୧-୧୬ ଏପ୍ରିଲ ୨୦୦୭
କଳିଙ୍ଗନଗରରୁ ନନ୍ଦିଗ୍ରାମ – ବାମପନ୍ଥୀ ଦର୍ଶନ ପ୍ରତି ଆହ୍ୱାନ
କଳିଙ୍ଗନଗରରୁ ନନ୍ଦିଗ୍ରାମ ଦୂରତା ମାତ୍ର ଏକ ବର୍ଷର : ପୁଲିସ ଗୁଳିରେ ଗରିବ ଗୁରୁବାଙ୍କର ମୃତୁ୍ୟ ସମୟ ଭିତରେ । ସରକାର ଦକ୍ଷିଣପନ୍ଥୀ ହେଉ ବା ବାମପନ୍ଥୀ ହେଉ, ଗରିବ ମଣିଷ ପାଇଁ ତା ହାତରେ ଗୁଳି ହିଁ ଉତ୍ତର । ଦକ୍ଷିଣପନ୍ଥୀ ଧନୀଙ୍କର ଓ ବାମପନ୍ଥୀ ଗରିବଙ୍କର ଏହି ପରିଭାଷା ଯେପରି ହୋଇପଡ଼ିଛି ପ୍ରମାଦଗ୍ରସ୍ତ । ବାମପନ୍ଥୀ ଦର୍ଶନର କେନ୍ଦ୍ରରେ ତ ଖଟିଖିଆ, ଶ୍ରମଜୀବୀ ମଣିଷ-ସବୁବେଳେ । କିନ୍ତୁ ଏହି ଦର୍ଶନକୁ ଅଭ୍ୟାସ କରିବା ପାଇଁ ଯେଉଁମାନେ ବାମପନ୍ଥୀ ହେଲେ-ସେମାନଙ୍କର ଉତ୍ତର ପୁରୁଷ ଆଜି ଏହି ଦର୍ଶନକୁ ଯେ ନାମମାତ୍ର କରିଦେଇଛନ୍ତି – ତାହାର ରକ୍ତରଞ୍ଜିତ ପ୍ରମାଣ ହେଉଛି ନନ୍ଦିଗ୍ରାମ । ଦକ୍ଷିଣପନ୍ଥୀ କଦାପି ଖଟିଖିଆ, ଶ୍ରମଜୀବୀର ହୋଇପାରେ ନା-ଏହା ଅବିସମ୍ବାଦିତ ସତ୍ୟ । ତେଣୁ ଆଜି ଯେତେବେଳେ ଜିନ୍ଦଲ କମ୍ପାନୀର ମାଲିକ, ଶିଳ୍ପପତିମାନଙ୍କର ବିଭିନ୍ନ ଗୋଷ୍ଠୀ ଯପରି ସି.ଆଇ.ଆଇ. ବା ଆସୋଚାମ ନନ୍ଦିଗ୍ରାମ ଘଟଣାକୁ ନିନ୍ଦା କରନ୍ତି – ସେତେବେଳେ ଏ ଭ୍ରମ ଆଦୌ ସୃଷ୍ଟି ହେବା ଉଚିତ ନୁହେଁ ଯେ, ଏମାନେ ସାଧାରଣ ଖଟିଖିଆ, ଦିନମଜୁରିଆ, ଶ୍ରମଜୀବୀ ମଣିଷର ପାଖରେ ଠିଆ ହେଉଛନ୍ତି । ବରଂ ଏହାକୁ ବାମପନ୍ଥୀଦର୍ଶନକୁ ନିନ୍ଦିତ କରିବାର ଏକ ଅପୂର୍ବ ସୁଯୋଗ ବୋଲି ମନେକରି -ସେମାନେ ଏହିଭଳି ମନ୍ତବ୍ୟମାନ ଦେଇଛନ୍ତି । ଏହା ଦୁର୍ଭାଗ୍ୟର ବିଷୟ ଯେ, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କର ନେତୃତ୍ୱରେ ସି.ପି.ଏମ୍. ସରକାର ଏହିଭଳି ଏକ ଅବସର ପୁଞ୍ଜିପତି ଶ୍ରେଣୀ ପାଇଁ ସୃଷ୍ଟିକରିଛି ଓ ବଙ୍ଗଳା ସି.ପି.ଏମ୍. ପିତାମହ ଜ୍ୟୋତିବସୁଙ୍କୁ ମଧ୍ୟ କହିବାକୁ ବାଧ୍ୟ କରୁଛି ଯେ, ‘ମାର୍ଚ୍ଚ ୧୪ପରଠାରୁ ଲୋକେ ଦଳଠାରୁ ଦୂରେଇ ଯାଇଛନ୍ତି ।’ ସମସ୍ତେ ଏକମତ ଯେ, ଏହା ବୁଦ୍ଧଦେବଙ୍କର ଔଦ୍ଧତ୍ୟର ପରିଣତି । ତା’ନହେଲେ ମେଣ୍ଟର ଅନ୍ୟ ଅଂଶୀଦାରମାନଙ୍କୁ କୌଣସି ବିଷୟରେ ପରାମର୍ଶ କରନ୍ତେ ନାହିଁ କାହିଁକି? କାହିଁକି ଜ୍ୟୋତିବସୁଙ୍କୁ କହିବାକୁ ପଡ଼ନ୍ତା ଯେ, ମେଣ୍ଟର ଅନ୍ୟ ଅଂଶୀଦାର ମାନଙ୍କ ପ୍ରତି ଏତାଦୃଶ ବେଖାତିର ମେଣ୍ଟର ୩୦ବର୍ଷର ଇତିହାସରେ ଅଭୂତପୂର୍ବ । (unprecedented in the 30years History of the left front) (ଦ୍ରଷ୍ଟବ୍ୟ The Sunday Statesman, Dt.18.3.07, ସମ୍ପାଦକୀୟ) । ମମତା ବାନାର୍ଜୀ ତ ଦାବି କରିଛନ୍ତି ବୁଦ୍ଧଦେବଙ୍କର ଇସ୍ତଫା – ନରହତ୍ୟା ଅପରାଧରେ ଦୋଷୀ ଆଖ୍ୟାୟିତ କରି । ଜଷ୍ଟିସ କୃଷ୍ଣ ଆୟାର ମଧ୍ୟ ଦାବି କରିଛନ୍ତି ବୁଦ୍ଧଦେବଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି, ସି.ପି.ଏମ୍.ର ମହାସଚିବ ପ୍ରକାଶ କରାତଙ୍କୁ ଚିଠି ଲେଖି । (ଦ୍ରଷ୍ଟବ୍ୟ – The Statesman, 17.3.07)) । କିନ୍ତୁ ବୁଦ୍ଧଦେବ ନିଜ ବିବେକକୁ ପଚାରି ସ୍ୱତଃବୃତ୍ତ ଇସ୍ତଫା ଦେଇଦେବା ଉଚିତ-କାରଣ ସେ ବାମପନ୍ଥୀ ଦର୍ଶନ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ବାମପନ୍ଥୀ ଦର୍ଶନରେ ବିଶ୍ୱାସୀ ମଣିଷର ବିଶ୍ୱାସ ପ୍ରତି କୁଠାରଘାତ କରିଛନ୍ତି – ଏହି ଦର୍ଶନର ବିରୋଧୀ ଦର୍ଶନକୁ ହତିଆର ଯୋଗାଇଛନ୍ତି । ଗୃହଶତ୍ରୁ ହୋଇପଡ଼ିଛନ୍ତି । ସେ ତ ନିଜକୁ ପୂର୍ବରୁ ଏଜେଣ୍ଟ ବୋଲି ଘୋଷଣା କରିଛନ୍ତି ଶିଳ୍ପପତିଙ୍କର-ତେଣୁ ସେ ସେମାନଙ୍କ ଶିବିରକୁ ଯଦି ପଳାଇଯାଆନ୍ତି ତା’ହେଲେ ବାମପନ୍ଥୀ ଦର୍ଶନ ପାଇଁ ମଙ୍ଗଳ । ତା’ହେଲେ ବାମପନ୍ଥୀ ଦର୍ଶନ ବାଡ଼ିଆ ପାଇଁ ଦକ୍ଷିଣପନ୍ଥୀ ଆହୁରି ଅବସର ପାଇବେ । ଏହା ସି.ପି.ଏମ୍. ଦଳ ବିଚାର କରିବା ଉଚିତ । ନିଜକୁ Commercial Party of India (MNCs) ରେ ପରିଣତ ହେବା ପାଇଁ ଛାଡ଼ିଦେବା ପୂର୍ବରୁ ପଦଛାଡ଼ିବା ପାଇଁ କୁଣ୍ଠିତ ବୁଦ୍ଧଦେବଙ୍କୁ ପଦଚୁ୍ୟତ କରିବା ପାଇଁ ଦଳ ଶୀଘ୍ର ପଦକ୍ଷେପ ନେବା ଉଚିତ ।