ଦିଗ୍ବିଜୟଙ୍କର ସାର୍ଟିଫିକେଟ

  • 04/09/2015

କଂଗ୍ରେସ ଦଳରେ ପ୍ରକୃତ ଗଣତନ୍ତ୍ର ଅଛି । ପ୍ରାୟ ନୀରବତା ବଜାୟ ରଖୁଥିବା ସୋନିଆ ଗାନ୍ଧୀ ଓ ମନମୋହନ ସିଂହଙ୍କ ଭଳି ବ୍ୟକ୍ତି ଏହି ଦଳରେ ଥିବାବେଳେ ଅତ୍ୟନ୍ତ ପ୍ରଗଳ୍ଭ କପିଳ ସିବଳ ଓ ଜୟରାମ ରମେଶ ମଧ୍ୟ ଏଥିରେ ଅଛନ୍ତି । ପୁଣି ଅଛନ୍ତି ଦିଗବିଜୟ ସିଂହ, ଦଳର ମହାସଚିବ, ଯିଏକି ବିତର୍କିତ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହିପାରିଛନ୍ତି । ତାଙ୍କ ଦଳର ମନ୍ତ୍ରୀମାନେ ଯାହାକୁ ଶଙ୍ଖୋଳିବାକୁ ଯାଉଛନ୍ତି- ସେ ବ୍ୟକ୍ତି ବିରୋଧରେ ଦିଗବିଜୟ ଗୋଟିଏ ମନ୍ତବ୍ୟ ଦେଉଛନ୍ତି । ଯେପରି ରାମଦେବଙ୍କୁ ଦିଗ୍ବିଜୟ ଠକ, ପ୍ରବଞ୍ଚକ ଇତ୍ୟାଦି ବିଶେଷଣ ଲଗାଇ ଗଣମାଧ୍ୟମ ସାମ୍ନାରେ ସମାଲୋଚନା କରୁଥିଲେ ଯେତେବେଳେ ତାଙ୍କ ଦଳର ବରିଷ୍ଠ ମନ୍ତ୍ରୀମାନେ ଯାଇ ରାମଦେବଙ୍କୁ ଅଭ୍ୟର୍ଥନା ଜଣାଉଥିଲେ । ଊମା ଭାରତୀଙ୍କର ବିଜେପି ଦଳକୁ ପ୍ରତ୍ୟାବର୍ତ୍ତନ ହେଉ ବା ଆନ୍ନା ହଜାରେଙ୍କର ପ୍ରସ୍ତାବିତ ଅନଶନ ସମ୍ପର୍କରେ ହେଉ ବା ଗୃହମନ୍ତ୍ରୀ ପି.ଚିଦାମ୍ବରମଙ୍କ ଉପରେ ହେଉ-ସେ ସମସ୍ତଙ୍କ ଉପରେ ଦୃଷ୍ଟି ଆକର୍ଷଣକାରୀ ପ୍ରତିକୂଳ ମନ୍ତବ୍ୟ ଦେଇ ଚାଲିଛନ୍ତି । ଏହିଭଳି ପର୍ଯ୍ୟାୟରେ ଦିଗ୍ବିଜୟ ଏକ ଅନୁକୂଳ ମନ୍ତବ୍ୟ ଦେଇଛନ୍ତି ରାହୁଳ ଗାନ୍ଧୀଙ୍କ ସମ୍ପର୍କରେ । ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାପାଇଁ ପରିପକ୍ୱ ହୋଇଗଲେଣି ଓ ଦିଗବିଜୟଙ୍କର ଇଚ୍ଛା ଯେ ସେ ତାଙ୍କ ଜୀବଦ୍ଧଶା ଭିତରେ ରାହୁଳ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀଭାବେ ଦେଖିବାକୁ ଚାହାନ୍ତି । ଏହି ମନ୍ତବ୍ୟ ସୋନିଆ ଗାନ୍ଧୀଙ୍କୁ କେତେ ଆନନ୍ଦ ଦେଇଛି ଜଣାନାହିଁ-କିନ୍ତୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଅପସରି ଯିବା ପାଇଁ ଏକ ଇଙ୍ଗିତ ଏହି ମନ୍ତବ୍ୟରେ ରହିଛି । ଅବଶ୍ୟ ଦିଗ୍ବିଜୟ ସିଂହ ଏହାକୁ ଅସ୍ୱୀକାର କରନ୍ତି । ତାଙ୍କ ମୂଲ୍ୟାୟନରେ ମନମୋହନ ସିଂହ ମୋଟାମୋଟି ଭଲ ବା ‘ଲବସକ୍ସକ୍ଷଚ୍ଚ ଶକ୍ଟକ୍ଟୟ’ ।
କେହି କେହି ଏହି ସମୁଦାୟ ପ୍ରସଙ୍ଗକୁ ଭିତ୍ତ କରି ଦିଗବିଜୟ ଖୋସାମତି ଦିଗଟିକୁ ବିଜୟ କରିବାରେ ଅନନ୍ୟ ସାଧାରଣ ବ୍ୟକ୍ତି ବୋଲି ଯଦି କହୁଛନ୍ତି, ତା’ହେଲେ ନିହାତି ଭୁଲ୍ କହୁନାହାନ୍ତି । କିନ୍ତୁ ତାଙ୍କର ଖୋସାମତି କେବଳ (ସୋନିଆ) ଗାନ୍ଧୀ ପରିବାରକୁ ସୀମିତ-ଏହା ଆଦୌ ଅଣଦେଖା କରିବା ଉଚିତ ନୁହେଁ ।
-ଶୁଦ୍ରକ

Print Friendly, PDF & Email