ଦୁର୍ନୀତିକୁ ନୀତି କର

  • 04/09/2015

୧-୧୫ ଜୁଲାଇ ୨୦୧୧

ଲୋକପାଳ ବିଲ୍ ପ୍ରସ୍ତୁତ ପାଇଁ ଗଠିତ ହୋଇଥିବା କମିଟିରେ ଆନ୍ନା ହଜାରେଙ୍କ ଗୋଷ୍ଠୀ ଓ ମନ୍ତ୍ରୀମାନଙ୍କ ଭିତରେ ଆରମ୍ଭ ହୋଇଥିବା କଳହରୁ ଅନେକେ ଏହି ନିଷ୍କର୍ଷରେ ପହଞ୍ଚôଲେଣି ଯେ ସରକାର ଆଦୌ ଚାହାନ୍ତି ନାହିଁ-ଦୁର୍ନୀତିର ମୂଳ ଉପôାଟନ ହେଉ । କେବଳ ସରକାର ନୁହନ୍ତି, କୌଣସି ରାଜନୈତିକ ଦଳ ଏହା ଚାହାନ୍ତି ନାହିଁ ବୋଲି ଗଣମାଧ୍ୟମରେ ହେଉଥିବା ବିତର୍କରୁ ଜଣାପଡ଼ୁଛି । ତେଣୁ ଭାରତରୁ ଦୁର୍ନୀତି ଲୋପ ପାଇବ-ଏପରି ସମ୍ଭାବନା ଦେଖାଯାଉ ନାହିଁ । ଏହିଭଳି ପରିସ୍ଥିତିରେ ବରିଷ୍ଠ ସାମ୍ବାଦିକ ସୀମା ମୁସ୍ତାଫାଙ୍କର ପ୍ରସ୍ତାବ (ଦ୍ରଷ୍ଟବ୍ୟ: The Statesman, dated-24June 2011, P-7) ହେଉଛି ଯେ ଦୁର୍ନୀତିକୁ ଆଇନସିଦ୍ଧ ବୋଲି ଘୋଷଣା କର । ଦୁର୍ନୀତି ହେଉ, ଏହାଫଳରେ ଭାରତରେ ଏକ ସଫଳ ସମାନ୍ତରାଳ ଅର୍ଥନୀତି ସମ୍ଭବ ହୋଇପାରିବ ଯାହାଦ୍ୱାରା ଆମର ରାଜନୈତିକ ନେତା, ଅମଲା, ସାମ୍ବାଦିକ ଓ ଶିଳ୍ପପତିମାନେ ଅଧିକରୁ ଅଧିକ ଧନୀ ହୋଇପାରିଛନ୍ତି ଏହାକୁ ସ୍ୱୀକାରକରି ଗୋଟିଏ ଆଇନ କର । ଦୁର୍ନୀତିରୁ ଆୟର ପରିମାଣ ଅନୁସାରେ କର୍ମଚାରୀଙ୍କୁ ତା’ର ପରବର୍ତ୍ତୀ ପଦବୀକୁ ପଦୋନ୍ନତି ଦିଅ । ଉଦାହରଣ ସ୍ୱରୂପ ଯଦି ସହକାରୀ ଯନ୍ତ୍ରୀର ଦୁର୍ନୀତିରୁ ଆୟର ପରିମାଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀର ଦୁର୍ନୀତିରୁ ପ୍ରଥମ ଆୟର ପରିମାଣ ସହ ସମାନ ହୁଏ, ତା’ହେଲେ ସେହି ସହକାରୀ ଯନ୍ତ୍ରୀକୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦକୁ ଉନ୍ନୀତ କର । ଜାତୀୟ ପୁରସ୍କାରଗୁଡ଼ିକୁ ସେହି ଶିଳ୍ପପତି, ଶିକ୍ଷାବିତ୍, ସାମ୍ବାଦିକ ଓ କଳାକାରମାନଙ୍କ ପାଇଁ ସୁରକ୍ଷିତ ରଖ ଯେଉଁମାନେ ଟିକସ ଫାଙ୍କୁଥିବେ ଓ ସମାନ୍ତରାଳ ଅର୍ଥନୀତିକୁ ସମୃଦ୍ଧ କରୁଥିବେ । ସମାନ୍ତରାଳ ଅର୍ଥନୀତିକୁ ଆଇନସମ୍ମତ ବୋଲି