ଦ୍ଭ ୧-୧୬ ଜୁଲାଇ ୨୦୦୬
ଇସ୍କନ କୃଷ୍ଣ – ପୋସ୍କା କୌଶଳ
୨ଜୁନ୍ ୨୦୦୬ଦିନ ପୋସ୍କୋ-ଇଣ୍ଡିଆର ଅଧ୍ୟକ୍ଷ ଭୁବନେଶ୍ୱରସ୍ଥିତ ଇସ୍କନ ମନ୍ଦିର ଯାଇ କୃଷ୍ଣଙ୍କୁ ତାଙ୍କର ଭକ୍ତି ନିବେଦନ ଦୃଶ୍ୟ ପ୍ରାୟଃ ସମସ୍ତ ସ୍ଥାନୀୟ ଟି.ଭି.ଚ୍ୟାନେଲରେ ପ୍ରସାରିତ ହୋଇଛି । ସେହି ସମୟରେ ମଧ୍ୟ ପ୍ରସାରିତ ହୋଇଛି ପୋସ୍କୋ-ଇଣ୍ଡିଆର ଭୁବନେଶ୍ୱର ଅଫିସ (ଫରଚ୍ୟୁନ ଟାୱାରରେ ଅବସ୍ଥିତ) ସମ୍ମୁଖ ଓ ପାରାଦ୍ୱୀପଠାରେ ପୋସ୍କୋ ବିରୋଧୀ ବିକ୍ଷୋଭ । ୨୨ ଜୁନ୍ ୨୦୦୬ ପୋସ୍କୋ ସହିତ ଓଡ଼ିଶା ସରକାରଙ୍କର ବୁଝାମଣା ପତ୍ର ସ୍ୱାକ୍ଷର ବର୍ଷ ପୂର୍ତ୍ତର ଦିନ । ତେଣୁ ସ୍ୱଭାବତଃ ଏହାର ରହିଛି ବିଶେଷ ଗୁରୁତ୍ୱ । ଏହି ଅବସରରେ ଆଞ୍ଚଳିକ ଭାଷା ଓ ଇଂରାଜୀ ଖବରକାଗଜ ମାନଙ୍କରେ ପୋସ୍କୋର ଆବଶ୍ୟକତା ଉପରେ ଦୀର୍ଘ ଲେଖାମାନ ପ୍ରକାଶିତ ହୋଇଛି । ଟି.ଭି.ଚ୍ୟାନେଲରେ ଏହି ସମ୍ପର୍କରେ ଆଲୋଚନା ମଧ୍ୟ ପ୍ରସାରିତ ହୋଇଛି । ସାମ୍ବାଦିକ ଆଲୋଚକ ପୋସ୍କୋ ସମର୍ଥନରେ ସମସ୍ତ ରଙ୍ଗୀନ ସ୍ୱପ୍ନକୁ (ଯାହା ଅତ୍ୟନ୍ତ ପିଲାଳିଆ) ଦର୍ଶକଙ୍କ ସାମ୍ନାରେ ଅଜାଡ଼ି ଦେଇଛନ୍ତି । (ଅବଶ୍ୟ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । କାରଣ ପୋସ୍କୋ ଓଡ଼ିଶାର ୧୭ଜଣ ସାମ୍ବାଦିକଙ୍କୁ ଦକ୍ଷିଣ କୋରିଆ ବୁଲାଇ ଆଣିବା ଓ ସେମାନଙ୍କୁ ଆପ୍ୟାୟିତ କରିବାର ପ୍ରତିଦାନରେ ଓଡ଼ିଶାର ସାମ୍ବାଦିକମାନେ କ’ଣ ଏତିକି କରନ୍ତେ ନାହିଁ?)
କିନ୍ତୁ ପୋସ୍କୋ-ଇଣ୍ଡିଆ ତାର ଲକ୍ଷ୍ୟ ହାସଲ ପାଇଁ ଏଯାବତ୍ ଯେଉଁ କୌଶଳମାନ କ୍ରମାନ୍ୱୟରେ ପ୍ରୟୋଗ କରିଆସିଛି, ଯେପରି ସାମ୍ବାଦିକଙ୍କୁ ଦକ୍ଷିଣ କୋରିଆ ବୁଲାଇ ଆଣିବା, ମେଧାବୃତ୍ତ/ଗବେଷଣା ଅନୁଦାନର ବ୍ୟବସ୍ଥା କରିବା, ସେଥିରେ ଇସ୍କନ ମନ୍ଦିରକୁ ଯାଇ ଶ୍ରୀକୃଷ୍ଣଙ୍କଠାରେ ଭକ୍ତି ନିବେଦନ, ମନେହୁଏ ଏକ ଓସ୍ତାଦୀ କୌଶଳ । ଇତିହାସକାରମାନେ କୁହନ୍ତି ବାହାରୁ ଯେଉଁ ରାଜବଂଶଗୁଡ଼ିକ ଆସି ଓଡ଼ିଶା ଜୟକରି ତାର ଶାସକ ହେଲେ ସେମାନେ ସମସ୍ତେ ଜଗନ୍ନାଥଙ୍କୁ ହିଁ ନିଜର ଦେବତା ବୋଲି ଗ୍ରହଣ କରିଥିଲେ । କାରଣ ଏହାଦ୍ୱାରା ଜଗନ୍ନାଥଙ୍କର ଅଗଣିତ ସ୍ଥାନୀୟ ଭକ୍ତଙ୍କ ଦ୍ୱାରା ସେମାନେ ଗ୍ରହଣୀୟ ହୋଇପାରିବେ ବୋଲି ସେମାନେ ବୁଝିଥିଲେ । ଏହା ହେଲା ମଧ୍ୟ- ଜଗନ୍ନାଥଙ୍କର ପ୍ରଥମ ସେବକ ଭାବେ ସେମାନେ ଗ୍ରହଣୀୟ ହୋଇଥିଲେ ଓ ନିଜର ସାମ୍ରାଜ୍ୟ ସ୍ଥାପନାରେ ସଫଳ ହୋଇଥିଲେ ।
ପୋସ୍କୋ-ଇଣ୍ଡିଆର ଅଧ୍ୟକ୍ଷ, ଇତିହାସର ଏହି ଦିଗଟି ପ୍ରତି ମନେହୁଏ ସଚେତନ । କିନ୍ତୁ ଯେଉଁଭଳି ଭାବେ ଅଧ୍ୟକ୍ଷ ଓ ତାଙ୍କର ପତ୍ନୀଙ୍କୁ ଇସ୍କନ ମନ୍ଦିରର ପଣ୍ଡାମାନେ ମନ୍ଦିର ଭିତରକୁ କଡ଼ାଇ ନେଲେ, ସେହିଭଳି ଜଗନ୍ନାଥଙ୍କ ନିକଟକୁ ସାମ୍ରାଜ୍ୟବାଦୀ ରାଜାମାନଙ୍କୁ କଡ଼ାଇ ନିଆଯାଉଥିଲା କି ନାହିଁ- ତାହା ଅନୁସନ୍ଧାନସାପେକ୍ଷ । ପୋସ୍କୋ-ଇଣ୍ଡିଆର ଅଧ୍ୟକ୍ଷ ଯେ ମୂଳ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଚାହିଁ ନଥିବେ ଏପରି ନୁହେଁ । କିନ୍ତୁ ବିଜାତୀୟଙ୍କୁ ମନ୍ଦିର ଭିତରକୁ ଯିବା ଉପରେ ଥିବା କଟକଣା ଫଳରେ ଏହା ସମ୍ଭବ ହୋଇ ନଥିôବ । ତେଣୁ ମୂଳ ସୁଯୋଗର ଅଭାବରେ ତାପର ସୁଯୋଗ ଭାବେ ସେ ଇସ୍କନ ମନ୍ଦିର ଭିତରେ ପ୍ରବେଶକୁ ହିଁ ଗ୍ରହଣ କରିଛନ୍ତି । ଇସ୍କନ ମଧ୍ୟ ରଥଯାତ୍ରା ଆଜି କରି, ବିଭିନ୍ନ ସ୍ଥାନରେ ମନ୍ଦିର ନିର୍ମାଣ କରି ଜଗନ୍ନାଥଙ୍କୁ ପୁଣି କରାୟତ୍ତ କଲାଣି । ବହୁରାଷ୍ଟ୍ରୀୟ ଚରିତ୍ର ବହନ କରୁଥିବା ଇସ୍କନ ସଙ୍ଗଠନ ପାଇଁ ତେଣୁ ପୋସ୍କୋ-ଇଣ୍ଡିଆର ଅଧ୍ୟକ୍ଷଙ୍କୁ ଭକ୍ତି ନିବେଦନର ସୁଯୋଗ ଦେବା ଓ ତାଙ୍କୁ ବନ୍ଦାପନା କରି ମନ୍ଦିର ଭିତରକୁ କଡ଼ାଇ ନେବାରେ ଅସୁବିଧା ବା କ’ଣ?
କିନ୍ତୁ ବିଶ୍ୱବାସୀଙ୍କ ମନରେ ସ୍ୱାଭାବିକ ପ୍ରଶ୍ନ ଉଠେ ପାଣ୍ଡବଙ୍କୁ ବିସ୍ଥାପିତ କରିଥିବା ଶକ୍ତିଶାଳୀ କୌରବଙ୍କ ବିରୁଦ୍ଧରେ ସଶସ୍ତ୍ର ଲଢ଼େଇ ପାଇଁ ପାଣ୍ଡବଙ୍କୁ ପ୍ରବର୍ତ୍ତାଇଥିବା ଶ୍ରୀକୃଷ୍ଣ- ଶକ୍ତିଶାଳୀ ପୋସ୍କୋ-ଇଣ୍ଡିଆ ଓ ତାର ସ୍ଥାନୀୟ ଦଲାଲଙ୍କର ସ୍ଥାନୀୟ ଲୋକଙ୍କୁ ବିସ୍ଥାପନ କରିବାର ଉଦ୍ୟମକୁ କଦାପି ସମର୍ଥନ କରିବେ କି?
ଇସ୍କନର ପଣ୍ଡାମାନେ କୃଷ୍ଣଙ୍କୁ ଯଦି ଏକ ପଥର ମୂର୍ତ୍ତ ଭାବୁଥାନ୍ତି ତା’ହେଲେ ତ ଭୁଲ କରୁଛନ୍ତି । କିନ୍ତୁ ଓଡ଼ିଶାର ଜନସାଧାରଣ ବୁଝିବା ଉଚିତ ଯେ ସାଧାରଣ ଲୋକଙ୍କର ଧର୍ମବିଶ୍ୱାସକୁ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ସ୍ୱାର୍ଥରକ୍ଷା ପାଇଁ ବ୍ୟବହାର କରିବାର ଏକ କୌଶଳ ଏତଦ୍ୱାରା ଆରମ୍ଭ ହୋଇଛି ।
ବହୁରାଷ୍ଟ୍ରୀୟ ଇସ୍କନ ଏହାର ମାଧ୍ୟମ ହୋଇଯାଇ ନାହିଁ ତ?
ତେଣୁ ସାଧୁ, ସାବଧାନ!

Print Friendly, PDF & Email