କେବଳ ଗୋଟିଏ ଚାପୁଡ଼ା

  • 04/09/2015

୧-୧୫ ଡିସେମ୍ବର ୨୦୧୧

ଏହା ହେଉଛି ଦୁର୍ନୀତି ବିରୋଧୀ ଅଭିଯାନର ମୁଖା, ଗାନ୍ଧିବାଦୀ ଆନ୍ନାହଜାରେଙ୍କର ସହସା ପ୍ରତିକ୍ରିୟା । (He got slapped! only one slap?’ The Statesman, 25 Nov 2011) ଯାହାଙ୍କ ଗାଲରେ ଏହି ଚାପୁଡ଼ା ବସିଲା- ସେହି ଗାଲଟି ହେଉଛି କ୍ରିକେଟ ଖେଳ ପରିଚାଳନାରେ ଅଧିକ ମନୋନିବେଶ କରୁଥିବା କେନ୍ଦ୍ର କୃଷିମନ୍ତ୍ରୀ ତଥା ଏନ୍.ସି.ପି.(NCP)ର ମୁଖ୍ୟ ଶ୍ରୀଯୁକ୍ତ ଶରଦ ପାୱାରଙ୍କର । ଗଣମାଧ୍ୟମରେ ପ୍ରସାରିତ ଚିତ୍ରରୁ ଜଣାଯାଏ ବାମ ଗାଲରେ ହିଁ ଚାପୁଡ଼ା ବସିଥିଲା । ଚାପୁଡ଼ା ବସାଇଥିବା ହାତଟି ହେଉଛି ଦିଲ୍ଲୀ ସହରରେ ଅଟୋ ଚଳାଉଥିବା ଶିଖ୍ୟୁବକ ହରବିନ୍ଦର ସିଂହଙ୍କର । ଘଟଣା ଘଟିବାର ଦିବସ ଓ ସମୟ ହେଉଛି ୨୪ ନଭେମ୍ବର ୨୦୧୧, ଗୁରୁବାର ଅପରାହ୍ଣ । ହରବିନ୍ଦର ଏହା ପୂର୍ବରୁ ସୁଖରାମଙ୍କ ସହ ମଧ୍ୟ ଏଭଳି ଆଚରଣ କରିଥିଲେ ବୋଲି ଗଣମାଧ୍ୟମରେ ଖବର । ତେବେ ଚାପୁଡ଼ା ମାରିବାରେ ବିଶେଷତ୍ୱ ହାସଲ କରୁଥିବା ହରବିନ୍ଦଙ୍କର କ୍ରୋଧର କାରଣ ହେଉଛି ଦୁର୍ନୀତି । ସୁଖରାମ ଓ ଶରଦ ପାୱାରଙ୍କୁ ସେ ଦୁର୍ନୀତିଗ୍ରସ୍ତ ବୋଲି ମନେକରି ଏହିଭଳି ଆଚରଣ ଦେଖାଇବାକୁ ଆଗଭର ହୋଇଛନ୍ତି । କିନ୍ତୁ ସବୁ ରାଜନୈତିକ ଦଳ ହରବିନ୍ଦଙ୍କର ଏଭଳି ଆଚରଣକୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି ଓ ଏହା ଗଣତନ୍ତ୍ର ପ୍ରତି ଆକ୍ରମଣ ବୋଲି ମଧ୍ୟ କେହି କେହି କହିଛନ୍ତି । ଏହି ପୃଷ୍ଠଭୂମିରେ ଆନ୍ନାଙ୍କର ସହସା ପ୍ରତିକ୍ରିୟାଟି ସ୍ୱାଭାବିକ ବହୁ ଆଲୋଡ଼ନ ସୃଷ୍ଟି କରିଛି । ଆନ୍ନାଙ୍କର ସଫେଇ ଯେ ଗଣମାଧ୍ୟମ ତାଙ୍କର ମନ୍ତବ୍ୟକୁ ବିକୃତ କରୁଛି ଓ ସେ ଏଭଳି ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କହିଲେ ମଧ୍ୟ- ସହସା ବାହାରି ପଡ଼ିଥିବା ପ୍ରତିକ୍ରିୟାର ପ୍ରତିକୂଳ ପ୍ରଭାବରୁ ଆନ୍ନା ମୁକ୍ତ ହେବା ସମ୍ଭବ ହେଉନାହିଁ । ଆନ୍ନାଙ୍କର କର୍ମସ୍ଥଳି ତାଙ୍କ ଅଞ୍ଚଳ ରାଲେଗାଁ ସିଦ୍ଧିରେ ଅବସ୍ଥିତ ଯାଦବବାବା ମନ୍ଦିର ସାମ୍ନାରେ ୨୫ନଭେମ୍ବର ୨୦୧୧ଦିନ ଶରଦ ପାୱାରଙ୍କର ଅନୁଯାୟୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି (DNA, 26 Nov 2011) । ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ବିକ୍ଷୋଭ ଆନ୍ନାଙ୍କ ମନ୍ତବ୍ୟ ବିରୋଧରେ ଚାଲିଛି । ଯେଉଁମାନେ ଶରଦ ପାୱାର ଓ ଆନ୍ନା ହଜାରେଙ୍କ ମଧ୍ୟରେ ବିଦ୍ୱେଷର ଇତିହାସ ଜାଣନ୍ତି- ସେମାନଙ୍କୁ ଶରଦ ପାୱାର ଅପଦସ୍ଥ ହେବା ଜନିତ ଆନ୍ନା ହଜାରେଙ୍କର ସହସା ପ୍ରତିକ୍ରିୟା ଆଦୌ ଅପ୍ରତ୍ୟାଶିତ ମନେହେବ ନାହିଁ । ତେବେ ଏହିଭଳି ପ୍ରତିକ୍ରିୟା ତାଙ୍କର ଗାନ୍ଧିବାଦୀ ଅହିଂସକ ଭାବମୂର୍ତ୍ତିକୁ ଯେ କ୍ଷୁଣ୍ଣକରୁଛି-ଏଥିରେ ସନେ୍ଦହ ନାହିଁ । ଅପରପକ୍ଷରେ ବାମଗାଲରେ ଚାପୁଡ଼ା ଖାଇଥିବା ଶରଦ ପାୱାର-ତାଙ୍କର ଡାହାଣ ଗାଲଟି ହରବିନ୍ଦରଙ୍କୁ ନଦେଖାଇ ଗାନ୍ଧୀଙ୍କର ପ୍ରକୃତ ଅନୁଯାୟୀ ବୋଲାଇବାର ସୁବର୍ଣ୍ଣ ସୁଯୋଗ ଯେ ହରାଇ ଦେଇଛନ୍ତି- ଏହା କହିବା ବାହୁଲ୍ୟ ମାତ୍ର । -ଶୁଦ୍ରକ

Print Friendly, PDF & Email