ଆନ୍ନା ହଜାରେଙ୍କର ଅନଶନର ସମର୍ଥନରେ ବଣିକ ସଂଘଗୁଡ଼ିକ ର୍ୟାଲି କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ଠିକ୍ ଯେ ବ୍ୟବସାୟୀମାନେ ସରକାରୀ ଅଫିସର୍ମାନଙ୍କ ଦ୍ୱାରା ବେଶ୍ ହଇରାଣ ହରକତରେ ପଡ଼ୁଛନ୍ତି ଓ ରିସ୍ୱତ ଦେବାପାଇଁ ବାଧ୍ୟ ହେଉଛନ୍ତି । ତେଣୁ ଏହି ପୁଞ୍ଜିଭୂତ କ୍ଷୋଭର ଅଭିବ୍ୟକ୍ତି ପାଇଁ ଆନ୍ନାଙ୍କର ଅନଶନ ଯେ ଏକ ଅବସର ସୃଷ୍ଟି କରିଛି, ଏଥିରେ ସନେ୍ଦହ ନାହିଁ । କିନ୍ତୁ ଏହି ବ୍ୟବସାୟୀମାନେ ଯେ ବହୁ ଅସାଧୁ କାର୍ଯ୍ୟରେ ଲିପ୍ତରହି ଓ ସେହି କାର୍ଯ୍ୟକୁ କାଏମ ରଖିବାପାଇଁ ସରକାରୀ ଅଫିସର ଓ କର୍ମଚାରୀଙ୍କୁ ରିସ୍ୱତଖୋର କରାଇ ଦିଅନ୍ତି-ଏହାକୁ ତ’ ଅସ୍ୱୀକାର କରିହେବ ନାହିଁ । ନକଲି ଔଷଧ ତିଆରି କରୁଥିବା ବା ରଖୁଥିବା ବ୍ୟବସାୟୀ ତା’ର ବେପାର ଚଳାଇବା ପାଇଁ ଡ୍ରଗ୍ ଇନ୍ସପେକ୍ଟରଙ୍କୁ ରିସ୍ୱତ ଦେବ । ସେହି ବ୍ୟବସାୟୀ ଦୁର୍ନୀତି ବିରୋଧ ଅଭିଯାନରେ ଅଣ୍ଟାଭିଡ଼ିବା ନିଶ୍ଚିତଭାବରେ ଏକ ବିରୋଧାଭାସ , ଏଥିରେ ସନେ୍ଦହ ନାହିଁ । କିନ୍ତୁ ଏ ଦୃଶ୍ୟ ଦେଖିବାକୁ ମିଳୁଛି-ବିଶେଷତଃ ଆନ୍ନାଙ୍କର ଅନଶନ କାଳରେ । ବହୁ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଅସାଧୁ ବ୍ୟବସାୟରେ ଲିପ୍ତ ବ୍ୟକ୍ତି, ଲୋକଙ୍କ ନାମରେ ଅର୍ଥ ଆଣି ତୋଷରପାତ କରୁଥିବା ସ୍ୱେଚ୍ଛାସେବୀମାନେ, ଦୁର୍ନୀତି ବିରୋଧ ର୍ୟାଲିରେ ସାମିଲ ହେବାର ଦୃଶ୍ୟ ଦେଖିବାକୁ ମିଳୁଛି । ଆନ୍ନା ବା ତାଙ୍କର ଟିମ୍ କେହି ଏକଥା କହୁନାହାନ୍ତି ଯେଉଁମାନେ ଦୁର୍ନୀତିଗ୍ରସ୍ତ, ସେମାନେ ରାମଲୀଳା ପଡ଼ିଆକୁ ଆସନ୍ତୁ ନାହିଁ । ଟିମ୍ ଆନ୍ନା ସେ ଗଣମାଧ୍ୟମକୁ ବାରଣ କରିନାହିଁ ଯେଉଁ ଗଣମାଧ୍ୟମ ପଇସା ଦେଇ ଖବର ପ୍ରକାଶ କରୁଛି । କହିବା ବାହୁଲ୍ୟ ଯେ ଆନ୍ନା ହଜାରେ ଓ ତାଙ୍କର ଟିମ୍ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ଭିଡ଼ ଉପରେ କୌଣସି ଅଙ୍କୁଶ ଜାରି କରିନାହାନ୍ତି ବରଂ ସେମାନଙ୍କ ଭିଡ଼ ଦ୍ୱାରା ସ୍ଫୀତ ଜନସମୁଦାୟକୁ ତାଙ୍କ ସମର୍ଥନରେ ଦେଖି ଅପୂର୍ବ ଆନନ୍ଦ ଲାଭ କରୁଛନ୍ତି । ଇତ୍ୟବସରରେ ଶିଳ୍ପପତିମାନେ ମଧ୍ୟ ଦୁର୍ନୀତି ବିରୋଧରେ ମୁହଁ ଖୋଲିଛନ୍ତି । (ଦ୍ରଷ୍ଟବ୍ୟ:The Statesman, 25.8.2011, P.3) ପରିବେଶ ଏପରି ହୋଇଛି ଯେ ଦୁର୍ନୀତି