ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଲୋକପାଳ ବିଲ୍ ହେଉଛି ଦୁର୍ବଳ । ଆନ୍ନା ହଜାରେଙ୍କ ସହଯୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ଜନଲୋକପାଳ ବିଲ୍ ହେଉଛି ସବଳ-ଏହିଭଳି ଧାରଣା ସୃଷ୍ଟି କରି ଜନଲୋକପାଳ ବିଲ୍କୁ ସଂସଦ ପାରିତ କରୁ ବୋଲି ଆନ୍ନା ଟିମ୍ ଦାବି କରିବା ଓ ଏହା ପାରିତ ନହେଲା ପର୍ଯ୍ୟନ୍ତ ଆନ୍ନା ତାଙ୍କର ଅନଶନ ଜାରିରଖିବେ ବୋଲି ଧମକ ଦେବା- ସ୍ୱାଭାବିକ ଏହି ଦୁଇଟି ବିଲ୍ର ଏକ ତୁଳନାତ୍ମକ ଚିତ୍ର ପ୍ରତି ଦୃଷ୍ଟିନିକ୍ଷେପ କରିବାକୁ ବାଧ୍ୟକରେ । ଏହି ତୁଳନାତ୍ମକ ଚିତ୍ର (The Statesman, 25Aug 2011, P.2)ଦେଖିଲେ ଯାହା ସହସା ବାରି ହୋଇଯାଏ ତାହା ହେଉଛି ଦୁଇଟି । ଜନଲୋକପାଳ ବିଲ୍ରେ ପ୍ରଧାନମନ୍ତ୍ରୀ ଓ ଉଚ୍ଚ ନ୍ୟାୟପାଳିକା ଲୋକପାଳଙ୍କର ଅନୁସନ୍ଧାନ ପରିସରଭୁକ୍ତ ହୋଇଥିବାବେଳେ, ସରକାରୀ ଲୋକପାଳ ବିଲ୍ରେ ଏହାକୁ ବାଦ୍ ଦିଆଯାଇଛି । ଅପରପକ୍ଷରେ ଲୋକପାଳ ବିଲ୍ରେ ସ୍ୱେଚ୍ଛାସେବୀ ସଙ୍ଗଠନ ଅର୍ଥାତ ଏନ୍.ଜି.ଓ. ଲୋକପାଳଙ୍କର ଅନୁସନ୍ଧାନର ପରିସରଭୁକ୍ତ ହୋଇଥିବା ବେଳେ, ଜନଲୋକପାଳ ବିଲ୍ରେ ଏହାକୁ ବାଦ୍ ଦିଆଯାଇଛି । ତେଣୁ ଜନଲୋକପାଳ ବିଲ୍ ଗୃହୀତ ହୋଇଗଲେ-ଏକ ଶକ୍ତିଶାଳୀ ଲୋକପାଳ ବ୍ୟବସ୍ଥା ପ୍ରତିଷ୍ଠିତ ହେବ, କାରଣ ପ୍ରଧାନମନ୍ତ୍ରୀ ଓ ଉଚ୍ଚ ନ୍ୟାୟପାଳିକା ଉପରେ ଏହାର ଅଙ୍କୁଶ ରହିବ-ଅଥଚ ଏହି ଶକ୍ତିଶାଳୀ ଲୋକପାଳ ବ୍ୟବସ୍ଥାର ଏନ୍.ଜି.ଓଙ୍କ ଉପରେ କୌଣସି ଅଙ୍କୁଶ ରହିବ ନାହିଁ । ଏହା ଉଲ୍ଲେଖକରିବା ଆବଶ୍ୟକ ମନେହୁଏ ନାହିଁ ଯେ, ଆନ୍ନା ହଜାରେ, ଅରବିନ୍ଦ କେଜରୀୱାଲ ଆଦିଙ୍କର ବେଶ୍ ପ୍ରଭାବଶାଳୀ ଏନ୍.ଜି.ଓ ରହିଛି । ଅରବିନ୍ଦ କେଜରିୱାଲ୍ଙ୍କର ଏନ୍.ଜି.