ସିବିଆଇ ଜଜ୍ଙ୍କର ଦୁର୍ନୀତି

  • 05/09/2015

ଇତ୍ୟବସରରେ (ଜୁନ୍ ୧୯ତାରିଖ) ଆନ୍ଧ୍ରପ୍ରଦେଶର ଜନୈକ ସିବିଆଇ ଜଜ (T.Pattabhi Rama Rao) ଜାମିନ ଦେବାପାଇଁ ଲାଞ୍ଚ ଦେବା (Cash for bail) ମାମଲାରେ ଗିରଫ ହୋଇଛନ୍ତି । ଏହା ବିଚାର ବିଭାଗ ପାଇଁ ଏକ କଳଙ୍କମୟ ଘଟଣା । ସିବିଆଇ ଦ୍ୱାରା ଗିରଫ ହୋଇଥିବା ବେଆଇନ ଖଣି କାରବାରରେ ସମ୍ପୃକ୍ତ, କର୍ଣ୍ଣାଟକର ଏକଦା ବିଜେପି ମନ୍ତ୍ରୀ ଗଲି ଜନାର୍ଦ୍ଧନ ରେଡ୍ଡୀଙ୍କ ଠାରୁ ୫କୋଟି ଟଙ୍କା ଉକ୍ରୋଚ ନେଇ ତାଙ୍କୁ ଜାମିନ ଦେଇଥିଲେ ରାମାରାଓ । ଏହି ଅଭିଯୋଗ ହେବାପରେ ଓ ଆପାତ ପ୍ରମାଣ ସିବିଆଇର ହସ୍ତଗତ ହେଲାପରେ ଶ୍ରୀଯୁକ୍ତ ରାମାରାଓଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଜୁନ୍ ପହିଲା ଦିନ ନିଲମ୍ବିତ କରିଥିଲେ । ରାମାରାଓଙ୍କ ଗିରଫ ହେବା ପୂର୍ବରୁ ତାଙ୍କ ପୁତ୍ର ରବିଚନ୍ଦ୍ର ଓ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଚଲ୍ପତି ରାଓ ମଧ୍ୟ ଏହି ମାମଲା ସହ ସେମାନଙ୍କର ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିଲେ । (http://www.indianexpress.com/news/reddy-bail-suspended-cbi-judge-arrested/964100/20June2012)
ଦେଶର ସର୍ବୋଚ୍ଚ ଅନୁସନ୍ଧାନକାରୀ ସଂସ୍ଥା ସିବିଆଇ- ଯାହା ଦ୍ୱାରା ଅନୁସନ୍ଧାନ କରାଇବାର ଦାବି ବିଭିନ୍ନ ମହଲରୁ ଉଠିଥାଏ-ଏକ ନିରପେକ୍ଷ ଓ ସବିଶେଷ ଅନୁସନ୍ଧାନର ସମ୍ଭାବନାରେ, ସେହିଭଳି ସଂସ୍ଥା ଦ୍ୱାରା ଅନୁସନ୍ଧାନ ଯେ ବିଚାରାଳୟର କେତେକ ଦୁର୍ନୀତିଗ୍ରସ୍ତ ବିଚାରପତିଙ୍କ ଦ୍ୱାରା ବ୍ୟର୍ଥ ହୋଇଯାଇପାରେ- ତାହାର ନିଚ୍ଛକ ଦୃଷ୍ଟାନ୍ତ ହେଉଛି ଉପରୋକ୍ତ ଘଟଣା ।
ଏହା ଅବଶ୍ୟ ଏକ ଆଶ୍ୱସ୍ତିର ବିଷୟ ଯେ ଆନ୍ଧ୍ରପ୍ରଦେଶର ମାନ୍ୟବର ହାଇକୋର୍ଟ ହିଁ ରାମାରାଓଙ୍କୁ ନିଲମ୍ବିତ କଲେ ଓ ଉଚ୍ଚତର ନ୍ୟାୟାଳୟ ଯେ ସଠିକ ଭାବରେ ହସ୍ତକ୍ଷେପ କରିପାରେ, ତାହାର ଏକ ଦୃଷ୍ଟାନ୍ତ ବିଚାର ବିଭାଗ ସମ୍ମୁଖରେ ଉପସ୍ଥାପିତ କଲେ ।
ରାମାରାଓଙ୍କ ଭଳି ଅନେକ ବିଚାରପତି ଯେ ସିବିଆଇ କୋର୍ଟର ପରିଚାଳନା ଦାୟିତ୍ୱରେ ନଥିବେ-ଏପରି କହିହେବ ନାହିଁ । ତେଣୁ ସିବିଆଇ, ଦୁର୍ନୀତି ନିବାରଣ ବିଭାଗ ଓ ଉଚ୍ଚତର ନ୍ୟାୟାଳୟ ଏହି କୋର୍ଟଗୁଡ଼ିକର ପରିଚାଳନା ଓ ନିଷ୍ପତ୍ତିଗୁଡ଼ିକ ଉପରେ ସତର୍କଦୃଷ୍ଟି ରଖିବା ଉଚିତ । ବିଶେଷତଃ ଯେତେବେଳେ ସିବିଆଇ ଜାଲରେ ପଡ଼ୁଥିବା ବ୍ୟକ୍ତିମାନେ ଖୁବ୍ ପ୍ରଭାବଶାଳୀ ଓ ବିତ୍ତଶାଳୀ- ବିଚାରପତିମାନଙ୍କୁ ପ୍ରଲୁବ୍ଧ କରିବା ପାଇଁ ଏମାନଙ୍କ ନିକଟରେ ରହିଛି ବିଭିନ୍ନ ସାଧନ ।
ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟରୁ ଅଭିଯୁକ୍ତଙ୍କ ନାଁକୁ କାଢ଼ିଦେବାଠାରୁ ଆରମ୍ଭ କରି ସିବିଆଇ ଦ୍ୱାରା ଗିରଫ ବ୍ୟକ୍ତିଙ୍କୁ ଜାମିନ ଦେବା ପର୍ଯ୍ୟନ୍ତ-ପ୍ରତ୍ୟେକଟି ନିଷ୍ପତ୍ତିର ସମୀକ୍ଷା ଉଚ୍ଚତର ନ୍ୟାୟାଳୟ କରିଲେ- ଜଣାପଡ଼ିବ ଯେ ନିଷ୍ପତ୍ତିଗୁଡ଼ିକ ଆଇନାନୁସାରେ ହୋଇଛି କି କୌଣସି ବାହି୍ୟକ ପ୍ରଭାବ ଏହି ନିଷ୍ପତ୍ତି ପଛରେ ରହିଛି ।
-ଶୁଦ୍ରକ

Print Friendly, PDF & Email