ନନ୍ଦିଗ୍ରାମ
କଳିଙ୍ଗନଗର ଗୁଳିକାଣ୍ଡର ପ୍ରାୟ ଏକବର୍ଷ ପରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ଗୁଳିକାଣ୍ଡ ହେଲା । ଏନ୍.ଡି.ଏର ଅଂଶୀଦାର ବି.ଜେ.ଡି.- ବି.ଜେ.ପି. ମେଣ୍ଟ ସରକାର କଳିଙ୍ଗନଗର ଗୁଳିକାଣ୍ଡ ପାଇଁ ଦାୟୀ ହୋଇଥିବା ବେଳେ-ଉପା (UPA)ର ସମର୍ଥକ ସି.ପି.ଏମ୍. ନେତୃତ୍ୱରେ ବାମଫ୍ରଣ୍ଟ ସରକାର ନନ୍ଦିଗ୍ରାମ ଗୁଳିକାଣ୍ଡ ପାଇଁ ଦାୟୀ ହୋଇଗଲା । କଳିଙ୍ଗନଗର ଗୁଳିକାଣ୍ଡର ପ୍ରତିବାଦରେ ମୁଖର ହୋଇଥିବା ସି. ପି.ଏମ୍.କୁ ନନ୍ଦିଗ୍ରାମ ଗୁଳିକାଣ୍ଡ ନୀରବ କରିଦେଲା । ଅପର ପକ୍ଷରେ ଯେଉଁମାନେ କଳିଙ୍ଗନଗର ଗୁଳିକାଣ୍ଡ ବେଳେ ନୀରବ ଥିଲେ ସେମାନେ ମୁଖର ହୋଇ ଉଠିଲେ । ଏହିଭଳି ଏକ ପଟ୍ଟପରିବର୍ତ୍ତନକୁ ଲକ୍ଷ୍ୟ କରି ବାହାରିପଡ଼ିଛି ନିମ୍ନୋକ୍ତ କେତୋଟି ଅନିୟମିତ ଧାଡ଼ି ।
ନନ୍ଦିଗ୍ରାମ ହେଲା
ଭଲ ହେଲା
କଳିଙ୍ଗନଗର ବେଳେ ବନ୍ଦ ଥିବା ମୁହଁ
ଖୋଲିବାର ସୁଯୋଗ ପାଇଲା
ଏ’ପଟେ ଚାକିରୀ ରହିଲା
ସେପଟେ ବିବେକ ଦଂଶନରୁ କିଛିଟା ମୁକତି ମିଳିଲା ।
ନନ୍ଦିଗ୍ରାମ ହେଲା
ଭଲ ହେଲା ।
ନନ୍ଦିଗ୍ରାମ ହେଲା
ଭଲ ହେଲା –
ମୁଖା ସବୁ, ଭୁସ୍ଭାସ ଖସିତ ପଡ଼ିଲା
ଚିହ୍ନି ହୋଇଗଲା
କିଏ ନିଜର ଆଉ କିଏ ଏଠି ପର
କିଏ ଆମର ଆଉ କିଏ ବା ତାଙ୍କର
କିଏ କେଉଁ ପଟେ
ଏପଟେ କି ସେପଟେ
ସବୁ ସ୍ପଷ୍ଟ ହୋଇଗଲା –
ନନ୍ଦିଗ୍ରାମ ହେଲା
ଭଲ ହେଲା ।

Print Friendly, PDF & Email