୧୬-୩୧ ମଇ ୨୦୦୭
ଦକ୍ଷିଣ କୋରିଆ ମାତିଛି
ଦକ୍ଷିଣ କୋରିଆର ପୋସ୍କୋ କମ୍ପାନୀକୁ ନେଇ ଦେଖାଦେଇଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଅତିଶୟ ଆଗ୍ରହ ଓ ବିସ୍ଥାପନ ଆଶଙ୍କାରେ କାଳାତିପାତ କରୁଥିବା ଜନସାଧାରଣଙ୍କର ତୀବ୍ର ପ୍ରତିରୋଧ ଯେତେବେଳେ ଓଡ଼ିଶା ମାଟିରେ ଦୃଶ୍ୟମାନ – ସେତିକିବେଳେ ସୁଦୂର ଆମେରିକାର ଭର୍ଜିନିଆ ଟେକ୍ ବିଶ୍ୱବିଦ୍ୟାଳୟରେ ଏକ ଦକ୍ଷିଣ କୋରିଆ ଛାତ୍ରଙ୍କର ୩୦ରୁ ଅଧିକ ଛାତ୍ର ଶିକ୍ଷକଙ୍କୁ ହତ୍ୟା ଆଞ୍ଚଳିକ ସମ୍ବାଦ ସରବରାହଠାରୁ ଆରମ୍ଭ କରି ଆନ୍ତର୍ଜାତିକ ସମ୍ବାଦ ସରବରାହ ପର୍ଯ୍ୟନ୍ତ ସବୁଥିରେ ଦକ୍ଷିଣ କୋରିଆକୁ ଆଲୋଚନାର କେନ୍ଦ୍ରବିନ୍ଦୁକୁ ନେଇ ଆସିଛି । ପୋସ୍କୋ କମ୍ପାନୀର ଭାରତୀୟ ଶାଖାର ସର୍ବୋଚ୍ଚ ଅଧିକାରୀ ସୌଙ୍ଗ-ସିକି-ଚୋ (Soung-sik-cho) ଓ ଭର୍ଜିନିଆ ଟେକ୍ ବିଶ୍ୱବିଦ୍ୟାଳୟର ଛାତ୍ର ହତ୍ୟାକାରୀ ଚୋ ସିୟୁଙ୍ଗ ହୁଇ (Cho seung Hui) ଉଭୟଙ୍କ ନାମରେ ସାଦୃଶ୍ୟ (ଚୋ(cho)) ଅନେକଙ୍କୁ ସ୍ୱାଭାବିକ ବିସ୍ମିତ କରୁଛି । ବିଶେଷତଃ ଯେତେବେଳେ ପୋସ୍କୋ କାରଖାନା ପାଇଁ ପ୍ରସ୍ତାବିତ ଅଞ୍ଚଳର ଲୋକେ ଜୀବନ ଦେବେ ପଛେ ଜମି ଛାଡ଼ିବେନାହିଁ ବୋଲି ପଣ ଧରିଛନ୍ତି ଓ ପୋସ୍କୋ ନ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଉଭୟ କମ୍ପାନୀ ଓ ସରକାର କହୁଛନ୍ତି ।
ଦକ୍ଷିଣ କୋରିଆ ଆଉ ଏକ କାରଣ ଯୋଗୁଁ ମଧ୍ୟ ସମ୍ବାଦ ସରବରାହରେ ଦୃଶ୍ୟମାନ ହେଉଛି । ତାହା ହେଉଛି ୨୦୧୪ ମସିହାରେ ଏସୀୟ କ୍ରୀଡ଼ା ଦକ୍ଷିଣ କୋରିଆର ଇଞ୍ଚôଆନ (Inchean) ସହରରେ ହେବାର ନିଷ୍ପତ୍ତ । ଭାରତୀୟ କ୍ରୀଡ଼ା ଅଧିକାରୀମାନେ ଚାହୁଁଥିଲେ ଯେ, ଏହା ଦିଲ୍ଲୀରେ ହେଉ । ଏହା ହୋଇପାରିଲା ନାହିଁ । ତେଣୁ କ୍ଷୁବ୍ଧ ଭାରତୀୟ ଅଧିକାରୀମାନଙ୍କର ଅଭିଯୋଗ ଯେ, ଦକ୍ଷିଣ କୋରିଆ ଅନୁଚିତ (Inchean) ଉପାୟ ଅବଲମ୍ବନ କରି ନିଜ ସପକ୍ଷରେ ଏହି ନିଷ୍ପତ୍ତ କରାଇ ନେଇଛି ।(ଦ୍ରଷ୍ଟବ୍ୟ-The Statesman, 27. 4. 2007)
ଅନୁଚିତ ଉପାୟ ଅବଲମ୍ବନ କରି ଦକ୍ଷିଣ କୋରିଆ କ୍ରୀଡ଼ା କ୍ଷେତ୍ରରେ ଯଦି ଭାରତଠାରୁ ତାର ପ୍ରାପ୍ୟ ଛଡ଼ାଇ ନେଇପାରୁଛି, ତା’ହେଲେ ଭାରତମାଟିରୁ ଜମି, ଜଳ, ଜଙ୍ଗଲ, ଖଣି ନେଇଯିବା ପାଇଁ ଯେକୌଣସି ଉପାୟ ଅବଲମ୍ବନ କରୁନଥିବେ କାହିଁକି? ଦକ୍ଷିଣ କୋରିଆରେ କମ୍ପାନୀମାନେ କମ୍ପାନୀର କର୍ମଚାରୀଙ୍କ ଦ୍ୱାରା ନାର୍ଯ୍ୟଦାବୀକୁ ନେଇ ହେଉଥିବା ଧର୍ମଘଟକୁ ଭାଙ୍ଗିବା ପାଇଁ ‘save the company’ ନାମରେ ଗୁଣ୍ଡାବାହିନୀ ରଖିବା ତ ଏକ ସାଧାରଣ କଥା । (ଦ୍ରଷ୍ଟବ୍ୟ – Alvin Toffler ଙ୍କର ଲିଖିତ Power Shift, ପୃଷ୍ଠା ୩୮)
ଜାତିସଂଘର ମହାସଚିବ ଦଉଡ଼ରେ ଦକ୍ଷିଣ କୋରିଆର ମୁନଙ୍କୁ ଭାରତର ଶଶି ଥରୁର କିପରି ବାଟ ଛାଡ଼ିବାକୁ ବାଧ୍ୟ ହେଲେ-ତାହା ଏହି ପ୍ରସଙ୍ଗରେ ସ୍ମରଣ କରାଯାଇପାରେ ।