ପୁନର୍ବାର ଜନ୍ତର ମନ୍ତର

  • 04/09/2015

ଏପ୍ରିଲ ୫, ୨୦୧୧ପରେ ଡିସେମ୍ବର ୧୧, ୨୦୧୧ ଜନ୍ତରମନ୍ତରରେ ଦ୍ୱିତୀୟଥର । ତୃତୀୟ ଥରପାଇଁ ଦିଲ୍ଲୀର ଅଧିବାସୀମାନେ ଆନ୍ନାଙ୍କୁ ଅନଶନରେ ବସିବାର ଦେଖିଲେ- ତା’ଭିତରୁ ଦୁଇଥର ଜନ୍ତରମନ୍ତରରେ । ଅବଶ୍ୟ ଡିସେମ୍ବର ୧୧,୨୦୧୧ ଥିଲା ଆନ୍ନାଙ୍କର ପ୍ରତୀକ ଅନଶନର ଦିନ । ରବିବାର-ଛୁଟିଦିନ । ଲୋକ ସମାଗମର ପ୍ରତିଶ୍ରୁତି-ଏହି ଦିନ ନିଶ୍ଚିତ ଅଧିକ । କିଛିଦିନ ପୂର୍ବେ ଆନ୍ନା ଟିମ୍ଙ୍କ ନେତୃତ୍ୱରେ ଦିଲ୍ଲୀର ଜନସାଧାରଣ ଦେଖିଥିଲେ ମଟର ସାଇକେଲ ଓ କାରରେ ସମର୍ଥକଙ୍କର ର୍ୟାଲି । କେହି ଲଘୁମନ୍ତବ୍ୟ କରି କହିପାରେ-କିଛିଦିନ ପରେ ଆନ୍ନାଙ୍କର ସମର୍ଥକ ମାନଙ୍କର ଉଡ଼ାଜାହାଜ ର୍ୟାଲି ଅସମ୍ଭବ ନୁହେଁ । ଟିମ୍ ଆନ୍ନାର-କିରଣ ବେଦୀଙ୍କ ପାଇଁ ଉଡ଼ାଜାହାଜ ଯାତ୍ରା ତ’ ବେଶ୍ ଲାଭପ୍ରଦ ବୋଲି ସର୍ବବିଦିତ । ତେବେ ମଟର ସାଇକେଲ, କାରରେ ଆନ୍ନା ସମର୍ଥକଙ୍କର ର୍ୟାଲି, ରବିବାର ଦିନ ଅନଶନ, ଆନ୍ନାଙ୍କ ପ୍ରତି ହ୍ରାସ ପାଉଥିବା ଜନସମର୍ଥକୁ ଘୋଡ଼ାଇବାର ଉଦ୍ୟମ ନୁହେଁ ତ?
ଏଥର ଅନଶନ ସମାବେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗହେଉଛି-ମଞ୍ଚରେ ଅଣକଂଗ୍ରେସ ବିରୋଧୀ ରାଜନୈତିକ ଦଳର ନେତୃବୃନ୍ଦଙ୍କର ଉପସ୍ଥିତି । ଯେଉଁମାନେ ଗତ ଅନଶନବେଳେ କିରଣବେଦୀଙ୍କର ସାଂସଦମାନଙ୍କୁ ପରିହାସ କରି ଅଭିନୟକୁ ସ୍ମରଣ କରୁଥିବେ-ସେମାନଙ୍କୁ ଏହିଭଳି ଦୃଶ୍ୟ କିଛିଟା ବେଖାପ ମନେହେଉଥିବ । କିନ୍ତୁ କ୍ରମଶଃ କଂଗ୍ରେସବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହେଉଥିବା ଆନ୍ନାଟିମ୍-କଂଗ୍ରେସ ବିରୋଧୀ ରାଜନୈତିକ ଦଳଗୁଡ଼ିକର ସମର୍ଥନ ପାଇଁ ବ୍ୟାକୁଳ ହେବା ସ୍ୱାଭାବିକ । ଅପରପକ୍ଷରେ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଆନ୍ନାଙ୍କୁ ସମର୍ଥନ କରି ନିଜ ନିଜ ଦଳପାଇଁ କିଛି ରାଜନୈତିକ ଫାଇଦାର ସମ୍ଭାବନା ଦେଖୁଥିବା ଅସ୍ୱାଭାବିକ ନୁହେଁ । ଅବଶ୍ୟ ଏକଦା କଂଗ୍ରେସ ସାଂସଦ (ନରସିଂହ ରାଓଙ୍କର ଅତ୍ୟନ୍ତ ଖାସ୍ ଲୋକ), ତାନ୍ତ୍ରିକ ଚନ୍ଦ୍ରାସ୍ୱାମୀଙ୍କର ଘନିଷ୍ଠ ଅନୁଯାୟୀ ଓ ତାଙ୍କର ଓକିଲ ଭାବେ କୁଖ୍ୟାତ, କିନ୍ତୁ ସମ୍ପ୍ରତି ବିଜୁଜନତା ଦଳର ସାଂସଦ ଓ ନବୀନ ବାବୁଙ୍କର ମୁଖର ପ୍ରଶଂସକ ଶ୍ରୀଯୁକ୍ତ ପିନାକୀ ମିଶ୍ର ଏକ ଟି.