ଅନୁନ୍ନତ କାଶୀପୁର ଅଞ୍ଚଳରେ କଲେରାରେ ଶହ ଶହ ଲୋକଙ୍କର ପ୍ରାଣହାନିର ସମ୍ବାଦ ଗୋଟିଏ ପଟେ । ଆରପଟ ଅତି ଆଧୁନିକ ସହର ହାଇଦ୍ରାବାଦର ଅବସର ବିନୋଦନ ପାଇଁ ଜମିଥିବା ଜନଗହଳି ମାନଙ୍କରେ ବୋମା ବିସ୍ଫୋରଣ ଫଳରେ ଶହ ଶହ ବ୍ୟକ୍ତି ହତାହତ ହେବାର ସମ୍ବାଦ । ହାଇଦରାବାଦରେ ମୃତୁ୍ୟର କାରଣ ମନୁଷ୍ୟକୃତ । କିନ୍ତୁ କାଶୀପୁରରେ ମୃତୁ୍ୟର କାରଣ କେତେ ପ୍ରକୃତିଜନିତ ତାହା ଅନୁସନ୍ଧାନ ସାପେକ୍ଷ । ହଠାତ ଜଳ ପ୍ରଦୂଷିତ ହୋଇଯିବାର କାରଣ କ’ଣ? ଏହି ପ୍ରଦୂଷଣ କଲେରାର ଉତ୍ସ କେଉଁଠି? ଏହି ଅଞ୍ଚଳର ଦାରିଦ୍ର୍ୟକୁ ଉଚ୍ଛେଦ କରିବା ପାଇଁ ପ୍ରାୟତଃ ଦୁଇ ଦଶନ୍ଧିରୁ ଆରମ୍ଭ ହୋଇଥିବା ବିକାଶ ପ୍ରକ୍ରିୟା ଏଥିପାଇଁ କେତେ ଦାୟୀ? କେତେ ଦାୟୀ ଏ ଅଞ୍ଚଳରେ ଗଢ଼ି ଉଠୁଥିବା ଆଲୁମିନା ଶିଳ୍ପ ଉଦ୍ୟୋଗ ଓ ବକ୍ସାଇଟ ଖଣି ଖନନ? ଏସବୁର ଏକ ସାମଗ୍ରିକ ଅନୁସନ୍ଧାନର ଆବଶ୍ୟକତା ରହିଛି । ଦରିଦ୍ର ଉଚ୍ଛେଦ ହୋଇଗଲେ ଦାରିଦ୍ର୍ୟ ଉଚ୍ଛେଦ ହୋଇଯିବ ଏଥିରେ କୌଣସି ସନେ୍ଦହ ନାହିଁ । ଦାରିଦ୍ର୍ର୍ୟକୁ ଉଚ୍ଛେଦ କରିବା ପାଇଁ ପ୍ରତିଶ୍ରୁତି ଦେଉଥିବା ଶକ୍ତିମାନଙ୍କ ସହ ଦରିଦ୍ରକୁ ଉଚ୍ଛେଦ କରିବା ପାଇଁ କଲେରା ଅଣ୍ଟାଭିଡ଼ି ବାହାରି ପଡ଼ିଛି କି? କାଶୀପୁରରେ କଲେରା କେତେ ମନୁଷ୍ୟକୃତ, କେତେ ପ୍ରକୃତିଜନିତ; ତାହା ବାସ୍ତବିକ ଏକ ନିରପେକ୍ଷ ଅନୁସନ୍ଧାନକୁ ଅପେକ୍ଷା କରୁଛି ।

Print Friendly, PDF & Email