ଆନ୍ନାଙ୍କର ଦୁର୍ନୀତି ବିରୋଧୀ ଅଭିଯାନର ପରାଜୟ

  • 04/09/2015

୧-୧୫ ନଭେମ୍ବର ୨୦୧୧

ହରିୟାଣା ପ୍ରଦେଶର ହିସାର ଲୋକସଭା ପାଇଁ ହୋଇଯାଇଥିବା ଉପନିର୍ବାଚନ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇପଡ଼ିଥିଲା ଇତ୍ୟବସରରେ । କାରଣ ଏହି ଉପନିର୍ବାଚନରେ ଏଯାବତ୍ ଅଣରାଜନୈତିକ ମନେ ହେଉଥିବା ଆନ୍ନା ହଜାରେଙ୍କର ଦୁର୍ନୀତିବିରୋଧୀ ଅଭିଯାନ ହଠାତ୍ କଂଗ୍ରେସବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇପଡ଼ିଲା ଓ କଂଗ୍ରେସପ୍ରାର୍ଥୀ ଜୟ ପ୍ରକାଶଙ୍କୁ ପରାଜିତ କରିବାପାଇଁ ଘର୍ମାକ୍ତ ପରିଶ୍ରମ କଲା । କଂଗ୍ରେସ ପ୍ରାର୍ଥୀ ଜୟପ୍ରକାଶଙ୍କର ପରାଜୟ ଯେ ନିଶ୍ଚିତ-ଏହା ଆନ୍ନା ଅଭିଯାନର ସମ୍ପୃକ୍ତି ପୂର୍ବରୁ ହିଁ ସମସ୍ତଙ୍କୁ ଜଣାଥିଲା । କାରଣ ୨୦୦୯ ନିର୍ବାଚନରେ ଜୟପ୍ରକାଶ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ତୃତୀୟ ସ୍ଥାନରେ ଥିଲେ । ତାଙ୍କ ଉପରକୁ ଥିଲେ ଭାରତୀୟ ଜାତୀୟ ଲୋକଦଳର ସମ୍ପତ ସିଂହ ଓ ତା’ଉପରକୁ ଥିଲେ ହରିୟାଣା ଜନହିତ କଂଗ୍ରେସର ଭଜନ ଲାଲ । ଭଜନ ଲାଲ ନିର୍ବାଚିତ ହୋଇଥିଲେ । ଜୁନ୍ମାସରେ ତାଙ୍କର ମୃତୁ୍ୟହେବାରୁ ଉପନିର୍ବାଚନ ହେଉଥିଲା-ହିସାରର ଲୋକସଭା ନିର୍ବାଚନମଣ୍ଡଳୀରେ । ଏହି ଉପନିର୍ବାଚନରେ ସେହି କ୍ରମ ହିଁ ଅବ୍ୟାହତ ରହିଛି । ଜୟପ୍ରକାଶ ତୃତୀୟ ସ୍ଥାନରେ ଅଛନ୍ତି । ତା’ଉପରକୁ ଅଛନ୍ତି ଭାରତୀୟ ଜାତୀୟ ଲୋକଦଳର ଅଜୟ ଚୌତାଲା ଓ ତା’ଉପରକୁ ଅଛନ୍ତି ସ୍ୱର୍ଗତ ଭଜନ ଲାଲଙ୍କ ପୁତ୍ର କୁଲଦୀପ ବିଷନୋଇ । କୁଲଦୀପ ବିଷନୋଇ ହିଁ ନିର୍ବାଚିତ ହୋଇଛନ୍ତି । ତେଣୁ ଆନ୍ନା ହଜାରେଙ୍କର ଦୁର୍ନୀତିବିରୋଧୀ ଅଭିଯାନର କଂଗ୍ରେସବିରୋଧୀ ଭୂମିକାସତ୍ତ୍ୱେ ଜୟପ୍ରକାଶଙ୍କର ତୃତୀୟ ସ୍ଥାନ ଓ ପୂର୍ବକ୍ରମର କୌଣସି ପରିବର୍ତ୍ତନ ହୋଇନାହିଁ । ଅବଶ୍ୟ ଜୟପ୍ରକାଶ ଗତଥର ଯେତିକି ଭୋଟପାଇଥିଲେ (୨,୦୪,୫୩୯) ତାହାଠାରୁ ୫୪୭୫୪ ଭୋଟ କମ୍ ପାଇଛନ୍ତି । ଅପରପକ୍ଷରେ ଭାରତୀୟ ଜାତୀୟ ଲୋକଦଳ ସପକ୍ଷରେ ଗତଥର ଯେତିକି ଭୋଟ ପଡ଼ିଥିଲା(୨,୪୧,୪୯୩) ତା’ଠାରୁ ୧,୦୮,୧୨୫ ଖଣ୍ଡ ଭୋଟ ଅଧିକ ପାଇଛନ୍ତି ଏହି ଦଳର ପ୍ରାର୍ଥୀ ଦେବୀଲାଲ ପୌତ୍ର,ଓମ୍ପ୍ରକାଶ ଚୌତାଲଙ୍କର ପୁତ୍ର ଅଜୟ ଚୌତାଲା । କୁଲଦୀପ ବିଷନୋଇ ଗତଥର ତାଙ୍କ ପିତା ଯେତିକି ଭୋଟ ପାଇଥିଲେ(୨,୪୮,୪୭୬) ତାହାଠାରୁ ୧,୦୭,୪୬୫ ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ଏହି ସଂଖ୍ୟାଗୁଡ଼ିକରୁ ସ୍ପଷ୍ଟ ଯେ କଂଗ୍ରେସ ପ୍ରାର୍ଥୀ ଜୟପ୍ରକାଶ ଯେତିକି ଭୋଟ ହରାଇଛନ୍ତି ତାହାର ଦୁଇଗୁଣ ସଂଖ୍ୟାର ଅଧିକ ଭୋଟ, ଗତ ନିର୍ବାଚନ ତୁଳନାରେ ହାସଲ କରିଛନ୍ତି ଉଭୟ ଭାରତୀୟ ଜାତୀୟ ଲୋକଦଳ ଓ ହରିୟାଣା ଜନହିତ କଂଗ୍ରେସର ପ୍ରାର୍ଥୀ । କହିବା ବାହୁଲ୍ୟ ଯେ, ଆନ୍ନା ହଜାରେଙ୍କର କଂଗ୍ରେସବିରୋଧୀ ଭୂମିକା (ଯଦି ଏହାର କୌଣସି ପ୍ରଭାବଥିଲା ବୋଲି ଆମେ ଧରିନେଉ)କଂଗ୍ରେସ ପ୍ରାର୍ଥୀ ଜୟପ୍ରକାଶଙ୍କୁ ଯେଉଁ ପରିମାଣର କ୍ଷତିକରିଛି-ତାହାର ଦୁଇଗୁଣ ଲାଭ ଦେଇଛି ଅଜୟ ଚୌତାଲାଙ୍କୁ ଓ କୁଲଦୀପ ବିଷନୋଇଙ୍କୁ । ଯେଉଁମାନେ ଜାଣନ୍ତି ଯେ ଉଭୟ ଅଜୟ ଚୌତାଲା ଓ କୁଲଦୀପ ବିଷନୋଇ ବିଭିନ୍ନ ପ୍ରକାର ଦୁର୍ନୀତି ଅଭିଯୋଗରେ ବିଭିନ୍ନ ତଦନ୍ତର ହେଉଛନ୍ତି ସମ୍ମୁଖୀନ ଓ ଅପରପକ୍ଷରେ ଜୟପ୍ରକାଶଙ୍କର ଭାବମୂର୍ତ୍ତି ହେଉଛି ସ୍ୱଚ୍ଛ, ସେମାନେ ଆନ୍ନାଙ୍କର ଦୁର୍ନୀତିବିରୋଧୀ ଅଭିଯାନ ହିସାରରେ ପରାଜୟ ଲାଭ କରିଛି ବୋଲି ମର୍ମାହତ କଣ୍ଠରେ ସ୍ୱୀକାର କରିବା ସ୍ୱାଭାବିକ । କେବଳ ଆନ୍ନା କାହିଁକି-ଆନ୍ନାଙ୍କ ଦୁର୍ନୀତିବିରୋଧୀ ଅଭିଯାନକୁ ଆନ୍ତରିକତାର ସହ ସମର୍ଥନକରୁଥିବା ସମସ୍ତେ ମୌନବ୍ରତ ଧାରଣ କରି ସମୁଦାୟ ଅଭିଯାନର ପ୍ରକୃତ ଲକ୍ଷ୍ୟ ଓ ଏହାର ଗତି ଓ ପ୍ରକୃତିର ପୁନଃସମୀକ୍ଷା କରନ୍ତୁ ।
-ଶୁଦ୍ରକ

Print Friendly, PDF & Email