୧-୧୫ ଜୁନ୍ ୨୦୧୨
ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କର ପୁତ୍ରବଧୂ ତଥା ଉପମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ବାଦଲଙ୍କର ପନôୀ, ଶିରୋମଣି ଅକାଳୀ ଦଳର ସାଂସଦ ହରଶିମ୍ରତ କଉର ବାଦଲ, ଆମ୍ବେଦକର କାର୍ଟୁନ ଉପରେ ସଂସଦରେ ହୋଇଥିବା ବିତର୍କରେ ଭାଗ ନେଇ କହିଲେ ଯେ, ପାଠ୍ୟପୁସ୍ତକର ରାଜନେତାମାନଙ୍କ ଉପରେ କାର୍ଟୁନକୁ ସ୍ଥାନିତ କରି ଉପାସରକାର କୋମଳମତି ବାଳକ ବାଳିକାଙ୍କର ମନକୁ ବିଷାକ୍ତ କରୁଛନ୍ତି । ବହୁ ଦୁର୍ନୀତି ଅଭିଯୋଗରେ ଛନ୍ଦିହୋଇଥିବା ବାଦଲ ପରିବାରର ସାଂସଦ ବଧୂ, ରାଜନେତାମାନଙ୍କ ପ୍ରତି ଓ ରାଜନୀତି ପ୍ରତି ଉପୁଜିଥିବା କୋମଳମତି ବାଳକ ବାଳିକାଙ୍କ ଭିତରେ ବିଦ୍ୱେଷ ଭାବ ଦ୍ୱାରା ବେଶ୍ ଆଘାତ ପାଇଛନ୍ତି । ଏକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସେ ଯେତେବେଳେ ପଚାରିଛନ୍ତି ଯେ ସେମାନଙ୍କ ଭିତରୁ କେଉଁମାନେ ରାଜନୀତି କରିବାକୁ ଆଗ୍ରହୀ – କେହିହେଲେ ଜଣେ ହାତ ନଟେକିବା ତାଙ୍କୁ ବେଶ୍ ବାଧିଛି । ବେଶି ବାଧିଛି ଯେତେବେଳେ ଏହି ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ସେମାନେ ତାଙ୍କ ଭଳି “ଲୁଟେରା, ଅପରାଧୀ, ହତ୍ୟାକାରୀ ଓ ଚୋର” ହେବାକୁ ଚାହାନ୍ତି ନାହିଁ । ରାଜନୈତିକ ବ୍ୟକ୍ତିମାନଙ୍କ ସମ୍ପର୍କରେ ଏହିଭଳି ଧାରଣା ଦ୍ୱାରା କୋମଳମତି ବାଳକ ବାଳିକା ଆକ୍ରାନ୍ତ ହେବା ଶୁଭଙ୍କର ନୁହେଁ ବୋଲି ସେ ମତ ପୋଷଣ କରନ୍ତି । ରାଜନୈତିକ ବ୍ୟକ୍ତିମାନଙ୍କୁ ଏହିଭଳି ଚିତ୍ରଣ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । (The New Indian Express, 15th May).
