କଲାମ୍ କେଉଁ ରାଜନୀତିଆଙ୍କଠାରୁ କମ୍?

  • 05/09/2015

ଚଳିତ(ଜୁନ୍) ମାସ ୧୮ତାରିଖ (୧୮/୬/୨୦୧୨) ଦିନ ଭାରତର ପୂର୍ବତନ ରାଷ୍ଟ୍ରପତି, ବହୁ ପ୍ରଚାରିତ ‘ବୈଜ୍ଞାନିକ’, ଆଣବିକ ଶକ୍ତିକୁ ସମର୍ଥନ କରି କିଶୋର ମସ୍ତିଷ୍କକୁ ପ୍ରଜ୍ୱଳିତ (ignite) କରୁଥିବା ଏ.ପି.ଜେ. ଅବଦୁଲ କାଲାମ ଘୋଷଣା କଲେ ଯେ ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ହେବାକୁ ଆଗ୍ରହୀ ନୁହଁନ୍ତି । ତେଣୁ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାନ୍ତି ନାହିଁ । ମିସାଇଲ ମ୍ୟାନ ଭାବେ ପରିଚିତ କାଲାମ, ତାଙ୍କ ପେସାଦାର ଜୀବନର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସବୁବେଳେ ମିସାଇଲ ବା କ୍ଷେପଣାସ୍ତ୍ରର ଡିଜାଇନ (design) କରିଛନ୍ତି ଯେପରିକି କ୍ଷେପଣାସ୍ତ୍ର, ଲକ୍ଷ୍ୟକୁ ଭେଦିବ ବା ଲକ୍ଷ୍ୟ ମୂଳରେ ଯାଇ ବାଜିବ । ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ହେବାର ଲକ୍ଷ୍ୟ ଯେତେବେଳେ ଅପହଞ୍ଚ ବୋଲି ସେ ଆକଳନ କରିଛନ୍ତି, ସେତେବେଳେ ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ହେବାରେ ଅନାଗ୍ରହ ଦେଖାଇଛନ୍ତି । ଯେଉଁଦିନ ଠାରୁ ତାଙ୍କ ନାଁ ଉଠିଲାଣି-ସେ ଦିନଠାରୁ ଉପରୋକ୍ତ ୧୮ ତାରିଖ ପର୍ଯ୍ୟନ୍ତ-ସେ ଲକ୍ଷ୍ୟ କରୁଥିଲେ ଭିନ୍ନ ଭିନ୍ନ ରାଜନୈତିକ ଦଳ ତାଙ୍କର ପ୍ରାର୍ଥୀତ୍ୱ ସମ୍ପର୍କରେ କ’ଣ ନିଷ୍ପତ୍ତି ନେଇଛନ୍ତି । ଯାହା ୧୮ତାରିଖ ଦିନ କହିଲେ, ତାହା ସେ ଯଦି ପ୍ରଥମରୁ କହିଦେଇଥାନ୍ତେ- ତା’ହେଲେ ଉପରୋକ୍ତ ସନେ୍ଦହ-ମନ ଭିତରକୁ ଆସୁ ନଥାନ୍ତା । ସେ ଦେଖୁଥିଲେ ଯେ ତୃଣମୂଳ କଂଗ୍ରେସ ବ୍ୟତୀତ ଆଉ କୌଣସି ଦଳର ତାଙ୍କ ପ୍ରତି ସମର୍ଥନ ନାହିଁ । ଏପରିକି ସମାଜବାଦୀ ପାର୍ଟିର ସୁପ୍ରିମୋ ମୁଲାୟମ, ଯିଏ କି ୨୦୦୨ରେ କାଲାମଙ୍କର ରାଷ୍ଟ୍ରପତି ପଦପାଇଁ ପ୍ରାର୍ଥୀତ୍ୱକୁ ଅକୁଣ୍ଠିତ ସମର୍ଥନ ଦେଇଥିଲେ, ସେ ମଧ୍ୟ କାଲାମ ଅଧ୍ୟାୟ ବନ୍ଦ ବୋଲି ଘୋଷଣା କଲେ । ତେଣୁ ବୁଦ୍ଧିମାନ କାଲାମ ବାଟ କାଟିବାକୁ ଶ୍ରେୟସ୍କର ମନେକଲେ । କିନ୍ତୁ ଏହି ଛକାପଞ୍ଝାରେ, କାଲାମଙ୍କର ସବୁଠାରୁ ବଡ଼ ସଫଳତା ହେଉଛି ଯେ ତାଙ୍କର ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବାର ନିଷ୍ପତ୍ତି କଂଗ୍ରେସ ଦଳ ସ୍ୱାଗତ କରିବା । ଏତେ ହିସାବ ପତ୍ର କରିବା, ବିଭିନ୍ନ ରାଜନୈତିକ ଦଳର ହାବଭାବକୁ ତନ୍ନ ତନ୍ନ କରି ବିଶ୍ଳେଷଣ କରିବା, ସଠିକ୍ ସମୟରେ ମୁହଁ ଖୋଲିବା ବା ବିରୋଧୀଙ୍କ ଦ୍ୱାରା ଅଭିନନ୍ଦିତ ହୋଇପାରିବା-କାଲାମଙ୍କୁ କେଉଁ ରାଜନୀତିଆଙ୍କ ଠାରୁ କମ୍ ବୋଲି କହିବ? -ଶୁଦ୍ରକ

Print Friendly, PDF & Email