ଓ. ‘କବିର’ତ ଫୋର୍ଡ଼ ଫାଉଣ୍ଡେସନ ଠାରୁ ଗତ ତିନିବର୍ଷ ଭିତରେ ୪ଲକ୍ଷ ଡଲାର ଗ୍ରହଣ କରିଛି ବୋଲି ଲେଖିକା ଅରୁନ୍ଧତୀ ରାୟ ତାଙ୍କର ଏକ ନିବନ୍ଧରେ ଉଲ୍ଲେଖ କରିଛନ୍ତି । (I’d rather not be Anna, The Hindu, Aug, 21, 2011)ଅପରପକ୍ଷରେ ୨୦୧୧ମସିହାରେ କବିର ୨ଲକ୍ଷ ଡଲାର ଫୋର୍ଡ଼ ଫାଉଣ୍ଡେସନ୍ଠାରୁ ପାଇଛି ବୋଲି ୱେବସାଇଟ୍ þ http://exitopinionpollsindia.blogspot.com/2011/08/fordfoundation-website-conflist-grants.htmlରୁ ଜଣାପଡ଼େ । ବର୍ଷକୁ ୪୦ହଜାରରୁ ୮୦ହଜାର କୋଟି ଟଙ୍କା ଅନୁଦାନ ଆକାରରେ ସଂଗ୍ରହ କରିପାରୁଥିବା ଭାରତର ୩୩ ଲକ୍ଷ ଏନ୍.ଜି.ଓ(ଅର୍ଥାତ ପ୍ରାୟ ପ୍ରତ୍ୟେକ ୪୦୦ ଲୋକରେ ଗୋଟିଏ ଏନ୍.ଜି.ଓ) ଯେ ଇତ୍ୟବସରରେ ଏକ ଶକ୍ତିଭାବେ ପ୍ରକଟିତ ହୋଇଛନ୍ତି ଏହା କହିବା ବାହୁଲ୍ୟ ମାତ୍ର । (ଦ୍ରଷ୍ଟବ୍ୟ: http//ngopost.org/story/government-study-ngos-india, Indian express, 7July 2010) । ଜନ ଲୋକପାଳ ବିଲ୍ ଗୃହୀତ ହୋଇ ଆଇନରେ ପରିଣତ ହୋଇଗଲେ ସରକାର ଉପରେ ଅଙ୍କୁଶ ଲାଗିଯିବ ଅଥଚ ବେସରକାରୀ ସଙ୍ଗଠନ ଏନ୍.ଜି.ଓଗୁଡ଼ିକ ଉପରେ କୌଣସି ଅଙ୍କୁଶ ରହିବ ନାହିଁ । ଅପରପକ୍ଷରେ ସରକାରୀ ଲୋକପାଳ ବିଲ୍ ଆଇନ ହୋଇଗଲେ ଏନ୍.ଜି.ଓ.ଗୁଡ଼ିକ ଉପରେ ଅଙ୍କୁଶ ଲାଗିଯିବ । ତେଣୁ ସ୍ୱାଭାବିକ, ଆନ୍ନା ହଜାରେ ଓ ତାଙ୍କ ଟିମ୍ ସରକାରୀ ଲୋକପାଳ ବିଲ୍କୁ ବିରୋଧ କରୁଛି ଓ ତାଙ୍କୁ ସମର୍ଥନ ଯୋଗାଇବାପାଇଁ ଏକ ବିଶାଳ ଏନ୍.ଜି.ଓ ବାହିନୀ ଯେ ତପôର ହୋଇପଡ଼ିଛି । ତେଣୁ ଯେଉଁ ବିଶାଳ ସମର୍ଥନ ଆନ୍ନାଙ୍କ ପ୍ରତି ଆମେ ଦେଖୁଛୁ- ତାହା ଯେ ଏନ୍.ଜି.ଓ.ମାନଙ୍କର ସର୍ବାନ୍ତକରଣରେ ସମ୍ପୃକ୍ତିର ପରିଣତି-ଏହିଭଳି ନିଷ୍କର୍ଷରେ ଉପନୀତ ହେବା ପାଇଁ ବସ୍ତୁନିଷ୍ଠ କାରଣଗୁଡ଼ିକ ବାଧ୍ୟ କରୁଛି । ଜନଲୋକପାଳ ବିଲ୍ରେ ଏନ୍.ଜି.ଓମାନଙ୍କ ପାଇଁ ରହିଛି ନିର୍ବାଣର ପଥ । ତେଣୁ ଆନ୍ନା ଟିମ୍ର ଜିଦ୍ ଯେ ଜନଲୋକପାଳ ବିଲ୍କୁ ହିଁ ସଂସଦ ଗ୍ରହଣ କରିବା ଉଚିତ । -ଶୁଦ୍ରକ