ଆନ୍ନା ଅନଶନର ମଜା

  • 04/09/2015

ଆନ୍ନା ଯେଉଁଦିନ ତିହାର ଜେଲ୍ରୁ ବାହାରି ରାମଲୀଳା ମଇଦାନରେ ତାଙ୍କ ଅନଶନ ପାଇଁ ପ୍ରସ୍ତୁତ ସୁରମ୍ୟ ପେଣ୍ଡାଲ ଉପରେ ଉପବିଷ୍ଟ ହେଲେ ଓ ତାଙ୍କ ସମ୍ମୁଖରେ ଥିବା ଏକ ବିଶାଳ ଗଣସମୂହକୁ ସମ୍ମୁଖୀନ ହେଲେ, ସେତେବେଳେ ତାଙ୍କ ସହ ପେଣ୍ଡାଲ ଉପରକୁ ଯାଇଥିବା ଟିମ୍ଆନ୍ନାର ପ୍ରମୁଖ ସଦସ୍ୟ, ଅବସରପ୍ରାପ୍ତ ପୁଲିସ ଅଫିସର କିରଣ ବେଦୀ ମହୋଦୟା ତାଙ୍କର ଦୁଇହାତକୁ ବାରମ୍ବାର ଉପରତଳ କରୁଥିବାର ଦୃଶ୍ୟ ଓ ତାଙ୍କ ମୁଖମଣ୍ଡଳରେ ଏକ ବିଜୟଉଲ୍ଲାସର ଅଭିବ୍ୟକ୍ତି ଯେଉଁମାନେ ଗଣମାଧ୍ୟମରେ ଦେଖିଥିବେ-ସେମାନେ ଏହି ଉଲ୍ଲାସକୁ କି୍ରକେଟ ଖେଳରେ ବିଜୟ ଉଲ୍ଲାସର ଅଭିବ୍ୟକ୍ତିକୁ ମନେପକାଇବା ଅସ୍ୱାଭାବିକ ନୁହେଁ । ‘କେତେ ଯେ ମଜା’- ଏହିଭଳି ଏକ କୈଶୋର ଉଲ୍ଲାସ ମଧ୍ୟ ଅସ୍ୱାଭାବିକ ବୋଲି କହିହେବ ନାହିଁ । ଯେତେବେଳେ ଗଣମାଧ୍ୟମ ଲେଖନ୍ତି, ‘Hazare fasts, supporters feast’ ଅର୍ଥାତ ‘ଆନ୍ନାଙ୍କ ଅନଶନ, ସମର୍ଥକଙ୍କର ତୃପ୍ତଭୋଜନ’(ଦ୍ରଷ୍ଟବ୍ୟ:The New Indian Express, 22Aug 2011, P.1) ସେତେବେଳେ ଆନ୍ନା ଅନଶନ କେତେ ଉପଭୋଗ୍ୟ ଥିଲା, ତାହା ସହଜରେ ଅନୁମେୟ । ଟ୍ରକ୍ ଟ୍ରକ୍ ପକୁଡ଼ି, କଚୁଡ଼ି, ସିଙ୍ଗଡ଼ା, ବିସ୍କୁଟ, କଦଳୀ, ଚା, ଆମ୍ବରସ ସେଠାରେ ବଣ୍ଟା ହେଉଥିଲା । ଭିଡ଼ କରିଥିବା ଜନତାଙ୍କୁ ଆପ୍ୟାୟିତ କରିବାପାଇଁ, ଖାଦ୍ୟ କମ୍ ନଷ୍ଟ ହେଉ ନଥିଲା । (‘Food stuffs were seen thrown around dustbins which were overflowing with half eaten samosas and banans’, P.9) ପିଲାମାନେ ପଡ଼ିଆରେ ଗୋଟିଏ କୋଣରେ ଗୁଡ଼ି ଉଡ଼ାଇବାରେ ମାତିଥିଲେ । ସମସ୍ତେ ଯେପରି ମଜା କରିବାକୁ ଆସିଥିଲେ । (While most acknowledged having heard of Anna, they were frank enough to admit that they were primarily there to have ‘fun’) ବୁଲାବେପାରୀଙ୍କ ପାଇଁ ଏହା ଥିଲା ଏକ ପନ୍ଦରଦିନିଆ ମେଳା,ଯେଉଁଠାରେ ତାଙ୍କର ବ୍ୟବସାୟ ଭଲ ଚାଲୁଥିଲା । ଏତେ ବଡ଼ ଆୟୋଜନ ପାଇଁ ପଇସା କେଉଁଠୁ ଆସୁଥିଲା ପ୍ରଶ୍ନକୁ ଉଠାଇ ମଜାକୁ ବିଗାଡ଼ି ଦେବାପାଇଁ କେହି ଯେପରି ପ୍ରସ୍ତୁତ ନଥିଲେ ।
ତେବେ କିଛି ଯୁବକଯୁବତୀ, ଯେଉଁମାନେ ଇତିହାସପୁସ୍ତକରୁ ଗାନ୍ଧୀଙ୍କର ସ୍ୱାଧୀନତା ସଂଗ୍ରାମ ବିଷୟରେ ପଢ଼ିଥିଲେ, ସେମାନେ ଆନ୍ନାଙ୍କର ଦୁର୍ନୀତି ବିରୋଧୀ ଅଭିଯାନରେ ସାମିଲ ହୋଇ ସ୍ୱାଧୀନତା ସଂଗାମର ଅନୁଭବକୁ ଉପଭୋଗ କରୁଥିଲେ । ଏକ ରୋମାଣ୍ଟିକ୍ ଓ ଶିହରଣର ପରିବେଶ ସୃଷ୍ଟି କରିଛି ଆନ୍ନାଙ୍କର ଅନଶନ । ଆନ୍ନା ଦିନେ ତାଙ୍କର ଆନେ୍ଦାଳନକୁ ‘ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ’ ବୋଲି କହିବା ଦ୍ୱାରା-ଏହି ଯୁବକଯୁବତୀମାନେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବାର ଗୌରବରେ ଆଲ୍ଲାଦିତ ହେଉଛନ୍ତି । ଏହା ତ ଭିନ୍ନ କଥା ଯେ ଗାନ୍ଧୀ ନିଦେ୍ର୍ଧଶିତ ସ୍ୱାଧୀନତା ସଂଗ୍ରାମର ଗାମ୍ଭୀର୍ଯ୍ୟ-ଆନ୍ନା ନିଦେ୍ର୍ଧଶିତ ‘ସ୍ୱାଧୀନତା ସଂଗ୍ରାମ’ରେ ନାହିଁ । ରହନ୍ତା ବା କିପରି? ସେ ସ୍ୱାଧୀନତା ସଂଗ୍ରାମରେ ସ୍ୱାବଲମ୍ବୀ ଅର୍ଥନୀତି ପାଇଁ ଯେ ଥିଲା ଆକର୍ଷଣ । ବର୍ତ୍ତମାନ ତ’ ବଜାରୀ ଅର୍ଥନୀତିରେ ସମସ୍ତେ ଉବୁଟୁବୁ । ତେଣୁ ସେଦିନର ଖଦଡ଼ପିନ୍ଧା ସଂଗ୍ରାମୀଙ୍କ ସ୍ଥାନରେ ଆଜି ଆମେ ଦେଖୁଛୁ, ଜିନ୍, ଗେଞ୍ଜି, ଟପ୍ ପିନ୍ଧା ବହୁ ରଙ୍ଗରେ ବୋଳା, କଉତୁକିଆ ପୋଷାକ ପରିହିତ, ‘ସଂଗ୍ରାମୀ’ମାନଙ୍କୁ । ଏହି ‘ସଂଗ୍ରାମୀ’ମାନେ ତାଙ୍କର ଭବିଷ୍ୟତ ବଂଶଧରଙ୍କୁ ‘ସ୍ୱାଧୀନତା ସଂଗ୍ରାମ’ର ଅନୁଭବ ଗର୍ବର ସହ ବର୍ଣ୍ଣନା କରିବାର ମଜା ତାଙ୍କର ବାର୍ଦ୍ଧକ୍ୟ କାଳରେ ମଧ୍ୟ ପାଇବେ ଓ ଏଥିପାଇଁ ଆନ୍ନାଙ୍କୁ ଧନ୍ୟବାଦ ଦେଉଥିବେ- ଏହା ଆଶା କରିବା ଆଦୌ ଅସମୀଚୀନ ହେବନାହିଁ । -ଶୁଦ୍ରକ

Print Friendly, PDF & Email