ସୁଖରାମଙ୍କଠାରୁ ସାଇରାମଙ୍କ ପର୍ଯ୍ୟନ୍ତ

  • 04/09/2015

ସତ୍ୟସାଇ ବାବାଙ୍କର ମୃତୁ୍ୟର (୨୪ଏପ୍ରିଲ ୨୦୧୧) ଦୁଇମାସ ପରେ ବନ୍ଦ ହୋଇ ରହିଥିବା ତାଙ୍କର ବାସଗୃହ ଯଜୁର ମନ୍ଦିରକୁ ୧୬ଜୁନ୍ ୨୦୧୧ଦିନ ସନ୍ଧ୍ୟାବେଳେ ଯେତେବେଳେ ଖୋଲାଗଲା, ସେତେବେଳେ ଏହି ଗୃହରୁ ବାହାରିଥିଲା ୯୮କିଲୋଗ୍ରାମ ସୁନା, ୩୦୭କିଲୋଗ୍ରାମ ରୂପା ଓ ନଗଦ ୧୧.୦୫୬କୋଟି ଟଙ୍କା । ଏହି ଟଙ୍କାକୁ ଗଣିବା ପାଇଁ ଲାଗିଥିଲା ୩୬ଘଣ୍ଟା । ଗଣିବାରେ ନିୟୋଜିତଥିଲେ ୨୦ଜଣ । ଯେଉଁମାନଙ୍କ ଉପସ୍ଥିତିରେ ଏହି ଗୃହ ଖୋଲାଗଲା ସେମାନଙ୍କ ଭିତରେ ଥିଲେ ଦୁଇଜଣ ଅବସରପ୍ରାପ୍ତ ବିଚାରପତି, ଜଣେ ଆୟକର ବିଭାଗ କର୍ମଚାରୀ, ସତ୍ୟସାଇଙ୍କର ବ୍ୟକ୍ତିଗତ ସହାୟକ ଓ ସତ୍ୟସାଇଙ୍କର ପୁତୁରା ଆର.ରନôାକର । ଏତେ ପରିମାଣର ସୁନା ରୂପା ସତ୍ୟସାଇଙ୍କ ବାସଗୃହରେ ରହିବା ସମସ୍ତଙ୍କୁ ଚକିତ କରିଛି । ନଗଦ ଆକାରରେ ଟଙ୍କା ନିଆଯାଏ ନାହିଁ ବରଂ ଚେକ୍ରେ ଦାନ ନିଆଯାଏ ବୋଲି ଯେଉଁମାନେ ଏଯାବତ୍ ବିଶ୍ୱାସ କରିଆସୁଥିଲେ-ସେମାନେ ଏଗାର କୋଟି ଛପନ ଲକ୍ଷ ନଗଦ ଟଙ୍କା ସତ୍ୟସାଇଙ୍କ ବାସଗୃହରେ ମିଳିବା ଦେଖି ମର୍ମାହତ ହୋଇଛନ୍ତି । କେହି କେହି ତ ଯଜୁର ମନ୍ଦିରକୁ ଏକ ଛୋଟିଆ ସ୍ୱିସ୍ ବ୍ୟାଙ୍କ(Swiss Bank) ବୋଲି କହିବାକୁ ପଶ୍ଚାଦପଦ ହୋଇନାହାନ୍ତି । ବଡ଼ ବଡ଼ ରାଜନୈତିକ ବ୍ୟକ୍ତି, ଶିଳ୍ପପତି ଓ ପ୍ରସିଦ୍ଧି ପାଇଥିବା ବ୍ୟକ୍ତିମାନେ (Celebrities)ସେମାନଙ୍କର କଳାଧନକୁ ଏହି ‘ବ୍ୟାଙ୍କ’ରେ ରଖୁଥିଲେ ବୋଲି ଅଭିଯୋଗ ମଧ୍ୟ ଇତ୍ୟବସରରେ ଉଠିଛି । ସରକାର ସତ୍ୟସାଇ କେନ୍ଦ୍ରୀୟ ଟ୍ରଷ୍ଟ (Satya Sai Central Trust) କୁ ଆୟବ୍ୟୟର ହିସାବ ଦାଖଲ କରିବା ଦାୟରୁ ଛାଡ଼ କରିଥିବାରୁ କଳାଧନ ରଖିବା ଉତ୍ସାହିତ ହୋଇଛି ବୋଲି ଅଭିଯୋଗ (ଦ୍ରଷ୍ଟବ୍ୟ: http/www.siasat.com/english/news/yajur-mandir-was-mini-swiss-bank) ଏହି ଟ୍ରଷ୍ଟ ଇତ୍ୟବସରରେ ସରକାରୀ ଅନୁସନ୍ଧାନରେ କେନ୍ଦ୍ରକୁ ଆସିଯାଇଛି । ଦେଖାଯାଉ ଆଉ କ’ଣ କ’ଣ ପ୍ରଘଟିତ ହେଉଛି । କୁହାଯାଉଛି ବାସଗୃହର କୃତ୍ରିମ କାନ୍ଥ (false wall) ଓ କୃତ୍ରିମ ଛାତ (False Ceiling)) ପଛରେ ମଧ୍ୟ ଅନେକ ମୂଲ୍ୟବାନ ପଦାର୍ଥ ଥାଇପାରେ । ତେବେ ବାସଗୃହରୁ ଏତେ ପରିମାଣ ନଗଦ ଟଙ୍କା ମିଳିବା ଶୁଦ୍ରକକୁ ମନେ ପକାଇଦେଲା ଭାରତ ସରକାରଙ୍କର ଟେଲିକମ୍ ମନ୍ତ୍ରୀ ସୁଖରାମଙ୍କ କଥା । ୧୯୯୬ମସିହା ଅଗଷ୍ଟ ୧୬ ତାରିଖ ଦିନ ସିବିଆଇ (CBI)ର ଅଧିକାରୀମାନେ ସୁଖରାମଙ୍କର ଦିଲ୍ଲୀସ୍ଥିତ ସରକାରୀ ବାସଗୃହ ଓ ହିମାଚଳପ୍ରଦେଶର ମଣ୍ଡି ସହରରେ ତାଙ୍କର ନିଜ ଘର ଉପରେ ଚଢ଼ଉ କରି ସମୁଦାୟ ୩କୋଟି ୬୧ଲକ୍ଷ ନଗଦ ଟଙ୍କା ପାଇଥିଲେ । ଦିଲ୍ଲୀ ଗୃହରୁ ୨କୋଟି ୪୫ଲକ୍ଷ ଟଙ୍କା ଓ ମଣ୍ଡିସ୍ଥିତ ଗୃହରୁ ୧କୋଟି ୧୬ଲକ୍ଷ ଟଙ୍କା ପାଇଥିଲେ । ୧କୋଟି ୧୬ଲକ୍ଷ ଟଙ୍କାକୁ ଗଣିବାପାଇଁ, ଶୁଣାଯାଏ, ସକାଳ ୬.୩୦ମିରୁ ଅର୍ଦ୍ଧରାତ୍ର ଯାଏଁ ସମୟ ଲାଗିଥିଲା । ଦିଲ୍ଲୀ ଗୃହରୁ ଜବତ ୨କୋଟି ୪୫ଲକ୍ଷ ଟଙ୍କା ବଡ଼ ବଡ଼ ସୁଟ୍କେଶରେ ରଖାଯାଇ ପୂଜାଗୃହରେ ଲୁଚା ଯାଇଥିଲା । ସୁଖରାମଙ୍କ ମନ୍ତ୍ରଣାଳୟର ଅଧିକାରୀ ଶ୍ରୀମତୀ ରୁନୁ ଘୋଷଙ୍କ ଘରୁ ସିବିଆଇ ପାଇଥିଲା ୧ କିଲୋଗ୍ରାମ ସୁନା, ନଗଦ ୧ଲକ୍ଷ ୩୨ହଜାର ଟଙ୍କା ଓ ଏକଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା । (ଦ୍ରଷ୍ଟବ୍ୟ:Outlook, 4th Sept 1995) ବ୍ୟାଙ୍କରେ ନରଖି, ଘରେ ରଖାଯାଇଥିବା ଏତେ ପରିମାଣର ମୂଲ୍ୟବାନ ପଦାର୍ଥ ଓ ଅର୍ଥ ଯେ କଳାଧନ ଏଥିରେ କୌଣସି ସନେ୍ଦହ ନାହିଁ । ମଠ, ଆଶ୍ରମ, ରାଜନୈତିକ ନେତା ମାନଙ୍କର ଘର, ଶିଳ୍ପପତି, ଚିତ୍ରତାରକା, ଖେଳାଳୀଙ୍କ ଘର ଉପରେ ଯଦି ଅତର୍କିତ ଚଢ଼ଉ କରାଯାଏ, ତା’ହେଲେ ଅମାପ କଳାଧନ ଭାରତ ସରକାରଙ୍କ ତହବିଲ୍କୁ ଚାଲିଆସିବ । ରାମଦେବଙ୍କ ଭଳି ଯେଉଁମାନେ ବିଦେଶରୁ କଳାଟଙ୍କା ଆଣିବା ପାଇଁ ଦାବି କରୁଛନ୍ତି-ସେମାନେ ପ୍ରଥମେ ଦେଶ ଭିତରେ ଥିବା କଳାଟଙ୍କାକୁ ଉଦ୍ଧାର କରିବାର ଦାବି କଲେ-ଦାବି ଅଧିକ ଅର୍ଥପୂର୍ଣ୍ଣ ହୁଅନ୍ତା । -ଶୁଦ୍ର

Print Friendly, PDF & Email