୧୬-୩୧ ମାର୍ଚ୍ଚ ୨୦୦୭
କଳିଙ୍ଗନଗର ଉପରେ ଏକ ଲେଖା ଇତ୍ୟବସରରେ ପ୍ରକାଶିତ ହୋଇଛି ଯାହାର ଶିରୋନାମା ହେଉଛି ‘ବିଭ୍ରାନ୍ତିର ଉପତ୍ୟକା – କଳିଙ୍ଗନଗର’ । (ଦ୍ରଷ୍ଟବ୍ୟ ୧୧ମାର୍ଚ୍ଚ – ୨୦୦୭, ସମାଜ) କାହାପାଇଁ କଳିଙ୍ଗନଗର ବିଭ୍ରାନ୍ତିର ଉପତ୍ୟକା ହୋଇଛି – ତାହା ଏହି ଲେଖାରୁ ସ୍ପଷ୍ଟ ହେଉନାହିଁ । ଗୋଟିଏ ପକ୍ଷରେ ସରକାର ଓ ଘରୋଇକମ୍ପାନୀ, ଅନ୍ୟପକ୍ଷରେ ପ୍ରଭାବିତ ହେଉଥିବା ଲୋକଙ୍କର ଅବଦମିତ ପଟୁଆର – କିଏ କାହାପାଇଁ ବିଭ୍ରାନ୍ତି ସୃଷ୍ଟି କରୁଛି?
ତେବେ ଏହି ଲେଖାଟିରେ କଳିଙ୍ଗନଗରରେ ଶିଳ୍ପପୁଞ୍ଜ ସବୁ କାର୍ଯ୍ୟକ୍ଷମ ହୋଇଗଲେ ‘ଅଞ୍ଚଳର ଚିତ୍ରପଟ’ ଓ ‘ରାଜ୍ୟର ଚିତ୍ର’ ବଦଳିଯିବ କହି ରଙ୍ଗୀନ ଭବିଷ୍ୟତର ସ୍ୱପ୍ନ ଦେଖାଇବାକୁ ଲେଖକ ଯେ ଚେଷ୍ଟା କରିଛନ୍ତି ତାହା ସ୍ପଷ୍ଟ । ଏଥିପାଇଁ ତାଙ୍କର ବିଭିନ୍ନ ପ୍ରସ୍ତାବ, ଯାହା ଅବଶ୍ୟ ଅଞ୍ଚଳଟିକୁ ବିଶେଷ ଅର୍ଥନୈତିକ ଅଞ୍ଚଳ ବା ଏସ୍.ଇ.ଜେଡ଼୍ ବୋଲି ଘୋଷଣା କରିଦେଲେ ସହସା କାର୍ଯ୍ୟକାରୀ ହୋଇଯିବା ମଧ୍ୟ ସ୍ପଷ୍ଟ । ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ମାଓବାଦୀଙ୍କ ଦ୍ୱାରା ପ୍ରଭାବିତ – ଏହା ମଧ୍ୟ ସେ ସ୍ପଷ୍ଟଭାବେ କହିଛନ୍ତି – ଯଦିଓ ଗତ କିଛିମାସ ତଳେ କେନ୍ଦ୍ର ସରକାରଙ୍କର ଗୃହ ସଚିବ – ଏହାକୁ ଅସ୍ୱୀକାର କରିବା ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ସେ ମଧ୍ୟ ଖୁବ୍ ସ୍ପଷ୍ଟ, ଯଦିଓ ପ୍ରଶ୍ନ ଛଳରେ ତାଙ୍କର ବକ୍ତବ୍ୟକୁ ରଖିଛନ୍ତି – ଯେ ଆଦିବାସୀଙ୍କର ଏହି ବିରୋଧ ପଛରେ ଚାଇନା, ଇଉରୋପ ଭଳି ‘ବିଦେଶୀ ଶକ୍ତି’ ମାନଙ୍କର ହାତ ରହିଛି । ତେଣୁ ‘ବିଭ୍ରାନ୍ତିର ଉପତ୍ୟକା କଳିଙ୍ଗନଗର’ ସମ୍ପର୍କରେ ଲେଖକଙ୍କର କୌଣସି ବିଭ୍ରାନ୍ତି ଥିବା ମନେ ହୁଏ ନାହିଁ ।
ତେବେ ଲେଖକ ତାଙ୍କର ଲେଖାଟିର ଶେଷ ପରିଚ୍ଛେଦରେ ଯେଉଁ ପ୍ରଶ୍ନ ଉଠାଇଛନ୍ତି ବର୍ତ୍ତମାନ ପିଢ଼ିର ଅବଶିଷ୍ଟ ସମୟ ଓ ଭବିଷ୍ୟତ ପିଢ଼ିର ଆସୁଥିବା ସମୟକୁ କେନ୍ଦ୍ର କରି ଓ କ’ଣ ଉତ୍ତର ଦେବେ ବୋଲି ପାଠକଙ୍କୁ ପ୍ରଶ୍ନ କରିଛନ୍ତି – ତାହା ଆଦିବାସୀ ନେତୃବୃନ୍ଦଙ୍କ ମନରେ କାହିଁକି ଉଠୁନଥିବ ବୋଲି ଲେଖକ ଯଦି ବିଚାର କରନ୍ତେ – ତା’ହେଲେ କଳିଙ୍ଗନଗର ଆଦୌ ବିଭ୍ରାନ୍ତିର ଉପତ୍ୟକା ବୋଲି ତାଙ୍କୁ ମନେହୁଅନ୍ତା ନାହିଁ ।