ଗ୍ରହଣ କର ଓ ଯେଉଁମାନେ ସଚ୍ଚୋଟ, ସେମାନଙ୍କ ଉପରେ ଟିକସ ଭାର ଏପରି କର ଯେ ସେମାନେ ଅଣନିଶ୍ୱାସୀ ହୋଇଯିବେ ଓ ଦୁର୍ନୀତିଗ୍ରସ୍ତଙ୍କ ଗୋଷ୍ଠୀକୁ ପଳାଇ ଆସିବେ, ଯେଉଁ ଠିକାଦାର ଅଧିକ ଘୁଷ୍ ଦେଇପାରିବ ତାକୁ ହିଁ କାମ ଦିଅ । ଏକ ଏପରି ଆଇନ ହେଉ ଯାହାବଳରେ ସେହି ପ୍ରାର୍ଥୀ ନିର୍ବାଚନରେ ବିଜୟୀ ବୋଲି ଘୋଷିତ ହେବ ଯିଏ ସବୁଠାରୁ ଅଧିକ ଉକ୍ରୋଚ ଜନସାଧାରଣଙ୍କୁ ଦେଇ ପାରୁଥିବ ।
ସୀମା ମୁସ୍ତାଫାଙ୍କର ବିଶ୍ୱାସ ଯେ ତାଙ୍କର ଉପରୋକ୍ତ ପ୍ରସ୍ତାବକୁ ସରକାର ଯଦି ଗ୍ରହଣ କରିନିଅନ୍ତି, ତା’ହେଲେ ଲୋକପାଳ ବିଲ୍ ପାଇଁ ଆଉ ତପôରତା ପ୍ରକାଶ ପାଇବ ନାହିଁ । ଅନୁସନ୍ଧାନ ଆଜି ପାଇଁ ହେଉଥିବା ଦାବି ଆଉ ଉଠିବ ନାହିଁ । ବହୁ ପ୍ରଶ୍ନ ସମ୍ମୁଖୀନ ହେବାରୁ ସରକାର ତ୍ରାହି ପାଇଯିବେ ।
ଏହିଭଳି ପ୍ରସ୍ତାବ ଏବେ ପଢ଼ିଲାବେଳେ ମନେପଡ଼ିଲା ଓଡ଼ିଶାର ଜଣେ ବରିଷ୍ଠ ନେତାଙ୍କର ଅନେକବର୍ଷ ତଳେ ଦିଆଯାଇଥିବା ସଦୃଶ ପ୍ରସ୍ତାବ ଯେ ଦୁର୍ନୀତିକୁ ନୀତି କରିଦିଅ- ଦୁର୍ନୀତି ଆଉ ପ୍ରସଙ୍ଗ ହୋଇ ରହିବ ନାହିଁ । ସ୍ୱାଧୀନୋତ୍ତର ଓଡ଼ିଶା ରାଜନୀତିରେ ଦୁର୍ନୀତି ଏକ ମୁଖ୍ୟ ପ୍ରସଙ୍ଗ ଭାବେ ରାଜନୈତିକ ପରିବର୍ତ୍ତନରେ ଏକ ନିର୍ଣ୍ଣାୟକ ଭୂମିକା ସବୁବେଳେ ଗ୍ରହଣ କରିଆସିଛି । ୪୫ବର୍ଷ ତଳେ ଦୁର୍ନୀତିମୁକ୍ତ ନିର୍ମଳ ଶାସନର ଆହ୍ୱାନ ଏହି ମାଟିରେ ଉଠିଛି । ଖାନ୍ନା କମିଶନ, ମୁଧଲକର କମିଶନ ଇତ୍ୟାଦି ବସିଛି ରାଜନେତାଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗକୁ ବିଚାର କରିବା ପାଇଁ । ଏହିସବୁ ଦୃଶ୍ୟ ଦେଖି ସେତେବେଳେ ମଧ୍ୟ ଅନେକ ଭାବିଥିଲେ ଦୁର୍ନୀତି ଲୋପ ପାଇବା ଅସମ୍ଭବ । ସେହି ସମୟରେ ବରିଷ୍ଠ ନେତା କହିଲେ ଦୁର୍ନୀତିକୁ ନୀତି କରିଦିଅ-ଦୁର୍ନୀତି ପ୍ରସଙ୍ଗହୀନ ହୋଇଯିବ ।
ସୀମା ମୁସ୍ତାଫାଙ୍କର ପ୍ରସ୍ତାବରେ ତା’ର ପ୍ରତିଧ୍ୱନି ହିଁ ଶୁଦ୍ରକ ଶୁଣୁଛି ।
-ଶୁଦ୍ରକ

Print Friendly, PDF & Email