୧-୧୫ ଅକ୍ଟୋବର ୨୦୧୧
ଦୁର୍ନୀତି ବିରୋଧରେ ଆଉ କେହି ସ୍ୱର ଉତ୍ତୋଳନ କରୁ ଓ ଗଣମାଧ୍ୟମର ଉପଜୀବ୍ୟ ହେଉ, ତାହା ଆନ୍ନା ହଜାରେ ଚାହାନ୍ତି ନାହିଁ । ସତେଯେପରି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନଉପରେ ଆନ୍ନାଙ୍କର ଏକଚାଟିଆ ଅଧିକାର । ଦୁର୍ନୀତି ବିରୋଧରେ ୩୦ ଜାନୁଆରୀ ୨୦୧୧ଦିନ ଆମରଣ ଅନଶନ ଆରମ୍ଭ କରିଥିବା ବୟାନବେ ବର୍ଷ ବୟସ୍କ ଗାନ୍ଧୀବାଦୀ ନେତା ଶମ୍ଭୁଦତ୍ତଙ୍କୁ କିପରି ଅନଶନରୁ ଟିମ୍ ଆନ୍ନା ନିବୃତ୍ତ କରାଇଥିଲେ, ତାହା ତ ଏହିପୃଷ୍ଠାରେ ପୂର୍ବରୁ ଲେଖାଯାଇଛି । ବାବା ରାମଦେବଙ୍କର ଦୁର୍ନୀତି ବିରୋଧୀ ଅନଶନ ଉପରେ ସରକାରଙ୍କର କଠୋର ଦମନ, ଅଥଚ ଆନ୍ନାଙ୍କ ଅନଶନ ପ୍ରତି ଅହେତୁକ ସମ୍ବେଦନ-ଦର୍ଶାଉଛି ଉପା ସରକାରଙ୍କର ଆନ୍ନାଙ୍କର ଏକଚାଟିଆ ଅଧିକାରକୁ ସ୍ୱୀକୃତି । ତେଣୁ ସ୍ୱାଭାବିକ ଦୁର୍ନୀତି ବିରୋଧରେ ବିଜେପି ନେତା ଲାଲକୃଷ୍ଣ ଆଡ଼ୱାଣିଙ୍କର ଯାତ୍ରାକୁ ଆନ୍ନା ଏକ ପ୍ରହସନ ବୋଲି ଅଭିହିତ କରିଛନ୍ତି । (ଦ୍ରଷ୍ଟବ୍ୟ:The New Indian Express, 14 Sep, 2011) । ଏହିଭଳି ମନ୍ତବ୍ୟ କଂଗ୍ରେସ ଦଳ ପାଇଁ ଯେ ଅନୁକୂଳ, ଏଥିରେ ସନେ୍ଦହ ନାହିଁ । ଏଠାରେ ସ୍ମରଣ କରାଯାଇପାରେ ଯେ ୫ଏପ୍ରିଲ ୨୦୧୧ଦିନ ଆନ୍ନା ଆମରଣ ଅନଶନରେ ବସି, ୬ଏପ୍ରିଲରୁ ୧୫ଜୁନ୍ ୨୦୧୧ ପର୍ଯ୍ୟନ୍ତ ଦେଶବ୍ୟାପୀ ଦୁର୍ନୀତି ବିରୋଧୀ ଅଭିଯାନ ପାଇଁ ବିଜେପି ଦେଇଥିବା ପ୍ରସ୍ତାବକୁ ଭଣ୍ଡୁର କରିବାରେ ସମର୍ଥ ହୋଇଥିଲେ । କହିବା ବାହୁଲ୍ୟ ଯେ ଶକ୍ତି ସାମ୍ପ୍ରଦାୟିକ ହେଉ ବା ଅଣସାମ୍ପ୍ରଦାୟିକ, ଦକ୍ଷିଣପନ୍ଥୀ ହେଉ ବା ବାମପନ୍ଥୀ, ଆନ୍ନା ହଜାରେଙ୍କର ନେତୃତ୍ୱାଧୀନ ଭଦ୍ର ସମାଜର ହିଁ ଏକଚାଟିଆ ଅଧିକାର ଦୁର୍ନୀତି ବିରୋଧରେ- ଏହାହିଁ ଆନ୍ନାଙ୍କର ଧାରଣା ।
ଏହିଭଳି ଏକଛତ୍ରବାଦୀ ମନୋଭାବ ସୁସ୍ଥ ଗଣତନ୍ତ୍ର ପରମ୍ପରାର ପରିପନ୍ଥୀ । ତେବେ କେଉଁ ଅଦୃଶ୍ୟ ଶକ୍ତି ଆନ୍ନା ହଜାରେଙ୍କର ଏହି ମନୋଭାବର ସୁଯୋଗ ନେଇ ଦୁର୍ନୀତି ବିରୋଧରେ ଅଭିଯାନକୁ ନିୟନ୍ତ୍ରିତ କରିବା ପାଇଁ ଚେଷ୍ଟାକରୁଛି, ତାହାକୁ ଉନ୍ମୋଚିତ କରିବାର ଆବଶ୍ୟକତା ଅଛି । ତେବେ ବିଶ୍ୱବ୍ୟାଙ୍କ ୧୯୯୭ ମସିହାରୁ ଦୁର୍ନୀତିକୁ ଏକ ଦୃଷ୍ଟି ଆକର୍ଷଣକାରୀ ପ୍ରସଙ୍ଗ ଭାବେ ଯେ ଭଦ୍ର ସମାଜ ସାମ୍ନାରେ ଥୋଇ ଆସୁଅଛି- ତାହାକୁ ଆଦୌ ଅଣଦେଖା କରାଯାଇ ନପାରେ, ବିଶେଷତଃ ଯେତେବେଳେ ତା’ର ନିଦେ୍ର୍ଧଶିତ ଜଗତୀକରଣ, ଘରୋଇକରଣ ଓ ଉଦାରୀକଣ ଅର୍ଥନୀତି ହୋଇଛି ଦୃଶ୍ୟମାନ ବିପୁଳାକାର ଦୁର୍ନୀତିର ଜନନୀ । -ଶୁଦ୍ରକ