୧-୧୬ ମାର୍ଚ୍ଚ ୨୦୦୭

ଆମେରିକାର ରାସାୟନିକ କୀଟନାଶକ କମ୍ପାନୀ ଡାଓ କେମିକାଲ୍ସ ଭାରତୀୟ ଅଧିକାରୀଙ୍କୁ ମୋଟା ଅଙ୍କରେ ଘୁସ୍ ଦେଇଛନ୍ତି । (ଦ୍ରଷ୍ଟବ୍ୟ ‘ଦି ନୁ୍ୟ ସଣ୍ଡେ ଏକ୍ସପ୍ରେସ୍’, ତା ୨୫/୨/୨୦୦୭) । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କର ଅଧିକାରୀ ଏହି ତାଲିକାରେ ଅଛନ୍ତି । ଘୁସ୍ର ପରିମାଣ ହେଉଛି ୨ଲକ୍ଷ ୧ଶହ ଡଲାର ବା ପ୍ରାୟଃ ଏକ କୋଟି ଟଙ୍କା । ଏହି ଘୁସ୍ ଦିଆଯାଇଛି ୧୯୯୬ରୁ ୨୦୦୧ମଧ୍ୟରେ – ଡାଓ ପ୍ରସ୍ତୁତ କୀଟନାଶକର ଭାରତ ଭୂମିରେ ପଞ୍ଜିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ । ସବୁଠାରୁ ମଜାର କଥା ହେଉଛି – ଡାଓ କମ୍ପାନୀ ନିଜର ଆଭ୍ୟନ୍ତରୀଣ ଅନୁସନ୍ଧାନ ଚଳାଇ ଏହି ତଥ୍ୟ ଆବିଷ୍କାର କରିଛି ଓ ଏହି ତଥ୍ୟକୁ କମ୍ପାନୀ ଆମେରିକାର ସିକୁ୍ୟରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ(US Security and Exchange Commission))ନିକଟରେ ଜଣାଇ ୩ଲକ୍ଷ ୨୫ହଜାର ଡଲାର ଜୋରିମାନା ଦେଇଛନ୍ତି । ଏତଦ୍ୱାରା – ଡାଓ କମ୍ପାନୀ ତାର ଆଭ୍ୟନ୍ତରୀଣ ପରିଚାଳନାକୁ ଦୁର୍ନୀତିମୁକ୍ତ କରିବା ପାଇଁ ନିଜ ତରଫରୁ ଅନୁସନ୍ଧାନ ଚଳାଇ – ନିଜ ଭିତରର ଦୁର୍ନୀତିକୁ ପଦାରେ ପକାଇ – ଘୁସ ଦେଇଥିବାର ଅର୍ଥ ଠାରୁ ଅଧିକ ଅର୍ଥ ଜୋରିମାନା ଦେଇ – ପ୍ରାୟଶ୍ଚିତ କରିବା ଭଳି ମନେ ହେଉଛି ।
କିନ୍ତୁ ଏହି ଘୁସ ଦେଇ ଯେଉଁ ବେପାର ଡାଓ କମ୍ପାନୀ ଭାରତ ଭୂମିରେ କରିପାରିଲେ – ଓ ସେଥିରୁ ଯେଉଁ ପରିମାଣରେ ଲାଭ ପାଇଥିବେ – ତାହାର ଏହି ଜୋରିମାନା କେତେ ଅଂଶ? ଏହା ଏହି ସମ୍ବାଦରୁ ଜଣାପଡ଼ୁନାହିଁ । ଯଦି କୋଟି କୋଟି ଡଲାର ଲାଭ କରି – ଏହାର ନଗଣ୍ୟ ଅଂଶ ଜୋରିମାନା ଆକାରରେ ଦେଇ ନିଜର ଭାବମୂର୍ତ୍ତିକୁ ନିର୍ମଳ କରି ଦିଆଯାଇ ପାରେ ତା’ହେଲେ ଏହାଠାରୁ ଉତ୍ତମ କୌଶଳ ଆଉ କ’ଣ ହୋଇପାରେ?
ଏହି କୌଶଳକୁ ଆୟୁଧ କଲେ ଉଭୟ ଅର୍ଥ ଓ ସୁନାମ ଅର୍ଜନ କରାଯାଇପାରେ । ଯେଉଁମାନେ ଏହି କୌଶଳ ପ୍ରୟୋଗ କରୁଛନ୍ତି – ସେମାନେ ତ ଚତୁର ନିଶ୍ଚୟ । କିନ୍ତୁ ଆମେ ଯେଉଁମାନେ ଏହିଭଳି ସମ୍ବାଦ ଦେଖୁଛୁ ବା ପଢ଼ୁଛୁ – ନିଶ୍ଚିତ କୌଶଳଟିକୁ ବୁଝିବା ଅସମର୍ଥ ନୁହେଁ । ତେବେ ଜୋରିମାନା ତୁଳନାରେ ଘୁସ୍ର ପରିମାଣରୁ ଜଣାଯାଏ ଯେ ଆମର ଅଧିକାରୀମାନଙ୍କର ମୂଲ୍ୟ ବହୁତ କମ୍ ।

Print Friendly, PDF & Email