ନକଲେ, ବହୁ ବ୍ୟବସାୟକୁ ଛାଡ଼ିବାକୁ ବାଧ୍ୟ ବୋଲି କହିଛନ୍ତି ଟାଟା ଗୋଷ୍ଠୀର ଅଧ୍ୟକ୍ଷ ରତନ ଟାଟା । (Corruption has got worse and if you choose not to participate in this, you leave behind a lot of business) । ଇନଫୋସିସ୍ର ପୂର୍ବତନ ପ୍ରତିଷ୍ଠାତା ଅଧ୍ୟକ୍ଷ ନାରାୟଣ ମୂର୍ତ୍ତି କହନ୍ତି ଯେ ଘୁସ୍ ଦେଇ ୧କୋଟି ଡଲାରର କମ୍ପାନୀ ଜଣେ ଠିଆ କରାଇପାରେ କିନ୍ତୁ ହଜାର କୋଟି ଡଲାରର କମ୍ପାନୀ ଠିଆ କରାଇପାରିବ ନାହିଁ । (One can bube—- ones way to make a US $ 10million company but you can’nt create a US $10 billion company the same way) । ଘୁସ୍ ନଦେଲେ ବ୍ୟବସାୟରେ ପଛେଇ ଯିବା କଥା ରତନ ଟାଟା କହୁଥିବା ବେଳେ- ଘୁସ୍ ଦେଇ ବେଶୀ ବାଟକୁ ଯାଇପାରିବ ନାହିଁ ବୋଲି ନାରାୟଣ ମୂର୍ତ୍ତି ମତ ପ୍ରକାଶ କରୁଛନ୍ତି । ଏହି ଶିଳ୍ପପତିମାନେ ଯେଉଁଭଳି ଭାବରେ ସରକାରୀ ନିଷ୍ପତ୍ତକୁ ପ୍ରଭାବିତକରି ଜଳ, ଜମି, ଜଙ୍ଗଲ, ଖଣିକୁ କରାୟତ୍ତ କରିଛନ୍ତି-ତାହାର ଆକଳନ କଲେ ଏହି ଶିଳ୍ପପତିମାନଙ୍କର ଦୁର୍ନୀତିକୁ ବିରୋଧ ହାସ୍ୟାସ୍ପଦ ମନେହୁଏ । ହୋଇପାରେ ନୂଆ ପିଢ଼ିର ଶିଳ୍ପପତିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ସେମାନେ ପଛରେ ପଡ଼ିଯାଇଛନ୍ତି ।
ତଥାପି ଏହି ଶିଳ୍ପପତିମାନେ ଦୁର୍ନୀତି ବିରୋଧରେ ଯେ ମୁହଁ ଖୋଲିଛନ୍ତି ତାହାର ଗୋଟିଏ କାରଣ ହୋଇପାରେ ଯେ ଦୁର୍ନୀତି କମିଲେ ଏକ ସ୍ୱଚ୍ଛ ନିବେଶ ପାଇଁ ପରିବେଶ ସୃଷ୍ଟିହେବ । Indian Education Mega Project
ନାମକ ଏକ ଘରୋଇ ଅନୁଷ୍ଠାନର ପ୍ରୋଜେକ୍ଟ ଡିଜାଇନର ଆଶିଷ ପୁନ୍ତାମ୍ବେକର (Ashish Puntambekar)ଙ୍କର ହିସାବ ଅନୁସାରେ ସ୍ୱଚ୍ଛ ନିବେଶ ପରିବେଶ ସୃଷ୍ଟିହେଲେ ବିଦେଶୀ ପୁଞ୍ଜିନିବେଶ ୩ଗୁଣ ବୃଦ୍ଧିପାଇ ୨୦୧୬ ସୁଦ୍ଧା ୭୫୦୦କୋଟି ଡଲାରରେ ପହଞ୍ଚôବ । ଏହାଛଡ଼ା ଭିତ୍ତଭୂମି(Infrastructure) ପାଇଁ ୧ଲକ୍ଷ ୭୦ହଜାର କୋଟି ଡଲାର ନିବେଶ ପାଇଁ ଅବସର ସୃଷ୍ଟି କରିବ ।( The New Indian express 26.8.2011 at P.8 ‘People’s Visceral Antipathy’ by Bharat Karnad) ଏହି ପରିମାଣର ପୁଞ୍ଜିପ୍ରବେଶର ମୋହକୁ ଶିଳ୍ପପତିମାନେ ଏଡ଼ାଇ ପାରିବେ କି? -ଶୁଦ୍ରକ