ଯେଉଁ ଆଦିବାସୀମାନେ ରାଉରକେଲାର ଜମି ଛାଡ଼ିଦେଲେ ଶିଳ୍ପାୟନ ପାଇଁ ଓ ବାସହରା ହେଲେ – ସେମାନଙ୍କୁ ତାଙ୍କର ଉତ୍ତର ପୁରୁଷ ଆଜି କି ପ୍ରଶ୍ନ କରୁଛି? ନିକଟ ଅତୀତରେ ସେ ଅଞ୍ଚଳରେ ହୋଇଥିବା ଆନେ୍ଦାଳନରେ ତ ସେ ପ୍ରଶ୍ନ ପାଇଛି ସଶବ୍ଦ ଅଭିବ୍ୟକ୍ତି । ଆଜି ହୀରାକୁଦ ଅଞ୍ଚଳରେ ଯେଉଁମାନେ କ୍ଷତିପୂରଣ ଦାବି କରି ଆନେ୍ଦାଳନ କରୁଛନ୍ତି-ସେମାନେ ଏକଦା ବିସ୍ଥାପିତ ହୋଇଥିବା ଅଧିବାସୀଙ୍କର ଉତ୍ତରପୁରୁଷ । ଏହି ଆନେ୍ଦାଳନ ଜରିଆରେ ସେମାନେ କି ପ୍ରଶ୍ନ ତାଙ୍କର ଉତ୍ତରପୁରୁଷଙ୍କୁ କରୁଛନ୍ତି – ତାହା ‘ବିଭ୍ରାନ୍ତିର ଉପତ୍ୟକା-କଳିଙ୍ଗନଗର’ର ଲେଖକ ଶୁଣିପାରିବା ଉଚିତ । ସେହି ପ୍ରଶ୍ନ ବୋଧହୁଏ କଳିଙ୍ଗନଗରର ଆଦିବାସୀ ନେତୃତ୍ୱ ଶୁଣିବାକୁ ଚାହେଁ ନାହିଁ । ତେଣୁ ଅବ୍ୟାହତ ରହିଛି ବିରୋଧ । ଯଦି ବି ସେ ଏହି ଲଢ଼େଇରେ ହାରିଯାଏ – ତା’ହେଲେ ଉତ୍ତରପୁରୁଷ ପାଖରେ ସେ ଦୋଷୀ ହେବନାହିଁ – ବରଂ ଏକ ଲଢ଼ୁଆ ପରମ୍ପରାର ସ୍ପଷ୍ଟ ଭାବେ ଉତ୍ତରପୁୁରୁଷର ସାମ୍ନାରେ ସେ ରହିବ ପ୍ରେରଣାର ଉତ୍ସ ହୋଇ । ଅପରପକ୍ଷରେ ବିସ୍ଥାପିତର ଅବଶିଷ୍ଟ ଜୀବନ କିପରି – ତାହା ଦେଖିବାକୁ ଲେଖକ ମହାଶୟ ଗୋପାଳପୁରରେ ଟାଟା କମ୍ପାନୀ କରିଥିବା ଥଇଥାନ କଲୋନୀକୁ ଯିବା ଦରକାର ବା ସେହି ପାଖରେ ହୋଇଥିବା ଥଇଥାନ କଲୋନୀଗୁଡ଼ିକୁ ଦେଖି ଆସିବା ଦରକାର ।
ବର୍ତ୍ତମାନର ପିଢ଼ି ହେଉ ବା ଭବିଷ୍ୟତ ପିଢ଼ି ହେଉ – ଏହି ପିଢ଼ି ଭିତରେ ବିସ୍ଥାପିତର ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ମଧ୍ୟ ଅଛି । ସେମାନଙ୍କର ପ୍ରଶ୍ନର ଆଗେ କି ଉତ୍ତର ଦେବା ଏହି ପ୍ରଶ୍ନ ଯଦି ଆମକୁ ବିବ୍ରତ କରୁଥାଏ – ତା’ହେଲେ ବିଭିନ୍ନ ଅଞ୍ଚଳରେ ଚାଲିଥିବା ବିସ୍ଥାପନ ବିରୋଧୀ ଆନେ୍ଦାଳନ ସମ୍ପର୍କରେ ଆମର କୌଣସି ଭ୍ରାନ୍ତି ରହିବ ନାହିଁ ।