ ନାମ ଭଣିଲେ ଅବଶ୍ୟ । ଅନେକ ଦେବି ଗ୍ରାମଦେଶ ।
ମୋ ରାଜ୍ୟେ ଦେବି ଅଧିକାର । ଦେଖ ମୁଁ ଜଗତ ଈଶ୍ୱର ।
ନୋହିଲେ ମରିବୁ ଅବଶ୍ୟ । ଛାଡ଼ ତୋ ଜୀବନର ଆଶ ।
କେ ଆସି ରଖିବଟି ତୋତେ । ଏହା ତୁ କହୁଅଛୁ ମୋତେ ।
ଦାସେ ବୋଇଲେ ତାହା ଶୁଣି । ଶୁଣ ହେ ନୃପ ଚୁଡ଼ାମଣି ।
ତୁମ୍ଭଙ୍କୁ ନାହିଁ ମୋର ଡର । ମୋ ପ୍ରଭୁ ବଳେ ବଳିୟାର ।
ଜଗତ ସୃଷ୍ଟି ଆନହେଲେ । ଗୀତ ମୁଁ ଆନକୁ ନ ବୋଲେ ।’
(କୃଷ୍ଣଦାସ ସମ୍ବାଦ-ଭକ୍ତକବି ସ୍ୱର୍ଗତ ରାମଦାସ ବିରଚିତ ଦାର୍ଢ଼୍ୟତା ଭକ୍ତି, ପ୍ରକାଶକ ଧର୍ମଗ୍ରନ୍ଥ ଷ୍ଟୋର, ଊନବିଂଶ ଅଧ୍ୟାୟ – ପୃ – ୧୪୯)
ଏଥିପାଇଁ କୃଷ୍ଣଦାସ କଠୋର ଦଣ୍ଡ ପାଆନ୍ତି, କିନ୍ତୁ ରାଜାର ଭଣିତା ଲେଖିବାପାଇଁ ରାଜିହୁଅନ୍ତି ନାହିଁ । ଏହିଭଳି ବୁଦ୍ଧିଜୀବୀଙ୍କ ଅପେକ୍ଷାରେ ଅଛନ୍ତି କମ୍ପାନୀ ବିରୋଧୀମାନେ । ଓଡ଼ିଶା ମାଟିରେ କୃଷ୍ଣଦାସଙ୍କର ଉଦାହରଣ ସେମାନଙ୍କ ମନରେ ଏହି ଅପେକ୍ଷା ବୃଥା ହେବନାହିଁ ବୋଲି ଏକ ଆଶା ସୃଷ୍ଟି କରୁଥିବ ।