ଭି. ଆଲୋଚନାରେ-ଆନ୍ନାଙ୍କୁ ସମର୍ଥନ କରିବା ପଛରେ ବିଜୁ ଜନତା ଦଳର କୌଣସି ରାଜନୈତିକ ଫାଇଦା ଉଦେ୍ଧଶ୍ୟ ନୁହେଁ ବୋଲି ଘୋଷଣା କରିଛନ୍ତି । ତାଙ୍କ ମତରେ ନବୀନବାବୁଙ୍କର ସ୍ୱଚ୍ଛ ଭାବମୂର୍ତ୍ତି-ତାଙ୍କ ଦଳକୁ ସୁଫଳ ଦେବା ପାଇଁ ଯଥେଷ୍ଟ । ଏହା ତ ଭିନ୍ନ କଥା ଯେ ପିନାକୀଙ୍କର ନିର୍ବାଚନ ମଣ୍ଡଳୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ଉପରେ ଓଡ଼ିଶାର ମାନ୍ୟବର ଲୋକପାଳ ରାଜ୍ୟପାଳଙ୍କୁ ଦେଇଥିବା ରିପୋର୍ଟକୁ ବାରମ୍ବାର ଦାବିସତ୍ତ୍ୱେ ଓଡ଼ିଶା ବିଧାନସଭାରେ ନବୀନବାବୁଙ୍କର ସରକାର ପେଶ୍ କଲେନାହିଁ । ଅବଶ୍ୟ ଏକ ସୁଖକର ଦୃଶ୍ୟ ହେଉଛି ମଞ୍ଚାସୀନ ବାମପନ୍ଥୀ ରାଜନୈତିକ ନେତୃବୃନ୍ଦଙ୍କର ଟିମ୍ ଆନ୍ନାଙ୍କୁ ସ୍ପଷ୍ଟ ଭାବରେ ଜଣାଇବା ଯେ, ସେମାନେ ନିଜକୁ ବିଜ୍ଞତାର ଗୋଟିଏ ଗୋଟିଏ ଭଣ୍ଡାର ବୋଲି ମନେ ନକରନ୍ତୁ । ଭାରତବର୍ଷର ୧୨୦କୋଟି ଲୋକଙ୍କ ଭିତରେ ବହୁ ବିଦ୍ୱାନ ଓ ଚିନ୍ତାଶୀଳ ବ୍ୟକ୍ତି ଅଛନ୍ତି ଯେଉଁମାନେ ଭାରତରେ ଦୁର୍ନୀତିକୁ ନେଇ ଚିନ୍ତିତ । ସେମାନଙ୍କର ମତାମତକୁ ଟିମ୍ ଆନ୍ନାର ସମ୍ମାନ ଦେବା ଆବଶ୍ୟକ । କିନ୍ତୁ ଏହି ବାମପନ୍ଥୀ ନେତାମାନେ ବୋଧହୁଏ ପାଶୋର ହେଉଛନ୍ତି ଯେ, ନିମ୍ନଶ୍ରେଣୀରେ ଯାଇ ଉଚ୍ଚଶ୍ରେଣୀରେ ଉପ ପ୍ରାୟୋଜକଙ୍କଠାରୁ ଆଦାୟ କରିବା ଟିମ୍ ଆନ୍ନାର ଦୁର୍ନୀତି ତାଲିକାରେ ଆଉ ନାହିଁ- ଯାହାକୁ ସାଧାରଣରେ ଦୁର୍ନୀତି ବୋଲି କୁହାଯାଏ । କାରଣ ଏହି ଦୁର୍ନୀତି ଟିମ୍ ଆନ୍ନାର, ସବୁଠାରୁ ଉଚ୍ଚସ୍ୱରରେ ବକ୍ତବ୍ୟ ରଖୁଥିବା, କିରଣ ବେଦୀ ହିଁ କରିଛନ୍ତି । କହିବା ବାହୁଲ୍ୟ ଯେ ଆନ୍ନାଙ୍କର ଅନଶନ ଓ ଦୁର୍ନୀତି ବିରୋଧୀ ଅଭିଯାନ, ବହୁ ଧାରଣାର ପରିଭାଷା ସ୍ତରରେ ପରିବର୍ତ୍ତନ ଆଣୁଅଛି ।
-ଶୁଦ୍ରକ

Print Friendly, PDF & Email