ନୀରା ରାଡ଼ିଆ ଓ ମିଡ଼ିଆ

  • 04/09/2015

ଆନ୍ନା ଅନଶନର ସମ୍ମୋହନ ଭାଙ୍ଗିବା ପରେ କେହି କେହି ନୀରା ରାଡ଼ିଆ ପ୍ରସଙ୍ଗ ମିଡ଼ିଆରୁ ପ୍ରାୟଃ ଉଭାନ ହୋଇଯିବା ଦ୍ୱାରା ବେଶ୍ ବିସ୍ମିତ ହୋଇଛନ୍ତି । ମନ୍ତ୍ରୀ, ଶିଳ୍ପପତି ଓ ସାମ୍ବାଦିକଙ୍କ ଭିତରେ ମଧ୍ୟ ସ୍ଥିର ଅତୁଳନୀୟ ଭୂମିକାରେ ଅବତୀର୍ଣ୍ଣ ଏହି ଆତ୍ମବିଶ୍ୱାସୀ, ନିର୍ଭୀକ ମହିଳା ଗତବର୍ଷ ପ୍ରାୟଃ ଏହି ସମୟରେ ଯେଉଁଭଳି ଚହଳ ପକାଇଥିଲେ ଓ ଚର୍ଚ୍ଚିତ ହୋଇଥିଲେ, ତାହା ଆଶ୍ଚର୍ଯ୍ୟଜନକ ଭାବେ ବିଶେଷତଃ ଆନ୍ନାଙ୍କର ଅନଶନ ଅଭିଯାନ ଆରମ୍ଭ ହୋଇଯିବାପରେ, ସ୍ତିମିତ ହୋଇଗଲା କାହିଁକି?
ଯେଉଁମାନେ ଆନ୍ନାଙ୍କୁ ଓ ତାଙ୍କର ଦୁର୍ନୀତି ବିରୋଧୀ ଅଭିଯାନକୁ ମିଡ଼ିଆ ତିଆରି ବୋଲି ଭାବନ୍ତି- ସେମାନେ ଏହାର ଉତ୍ତର ସହଜରେ ପାଇପାରିବେ । ନୀରା ରାଡ଼ିଆ ପ୍ରସଙ୍ଗ ଯେ ମିଡ଼ିଆର ଛବିକୁ ଅସ୍ୱଚ୍ଛ କରିଦେଇଥିଲା- ଏଥିରେ ସନେ୍ଦହ ନାହିଁ । ବର୍ଖା ଦତ୍ତ, ପ୍ରଭୁ ଚାୱଲା ଓ ବୀର ସିଂଘୱୀଙ୍କ ଭଳି ଧୂରୀଣ ସାମ୍ବାଦିକ ‘ଦଲାଲି’ କରୁଥିବାର ଅପବାଦ ପାଇଲେ । ଏହି ସାମ୍ବାଦିକ ମାନଙ୍କର ଆଚରଣ ମିଡ଼ିଆପାଇଁ ଏକ ବୋଝ ହୋଇଗଲା । ପ୍ରଭୁ ଚାୱାଲଙ୍କୁ ତ’ ଇଣ୍ଡିଆଟୁଡେରୁ ବିଦାୟ ନେବାକୁ ପଡ଼ିଲା । ତେଣୁ ନୀରାରାଡ଼ିଆ ପ୍ରସଙ୍ଗ ଉଠାଇବାର ଅର୍ଥ ମିଡ଼ିଆର ଅସ୍ୱଚ୍ଛତା ସମ୍ପର୍କରେ ଦର୍ଶକଙ୍କୁ ଓ ପାଠକଙ୍କୁ ସ୍ମରଣ କରାଇଦେବା । କର୍ପୋରେଟମାନଙ୍କର ଦୁର୍ନୀତିରେ ସମ୍ପୃକ୍ତିକୁ ମନେ ପକାଇଦେବା । ଏହା ହୋଇଥିଲେ ଅଣାକାର ଦୁର୍ନୀତିର ଏକ ଆକାର ଜନଗଣଙ୍କ ସାମ୍ନାରେ ଦୃଶ୍ୟ ହୋଇଥାନ୍ତା । ଅଣାକାର ଦୁର୍ନୀତିର ସ୍ୱରୂପ ନଷ୍ଟ ହୋଇଯାଇଥାନ୍ତା । ଅପର ପକ୍ଷରେ ଏକ ଅସ୍ୱଚ୍ଛ ମିଡ଼ିଆ ଦ୍ୱାରା ଅଣାକାର ଦୁର୍ନୀତି ବିରୋଧରେ ଅନଶନରେ ବସିଥିବା ଆନ୍ନାଙ୍କର ଏକ ଗ୍ରହଣୀୟ ଭାବମୂର୍ତ୍ତି ଯେ ସମ୍ଭବ ନୁହେଁ- ତାହା ଆନ୍ନାଙ୍କୁ ଦୁର୍ନୀତି ବିରୋଧରେ ଏକ ବ୍ରାଣ୍ଡ୍ ନେମ (Brand Name) ଭାବେ ତିଆରି କରିବା ପାଇଁ ମୁଣ୍ଡ ଖଟାଇଥିବା ଆନ୍ନା ଟିମ୍ର ସଭ୍ୟବୃନ୍ଦ ବଡ଼ ବଡ଼ ମିଡ଼ିଆ ପ୍ରତିଷ୍ଠାନ ଓ କର୍ପୋରେଟ ବା କମ୍ପାନୀମାନେ ବୁଝିଥିଲେ । ତେଣୁ ଶୁଦ୍ରକର ସନେ୍ଦହ ଯେ ନୀରା ରାଡ଼ିଆ ପ୍ରସଙ୍ଗ ମିଡ଼ିଆରୁ ଉଭାନ ହୋଇଯିବା- ଟିମ୍ ଆନ୍ନାର ସଭ୍ୟବୃନ୍ଦ, ମିଡ଼ିଆର ବଡ଼ ବଡ଼ ରଥୀ ଓ କର୍ପୋରେଟ ସେନାପତିମାନଙ୍କ ମଧ୍ୟରେ ଏକ ଗୋପନୀୟ ବୁଝାମଣାର ପରିଣତି । ଦୁର୍ନୀତି ବିରୋଧରେ ଆନ୍ନା ଏକ ବ୍ରାଣ୍ଡ୍ ନେମ୍ (Brand Name) ହୋଇ ଉଭାହେଲେ ଓ ଦୁର୍ନୀତି ଅଣାକାର ହୋଇ ରହିଲା । -ଶୁଦ୍ରକ

Print Friendly, PDF & Email