ସବୁଠି ସ୍ୱାଧୀନତା ସଂଗ୍ରାମ

  • 04/09/2015

ଆନ୍ନା ତ ଦ୍ୱିତୀୟ ସ୍ୱାଧୀନତାରବାହକ ବୋଲି ଗଣମାଧ୍ୟମ ବାରମ୍ବାର କହିବା ଅସ୍ୱାଭାବିକ ନୁହେଁ- କାରଣ ଆନ୍ନା ନିଜେ ତାଙ୍କର ଦୁର୍ନୀତି ବିରୋଧରେ ‘ସଂଗ୍ରାମ’କୁ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ବୋଲି କହୁଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ସିପିଏମ୍ର ୩୪ବର୍ଷ ଶାସନରୁ ମୁକ୍ତକରି ଏକ ନୂତନ ସ୍ୱାଧୀନତା ଆଣିଛନ୍ତି ବୋଲି ମତପୋଷଣ କରନ୍ତି ମମତାଙ୍କ ଦୃଢ଼ ସମର୍ଥକ ବିଧାନନଗର ନଗରପାଳିକାର ଅଧ୍ୟକ୍ଷା କୃଷ୍ଣା ଚକ୍ରବର୍ତ୍ତୀ । ଯେପରି ଭାରତର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ସଂଗ୍ରାମୀମାନଙ୍କର ଜୀବନୀ ଛାତ୍ରଛାତ୍ରୀମାନେ ପଢ଼ୁଛନ୍ତି, ସେହିଭଳି ମମତାଙ୍କର ଜୀବନୀ ମଧ୍ୟ ପଶ୍ଚିମବଙ୍ଗର ଛାତ୍ରଛାତ୍ରୀ ପଢ଼ିବା ଉଚିତ ବୋଲି କୁହନ୍ତି କୃଷ୍ଣା ଚକ୍ରବର୍ତ୍ତୀ । ତେଣୁ ଏକ ପୁରସ୍କାର ବିତରଣ ଉତ୍ସବରେ ସେ କୃତୀ ଛାତ୍ରଛାତ୍ରୀଙ୍କ ଭିତରେ ବାଣ୍ଟନ୍ତିପୁସ୍ତକ ‘ମହାକାରଣେ ମମତା’ (ଦ୍ରଷ୍ଟବ୍ୟ: The Statesman, 22 Aug 2011, ‘History lesson leaves bitter taste’) ।
ଦଳୀୟ କ୍ଷମତାର ପରିବର୍ତ୍ତନ ଯଦି ସ୍ୱାଧୀନତା ପ୍ରାପ୍ତି ସହ ତୁଳନୀୟ ହୋଇଯାଏ, ତା’ହେଲେ ପ୍ରତ୍ୟେକ ପାଞ୍ଚବର୍ଷରେ ସ୍ୱାଧୀନତାର ସ୍ୱାଦ ଭାରତର କୌଣସି ନା କୌଣସି ପ୍ରଦେଶରେ ବା ସାରାଭାରତରେ, ଲୋକେ ଯେ ଚାଖିବାକୁ ପାଇବେ ଏଥିରେ ସନେ୍ଦହ ନାହିଁ ।
ଓଡ଼ିଶାରେ ଏ’ଭଳି ସ୍ୱାଧୀନତା ସଂଗ୍ରାମୀ କେବେ ବାହାରିବେ, ତାହାହିଁ ଦେଖିବାକୁ ରହିଲା । -ଶୁଦ୍ରକ

Print Friendly, PDF & Email