ଆନ୍ନା ଅନଶନର ହଂସଗୀତି

  • 04/09/2015

୧-୧୫ ଜାନୁଆରୀ ୨୦୧୨

ଏମ୍.ଏମ୍.ଆର୍.ଡି.ଏ.(MMRDA) ପଡ଼ିଆରେ ତିନିଦିନ ପାଇଁ ଅନଶନରେ ବସିବେ ବୋଲି ସଂକଳ୍ପ କରି ଆସିଥିବା ଆନ୍ନା ହଜାରେ ମାତ୍ର ଦେଢ଼ ଦିନ ପରେ ଅନଶନରୁ ଉଠିଯିବା ଓ ସେଠାରୁ ନିଜ ଗାଁ ରାଲେଗାଁ ସିଦ୍ଧିକୁ ଫେରିଯିବା- ଦିଲ୍ଲୀବାସୀ ଟିମ୍ ଆନ୍ନାର ସଭ୍ୟମାନଙ୍କ ପାଇଁ ଏକ ବିରାଟ ଧକ୍କା । କାରଣ ଟିମ୍ ଆନ୍ନାର ଦିଲ୍ଲୀବାସୀ ସଭ୍ୟ, ଅରବିନ୍ଦ କେଜରୀୱାଲ, କିରଣବେଦୀ ଓ ମନୀଷ ସିସୋଡ଼ିଆ ଯେ ଚାହୁଁଥିଲେ ଆନ୍ନା ତାଙ୍କର ଅନଶନ ଜାରୀ ରଖନ୍ତୁ! (ଦ୍ରଷ୍ଟବ୍ୟ: kejriwal, Bedi don’t care about Anna Hazare by Smitha Nair, CNN-IBN IBN live politics dated Dec 28, 2011) ଆନ୍ନା ଅସୁସ୍ଥ ଅବସ୍ଥାରେ ଡାକ୍ତରମାନଙ୍କର ବାରଣ ସତ୍ତ୍ୱେ ଅନଶନରେ ବସିଥିଲେ । ସଂସଦରେ ଲୋକପାଳ ବିଲ୍ ଆଲୋଚନା ହେବାବେଳେ- ଏହିଭଳି ଅନଶନରେ ବସିବା ଉଚିତ ହେବନାହିଁ ବୋଲି ରାଜନୈତିକ ନେତା ଓ ବହୁ ଚିନ୍ତାଶୀଳବ୍ୟକ୍ତି ତାଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ଏ ସବୁକୁ ବେଖାତିର କରି ସେ ଅନଶନରେ ବସିବା ଓ ମାତ୍ର ଦେଢ଼ଦିନ ପରେ ଟିମ୍ ଆନ୍ନାର ଉପରୋକ୍ତ ସଭ୍ୟମାନଙ୍କର ଇଚ୍ଛା ବିରୁଦ୍ଧରେ ଅନଶନ ଭାଙ୍ଗିଦେବା ଓ ନିଜ ଗାଁକୁ ଫେରିଯିବା ବୋଧହୁଏ ଏହାହିଁ ସୂଚାଇ ଦେଉଛି ଯେ ଦିଲ୍ଲୀବାସୀ ଟିମ୍ ଆନ୍ନାର ପ୍ରଭାବରୁ ମରାଠୀ ଗାଁନିବାସୀ ଆନ୍ନା ହଜାରେ ନିଜକୁ ମୁକ୍ତ କରିବାର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ବୋଧହୁଏ ବୁଝିପାରିଛନ୍ତି ଯେ ତାଙ୍କର ଅନଶନ କରିବାର ପ୍ରବଣତାର ସୁଯୋଗ ତାଙ୍କର ଏହି ସହଯୋଗୀମାନେ ନେଉଛନ୍ତି ଓ ତାକୁ ଆୟୁଧ କରି ପ୍ରବଳ ହୋ-ହଲ୍ଲା କରୁଛନ୍ତି । ସେ ମଧ୍ୟ ବୁଝିଛନ୍ତି ଯେ, ସେ ଗଣମାଧ୍ୟମ ଦ୍ୱାରା ତିଆରି । ତାଙ୍କର ସର୍ବଭାରତୀୟ ଛବି-ଗଣମାଧ୍ୟମ ଯୋଗୁଁ ହିଁ ସମ୍ଭବ ହୋଇଛି । ସେ ଅତି ସାଧୁତାର ସହ ଏହାକୁ ସ୍ୱୀକାର କରିଛନ୍ତି ଯେତେବେଳେ ସେ କହନ୍ତି ଯେ ‘ତୁମ କ୍ୟାମେରା ଯଦି ମୋ ପଛେ ପଛେ ଯାଉନଥାନ୍ତା- ତା’ହେଲେ ମତେ କିଏ ବା ଜାଣନ୍ତା ।’ (‘If your camera had not followed me every where, who would known me?’ – – Not in the picture by Rajdeep Sardesai, Hindustan Times, Dec 29, 2011) ।
ମୁମ୍ବାଇର ଏମ୍ଏମ୍ଆର୍ଡିଏ (MMRDA) ପଡ଼ିଆରେ ତାଙ୍କର ଅନଶନ କାଳରେ କ୍ଷୀଣ ଜନସମାବେଶ- ଆନ୍ନାଙ୍କୁ ବିଚଳିତ କରିନଥିବ, ଏପରି ନୁହେଁ । ଦିଲ୍ଲୀରେ ବିଶାଳ ଜନସମାବେଶର ଅଭିଜ୍ଞତାର ପୃଷ୍ଠଭୂମିରେ ନିଜ ରାଜ୍ୟ ମୁମ୍ବାଇରେ-ତାଙ୍କର ଅନଶନ ମୁମ୍ବାଇକାରଙ୍କୁ ଆକୃଷ୍ଟ ନକରିବା ତାଙ୍କୁ ହୁଏତ ବାଧ୍ୟ କରିଥିବ ଅନଶନରୁ ଉଠିଯିବା ପାଇଁ । ସେ ଯେ ସାରା ଭାରତର ଜନସାଧାରଣଙ୍କୁ ପ୍ରତିନିଧିତ୍ୱ କରୁନାହାନ୍ତି- ଏହା କ୍ରମଶଃ ବୁଝିଥିବେ ଯାହା ଅନଶନରୁ ଉଠିଯିବା ପାଇଁ ତାଙ୍କର ସଂକଳ୍ପକୁ ଦୃଢ଼ୀଭୂତ କରିଥିବ । ଅନଶନକୁ ହତିଆର କରି ବେଶୀ ଦିନ ଯୁଦ୍ଧ କରିହେବ ନାହିଁ ବୋଲି ବୁଝିଥିବେ । ତେଣୁ ସେ ଆଗାମୀ ନିର୍ବାଚନରେ କଂଗ୍ରେସ ବିରୋଧରେ ପ୍ରଚାର କରିବେ ବୋଲି ଯେଉଁ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି- ତାହା ଅଧିକ ବାସ୍ତବ ବୋଲି ମନେହୁଏ ।
-ଶୁଦ୍ରକ

Print Friendly, PDF & Email