ଆନ୍ନାଙ୍କର ଅନଶନ-ରାହୁଳଙ୍କର ଆରୋହଣ

  • 04/09/2015

୧-୧୫ ସେପ୍ଟେମ୍ବର ୨୦୧୧

ଅନଶନରତ ଆନ୍ନାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଅଛି ବୋଲି ତାଙ୍କର ସ୍ୱାସ୍ଥ୍ୟ ପ୨ରୀକ୍ଷା କରୁଥିବା ଡାକ୍ତରମାନେ କହୁଥିବାବେଳେ,ଅନଶନର ଛ’ଦିନ ପରେ ଆନ୍ନାଙ୍କର କିଡ଼୍ନୀ ସଂକ୍ରମିତ ହୋଇଥିବାର ଖବର ଆନ୍ନାଟିମ୍ର ସଦସ୍ୟ କିରଣବେଦୀଙ୍କ ଠାରୁ ଗଣମାଧ୍ୟମକୁ ଆସିଛି । କିରଣ ବେଦୀ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି ଯେ, ଆନ୍ନାଙ୍କର ସ୍ୱାସ୍ଥ୍ୟାବସ୍ଥାର ଏହିଭଳି ଅବନତି ହେଉଥିବା ବେଳେ ସରକାରଙ୍କ ତରଫରୁ କଥାବାର୍ତ୍ତା ପାଇଁ କୌଣସି ତପôରତା ପ୍ରକାଶ ପାଉନାହିଁ । (‘Ms Bedi said Anna has not eaten for seven days but no one in government seems concerned,The Statesman,23.8.2011) ଶ୍ରୀମତୀ ବେଦୀ ତ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ରାମଲୀଳା ମଇଦାନକୁ ଆସି ସେମାନଙ୍କୁ ଶୁଣନ୍ତୁ । ଅପରପକ୍ଷରେ ଆନ୍ନା ହଜାରେ ମରାଠି ସାମ୍ବାଦିକ ନିଖିଲ ୱାଗଲେଙ୍କୁ କହିଛନ୍ତି ଯେ ସେ ଲୋକପାଳ ବିଲ୍ ସମ୍ପର୍କରେ କେବଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ରାହୁଳ ଗାନ୍ଧୀ ବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚାଭନଙ୍କ ସହ ହିଁ ଆଲୋଚନା କରିବେ ।
ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ସହ ବସି କଥାବାର୍ତ୍ତା ହେବାର ଆଗ୍ରହ ଆନ୍ନାଙ୍କର ନୂଆ ନୁହେଁ । ସୁଶୀଲ ସିନେ୍ଧ, ବିଳାସରାଓ ଦେଶମୁଖ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଥିବାବେଳେ, ଅନଶନରତ ଆନ୍ନାଙ୍କୁ ମନାଇ ଅନଶନରୁ କ୍ଷାନ୍ତ କରାଇବା ଓ ତାଙ୍କୁ ବିଭିନ୍ନ ପୁରସ୍କାରରେ ଭୂଷିତକରି ତାଙ୍କର ବିଶ୍ୱାସଭାଜନ ହେବାପରେ, ମହାରାଷ୍ଟ୍ରର କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆନ୍ନାଙ୍କର ଏକ ଦୁର୍ବଳତା ରହିଛି । ତେଣୁ ପୃଥ୍ୱୀରାଜ ଚାଭନଙ୍କ ସହ କଥାବାର୍ତ୍ତା ପାଇଁ ଆଗ୍ରହ ଦେଖାଇବା ଆନ୍ନାଙ୍କ ପକ୍ଷରେ ସ୍ୱାଭାବିକ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ କଥାବାର୍ତ୍ତା ପାଇଁ ଆଗ୍ରହ ଦେଖାଇ କଥାବାର୍ତ୍ତାରେ ପ୍ରଧାନମନ୍ତ୍ରୀଙ୍କର ପ୍ରତ୍ୟକ୍ଷ ଅଂଶଗ୍ରହଣ ପାଇଁ ଜିଦ୍ ଧରି ନାହାନ୍ତି । ଯଦିଓ ବେଦୀ ମହାଶୟା ପ୍ରଧାନମନ୍ତ୍ରୀଙ୍କୁ ରାମଲୀଳା ମଇଦାନକୁ ଆସିବା ପାଇଁ ଆହ୍ୱାନ ଦେଇଛନ୍ତି ।
କିନ୍ତୁ ଏହା ସହିତ ରାହୁଳ ଗାନ୍ଧୀଙ୍କ ସହ କଥାବାର୍ତ୍ତା ପାଇଁ ମଧ୍ୟ ସେ ପ୍ରସ୍ତୁତ ବୋଲି ୱାଗଲେଙ୍କୁ ସୂଚନା ଦେବା-ରାହୁଳଙ୍କର ଭାବମୂର୍ତ୍ତି ପାଇଁ ବେଶ୍ ଅନୁକୂଳ ହୋଇଛି । ଏହା କଂଗ୍ରେସ ମହଲକୁ ଯେ ଉଲ୍ଲସିତ କରିଥିବ,ଏଥିରେ ସନେ୍ଦହ ନାହିଁ । ଆନ୍ନାଙ୍କୁ ଗିରଫ କରି, ଆନ୍ନାଙ୍କୁ ହିରୋ କରିଦେଇଥିବା କଂଗ୍ରେସ, ପ୍ରତିଦାନରେ ଆନ୍ନାଙ୍କଠାରୁ ରାହୁଳାନୁକୂଳ ସ୍ୱୀକୃତି ପାଇବବୋଲି କଦାପି ଆଶା କରିନଥିବ । ରାହୁଳ ଏହି ସୁଯୋଗର ଲାଭ ଉଠାଇପାରିଲେ- ମଧ୍ୟବିତ୍ତବର୍ଗର ଯୁବଗୋଷ୍ଠୀର ଯେ ସମର୍ଥନ ହାସଲ କରିବେ, ଏ’ଭଳି ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ ।
ଆନ୍ନାଙ୍କର ଅନଶନ ସବୁବେଳେ କଂଗ୍ରେସ ଦଳ ପାଇଁ ଲାଭଜନକ ହୋଇଛି । ସମ୍ପ୍ରତି ଆନ୍ନାଙ୍କ ଦ୍ୱାରା ରାହୁଳଙ୍କୁ ସ୍ୱୀକୃତି-କଂଗ୍ରେସ ଦଳ ଭିତରେ ରାହୁଳଙ୍କର ଆରୋହଣ ପଥକୁ ଅଧିକ ସୁଗମ୍ୟ କରିବବୋଲି ମନେ ହେଉଛି । ବିଡ଼ମ୍ବନା ଯେ ବିଜେପିର ଆଗ୍ରହ ଆନ୍ନାଙ୍କଠାରେ ଥିବାବେଳେ ଆନ୍ନାଙ୍କ ଆଗ୍ରହ ରାହୁଳଙ୍କଠାରେ ।
-ଶୁଦ୍ରକ

Print Friendly, PDF & Email