କିନ୍ତୁ ଦୁର୍ଭାଗ୍ୟ ଯେ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ହେଲେ, ସତ୍ୟପାଠ ଜରିଆରେ ନିଜ ସମ୍ପର୍କରେ ବିଭିନ୍ନ ତଥ୍ୟ ଦେବା ଯେପରି ବାଧ୍ୟତାମୂଳକ ହୋଇଛି, ସେଥିରୁ ମିଳୁଥିବା ସୂଚନା ଯେ ରାଜନୈତିକ ବ୍ୟକ୍ତିମାନଙ୍କର ଭାବମୂର୍ତ୍ତି ପାଇଁ ଆଦୌ ଅନୁକୂଳ ନୁହେଁ – ତାହା କହିବା ବାହୁଲ୍ୟ ମାତ୍ର ।
ଯେପରି ପଞ୍ଚଦଶ ଲୋକସଭାର ୫୪୫ ସଭ୍ୟଙ୍କ ମଧ୍ୟରୁ ଉପଲବ୍ଧ ୫୩୩ଜଣ ସଦସ୍ୟଙ୍କର ସତ୍ୟପାଠକୁ ଅନୁଶୀଳନ କଲେ ଜଣାଯାଏ ଯେ ୧୫୦ ସଦସ୍ୟଙ୍କ ନାମରେ ଫୌଜଦାରୀ(Criminal) ମାମଲା ରହିଛି । ଏମାନଙ୍କ ମଧ୍ୟରୁ ସାଂଘାତିକ ଫୌଜଦାରୀ ମାମଲା ଥିବା ସଦସ୍ୟଙ୍କ ସଂଖ୍ୟା ହେଉଛି ୭୨ । ଏହି ସଦସ୍ୟମାନଙ୍କ ବିରୁଦ୍ଧରେ ସମୁଦାୟ ଅଭିଯୋଗ (Charges)ର ସଂଖ୍ୟା ହେଉଛି ୪୧୨ । ସାଂଘାତିକ ପେନାଲ କୋଡ଼ ଦଫାର ସଂଖ୍ୟା ହେଉଛି ୨୧୩ । ଉଲ୍ଲେଖଯୋଗ୍ୟ ଯେ ୧୪ଦଶ ଲୋକସଭାରେ ୧୨୮ଜଣ ସଦସ୍ୟଙ୍କ ବିରୋଧରେ ଥିଲା ଫୌଜଦାରୀ ମାମଲା । ଅର୍ଥାତ୍ ଅଭିଯୁକ୍ତ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେହିଭଳି କୋଟିପତି ସଭ୍ୟଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧିଘଟିଛି । ୧୪ଦଶ ଲୋକସଭାରେ ଏମାନଙ୍କ ସଂଖ୍ୟା ୧୫୪ଥିବାବେଳେ ୧୫ଦଶ ଲୋକସଭାରେ ଏମାନଙ୍କ ସଂଖ୍ୟା ୩୦୦ରେ ପହଞ୍ଚିଛି । ଏତଦ୍ ବ୍ୟତୀତ ୩୦୪ଜଣ ସଦସ୍ୟ ଯେଉଁମାନେ ୨୦୦୪ରେ ୧୪ଦଶ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ୨୦୦୯ରେ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି-ସେମାନଙ୍କର ହାରାହାରି ସମ୍ପତ୍ତରେ ୩୦୦ପ୍ରତିଶତ ବୃଦ୍ଧିଘଟିଛି ।(ଦ୍ରଷ୍ଟବ୍ୟ www.indiaassuperpower.blogspot.com)
ତେଣୁ ଏହି ପରିସଂଖ୍ୟାନ ପାଠ୍ୟ ପୁସ୍ତକରେ ସ୍ଥାନ ପାଉ ବା ନ ପାଉ- ଏହା ସ୍କୁଲ ଛାତ୍ରଛାତ୍ରୀଙ୍କ ସୂଚନା ପରିସର ଭିତରକୁ ଆସିଛି । ଯାହାଫଳରେ ତାଙ୍କର ଧାରଣା ହୋଇଛି ଯେ ବର୍ତ୍ତମାନର ରାଜନେତାମାନେ “ଲୁଟେରା,ଅପରାଧୀ, ହତ୍ୟାକାରୀ ଓ ଚୋର” । ଏହା ସାଂସଦ ହରଶିମ୍ରତ କଉରଙ୍କ ପାଇଁ ବ୍ୟଥାମୟ ହୋଇପାରେ-କିନ୍ତୁ ଏହା ପଛରେ ଯେ ଅକାଟ୍ୟ ପରିସଂଖ୍ୟାନ ରହିଛି- ତାହାକୁ ସେ ସ୍ୱୀକାର କଲେ, ପ୍ରତିକାର ପାଇଁ ସେ ଏକ ଭିନ୍ନ ଆହ୍ୱାନ ଦେବାକୁ ବାଧ୍ୟ ହେବେ । ପାଠ୍ୟପୁସ୍ତକରୁ କାର୍ଟୁନ ବାଦ୍ ଦେବାକୁ ନୁହେଁ । -ଶୁଦ୍ରକ